Monday, August 01, 2016

କାଶ୍ମୀରରେ ହେଉଛି କଅଣ ଓ କାହିଁକି


କାଶ୍ମିରୀ ଶାଲ୍ ବୁଣାଳୀ
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 


ଗତ ଆଠ ଜୁଲାଇ ୨୦୧୬ରେ ସୁରକ୍ଷାକର୍ମୀମାନଙ୍କର ଗୁଳିମାଡ଼ରେ ହିଜବୁଲ ମୁଜାହିଦ୍ଦିନର ଏକୋଇଶି ବର୍ଷୀୟ ଅଧିନାୟକ ବୁରହାନ୍ ୱାନି ମୃତ୍ୟୁବରଣ କଲେ । ତାଙ୍କୁ କବର ଦେଲାବେଳେ ଦେଢ଼ଲକ୍ଷ ଲୋକ ଶବର ଶୋଭାଯାତ୍ରାରେ ଯୋଗଦେଲେ । ଏହା ପରେ କାଶ୍ମୀର ଉପତ୍ୟକାରେ ଏକ ଗଣଆନ୍ଦୋଳନ ମୁଣ୍ଡ ଟେକିଛି । ଏହି ଆନ୍ଦୋଳନରେ ଆବାଳବୃଦ୍ଧବନିତା, ଲକ୍ଷଲକ୍ଷ ଲୋକେ ଯୋଗ ଦେଇଛନ୍ତି । ରାଜ୍ୟସରକାର ଏହି ଗଣଆନ୍ଦୋଳନ ସହିତ ରାଜନୈତିକ ଯୋଗାଯୋଗ ରକ୍ଷାକରି ପରିସ୍ଥିତିକୁ ମେଣ୍ଟେଇବାର ଚେଷ୍ଟା ନକରି ଅନୈତିକ ଭାବରେ ପାଶବିକ ବଳପ୍ରୟୋଗ କରି, ସାଧାରଣ ଜନସାଧାରଣଙ୍କୁ ଡରାଇ, ଏହାକୁ ଦବାଇଦେବାକୁ ଚାହୁଁଛନ୍ତି । କାଶ୍ମୀର ଜଳୁଥିଲା ବେଳେ ପ୍ରଧାନମନ୍ତ୍ରୀ ଆଫ୍ରିକାରେ ଢୋଲ (ଆକ୍ଷରିକ ଭାବରେ) ବଜାଉଛନ୍ତି ।

ପରିସ୍ଥିତିକୁ ଗୁରୁତ୍ତ୍ୱର ସହିତ ନନେଇ ସରକାର ଚିରାଚରିତ ପଦ୍ଧତିରେ ଲୋକବିରୋଧି କାର୍ଯ୍ୟମାନ କରିବାକୁ ଆରମ୍ଭ କଲେ । ଏହା ଭିତରେ ସରକାର ସାଧାରଣ ନାଗରିକମାନଙ୍କର ମୋବାଇଲି ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିରୋଧ ଲଗାଇଛନ୍ତି । ଷୋହଳ ଜୁଲାଇର ସକାଳଠାରୁ ସ୍ଥାନୀୟ ଖବର କାଗଜଗୁଡ଼ିକର ପ୍ରକାଶନ ଉପରେ ତିନିଦିନ ଲାଗି ନିରୋଧ ଜାରି କରାଯାଇଛି । କାଶ୍ମୀରରେ ଓ ଭାରତରେ, ଜରିରୀକାଳିନ ପରିସ୍ଥିତି ପରଠାରୁ, ପ୍ରେସ୍ ର ସ୍ୱାଧୀନତା ଉପରେ ଏପରି ନଗ୍ନ ଆକ୍ରମଣ ପ୍ରଥମ ଥର ପାଇଁ ହୋଇଛି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଫଳରେ ଏହି ଗତ କେଇଦିନ ମଧ୍ୟରେ ୪୪ ଜଣ ସାଧାରଣ ନାଗରିକମାନଙ୍କର ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ଘଟିସାରିଲାଣି ଓ ଅଠରଶହରୁ ଅଧିକ ଲୋକେ ଆଘାତପ୍ରାପ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ସାଙ୍ଘାତିକ । ଅର୍ଦ୍ଧସାମରିକ ବାହିନୀର ଧାତବ ଗୋଟିକା (ପେଲେଟ୍) ମାଡ଼ରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଲୋକଙ୍କର ଆଖିରେ ଗଭୀର ଆଘାତ ହୋଇଅଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ବା ଯୁବକ ଓ ତାଙ୍କର ବୟସ ପନ୍ଦରରୁ ଛବିଶ ବର୍ଷ ଭିତରେ । ଅନେକ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇପାରନ୍ତି ।

