Sunday, August 21, 2016

ବଡ଼ଗୋରଡ଼ାର ଦୋରା ଲୋକେ



(ଏହି ଆଲେଖ୍ୟଟି ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ର ୨୦୧୬ ମସିହାର ଅଗଷ୍ଟ ମାସର ପ୍ରଥମ ସଂଖ୍ୟାରେ ଛପାଯାଇଥିଲା)



ତେଲୁଗୁ ଠା - ପାଚି ପୁଲୁସୁ
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଜଣେ ଲେଖକ, ସଙ୍କଳକ ତଥା ଯନ୍ତ୍ରୀ ଭାବରେ ଶ୍ରୀ ଗୋବର୍ଦ୍ଧନ ଦୋରା ଓଡ଼ିଶାରେ ଏକ ପରିଚିତ ନାମ । ଲେଖକଙ୍କର ଘର ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା ଗ୍ରାମ । ଏହି ଗାଁଟି ଅବସ୍ଥିତ ଥିଲା ପ୍ରଗଣା ବଡ଼ଦେଶରେ । ଆଗରୁ ଲେଖକଙ୍କର ଗାଁରେ ଅନେକ ଗାଈ ରହୁଥିବାରୁ, ତଥା ଗାଈ ରହୁଥିବା ଜେଗା ଗୋରଡ଼ା ବୋଲି ଲୋକମୁଖରେ ପ୍ରଚଳିତ ଥିବାରୁ, ତାଙ୍କ ଗାଁର ନାମ ବଡ଼ଗୋରଡ଼ା ବୋଲି ପଡ଼ିଛି ବୋଲି ସେ ଅନୁମାନ କରନ୍ତି । ଗ୍ରାମଟିର ଚାରି ପଟେ ନାଳ ଓ ବିଲ । ଗାଁକୁ ଯିବା ଆସିବା କରିବା ନିମନ୍ତେ କୌଣସି ବାଟ ନଥିଲା । ଏଣୁ ଆଗରୁ ଲୋକେ କହୁଥିଲେ ‘ଚାରିପଟେ ଧୋଡ଼ା, ମଝିରେ ଗୋରଡ଼ା’ । ଗାଁଟି ଶରଣକୁଳଠାରୁ ଛଅ କିଲୋମିଟର ବାଟ । ଗୋଡ଼ିପଡ଼ା ଯିବାରେ ବାଟରେ ଗାଁଟି ପଡ଼େ । ଏହି ଗାଁଟିର ରାଜସ୍ୱ ୧୯୬୭ ମସିହା ପର୍ଯ୍ୟନ୍ତ ଶରଣକୁଳରେ ବିଜେ ମହାଦେବ ଲଡ଼ୁକେଶ ଦେବଙ୍କର ମଣୋହୀ ଖର୍ଚ୍ଚ ଭାବରେ ବ୍ୟବହୃତ ହେଉଥିଲା ।

