କାଶ୍ମୀର୍ କାହାଣୀ : ଲୁହର ଖଣି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଗତ
ଆଠ ଜୁଲାଇ ୨୦୧୬ରେ ସୁରକ୍ଷାକର୍ମୀମାନଙ୍କର
ଗୁଳିମାଡ଼ରେ ହିଜବୁଲ ମୁଜାହିଦ୍ଦିନର
ଏକୋଇଶି ବର୍ଷୀୟ ଅଧିନାୟକ ବୁରହାନ୍
ୱାନି ମୃତ୍ୟୁବରଣ କଲେ । ଏହା ପରେ
କାଶ୍ମୀର ଉପତ୍ୟକାରେ ଏକ ଗଣଆନ୍ଦୋଳନ
ମୁଣ୍ଡ ଟେକିଛି ଯେଉଁଥିରେ
ଆବାଳବୃଦ୍ଧବନିତା,
ଲକ୍ଷଲକ୍ଷ
ଲୋକେ ଯୋଗ ଦେଇଛନ୍ତି । ରାଜ୍ୟସରକାର
ଏହି ଗଣଆନ୍ଦୋଳନ ସହିତ ଯୋଗାଯୋଗ
ରକ୍ଷାକରି ପରିସ୍ଥିତିକୁ ମେଣ୍ଟେଇବାର
ଚେଷ୍ଟା ନକରି ବଳପ୍ରୟୋଗ କରି,
ଏହାକୁ
ଦବାଇଦେବାକୁ ଚାହୁଁଛନ୍ତି ।
କାଶ୍ମୀର ଜଳୁଥିଲା ବେଳେ
ପ୍ରଧାନମନ୍ତ୍ରୀ ଆଫ୍ରିକାରେ
ଢୋଲ ବଜାଉଛନ୍ତି । ଏହା ଭିତରେ
ସରକାର ସାଧାରଣ ନାଗରିକମାନଙ୍କର
ମୋବାଇଲି ଫୋନ୍ ଓ ଇଣ୍ଟରନେଟ୍
ବ୍ୟବହାର ନିଷେଧ କଲେ ଓ ଷୋହଳ
ଜୁଲାଇର ସକାଳଠାରୁ ସ୍ଥାନୀୟ ଖବର
କାଗଜଗୁଡ଼ିକର ପ୍ରକାଶନ ଉପରେ
ତିନିଦିନ ଲାଗି ନିରୋଧ ଜାରି କଲେ
। କାଶ୍ମୀରରେ ଓ ଭାରତରେ ପ୍ରେସ୍
ର ସ୍ୱାଧୀନତା ଉପରେ ଏପରି ନଗ୍ନ
ଆକ୍ରମଣ,
ଜରୁରୀକାଳିନ
ପରିସ୍ଥିତି ପରେ ପ୍ରଥମ ଥର ପାଇଁ
ହୋଇଛି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ
ଫଳରେ ଗତ କେତେ ଦିନ ଭିତରେ ଶତଚାଳିଶି
ଜଣ ସାଧାରଣ ଭାରତୀୟ ନାଗରିକ
ସରକାରୀ ଗୁଳିରେ ମରିସାରିଲେଣି
। ଅଠରଶହରୁ ଅଧିକ ଲୋକେ,
ତନ୍ମଧ୍ୟରୁ
ଅନେକ ଗୁରୁତର ଭାବରେ,
ଆଘାତପ୍ରାପ୍ତ
ମଧ୍ୟ ହୋଇଛନ୍ତି ।
ଅର୍ଦ୍ଧସାମରିକ
ବାହିନୀର ଧାତବ ଗୋଟିକା (ପେଲେଟ୍)
ମାଡ଼ରେ
(ଯାହା
ଭାରତର ଅନ୍ୟ କୌଣସି ଅଞ୍ଚଳରେ
