Monday, January 09, 2017

ମହିମା ଭକ୍ତି କବିତା - 'ବହୁଛି ଅବନା ବାଇ'



କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବହୁଛି ଅବନା ବାଇ, ଦିବା ନିଶି ଏକ ହୋଇ ।

କେ ପାଇଛ ଅନ୍ତଆଦ୍ୟ ଚିହ୍ନି ରଖିଅଛ କାହିଁ । (ଘୋଷା)।

ମହାଶୂନ୍ୟ ଶୂନ୍ୟେ ବାଟ ଅରୂପ ଅବର୍ଣ୍ଣେ ଭେଟ
ପିଣ୍ଡ ବ୍ରହ୍ମାଣ୍ଡରେ ଭେଦି ଧରି ନ ପାରିଲେ କେହି ।୧।

ନାହିଁ ଚେତା ହେତୁଦ୍ୱାରେ ନ ଥାଇ ମନ ଭିତରେ
କାୟା ଛାୟା ମାୟାଠାରେ କାହିଁ କିଛି ନ ଲାଗଇ ।୨।

କାମନା କଳ୍ପନାଦ୍ୱାରେ ନ ମିଶେ ହେଜ ପାଞ୍ଚରେ
କେ ତାଙ୍କୁ କରିବ ଠାବ ଯାର ନାହିଁ ହାଇ ଛାଇ ।୩।

ନ ପଶେ ଶବ୍ଦ ଆକାରେ ଏକ୍ୱୈଶ ପୁର ବାହାରେ
ସାର ବ୍ରହ୍ମ ଏକପାଦ ରହିଛି ଗୁପତ ହୋଇ ।୪।

ସ୍ଥିତି ହସ୍ତିକୁ ରଚିଲା କେଉଁ ଭିତରେ ରହିଲା
ଯେ ତାଙ୍କୁ ଭେଟାଇ ଦେବ ତା ପାଦ ଧରିବି ଯାଇ ।୫।

ନ ଘେନେ ସେବା ଭକତି ଦର୍ଶନ ଭଜନ ନାସ୍ତି
କହେ ଭୀମ ଅରକ୍ଷିତ ନିଗମେ ରହିଲା ଯାଇଁ ।୬।

No comments:

Post a Comment