ବଡ଼ଗୋରଡ଼ା ଗାଁରେ ଚଷା, ଗୁଡ଼ିଆ, ଗଉଡ଼, କରଣ, ସୁନାରି, ପାଣ, ଧୋବା ଓ ଖଦାଳ ଇତ୍ୟାଦି ଜାତିର ଲୋକ ଅଛନ୍ତି । ମାତ୍ର ଗାଁର ସାତ ପଣ ବା ଶତକଡ଼ା ଚଉରାଳିଶି ଭାଗ ଲୋକ ହେଲେ ତେଲୁଗୁ ଦୋରା ସାଙ୍ଗିଆ ଧାରୀ ଲୋକେ । ଏହି ଦୋରାମାନଙ୍କ ବିଷୟରେ କବି ବ୍ରଜନାଥ ବଡ଼ଜେନାଙ୍କର କାବ୍ୟ ସମରତରଙ୍ଗରେ ମଧ୍ୟ ଉଲ୍ଲେଖ ଅଛି । ବଡ଼ଗୋରଡ଼ା ଗାଁଟି ପୂର୍ବରୁ ପଶ୍ଚିମକୁ ଲମ୍ବିଛି । ଗାଁରେ ଦୋରାମାନଙ୍କର ଘରଗୁଡ଼ିକ ଦକ୍ଷିଣପଟ ଧାଡ଼ିରେ । ସେହି ଗାଁରେ ଲେଖକ ଏକ ଦୋରା ପରିବାରରେ ଜନ୍ମ ନିଅନ୍ତି ୧୯୩୯ ମସିହାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ବର୍ଷରେ, ପରାଧିନ ଭାରତରେ । ତେଲେଗୁ ଭାଷାରେ ଦରା ଶବ୍ଦର ଅର୍ଥ ହେଲା ମୂଖ୍ୟ । ଏମାନଙ୍କର ଜାତି ହେଲା ତେଲେଗା ବା ନାଇଡ଼ୁ । ଏମାନଙ୍କର ସାମାଜିକ ଅବସ୍ଥିତି ଅନେକଟା ଓଡ଼ିଆ ଖଣ୍ଡେଇତଙ୍କର ପରି । ଏମାନେ ଆଗରୁ ନୟାଗଡ଼ ରାଜାଙ୍କର ଖୁସିବାସୀ ପାଇକ ଭାବରେ କାର୍ଯ୍ୟରତ ଥିଲେ । ଦେଶରେ ଗୋଳ ହେଲେ ବା ବାହ୍ୟ ଆକ୍ରମଣ ହେଲେ ରଜାଙ୍କଠାରୁ ଡକରା ପାଇ ଲଢ଼ିବାକୁ ଯାଉଥିଲେ । ୧୮୫୦ ମସିହାରେ ନୟାଗଡ଼ ରଜା ବ୍ରଜବନ୍ଧୁ ସିଂ ମାନ୍ଧାତାଙ୍କ ବିରୁଦ୍ଧରେ ଏକ ମେଳି ହୋଇଥିଲା । ଏଗାରଜଣ ପ୍ରମୁଖ ମେଳିଆଙ୍କ ଭିତରୁ ଦୁଇଜଣ (ରଘୁନାଥ ଦୋରା ଓ ବଳରାମ ଦୋରା) ଥିଲେ ଏଇ ଦୋରା ଜାତିର ।

୧୯୨୦ ମସିହାରେ ଶରଣକୁଳ-ରଣପୁର ରାସ୍ତାରେ ବେଠି ଖଟିବା ପାଇଁ ରଜାଙ୍କ ପାଖରୁ ବଡ଼ଗୋରଡ଼ା ଗାଁରୁ ପ୍ରଜାଙ୍କୁ ଡକରା ଆସିଲା । ସେତେବେଳେ ନୟାଗଡ଼ ରାଜ୍ୟରେ ନିୟମ ଥିଲା ଯେ ନିଜ ଗାଁ ଭିତର ଦେଇ ଯାଇଥିବା ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ତ୍ୱ ଗାଁ ଲୋକଙ୍କର । ମାଟି ପକାଇ, ଧୁରୁମୁସ କରି ଗ୍ରାମପଥଗୁଡ଼ିକୁ ଉଚ୍ଚା କରିବା, ପାହାଡ଼ରୁ କରକଚା ଆଣି ବିଛାଇବା, ପଥପାର୍ଶ୍ୱ ବୃକ୍ଷରୋପଣ କରି ଗଛଗୁଡ଼ିକର ରକ୍ଷଣାବେକ୍ଷଣ ଇତ୍ୟାଦି ଏ ସମସ୍ତ କାମ ଗାଁଲୋକଙ୍କର ହିଁ ଦାୟିତ୍ତ୍ୱ ଥିଲା । ମାତ୍ର ୧୯୨୦ ମସିହାରେ ଯେତେବେଳେ ଶରଣକୁଳ ରାସ୍ତାରେ ବେଠି ଖଟିବାର କଥା ଉଠିଲା, ସେତେବେଳେ ଦୋରାମାନେ ଆପତ୍ତି କଲେ ଯେ ସେମାନେ ଯେହେତୁ ରଜାଙ୍କର ଖୁସିବାସୀ ପାଇକ, ନିୟମ ଦୃଷ୍ଟିରୁ ସେମାନେ ବେଠି ଖଟି ଯିବେ ନାହିଁ । ସେତେବେଳର ଗଡ଼ଜାତ ସୁପରିଟେଣ୍ଟ୍ ଥିଲେ ଅନିରୁଦ୍ଧ ପଟେଲ । ସେ ଦୋରାମାନଙ୍କ କଥା ରଖିଲେ । ଯଦିଓ ବ୍ରାହ୍ମଣମାନେ ମଧ୍ୟ ବେଠିରୁ ନିସ୍ତାର ପାଇନଥିଲେ, ଦୋରାମାନେ ବେଠି ଖଟି ଗଲେ ନାହିଁ । ରଜାଙ୍କଠାରୁ ଜାଗିରି ପାଇ ଏମାନଙ୍କର ଅବସ୍ଥା ଆଗେ ଅନେକ ସ୍ୱଚ୍ଛଳ ଥିଲା । ମାତ୍ର ଭାଇ ଭାଗ ହୋଇ ଓ ଅମଳ କମି ବର୍ତ୍ତମାନ ଜାତିର ଅନେକ ଲୋକଙ୍କର ଅବସ୍ଥା ଆଉ ଏତେଟା ଭଲ ନୁହେଁ । କେହି କେହି ଜମି ବିକ୍ରିବଟା ମଧ୍ୟ କରିସାରିଲେଣି ।