ପ୍ରାୟତଃ ଭୀଡ଼ ନିୟନ୍ତ୍ରଣ କରିବା
ପାଇଁ ବ୍ୟବହାର କରାଯାଏନାହିଁ),
ଦେଢ଼
ଶହରୁ ଉର୍ଦ୍ଧ୍ୱ ଲୋକଙ୍କର ଆଖିରେ
ଆଘାତ ହୋଇଅଛି । ଏମାନଙ୍କ ମଧ୍ୟରୁ
ପ୍ରାୟତଃ ପିଲା ବା ଯୁବକ । ଏମାନଙ୍କ
ମଧ୍ୟରୁ ଅଧିକାଂଶଙ୍କର ବୟସ
ପନ୍ଦରରୁ ଛବିଶ ବର୍ଷ ଭିତରେ ଓ
ଅନେକେ ସବୁଦିନ ପାଇଁ ଦୃଷ୍ଟିଶକ୍ତି
ହରାଇପାରନ୍ତି । ଏମ୍ସ୍ ର ଏକ
ତିନିଜଣିଆ ଦଳର ସଦସ୍ୟ ସୁଦର୍ଶନ
କୁମାରଙ୍କର ଅନୁସାରେ ଯୁଦ୍ଧଭୂମିରେ
ଏଭଳି ଚକ୍ଷୁ-କ୍ଷତ
ଦେଖିବାକୁ ମିଳେ । ଏହାର ଅର୍ଥ
ହେଲା,
ସରକାର
କାଶ୍ମୀରର ଶାନ୍ତିପୂର୍ଣ୍ଣ
ଭାବରେ ପ୍ରତିବାଦରତ ଜନସାଧାରଣଙ୍କର
ବିରୁଦ୍ଧରେ ଅଘୋଷିତ ଯୁଦ୍ଧ
ଚଳାଇଛନ୍ତି । ଏହି ପ୍ରତିବାଦରତ
ଲୋକେ,
ଯେଉଁମାନେ
ସରକାରୀ ଗୋଟିକା ମାଡ଼ରେ ଅନ୍ଧ
ବନିଯିବାର ବହୁତ ସମ୍ଭାବନା ରହିଛି,
ତାହା
ଭିତରେ ଅନେକ ଛୋଟ ପିଲା ମଧ୍ୟ
ଅଛନ୍ତି । ଏହାଛଡ଼ା ନାବାଳକ
ପିଲାମାନେ ସୁରକ୍ଷାବଳଙ୍କର
ବୁଲେଟ୍ ମାଡ଼ ମଧ୍ୟ ଖାଇଛନ୍ତି
।
ଭେରିନାଗ୍
ର ବାର ବର୍ଷିୟ ସର୍ତାଜ୍ ଅହମଦ୍
ପ୍ରତିବାଦୀ ଜନତାର ଭିଡ଼ରେ ରହି
ଆନ୍ଦୋଳନ କରୁଥିବା ବେଳେ ସୁରକ୍ଷାବଳର
ଧାତବ ଗୋଟିକା ମାଡ଼ରେ ଆଘାତ ପାଇଲେ
। ସର୍ତାଜ୍ ଛଡ଼ା ଏହି ତାଲିକାରେ
ଭେରିନାଗ୍ ର ଦଶ ବର୍ଷର ଅର୍ସିଦ୍
ଅହମଦ୍ ଙ୍କୁ ମଧ୍ୟ ଯୋଡ଼ି ପାରିବା
। ସିଲିଗାମ୍ ର ତେର ବର୍ଷିୟ
ଜାସ୍ମିନ୍,
ଖାନାବାଲ୍
ର ପନ୍ଦର ବର୍ଷିୟ ବୁର୍ହାନ୍ ଓ
ଷୋହଳ ବର୍ଷିୟ ଉବେଦ୍ ଅହମଦ୍ ଦାର୍
ବୁଲେଟ୍ ମାଡ଼ ଖାଇ ଆଘାତ ପ୍ରାପ୍ତ
ହୋଇଛନ୍ତି ।
ଏପରି ମଧ୍ୟ
ନୁହେଁ ଯେ ଆଘାତପ୍ରାପ୍ତ ଲୋକେ
ସମସ୍ତେ ରାସ୍ତାରେ ପ୍ରତିବାଦରତ
ଥିଲେ ବା ଟେକାମାଡ଼ କରୁଥିଲେ ।