ଏମ୍ସ୍ ର ଏକ ତିନିଜଣିଆ ଦଳ ଚିକିତ୍ସା ନିମନ୍ତେ ଶ୍ରୀନଗରକୁ ଗସ୍ତ କରିଥିଲେ । ସେହି ଦଳର ଜଣେ ସଦସ୍ୟ ସୁଦର୍ଶନ କୁମାରଙ୍କର କହିବାର ହେଲା ଯେ ଯୁଦ୍ଧଭୂମିରେ ଏଭଳି ଚକ୍ଷୁ-କ୍ଷତ ଦେଖିବାକୁ ମିଳେ । ଅର୍ଥାତ୍, ସରକାର କାଶ୍ମୀରର ପ୍ରତିବାଦରତ ଜନସାଧାରଣଙ୍କର ବିରୁଦ୍ଧରେ ଅଘୋଷିତ ଯୁଦ୍ଧ ଚଳାଇଛନ୍ତି । କାଶ୍ମୀର ବୋଲି ଯେଉଁ ଅଞ୍ଚଳଟି ଅଛି, ତାହା ମାନଚିତ୍ରରେ ଅଙ୍କା ହୋଇଥିବା ଗାରଟିକକ ମାତ୍ର ନୁହେଁ ବା କେଇ ଲକ୍ଷ ଏକର ଭୂଇଁ କେବଳ ନୁହେଁ । କାଶ୍ମୀର ବୋଇଲେ ମୂଳତଃ ଏହାର ଲୋକେ । ମାତ୍ର ଗତ କିଛି ଦିନର ଘଟଣାବଳୀକୁ ଲକ୍ଷ୍ୟକଲେ ଏହା ଜଣାପଡ଼ୁନାହିଁ ଯେ ସରକାର କାଶ୍ମୀର କହିଲେ କାଶ୍ମୀରର ସାଧାରଣ ଜନସାଧାରଣ ବୋଲି ବୁଝୁଛନ୍ତି, କିମ୍ବା ଏହାର ଲୋକମାନଙ୍କୁ ମଣିଷ ଭାବରେ ଗଣୁଛନ୍ତି ।

ଏହି ଆଘାତପ୍ରାପ୍ତ ଲୋକେ ଯେ ସମସ୍ତେ ରାସ୍ତାରେ ଓହ୍ଲାଇ ପ୍ରତିବାଦ ବା ଟେକାମାଡ଼ କରୁଥିଲେ ତାହା ନୁହେଁ । ଚଉଦ ବର୍ଷ ବୟସର ଇନ୍ସା ମଲ୍ଲିକଙ୍କର ଉଦାହରଣ ନେବା । ତାଙ୍କର ଉଭୟ ଚକ୍ଷୁ ସୁରକ୍ଷା କର୍ମୀମାନଙ୍କର ଧାତବ ଗୋଟିକା ମାଡ଼ରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଇନ୍ସା କେବେ ମଧ୍ୟ ଆଉ ନିଜର ଦୃଷ୍ଟିଶକ୍ତି ଫେରିପାଇବେ ନାହିଁ । ସୋପିଆଁ ଜିଲ୍ଲାର ସେଡ଼଼ୋ ଗ୍ରାମର ଅଧିବାସୀ ନବମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀ । ନିଜ ଶ୍ରେଣୀରେ ଭଲ ଛାତ୍ରୀ ଭାବରେ ସ୍ଥାନ ମଧ୍ୟ ସେ ଅଧିକାର କରନ୍ତି । ଜୁଲାଇ ବାର ତାରିଖ ସନ୍ଧ୍ୟାବେଳେ ଘରେ ବସି ରାତ୍ରିଭୋଜନ କରୁଥିବା ବେଳେ ଘର ବାହାରେ ସୁରକ୍ଷାକର୍ମୀମାନେ ଫୁଟାଇଥିବା ଧାତବ ଗୋଟିକାଟିମାନ ବାଜି ଇନ୍ସାଙ୍କର ମୁହଁ ଛିନ୍ନଭିନ୍ନ ହୋଇଗଲା । ଏହାପରେ ତାଙ୍କୁ ଡାକ୍ତରଖାନା ଅଣାଗଲା । ସେ ପନ୍ଦର ଜୁଲାଇରେ ଶେଷ ଖବର ମିଳିବା ପର୍ଯନ୍ତ ଶ୍ରୀନଗରର ମହାରାଜା ହରି ସିଂ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ଏହା ଛଡ଼ା ଜଣେ ପୋଲିସି ମୃତ୍ୟୁବରଣ କରିଛନ୍ତି ଓ ଦେଢ଼ଶହରୁ ଅଧିକ ସଂଖ୍ୟାରେ ପୋଲିସି, ଅର୍ଦ୍ଧସାମରିକ ବଳ, ଓ ସୈନିକମାନେ ଆଘାତପ୍ରାପ୍ତ ହୋଇଛନ୍ତି । ଭାରତରେ ସୈନିକ ଓ କନଷ୍ଟେବଳ ଭାବରେ ଗରୀବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ପିଲାମାନେ ଚାକିରିରେ ଭରତି ହୁଅନ୍ତି, ସମ୍ଭ୍ରାନ୍ତ ପରିବାରର ପିଲାମାନେ ନୁହେଁ । ରାଜନୈତିକ ନେତାଙ୍କର ପରିସ୍ଥିତିକୁ ସମ୍ଭଳିପାରିବାର ଅକ୍ଷମତା ଯୋଗୁଁ ବିଚରା ଗରୀବ ଘରର ସୈନିକମାନଙ୍କର ବଳି ପଡ଼ୁଛି ।

