Wednesday, August 31, 2016

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୨ 



ଲେଖକ - ଶ୍ରୀ କିଶନ ପଟ୍ଟନାୟକ



କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ



ସୁହାର୍ତ୍ତୋଙ୍କର ଇସ୍ତଫା
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗଣତାନ୍ତ୍ରିକବାଦୀ ଦେଶମାନେ ବିଜୟୀ ହେଲେ । ଇଟାଲୀ ଓ ଜର୍ମାନୀ ଫାସିବାଦର ଅବସାନ ପରେ ଗଣତନ୍ତ୍ରକୁ ଫେରିଆସିଲେ । ପୂର୍ବ ୟୁରୋପ୍ ରେ ଦେଶମାନେ ଷ୍ଟାଲିନ୍ ବାଦୀ ଏକଛତ୍ରବାଦ ବିରୁଦ୍ଧରେ ବିଦ୍ରୋହ କରିବା ଆରମ୍ଭ କରିଦେଲେ । ଏହାର ଶେଷ ପରିଣତି ହେଲା ସୋଭିଏତ୍ ଋଷ୍ ର ପତନ ଓ ବିଖଣ୍ଡନ । ତେଣୁ ଦେଖିବାକୁ ଗଲେ, ଗଣତନ୍ତ୍ରର ଶତ୍ରୁମାନେ ନିଶ୍ଚିହ୍ନ ହୋଇଗଲେ । ଆମେରିକା ସବୁଠାରୁ ବେଶୀ ପରାକ୍ରମୀ ଦେଶ ହେଲା । ଇତିହାସର ବିଡ଼ମ୍ବନା ଏପରି ଯେ ଗଣତନ୍ତ୍ରର ସବୁ ଶତ୍ରୁ ନିହତ ହୋଇଯିବା ପରେ ପଶ୍ଚିମର ଧନୀ ରାଷ୍ଟ୍ରମାନେ ବାକୀ ଦୁନିଆକୁ ଗଣତାନ୍ତ୍ରିକ କରିବାର ଉଦ୍ଦେଶ୍ୟକୁ ନିଜେ କୋହଳ କରିଦେଲେ। ୟୁରୋପ୍ ର ଗଣତାନ୍ତ୍ରିକ ଦେଶମାନେ ଦ୍ୱିତୀୟ ବିଶ୍ୱର ଗଣତନ୍ତ୍ର ବିଷୟରେ ସମ୍ପୂର୍ଣ୍ଣ ଉଦାସୀନ ହେଲେ । ଏପରିକି ପୂର୍ବ ୟୁରୋପୀୟ ଦେଶମାନଙ୍କ ଗଣତନ୍ତ୍ର ବିଷୟରେ ମଧ୍ୟ ସେମାନଙ୍କର କୌଣସି ଚିନ୍ତା ରହିଲା ନାହିଁ । ତୃତୀୟ ବିଶ୍ୱର ଦେଶମାନଙ୍କରେ ସରକାର ଭାଙ୍ଗିବା ଗଢ଼ିବାର କାମ ଆମେରିକା ନିଜ ହାତକୁ ନେଇଛି । ତାହାର ବୋଲକରା ଏକଛତ୍ରବାଦୀ ଶାସକମାନେ ଯେତେବେଳେ ପୁରୁଣା ହୋଇ ଲୋକଙ୍କର ଅପ୍ରିୟ ହୋଇଯାନ୍ତି, ସେତେବେଳେ ସେମାନଙ୍କୁ ହଟାଇବା ପାଇଁ ସେଇ ଦେଶର ଜନତାନ୍ତ୍ରିକ ଆନ୍ଦୋଳନକୁ ଟଙ୍କା ପଇସା ଦେଇ ଆମେରିକା ସାହାଯ୍ୟ କରେ । ତାହାର ନେତାମାନଙ୍କୁ ନିଜ ପଟିଆ କରିନିଏ । ନିକଟରେ ଇଣ୍ଡୋନେସିଆର ସୁହାର୍ତୋ ସରକାରକୁ ଏହିପରି ଭାବରେ ହଟାଇ ଦିଆଗଲା । ଏହି ପ୍ରଣାଳୀରେ ଲାଟିନ୍ ଆମେରିକାର ଅନେକ ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା କରାଇଥିବାର ବାହାଦୂରୀ ଆମେରିକା ନେଉଛି । ଏହା