ଚଉଦ ବର୍ଷ ବୟସର ଇନ୍ସା ମଲ୍ଲିକଙ୍କର
ଉଦାହରଣ ନେବା । ସେ ସୋପିଆଁ ଜିଲ୍ଲାର
ସେଡ଼଼ୋ ଗ୍ରାମର ଅଧିବାସୀ । ସେ
ନବମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀ
ମଧ୍ୟ ଓ ଭଲ ଛାତ୍ରୀ ଭାବରେ ନିଜ
ଶ୍ରେଣୀରେ ସ୍ଥାନ ମଧ୍ୟ ସେ ଅଧିକାର
କରନ୍ତି । ଜୁଲାଇ ବାର ତାରିଖ
ସନ୍ଧ୍ୟାବେଳେ ଘରେ ବସି ଖାଉଥିଲା
ବେଳେ ଘର ବାହାରେ ସୁରକ୍ଷାବଳ
ଫୁଟାଇଥିବା ଧାତବ ଗୋଟିକା ବାଜି
ଇନ୍ସାଙ୍କର ମୁହଁ ଛିନ୍ନଭିନ୍ନ
ହୋଇଗଲା । ତାଙ୍କର ଦୁଇଟିଯାକ
ଆଖି ଧାତବ ଗୋଟିକା ମାଡ଼ରେ ପୂରା
ଫୁଟି ଯାଇଛି ଓ ସେ କେବେ ଆଉ ଦେଖିପାରିବ
ନାହିଁ ।
ଆମେ
ଏଠାରେ ନିଜକୁ ଛାତିରେ ହାତ ରଖି
ପଚାରିବା ଉଚିତ ହେବ କି କେଉଁ
ପରିସ୍ଥିତିରେ ବାର ତେର ବର୍ଷ
ବୟସର ପିଲାଏ ଗୁଳିଗୋଳାକୁ ନ ଡରି
ରାସ୍ତାକୁ ଓହ୍ଲାଇବେ । ପିଲାଏ
କୌଣସି ଆନ୍ଦୋଳନରେ ଭାଗନେବା ଏଇ
ନିକଟ ଅତିତରେ ପୋସ୍କୋ ବିରୋଧି
ଆନ୍ଦୋଳନରେ ଘଟିଥିଲା । ଅନେକ
ଲୋକ ଏହାକୁ ନିନ୍ଦା ମଧ୍ୟ କରିଥିଲେ
। ମାତ୍ର ଆମେ ଏପରି ପରିସ୍ଥିତିରେ
ପିଲାଏ ଓ ତାଙ୍କ ଗାର୍ଜନଙ୍କୁ
ଦୋଷ ନ ଦେଇ ରାଜ୍ୟର ରାଜନୈତିକ
ପରିସ୍ଥିତିକୁ ଦୋଷ ଦେବା ଅଧିକ
ଉଚିତ ହେବ । କାଶ୍ମୀରରେ ଉଭୟ
ବର୍ତ୍ତମାନର ଓ ଗତ କେଇ ଦଶନ୍ଧିର
ସମସ୍ୟା ଏକ ରାଜନୈତିକ ସମସ୍ୟା:
ଉଗ୍ରବାଦ
ସେହି ଅସମାହିତ ରାଜନୈତିକ ସମସ୍ୟାର
ଏକ ଲକ୍ଷଣ ମାତ୍ର । ମାତ୍ର ସରକାର
ଏହାକୁ ସାମରିକ ଭାବରେ ସମାଧାନ
କରିବାକୁ ଚାହୁଁଛନ୍ତି । ଏପରି
ରାଜନୈତିକ ଅପରିପକ୍ୱତାର ନଗ୍ନ
ଉଦାହରଣ ହେଲା ୧୯୯୦ରେ କାଶ୍ମୀରରେ
ଲାଗୁହୋଇଥିବା ଆଫ୍ସା (ଆର୍ମ଼ଡ଼୍
ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ୍
ଆକ୍ଟ୍)
।
ଏହି କଳା ଆଇନି ଯୋଗୁଁ କାଶ୍ମୀରର
ସାଧାରଣ ଲୋକଙ୍କର ମାନବାଧିକାରର
ଘୋର ହନନ ହୋଇଛି ।
ଗତ
ଦେଢ଼ ଦଶନ୍ଧି ଭିତରେ,
ସାଢ଼େ
ତିନି ହଜାରରୁ ଅଧିକ ସାଧାରଣ ଲୋକେ
ସୁରକ୍ଷାବଳଙ୍କ ହାତରେ ପ୍ରାଣ
ହରାଇଛନ୍ତି । କାଶ୍ମିରୀ ପଣ୍ଡିତ
ମାନଙ୍କୁ ସରକାର ସୁରକ୍ଷା
ନଯୋଗାଇବାରୁ ସେମାନଙ୍କ ମଧ୍ୟରୁ
ପାଖାପାଖି ଦୁଇଲକ୍ଷ ଲୋକେ ଭୟରେ
କାଶ୍ମୀର ଛାଡ଼ି ଜାମ୍ମୁରେ ଓ
ଅନ୍ୟତ୍ର ଶରଣାର୍ଥୀ ବନିବାକୁ
ବାଧ୍ୟ ହୋଇଛନ୍ତି । ମାନବ ଅଧିକାର
ସଙ୍ଗଠନଗୁଡ଼ିକର ଅନୁସନ୍ଧାନ
ଅନୁସାରେ କାଶ୍ମୀରରେ କର୍ମରତ
ପାଞ୍ଚଶହରୁ ଉର୍ଦ୍ଧ୍ୱ ପୋଲିସି
କର୍ମଚାରୀ,
ଅର୍ଦ୍ଧ
ସାମରିକ ବଳର କର୍ମକର୍ତ୍ତା ତଥା
ଭାରତୀୟ ସେନାର ଅଧିକାରୀମାନେ
ନିର୍ଯ୍ୟାତନା,
କଏଦରେ
ମୃତ୍ୟୁ,
ମିଥ୍ୟା
ଏନକାଉଣ୍ଟର୍ ଓ ଧର୍ଷଣ ଇତ୍ୟାଦି
ଘୃଣ୍ୟ ଅପରାଧରେ ସମ୍ପୃକ୍ତ ଅଛନ୍ତି
। ଏମାନଙ୍କ ବିରୁଦ୍ଧରେ ସରକାରୀ
ବ୍ୟବସ୍ଥା କେବେ ମଧ୍ୟ ଦୃଷ୍ଟାନ୍ତମୂଳକ
କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିନାହିଁ । ଏହି ସବୁ ଅପରାଧର
ଭୁକ୍ତଭୋଗୀ କାଶ୍ମୀରନିବାସୀ
ଭାରତୀୟ ନାଗରିକ ମାନେ କେବେ ନ୍ୟାୟ
ପାଇନାହାନ୍ତି ।
ଏବେ
ଯେଉଁ ଗଣଆନ୍ଦୋଳନ ମୁଣ୍ଡ ଟେକିଛି
ତାହା ପଛରେ ରହିଛି ଏହିସବୁ ଅନ୍ୟାୟ,
ଅପରାଧ
ଓ ରାଜନୈତିକ ସୁବିଧାବାଦ ।
ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରରେ
ଗଠବନ୍ଧନରେ ରାଜ୍ୟ ସରକାର ଚଳାଉଥିବା
ଭାଜପା ଓ ପିଡ଼ିପି,
୨୦୧୪
ମସିହାରେ ଅନୁଷ୍ଠିତ ହୋଇଥିବା
