ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୬
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ବିଶ୍ୱର
ରଣସଜ୍ଜାକୁ ଦେଖନ୍ତୁ । ଖ୍ରୀଷ୍ଟାନ୍
ଧର୍ମୀୟ ଗୋରା ଜାତିମାନେ ଜନସଂଖ୍ୟାରେ
ଅତି ଅଳ୍ପ ହେଲେ ମଧ୍ୟ, ସବୁଠାରୁ
ବେଶୀ ସଙ୍ଗଠିତ । ପୃଥିବୀର
କୋଣେ କୋଣେ ସେମାନେ ଆର୍ଥିକ ଓ
ସାଂସ୍କୃତିକ ପ୍ରଭାବ ବିସ୍ତାର
କରିଛନ୍ତି । ବିଜ୍ଞାନ ଓ ଟେକ୍ନୋଲୋଜିକୁ
ମଧ୍ୟ ସେମାନେ ପ୍ରଭାବ ବିସ୍ତାରର
ମାଧ୍ୟମ କରିଛନ୍ତି । ସବୁଠାରୁ
ବେଶୀ ଅସ୍ତ୍ରଶସ୍ତ୍ର ସେମାନଙ୍କ
ପାଖରେ ଗଚ୍ଛିତ ଅଛି । କିନ୍ତୁ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେମାନେ
ଆଉ ଅସ୍ତ୍ରମାନଙ୍କୁ ପ୍ରତ୍ୟକ୍ଷ
ଯୁଦ୍ଧରେ ବେଶୀ ବ୍ୟବହାର କରୁନାହାନ୍ତି ।
ତାହାର ବେପାର କରୁଛନ୍ତି । ତାହାକୁ
ଦେଖାଇ ଦୁର୍ବଳ ଦେଶମାନଙ୍କୁ
ଭୟଭୀତ କରାଉଛନ୍ତି । ତଥା, ଦୁର୍ବଳ
ଦେଶମାନଙ୍କରେ କଳହ ଓ ଆଭ୍ୟନ୍ତରୀଣ
ବିଦ୍ରୋହକୁ ବଢ଼ାଇବା ପାଇଁ ଅସ୍ତ୍ରର
କୂଟନୀତି ଚଳାଉଛନ୍ତି । ବର୍ତ୍ତମାନ
ସମୟରେ ସେମାନେ ଆର୍ଥିକ ସମ୍ପର୍କକୁ
ବେଶୀ ପ୍ରକଟ ଭାବରେ ବଢ଼ାଉଛନ୍ତି ।
ଏହାଦ୍ୱାରା ଦେଶମାନଙ୍କର ଅର୍ଥନୀତିକୁ
ନିର୍ଭରଶୀଳ ଓ ପରାବଲମ୍ବୀ କରି
ସେମାନଙ୍କର ଲଗାମ ନିଜ ହାତରେ
ରଖୁଛନ୍ତି । ସଂସ୍କୃତିକୁ ମଧ୍ୟ
ବ୍ୟାପାରିକ ଉଦ୍ଦେଶ୍ୟରେ ସଞ୍ଚାଳିତ
କରୁଛନ୍ତି ।
ଦ୍ୱିତୀୟ
ବିଶ୍ୱଯୁଦ୍ଧ ପରେ ସେମାନେ ଆଉ
ନିଜ ଭିତରେ ଯୁଦ୍ଧ କରୁନାହାନ୍ତି । ‘ନାଟୋ’ ଓ ୟୁରୋପୀୟ ସଙ୍ଘର
ନିର୍ମାଣ କରି ପ୍ରତିରକ୍ଷା ଓ
ଅର୍ଥ ବ୍ୟବସ୍ଥାମାନଙ୍କୁ ଏକତାର
ସୂତ୍ରରେ ବାନ୍ଧିଛନ୍ତି । ୧୯୪୫ ସମୟରେ
ୟୁରୋପୀୟ ଜନତାର ମନରେ ଯୁଦ୍ଧର
ଭୟ ବହୁତ ବ୍ୟାପକ ଥିଲା । ତେଣୁ
ସେମାନେ ଏକ ବିଶ୍ୱବ୍ୟାପୀ
ପ୍ରତିରକ୍ଷାର ଢାଞ୍ଚା ରୂପେ ଜାତିସଙ୍ଘକୁ
ଗଢ଼ିବାରେ ଉତ୍ସାହ ଦେଖାଇଥିଲେ।
ନାଟୋ ଓ ୟୁରୋପୀୟ ସଙ୍ଘ ଶକ୍ତିଶାଳୀ