ସତ୍ତ୍ୱେ ପୃଥିବୀର ଅଧିକାଂଶ ଭୂଭାଗ ଆଜି ଗଣତନ୍ତ୍ରବିହୀନ । କିମ୍ବା, କୁହାଯାଇପାରେ ଯେ, ଅନେକ ଦେଶ ଅଛନ୍ତି, ଯେଉଁଠି ଗଣତାନ୍ତ୍ରିକ ବ୍ୟବସ୍ଥା ଆସୁଛି, ପୁଣି ଚାଲିଯାଉଛି । ବିକାଶଶୀଳ ଦେଶମାନଙ୍କ ଭିତରେ ଭାରତର ଅବସ୍ଥା ଭିନ୍ନ । ତାହାର ବିଶେଷ କାରଣ ବିଷୟରେ ଏହି ନିବନ୍ଧରେ ଅନ୍ୟତ୍ର ଆଲୋଚନା ହୋଇଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବାର ଦୁଇ-ତିନି ଦଶନ୍ଧି ମଧ୍ୟରେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଅଧିକାଂଶ ଦେଶ ରାଜନୈତିକ ଭାବରେ ସ୍ୱାଧୀନତା ପାଇଗଲେ । ଏହି ଦେଶମାନଙ୍କର ଶିକ୍ଷିତ ଶ୍ରେଣୀ ପଶ୍ଚିମର ଗଣତନ୍ତ୍ର ଓ ସମୃଦ୍ଧି ପ୍ରତି ଆକୃଷ୍ଟ ହୋଇଥିଲେ । ତେଣୁ ସ୍ୱାଧୀନତା ପାଇବା ପରେ ସେମାନେ ମଧ୍ୟ ନିଜ ନିଜ ଦେଶର ଗଣତାନ୍ତ୍ରିକକରଣ ଓ ସମୃଦ୍ଧିକରଣ ଚାହିଁଲେ । ଏପର୍ଯ୍ୟନ୍ତ ସେମାନଙ୍କର ଏହି ଚେଷ୍ଟା ବ୍ୟର୍ଥ ହୋଇଛି କହିଲେ ଚଳେ । ଆଂଶିକ ଗଣତନ୍ତ୍ର କେତେକ ରାଷ୍ଟ୍ରରେ ସ୍ଥାପିତ ହୋଇଛି । ସମୃଦ୍ଧିର ସ୍ୱପ୍ନ ମଉଳିବାକୁ ବସିଲାଣି । ୟୁରୋପ୍ ଓ ଆମେରିକାକୁ ଯଦି ସମୃଦ୍ଧିର ମାପକାଠି ଧରାଯାଏ ତାହା ହେଲେ ତାହା ହାସଲ କରିବାର ସ୍ୱପ୍ନ ଚୀନ୍ ଓ ଭାରତର ନେତୃତ୍ୱ ମନରେ ଏକଦା ଥିଲା । ଏବେ କୌଣସି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ସେକଥା କହୁନାହାନ୍ତି । ସେମାନେ ଏବେ ଦକ୍ଷିଣକୋରିଆ, ସିଙ୍ଗାପୁର୍ କିମ୍ବା ମାଲୟେସିଆକୁ ଆଦର୍ଶ ବୋଲି ଧରୁଛନ୍ତି । କିନ୍ତୁ କାହିଁକି ? ଆମେ କାହିଁକି ଦକ୍ଷିଣ କୋରିଆର ସମୃଦ୍ଧି ଚାହିଁବା ? ଆମେ କାହିଁକି ଆମେରିକାର ବା ଜର୍ମାନୀର ସମୃଦ୍ଧି ଚାହିଁବା ନାହିଁ ? ଯେଉଁ କାରଣରୁ ଆମେରିକା ବା ଜର୍ମାନୀର ସମୃଦ୍ଧି ଆମକୁ ମିଳିବାର ନାହିଁ, ହୁଏତ ପ୍ରାୟ ସେହିପରି କାରଣରୁ ଦକ୍ଷିଣ କୋରିଆର ସମୃଦ୍ଧି ମଧ୍ୟ ଆମର ହସ୍ତଗତ ହୋଇପାରିବ ନାହିଁ । ଦକ୍ଷିଣ କୋରିଆ ଥିଲା ଏସିଆ ବ୍ୟାଘ୍ରମାନଙ୍କ ମଧ୍ୟରୁ ଜଣେ । ଏସୀୟ ଆର୍ଥିକ ସଙ୍କଟ ପରେ ଏସିଆର ବ୍ୟାଘ୍ରମାନେ ଆଉ ହୁଙ୍କାର ଦେଉନାହାନ୍ତି କାହିଁକି ?