ନୟାଗଡ଼ର ଜିଲ୍ଲାର ବରଗୋରଡ଼ା, କେଶରପୁର, କେଶପାନିଆ, ଚମ୍ପାପାଣ୍ଡିରି, ନନ୍ଦିଘୋର, ଗୋଡ଼ିପଡ଼ା, ତାଳପାଟଣା, ବାୟାପଲ୍ଲୀ, ଆରଡ଼ା, ବଟପୁଟ, ପଞ୍ଚିରିଡ଼ା, କେନ୍ଦୁପଲ୍ଲୀ, କୋମଣ୍ଡ, ଗୋତ୍ରିଡ଼ା, ବାମୁଣ୍ଡି, ଭାଡ଼ିକିଳା, ପେଟାପଲ୍ଲୀ, ମହୁଲିଆ ଓ ପଞ୍ଚୁପଲ୍ଲୀ ଇତ୍ୟାଦି ଗାଁରେ ତେଲୁଗୁମାନେ ବସବାସ କରନ୍ତି । ଏହି ସବୁ ଗାଁମାନଙ୍କରେ ସର୍ବରାକାର ହେଲେ ଏହି ନାଇଡ଼ୁ ବା ଦୋରାମାନେ । ଏହି ଦୋରାମାନେ ଗୋଟିଏ ଜାତି । ମାତ୍ର ବଂଶ ଏମାନଙ୍କର ଭିନ୍ନଭିନ୍ନ । ଆନ୍ଧ୍ରଦେଶରେ ନାମ ପୂର୍ବରୁ ଅନେକେ ବଂଶର ନାମ ଉଲ୍ଲେଖ କରନ୍ତି । ମାତ୍ର ଏହି ତେଲୁଗୁ ଦୋରା ମାନେ ସେପରି କରନ୍ତି ନାହିଁ । ବୋଧେହୁଏ ଓଡ଼ିଆଙ୍କ ପ୍ରଭାବରେ ବଂଶ ହିସାବରେ ଗେଡ଼ୁମ୍, ବାଇସିଟି, ନାଇଡ଼ୁ, ଦାଙ୍ଗଡବିମୁ, କଦାଡବିମୁ, କଞ୍ଚୁମ, ରାମସିଟି ଇତ୍ୟାଦି ଲେଖାନ୍ତି ।

ଲେଖକଙ୍କର ବାଲ୍ୟକାଳରେ ତାଙ୍କ ଅଞ୍ଚଳର ଏହି ଦୋରାମାନଙ୍କର ଜାତିଆଣ ଭୋଜି ଅତି ରୋଚକ ଭାବରେ ଅନୁଷ୍ଠିତ ହେଉଥିଲା । ଭୋଜିର ମୂଖ୍ୟ ଆକର୍ଷଣ ଥିଲା ଆମ୍ବିଳ ବା ପୁଲୁସୁ (ତେଲୁଗୁରେ) ହାଣ୍ଡି । ଏହି ଆମ୍ବିଳରେ ବାଇଗଣ, କଖାରୁ, ଦେଶୀ ଆଳୁ, ସାରୁ ଇତ୍ୟାଦି ପରିବା ବଡ଼ବଡ଼ ଖଣ୍ଡ ହୋଇ କଟାହୋଇ ପଡ଼ିଥାଏ । ନାନାଦି ସରକ ମଧ୍ୟ ପକାଯାଏ । ଏହା ଖଟା ଓ ମିଠା ଉଭୟ ସୁଆଦ ଦିଏ । ଆମ୍ବିଳ ହାଣ୍ଡି ସକାଳେ ବସିଲେ ଓହ୍ଲାଯାଏ ସେଦିନ ସଞ୍ଜବୁଡ଼କୁ । ବାହାଘର ନିମନ୍ତ ଆଦି ଭୋଜିରେ ଆମ୍ବିଳ ନହେଲେ ନଚଳେ । ଆମ୍ବିଳ ରାନ୍ଧିବା ପାଇଁ ପୁରୁଖା ମା ମାଉସୀ ମାନଙ୍କୁ ଖୋଜାଲୋଡ଼ା ହେଉଥିଲା । ଏବେ ଆଉ ତିରିଶି ବରଷ ହେଲା ଆମ୍ବିଳ ଉଠିଗଲାଣି । ଏବେ ତାହା ଇତିହାସ ମାତ୍ର ।

