ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ତୃତୀୟ ବଲ୍ଲୀ : ଶ୍ଲୋକ ୧୦
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ରୂପରସ ଆଦି ଯେତେ ସମ୍ଭୋଗ୍ୟ ବିଷୟ
ପ୍ରକାଶ ହୁଅନ୍ତି ଲଭି ଇନ୍ଦ୍ରିୟ ଆଶ୍ରୟ ।
ଇନ୍ଦ୍ରିୟର ଅର୍ଥ ଯେଣୁ ବିଷୟ ନିଚୟ
ସେ ସର୍ବେ ଇନ୍ଦ୍ରିୟୁଁ ବଳି ଶ୍ରେଷ୍ଠ ଅତିଶୟ ।
ଇନ୍ଦ୍ରିୟ ବିଷୟରାଶି ମାନସ ଗୋଚର
ଇନ୍ଦ୍ରିୟାଥୁଁ ବଳି ତେଣୁ ମନ ଶ୍ରେଷ୍ଠତର ।
ଇନ୍ଦ୍ରିୟ ସାହାଯ୍ୟେ ମନ ଘେନଇ ବିଷୟ
ବିଷୟ ସମ୍ଭୋଗେ କିନ୍ତୁ ନାହିଁ ତା' ନିଶ୍ଚୟ ।
ବୁଦ୍ଧି ପାଶେ ମନ କରେ ବିଷୟ ବହନ
ଭଲ ମନ୍ଦ ବୁଝି ବୁଦ୍ଧି କରେ ତା' ଗ୍ରହଣ ।
ମନ ତହୁଁ ବୁଦ୍ଧି ତେଣୁ ଅଧିକ ପ୍ରଧାନ
ବୁଦ୍ଧି ପରେ ଦେହସ୍ୱାମୀ ଜୀବ ବିଦ୍ୟମାନ ।
ଜୀବାତ୍ମା ଇନ୍ଦ୍ରିୟ ଆଦି ସର୍ବୋପରି ସାର
ମନ ବୁଦ୍ଧି ଇନ୍ଦ୍ରିୟାଦି ଯା'ର ପରିଚାର ।
ହିରଣ୍ୟଗର୍ଭ ସେ ସର୍ବ ବୁଦ୍ଧି ମୂଳୀଭୂତ
ମହତ ଜୀବାତ୍ମା ଆଦ୍ୟ ପ୍ରକୃତି ସମ୍ଭୂତ ।
ମହତ ଜୀବାତ୍ମା ତହୁଁ ବଳି ମହତ୍ତର
ପ୍ରକୃତି ଯାହାର ନାମ ରୂପ ଅଗୋଚର । (ନ.ଉ. ୧।୩।୧୯-୨୦)
No comments:
Post a Comment