ହେବା ପରେ ଓ ସୋଭିଏତ ରୁଷ୍ ର ପତନ
ପରେ ସେମାନେ ଜାତିସଙ୍ଘ ପରି
ବିଶ୍ୱସଙ୍ଘରେ ବେଶୀ ରୁଚି ଦେଖାଉ
ନାହାନ୍ତି । ଏସିଆ,
ଆଫ୍ରିକା
ଓ ଦକ୍ଷିଣ ଆମେରିକାର ରାଷ୍ଟ୍ରମାନଙ୍କର
ପ୍ରତିରକ୍ଷା ପାଇଁ ସେମାନଙ୍କର
କୌଣସି ଚିନ୍ତା ନାହିଁ ।
ପୀତବର୍ଣ୍ଣ
ଓ କୃଷ୍ଣବର୍ଣ୍ଣ ଲୋକଙ୍କର ଦେଶମାନେ
କେହି ସଙ୍ଘବଦ୍ଧ ହୋଇପାରିନାହାନ୍ତି ।
୧୯୪୦ର ଦଶନ୍ଧି ବେଳେ ଯେତେବେଳେ
ଚାରିଆଡ଼େ ଉପନିବେଶମାନଙ୍କରେ
ମୁକ୍ତି ସଙ୍ଗ୍ରାମ ଚାଲିଥିଲା,
ସେତେବେଳେ
ଏଇ ଦେଶମାନେ ବିଭିନ୍ନ ଆୟତନର
ସଙ୍ଘ ଓ ମହାସଙ୍ଘର ନିର୍ମାଣ କରି
ଚିନ୍ତା କରୁଥିଲେ । ଯଥା,
ଆଫ୍ରିକାର
ମହାସଙ୍ଘ,
ଇସ୍ଲାମୀୟ
ବା ଆରବୀୟ ସଙ୍ଘ,
ଏସୀୟ ମହାସଙ୍ଘ, ଇତ୍ୟାଦି । ଗୋରା ମହାଶକ୍ତିମାନେ
ତାଙ୍କର କୂଟନୀତି ବଳରେ ଏସବୁକୁ
ଭଣ୍ଡୁର କରିଦେଲେ । ନୂଆ ଭାବରେ
ସ୍ୱାଧୀନ ହୋଇଥିବା ଦେଶଗୁଡ଼ିକର
ନେତୃମଣ୍ଡଳୀର ମନରେ ଏକ ନୂଆ ବିଶ୍ୱ
ଗଢ଼ିବାର କୌଣସି କଳ୍ପନା ରହିପାରିଲା
ନାହିଁ । କଳା ଓ ପୀତବର୍ଣ୍ଣ ଲୋକଙ୍କର
ଦେଶମାନେ,
ଇସ୍ଲାମୀୟ ଦେଶମାନେ ଓ ଆଫ୍ରିକୀୟ ଦେଶମାନେ
ନିଜ ଭିତରେ ଯୁଦ୍ଧ ଓ କଳହରେ ଲିପ୍ତ
ରହୁଛନ୍ତି ।
ଗୋରା
ଶକ୍ତିମାନେ ପୀତବର୍ଣ୍ଣକୁ
କଳାବର୍ଣ୍ଣ ତୁଳନାରେ ଟିକିଏ
ବେଶୀ ଇଜ୍ଜତ୍ ଦେଇଥାଆନ୍ତି ।
ଏଥିପାଇଁ ନୁହେଁ ଯେ ପୀତବର୍ଣ୍ଣ
ଗୋରାବର୍ଣ୍ଣ ପାଖାପାଖି । ବରଂ
ଏଇଥିପାଇଁ ଯେ ସେମାନେ ଇତିହାସରେ
କଳା ଲୋକଙ୍କ ପରି ଏତେ ବେଶୀ ଶାରୀରିକ
ଓ ମାନସିକ ଗୋଲାମୀକୁ ସ୍ୱୀକାର
କରିନଥିଲେ । ଚୀନ୍,
ଜାପାନ୍,
ଥାଇଲାଣ୍ଡ୍ କିମ୍ବା କୋରିଆ, ଭାରତ ଭଳି ଗୋରାମାନଙ୍କର
ପ୍ରତ୍ୟକ୍ଷ ଶାସନ ତଳେ ଦୀର୍ଘ
କାଳ ଧରି ରହିନାହାନ୍ତି । ପଚାଶ
ବର୍ଷ ପୂର୍ବେ ଜାପାନ୍ ଏକ ମହାଶକ୍ତି
ହେବାର ଯୋଜନା କରିଥିଲା। ବର୍ତ୍ତମାନ
କାଳରେ ଚୀନ୍ ଏକ ଉପ-ମହାଶକ୍ତି
ହେବାର ବାଟ ଧରିଛି । ଚୀନ୍ ର ବହୁ
ପ୍ରଚାରିତ ଆର୍ଥିକ ଅଭିବୃଦ୍ଧି