ତେଲେଗୁ ମାନଙ୍କ ମଧ୍ୟରେ ମାମୁଁ ଝିଅ/ପୁଅ ସହିତ ପିଉସୀ ପୁଅ/ଝିଅ ବାହାଘରର ପ୍ରଚଳନ ଥିଲା । ଏହା ଓଡ଼ିଆ ଘରମାନଙ୍କରେ ଅବଶ୍ୟ ବାରଣ । ବାହାଘର ପାଇଁ ଜାତିରେ ଫୁଲସଭା ବସେ । ସଭାରେ ଭୋଜି ଦିନ ସ୍ଥିର ହୁଏ । ତାହା ପରେ ପୁରୁଖା, ଜାଣିବାଶୁଣିବା ସ୍ତ୍ରୀଲୋକମାନେ ରୋଷେଇରେ ମୂଖ୍ୟ ଭୂମିକା ଗ୍ରହଣ କରୁଥିଲେ । ଛାମୁଡ଼ିଆ ବାନ୍ଧିବା, ବେଦି ତିଆରିବା ଆଦି କାମ ସାହିଭାଇମାନେ ଆପେଆପେ କରିଦେଉଥିଲେ । ଘରର କନ୍ୟା ଗାଁ ଯାକର ଝିଅ ଥିଲା । ଭୋଜି ଦିନ ସକାଳୁ ସକାଳୁ ନିମନ୍ତଘର ଲୋକେ ଘରକୁ ଘର ବୁଲି ଜାତିଭାଇଙ୍କୁ କହିଦିଅନ୍ତି ଯେ ଆଜି ରାତିକୁ ଭୋଜି ପାଇଁ ଡ଼କରା ରହିଲା । ପୁଣି ସନ୍ଧ୍ୟାରେ ଆଉ ଥରେ ଡକରା ଯାଏ ଚୁଲି ବନ୍ଦ କରିବା ନିମନ୍ତେ ଅନୁରୋଧ କରିବା ପାଇଁ । ପୁଣି ରାତିରେ ରୋଷେଇ ସରିଲେ ଆଉଥରେ ଡ଼କରା ଯାଏ ଭୋଜନ ପାଇଁ । କାହା ଘରେ କୁଣିଆ ମଇତ୍ର ଆସିଥିଲେ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ ଯାଏ । ଆଗେ ଖାଇବାକୁ ପୁରୁଷ ଲୋକେ ଯାଆନ୍ତି । ସେମାନେ ଖାଇ ଘରକୁ ଲେଉଟିଲେ ସ୍ତ୍ରୀ ଲୋକମାନେ ଯାଆନ୍ତି ଖାଇବାକୁ ।