ପଶ୍ଚିମର ସମୃଦ୍ଧି ପାଇଁ ଲାଳାୟିତ ହୋଇ ଆମେ ପଶ୍ଚିମା ବିଚାର ଦର୍ଶନକୁ ମଧ୍ୟ ଗ୍ରହଣ କରୁଛୁ । ଉଦାରବାଦ ଓ ମାର୍କ୍ସ୍-ବାଦ, ଉଭୟ ହେଉଛି ଆଧୁନିକ ପଶ୍ଚିମର ବିଚାର ଦର୍ଶନ । ସେମାନେ ପରସ୍ପର ବିରୋଧୀ ହେଲେ ମଧ୍ୟ, କେତେକ ମୁଖ୍ୟ ବିନ୍ଦୁରେ ସେମାନଙ୍କର ମତୈକ୍ୟ ରହିଛି । ଉଭୟଙ୍କ ମତରେ ମନୁଷ୍ୟ ସମାଜ ପାହାଚ ପାହାଚ ଚଢ଼ି ଚଢ଼ିକା ନିରବଚ୍ଛିନ୍ନ ଭାବରେ ଅଧିକ ସମୃଦ୍ଧି ଓ ଅଧିକ ବିକାଶ ଆଡ଼କୁ ଗତି କରିଚାଲିଛି । ତାହା ଯଦି ସତ ଓ ଗଣତନ୍ତ୍ର ଓ ସମୃଦ୍ଧି ଯଦି ବିକାଶର ଅନିର୍ବାର୍ଯ୍ୟ ଅଙ୍ଗ, ତାହା ହେଲେ ଅଧିକାଂଶ ପୃଥିବୀ କାହିଁକି ଅଗଣତାନ୍ତ୍ରିକ ଓ ଅସମୃଦ୍ଧ ହୋଇରହିଛି ? ପଶ୍ଚିମ ଓ ପୂର୍ବ ତଥା ଉତ୍ତର  ଓ ଦକ୍ଷିଣ ମଧ୍ୟରେ ଆର୍ଥିକ ବୈଷମ୍ୟ ବଢ଼ିଚାଲିଛି । ଅଧା ମନୁଷ୍ୟ ଦରିଦ୍ର, ଅସହାୟ ଓ ଅସୁସ୍ଥ ଅନୁଭବ କରୁଛନ୍ତି । ଏକ ତୃତୀୟାଂଶ ମନୁଷ୍ୟ କାଙ୍ଗାଳ ଅବସ୍ଥାରେ ରହିଛନ୍ତି । ମାନବ ସମାଜର ପ୍ରଗତି ନିଶ୍ଚୟ ହେଉନାହିଁ । କିମ୍ବା ପଶ୍ଚିମ ୟୁରୋପ୍ ଓ ଉତ୍ତର ଆମେରିକାକୁ ହିଁ ମାନବ ସମାଜ ବୋଲି ଧରି ସମାଜ ଓ ଇତିହାସର ନିୟମମାନ ତିଆରି ହୋଇଛି । ବିଶ୍ୱର ସମଗ୍ର ମାନବଜାତିକୁ ଯଦି ମାନବ ସମାଜ ବୋଲି ଧରାଯାଏ ଓ ମାନବକୁ ଏକ ପ୍ରଜାତି ଭାବରେ ନିଆଯାଏ, ତାହା ହେଲେ ପାଶ୍ଚାତ୍ୟ ବିଚାର ଦର୍ଶନର ଏହି ସରଳରୈଖିକ ନିରବଚ୍ଛିନ୍ନ ପ୍ରଗତିର ଅବଧାରଣା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ସମୃଦ୍ଧି, ବିକାଶ, ପତନ ଓ ଉତ୍ଥାନର ନୂଆ ସମାଜଶାସ୍ତ୍ରୀୟ ବିଚାର ଓ ଦର୍ଶନ ଦରକାର ହେଉଛି । ତାହା ବିନା ଆମେ ପୃଥିବୀର ବର୍ତ୍ତମାନ ତଥା ଭବିଷ୍ୟତକୁ ବୁଝିପାରିବା ନାହିଁ ।