ଯୋଗୁଁ ତାହାର ସାମ୍ରାଜ୍ୟବାଦୀ
କଳ୍ପନା ସାକାର ହୋଇପାରେ ବୋଲି
ପର୍ଯ୍ୟବେକ୍ଷକମାନେ ବିଚାରୁଛନ୍ତି ।
ଅନ୍ୟ ଦିଗରେ ଏକଛତ୍ରବାଦୀ ରାଜନୈତିକ
ବ୍ୟବସ୍ଥା ଆଉ ପୁଞ୍ଜିବାଦ ଜନିତ
ବଢ଼ି ଚାଲିଥିବା ଆର୍ଥିକ ବିଷମତା, ଦେଶ ଭିତରେ ନାନା ରକମର ଅନ୍ତର୍ବିରୋଧ
ସୃଷ୍ଟି କରିବ ଓ
ଚୀନ୍ ଦୁର୍ବଳ ହୋଇଯାଇପାରେ ବୋଲି
ମଧ୍ୟ କଳ୍ପନା ଓ ବିଶ୍ଳେଷଣ ଚାଲିଛି।
ଇନ୍ଦିରା
ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ
ସମୟରେ ଭାରତକୁ ଏକ ଉପମହାଶକ୍ତି
ବା ଆଞ୍ଚଳିକ ମହାଶକ୍ତି ରୂପେ ଗଢ଼ିବାର
ହାସ୍ୟାସ୍ପଦ କଳ୍ପନାଜଳ୍ପନା
ଚାଲିଛି । ୧୯୮୯-୯୦ ମସିହାର
ଆର୍ଥିକ ସଙ୍କଟ ତାହାର ଯବନିକା
ଟାଣିଦେଲା । ଭାରତ ଯେ ଏକ ମହାଶକ୍ତି
ବା ଉପମହାଶକ୍ତି ହୋଇପାରିବ ନାହିଁ, ଏହାର ସୂଚନା ୧୯୫୦ ମସିହାରେ
ମିଳିଯାଇଥିଲା । ବ୍ରିଟିଶ୍ ସରକାର
ତିବ୍ଦତ୍ ଉପରେ ଚୀନ୍ ର ଆଧିପତ୍ୟକୁ
ସ୍ୱୀକାର କରିଥିଲା । କିନ୍ତୁ, ତିବ୍ଦତ୍ ଚୀନ୍ ର ଏକ ଅଙ୍ଗ ନଥିଲା ।
ତେଣୁ ଚୀନ୍ ଭାରତର ପଡ଼ୋଶୀ ରାଷ୍ଟ୍ର
ମଧ୍ୟ ନଥିଲା । ୧୯୪୭ ମସିହା ଠାରୁ
ଭାରତର ଶାସକମାନେ ପଡ଼େଶୀମାନଙ୍କ
ସଙ୍ଗେ ସୁଦୃଢ଼ ପାରସ୍ପରିକ ସମ୍ପର୍କ
ସ୍ଥାପିତ କଲେନାହିଁ । ୧୯୪୯ ମସିହାରେ
ଚୀନ୍ ରେ କମ୍ୟୁନିଷ୍ଟ୍ ସରକାର
ସ୍ଥାପିତ ହେଲା । ଚୀନ୍ ବର୍ଷକ
ଭିତରେ ତିବ୍ଦତ୍ ଆକ୍ରମଣର ଯୋଜନା
କରିନେଲା । ଭାରତର ଶାସକମାନେ
ଏହାକୁ ପ୍ରତିରୋଧ କଲେନାହିଁ ।
୧୯୬୨ ମସିହାରେ ଭାରତ ନିଜେ ଚୀନ୍
ଆକ୍ରମଣର ଶିକାର ହେଲା । ଏପର୍ଯ୍ୟନ୍ତ ଚୀନ୍ ସାଙ୍ଗରେ
ସୀମା ନିର୍ଦ୍ଧାରଣ ହୋଇପାରି
ନାହିଁ। ଏତେ ସବୁ ଦୁର୍ବଳତାକୁ
ବୋମାର ବିସ୍ଫୋରଣ ଛପେଇ ଦେବ
କିପରି?
ବାଜପେୟୀ
ସରକାର ଯଦି ଚୀନ୍ ସାଙ୍ଗରେ ସୀମା
ନିର୍ଦ୍ଧାରଣ ବୁଝାମଣାକୁ ଅଧବାଟ
ପର୍ଯ୍ୟନ୍ତ ବି ନେଇଯାଇ ପାରିବ,
ତା’ହେଲେ
ଜଣାପଡ଼ିବ ଯେ ବୋମାରୁ ଆତ୍ମବିଶ୍ୱାସ
ବଢ଼ିଲା।
No comments:
Post a Comment