ତେଲେଗୁ ଦୋରାଙ୍କର ଏହି ଭୋଜିରେ ପ୍ରଥମେ ପିଠା ବଢାଯାଏ । ପିଠା ବୋଇଲେ ଗୋଟିଏ ଆରିଷା ଓ ଦୁଇଟି ମୁଗ ପୁର ଦିଆ ଛଣା ବିରିର ପିଠା । ଏହି ପିଠା ସବୁକୁ ପ୍ରାୟ କେହି ଭୋଜିରେ ଖାଉ ନଥିଲେ । ପ୍ରାୟ ଲୋକେ ପିଠା ପାଇଁ ଆଉ ଗୋଟିଏ ଖଲି ମାଗନ୍ତି । ଖଲିରେ ମୋଡ଼ି ପିଠାକୁ ଘରକୁ ଘେନିଯାଆନ୍ତି । ତାହା ପରେ ଲାଗି ହୁଏ ଭାତ ଓ ଆମ୍ବିଳ । ଆମ୍ବିଳ ଯୋଗୁଁ ଭୋଜିରେ କେହି ଡାଲିକୁ ପାସଙ୍ଗରେ ପକାନ୍ତି ନାହିଁ । ତା’ ପରେ ଲାଗି ହୁଏ ଚୁନାମାଛ ତରକାରୀ । ଶେଷକୁ ପାଣିକଖାରୁର ସାକର ବା ଖଟା ଓ ତତ୍ସହିତ ଆଉ ଗୋଟିଏ ଯୋଡ଼ିଏ ପ୍ରକାରର ସାଧା ତରକାରୀ ଅଳପ ଅଳପ ପରସା ଯାଏ ।


ସେତେବେଳେ ଭୋଜିର ସାମାଜିକ ନିୟମ ଭାରି କଡ଼ା ଥିଲା । ସମସ୍ତେ ଭୋଜିରେ ଆସନ ଗ୍ରହଣ କଲାପରେ ମୁରବୀ ସ୍ଥାନୀୟ ଲୋକେ ଯିବେ ସମସ୍ତଙ୍କ ଘରେ ତଲାସିବା ଲାଗି । ଯେପରି କେହି ଛାଡ଼ି ହୋଇଯାଇ ନଥିବେ । ଜଣେ ମଧ୍ୟ କେହି ସେତେବେଳ ପର୍ଯ୍ୟନ୍ତ ଆସିପାରି ନଥିଲେ ସମସ୍ତେ ଅପେକ୍ଷା କରିବେ । ମୁରବୀ ସ୍ଥାନୀୟ ଲୋକ ଠା ବଢ଼ୁ କହିଲେ ହିଁ ଖାଇବା ପିଇବା କାମ ଆରମ୍ଭ ହେବ । ଭୋଜି ସମୟରେ ସମସ୍ତ ଆନୁସଙ୍ଗିକ କାମ, ଯଥା ଲୋକଙ୍କୁ ତଲାସିବା, ଠା ବାଢ଼ିବା ବେଳେ ପଚାରିବା ଓ ଲୋଡ଼ିବା, ମାଗିବା ଇତ୍ୟାଦି ସମସ୍ତ କାମ ତେଲେଗୁ ଭାଷାରେ‌ ହିଁ ସମ୍ପାଦିତ ହେଉଥିଲା । ମାତ୍ର ଏବେ କାଁଭାଁ ଦୋରା ଲୋକଙ୍କୁ ତେଲେଗୁ ଭାଷା ଭଲଭାବରେ ଜଣା । ଆଗରୁ ତେଲେଗୁ ବ୍ରାହ୍ମଣ ବିବାହ ଓ ଦୁର୍ବଳ କାମ ତୁଲାଇବା ପାଇଁ ଆସୁଥିଲେ । ମାତ୍ର ଅନେକ ଦିନ ହେଲାଣି ଏ ପ୍ରଥା ଉଠିଗଲାଣି ଓ ଓଡ଼ିଆ ବ୍ରାହ୍ଣଣମାନେ ହିଁ ଏସବୁ କର୍ମ ବର୍ତ୍ତମାନ ତୁଲାଉଛନ୍ତି । ସେଥିଯୋଗୁଁ ଏବେ ତେଲେଗୁ ଦୋରାମାନଙ୍କର ପ୍ରାୟତଃ ସବୁ କର୍ମ ଓଡ଼ିଆଙ୍କ ଭଳି ଚଳିଲାଣି । ହେଲେ ବାହାଘର ବେଳେ ହାତଗଣ୍ଠି ସାଙ୍ଗକୁ ତେଲେଗୁମାନଙ୍କ ଭଳି ବେକରେ ତାଳି ବା ମଙ୍ଗଳସୂତ୍ର ବାନ୍ଧିବାର ଚଳଣି ଏ ପର୍ଯ୍ୟନ୍ତ ଲୋପ ପାଇନାହିଁ । 

(ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ 'ଛୋଟ ମୋର ଗାଁଟି’ରୁ ସଙ୍ଗୃହିତ)

No comments:

Post a Comment