ଏହାକୁ ଅସ୍ୱୀକାର କରିହେବ ନାହିଁ ଯେ ଆଧୁନିକ ଗଣତନ୍ତ୍ରର ଆରମ୍ଭ ୟୁରୋପ୍ର ବ୍ରିଟେନ୍ ରେ ହୋଇଥିଲା । ସେମାନେ ପ୍ରାଚୀନ ଗ୍ରୀକ୍ ସଭ୍ୟତାରୁ ଏହାର ପ୍ରେରଣା ପାଇଥିଲେ । ପ୍ରାଚୀନ ଭାରତରେ ରାଜତନ୍ତ୍ରକୁ ମର୍ଯ୍ୟାଦିତ ବା ଅନୁଶାସିତ କରିବା ପାଇଁ ସମୟ ସମୟରେ ଚେଷ୍ଟା ହେଉଥିଲା । ଧର୍ମ-ଅନୁମୋଦିତ ସାମାଜିକ ସଙ୍ଘମାନଙ୍କର ନିଜସ୍ୱ ଅଧିକାର ଥିଲା । ଗଣରାଜ୍ୟମାନଙ୍କରେ କୌଣସି ରାଜବଂଶର ରାଜତ୍ୱ ଚଳୁନଥିଲା । କେତେକ ପ୍ରକାରର ନିର୍ବାଚନ ମଧ୍ୟ ପ୍ରଚଳିତ ଥିଲା । କିନ୍ତୁ ସବୁ ସାବାଳକ ନାଗରିକମାନଙ୍କର ମତଦାନର ଅଧିକାର, ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଅଧିକାର ଓ ଶାସକମାନଙ୍କର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ପାଇଁ ସଂସଦ ଓ ନ୍ୟାୟପାଳିକାର ଅଧିକାରଗୁଡ଼ିକ କୌଣସି ପ୍ରାଚୀନ ସଭ୍ୟତାରେ ପ୍ରଚଳିତ ଥିଲା ବୋଲି ଜଣାପଡ଼େ ନାହିଁ। ଏହି ଅର୍ଥରେ ଗଣତନ୍ତ୍ର ହେଉଛି ଆଧୁନିକ ୟୁରୋପୀୟ ସଭ୍ୟତାର ଏକ ଅବଦାନ ।

No comments:

Post a Comment