ବିଧାନସଭା ନିର୍ବାଚନରେ ପରସ୍ପର
ବିରୋଧରେ ଲଢ଼ିଥିଲେ । ନିର୍ବାଚନ
ପ୍ରଚାରରେ ପିଡ଼ିପି ର ନେତ୍ରୀ
ମେହେବୁବା ମୁଫ୍ତି ଏହା କହିବୁଲିଲେ
ଯେ ସେ ମୋଦିଙ୍କୁ ଓ ବିଜେପିକୁ
କାଶ୍ମୀରର ମାଟି ମଡ଼ାଇ ଦେବେ
ନାହିଁ । ଭାଜପାର ଅନେକ ନେତା ମଧ୍ୟ
ପିଡିପିକୁ ଉଗ୍ରପନ୍ଥୀମାନଙ୍କର
ଦଳ ଭାବରେ ବର୍ଣ୍ଣନା କରିବା ପାଇଁ
ପଛାଇନଥିଲେ । ମାତ୍ର ନିର୍ବାଚନ
ପରେ ସୁବିଧାବାଦୀ ରାଜନୀତିର
ଗୋଟିଏ ସୁନ୍ଦର ଉଦାହରଣ ସୃଷ୍ଟି
କରି ପିଡ଼ିପି ଓ ଭାଜପା,
ପିଡ଼ିପିର
ମୁଫ୍ତି ମୁହମ୍ମଦ ସଏଦଙ୍କର
ନେତୃତ୍ତ୍ୱରେ ମିଳିତ ମନ୍ତ୍ରୀମଣ୍ଡଳ
ଗଠନ କଲେ । ଏହା କାଶ୍ମୀରର
ଜନସାଧାରଣଙ୍କର ପ୍ରତି ଏକ
ବିଶ୍ୱାସଘାତ ଥିଲା । ଯେଉଁ ସବୁ
ଅଞ୍ଚଳରେ ପିଡ଼ିପି ସବୁଠାରୁ
ଶକ୍ତିଶାଳୀ ଥିଲା ସେହିଠାରେ ହିଁ
ବର୍ତ୍ତମାନ ସବୁଠାରୁ ବେଶୀ
ଶକ୍ତିଶାଳୀ ଗଣଆନ୍ଦୋଳନ ମୁଣ୍ଡଟେକିଛି
। ଅର୍ଥାତ୍ ରାଜନୈତିକ ସୁବିଧାବାଦ
ଓ ଲୋକଙ୍କ ପ୍ରତି ରାଜନୈତିକ
ଦଳଗୁଡିକର ବିଶ୍ୱାସଘାତକତା
ଜନଅସନ୍ତୋଷର ଏକ ବଡ଼ କାରଣ ।
ସାଧାରଣ
ଭାବରେ ଆମେ କାଶ୍ମୀର ସମସ୍ୟାର
ତିନୋଟି ଅଙ୍ଗ ଦେଖିପାରିବା ।
ପ୍ରଥମଟି ହେଲା ଜାତୀୟତାର ।
କାଶ୍ମୀରକୁ ନେଇ କିଛି ଲୋକ
ଜାତୀୟତା ଓ ସ୍ୱାଧୀନତାର ପ୍ରଶ୍ନ
ଉଠାନ୍ତି । ମାତ୍ର ବର୍ତ୍ତମାନର
ବିଶ୍ୱରେ ଯେଉଁଠାରେ ଧର୍ମ ଓ
ଜାତିଗତ ଆଧାରରେ ଜାତୀୟତା ଧିରେ
ଧିରେ ଉଗ୍ର ରୂପ ଧାରଣ କରୁଛି ତଥା
ବିଶ୍ୱଶାନ୍ତିକୁ ବିପନ୍ନ କରୁଛି,
ସେଠାରେ
ଧର୍ମ ଓ ଜାତି ଭିତ୍ତିକ କାଶ୍ମିରୀ
ଜାତୀୟତା କଅଣ କାଶ୍ମିରର ଜନସାଧାରଣଙ୍କର
ମୌଳିକ ସମସ୍ୟାର ସମାଧାନ କରିପାରିବ
। ଏ ଲେଖକର ଧାରଣା ହେଲା,
ତାହା
ବୋଧେହୁଏ ସମ୍ଭବ ନୁହେଁ । ଅର୍ଥନୈତିକ
ଜାତୀୟତା ସମସାମୟିକ ଭାରତର ଓ
କାଶ୍ମିରର ଆବଶ୍ୟକତା,
ଧାର୍ମିକ
ଜାତୀୟତା ନୁହେଁ ।
କାଶ୍ମୀର
ସମସ୍ୟାର ଦ୍ୱିତୀୟ ଅଙ୍ଗ ହେଲା
ନ୍ୟାୟ ଓ ମାନବ ଅଧିକାର ହନନର ।
କାଶ୍ମୀର ଉପତ୍ୟକାରେ ପ୍ରତି
ଦଶଜଣ ସ୍ଥାନୀୟ ଲୋକଙ୍କ ପାଇଁ
ଜଣେ ସୁରକ୍ଷା କର୍ମୀ ସ୍ଥାନିତ
ଅଛନ୍ତି । ବର୍ତ୍ତମାନ କାଶ୍ମୀରରେ
ସମୁଦାୟ ଉଗ୍ରପନ୍ଥୀଙ୍କ ସଂଖ୍ୟା
ହଜାରରୁ ମଧ୍ୟ କମ । ତାହାହେଲେ
ଲକ୍ଷ ଲକ୍ଷ ସଂଖ୍ୟାରେ ସୁରକ୍ଷାବଳ
କାଶ୍ମୀରରେ କାହିଁକି ସ୍ଥାନିତ
ଅଛନ୍ତି । ଏତେ ସଂଖ୍ୟାରେ ସୁରକ୍ଷାବଳ
ମୁତୟନ ହେବାରୁ ଓ ଆଫ୍ସା ଭଳି କଳା
ଆଇନି ଲାଗୁ ହୋଇ କାଶ୍ମୀର
ସୁରକ୍ଷାବଳଙ୍କର ହସ୍ତମୁଦିମାହାଲ
ବନିଥିବାରୁ ସାଧାରଣ ଜନତାଙ୍କର
ମୌଳିକ ଅଧିକାର ନାମକୁ ମାତ୍ର
ଅଛି । କେତେକ ସୁରକ୍ଷା କର୍ମୀମାନେ
ନାନା ଅନ୍ୟାୟ ଅନାଚାର କଲେ ମଧ୍ୟ
ସେମାନଙ୍କୁ ଦଣ୍ଡ ଦିଆଯାଉନାହିଁ
। ଏପରି ଅବସ୍ଥା ସାଧାରଣ ଜନତାଙ୍କୁ
ଭାରତ ବିରୋଧି କରୁଛି । ସାଧାରଣ
ଲୋକଙ୍କ ବିରୋଧରେ ଅପରାଧର ଦଣ୍ଡ
ଦିଆଗଲେ ଓ ନ୍ୟାୟ ମିଳିଲେ ଅବସ୍ଥାରେ
ଅନେକ ପରିବର୍ତ୍ତନ ଘଟନ୍ତା ।
ସେହିପରି ସନ୍ତ୍ରାସବାଦୀମାନଙ୍କୁ
ମଧ୍ୟ ମିଥ୍ୟା ଏନ୍କାଉଣ୍ଟରରେ
ନ ମାରି ନ୍ୟାୟିକ ପ୍ରକ୍ରିୟାରେ
ସେମାନଙ୍କର ବିଚାର କରାଯିବା
ଉଚିତ । କେଉଁ ଲୋକକୁ ମୃତ୍ୟୁଦଣ୍ଡ
ଦିଆଯିବ ତାହା ଠିକ୍ କରିବାର
ଦାୟିତ୍ତ୍ୱ ନ୍ୟାୟପାଳିକାର,
ପୋଲିସି
ବା ସୁରକ୍ଷାବଳଙ୍କର ନୁହେଁ ।
କାଶ୍ମୀର
ସମସ୍ୟାର ତୃତୀୟ ଅଙ୍ଗ ହେଲା
କର୍ପୋରେଟ୍-ତନ୍ତ୍ରର
ଶାସନରେ ଗଣତନ୍ତ୍ର ଧିରେ ଧିରେ
ଫମ୍ପା ବନିବା । ଗଣତନ୍ତ୍ର ବୋଇଲେ
ଖାଲି ଭୋଟ ଦେଇ ବିଧାନସଭା ବା
ଲୋକସଭାକୁ ପ୍ରତିନିଧି ପଠାଇବା
ନୁହେଁ । ମାତ୍ର ଭାରତର ଅନ୍ୟ
ଅଞ୍ଚଳ ପରି ଗଣତନ୍ତ୍ର କେବଳ ଭୋଟ
ସର୍ବସ୍ୱ ହୋଇଉଠିଛି । ଜନତାର
ନିଜ ଜୀବନ ଉପରେ ପ୍ରଭାବ ପଡ଼ୁଥିବା
ଘଟଣା ବା ନିଷ୍ପତ୍ତି ଉପରେ ବିଶେଷ
କିଛି ନିୟନ୍ତ୍ରଣ ନାହିଁ । ଏପରି
ପରିସ୍ଥିତିରେ ଗଣଅସନ୍ତୋଷ ଦାନା
ବାନ୍ଧିବା ସ୍ୱାଭାବିକ ।
କାଶ୍ମୀରର
ଗଣଆନ୍ଦୋଳନକୁ ବଳପ୍ରୟୋଗ କରି
ଚପାଇ ଦିଆଯାଇପାରିବ ନାହିଁ ।
ପ୍ରଧାନମନ୍ତ୍ରୀ ବିଦେଶରେ ଢୋଲ
ବଜାଇବା ବନ୍ଦ କରନ୍ତୁ । ସେ
କାଶ୍ମୀରରେ ଗୃହ ମନ୍ତ୍ରୀଙ୍କ
ସହ କିଛି ସମୟ ରହି,
କାଶ୍ଣୀରର
ସବୁ ବର୍ଗର ଲୋକଙ୍କ ସହ ବିନା
ପୂର୍ବାଗ୍ରହରେ ଆଲୋଚନା କରନ୍ତୁ
। ଏହା ଛଡ଼ା କାଶ୍ମୀରରୁ ଆର୍ମ଼ଡ଼୍
ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ୍
ଆକ୍ଟ୍ ପ୍ରତ୍ୟାହାର ହେବା ଆବଶ୍ୟକ
। ଏ ପର୍ଯନ୍ତ ଅଭିଯୋଗ ହୋଇଥିବା
ସମସ୍ତ ମାନବ ଅଧିକାର ହନନ ଅଭିଯୋଗର
ଓ ସୁରକ୍ଷା କର୍ମୀମାନେ କରିଥିବା
ଅପରାଧମାନଙ୍କର ନିରପେକ୍ଷ ନ୍ୟାୟିକ
ଯାଞ୍ଚ ହେବା ମଧ୍ୟ ଦରକାର ।
କାଶ୍ମୀରରେ ନିରୀହ ଲୋକଙ୍କ ଉପରେ
ଗୁଳି ଚଳାଇବା ଓ ଧାତବ ଗୋଟିକା
ମାଡ଼ କରିବା ଇତ୍ୟାଦି ମଧ୍ୟଯୁଗୀୟ
ବର୍ବରତା ବନ୍ଦ ହେଉ । ଜନ ଅସନ୍ତୋଷ
ମେଣ୍ଟେଇବାର ଏକମାତ୍ର ଉପାୟ
ନ୍ୟାୟ ଓ ଲୋକାଭିମୁଖୀ ଶାସନ,
ଅମାନୁଷିକ
ଗୁଳିମାଡ଼ ନୁହେଁ ।
ବି.ଦ୍ର.
- ଏହି
ଲେଖାଟି ମାସିକ ପତ୍ରିକା 'ସମ୍ଭାବନା'ର ଅଗଷ୍ଟ ୨୦୧୬ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।
No comments:
Post a Comment