ମାତ୍ର ଏହିଠାରେ ମନେ ରଖିବାକୁ ପଡ଼ିବ ଯେ କାଶ୍ମୀରରେ ଉଭୟ ବର୍ତ୍ତମାନର ଓ ଗତ କେଇ ଦଶନ୍ଧିର ସମସ୍ୟା ଏକ ରାଜନୈତିକ ସମସ୍ୟା: ଉଗ୍ରବାଦ ସେହି ଅସମାହିତ ରାଜନୈତିକ ସମସ୍ୟାର ଏକ ଲକ୍ଷଣ ମାତ୍ର । ଅକ୍ଟୋବର ୨୬, ୧୯୪୭ ମସିହାରେ କାଶ୍ମୀରର ମହାରାଜା ହରି ସିଂହ ଭାରତ ସହିତ ମିଶିଯିବା ଚୁକ୍ତିପତ୍ର ସ୍ୱାକ୍ଷର କଲେ । ଏହାର କିଛି ଦିନ ଆଗରୁ କାଶ୍ମୀର, ପାକିସ୍ଥାନରୁ ପାକିସ୍ଥାନୀ ସେନା ଦ୍ୱାରା ସମର୍ଥିତ ଏକ ଆଦିବାସୀ ଦଳ ଦ୍ୱାରା ଆକ୍ରମଣର ଶୀକାର ହୋଇଥିଲା । ଭାରତ ସହ ମିଶ୍ରଣ ପରେ ଭାରତୀୟ ସେନା ଏହି ଆଦିବାସୀ ଦଳ ଓ ପାକିସ୍ତାନୀ ସେନା ସହିତ ୧୯୪୮ ମସିହାର ଶେଷ ପର୍ଯ୍ୟନ୍ତ ଏକ ଯୁଦ୍ଧ ଲଢ଼ିଲେ । ୧୯୪୮ ମସିହାରେ ଭାରତ ହିଁ ମିଳିତ ଜାତିସଂଙ୍ଘକୁ ଏହି ସମସ୍ୟା ନେଇ ଫେରାଦ ହେବାକୁ ଗଲା । ଅଗଷ୍ଟ ୧୯୪୮ ମସିହାରେ ମିଳିତ ଜାତିସଂଙ୍ଘରେ ପାରିତ ଏକ ପ୍ରସ୍ତାବ ଅନୁସାରେ ଜାମ୍ମୁ ଓ କାଶ୍ମୀରର ରାଜନୈତିକ ସ୍ଥିତିକୁ ନେଇ ସେଠାରେ ଏକ ଗଣଭୋଟ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ଏହି ଗଣଭୋଟର ପ୍ରଥମ ସର୍ତ୍ତ ଥିଲା ଯେ ପ୍ରଥମେ ପାକିସ୍ଥାନ କାଶ୍ମୀରରୁ ସେନା ଓହରାଇବ । ତାହା ପରେ ଯାଇଁ ଭାରତ ସେଠାରୁ ସେନା ହଟାଇବ । ତାହା ପରେ ମିଳିତ ଜାତିସଙ୍ଘର ତତ୍ତ୍ୱାବଧାନରେ ଗଣଭୋଟ ଅନୁଷ୍ଠିତ ହେବ ।

୧୯୪୮ ମସିହା ପରେ ଭାରତ ଓ ପାକିସ୍ଥାନ କାଶ୍ମୀରକୁ ନେଇ ଆହୁରି ଅନେକ ଥର ଲଢ଼ି ସାରିଛନ୍ତି । ବର୍ତ୍ତମାନ ଭାରତର ଅଧିକାରରେ କାଶ୍ମୀର ଉପତ୍ୟକା, ଲଦ୍ଦାଖ ଓ ଜାମ୍ମୁ ଅଞ୍ଚଳ ଥିଲା ବେଳେ, ପାକିସ୍ଥାନ ଓ ଚୀନ୍ ଅଧୀନରେ ପ୍ରାକ୍ତନ ଜାମ୍ମୁ କାଶ୍ମୀର ରାଜ୍ୟର ବାକିତକ ଅଞ୍ଚଳ ଅଛି । ଯେଉଁମାନେ ବର୍ତ୍ତମାନ କାଶ୍ମୀରରେ ଗଣଭୋଟର ପ୍ରସ୍ତାବକୁ ଦେଶଦ୍ରୋହ ବୋଲି ମାନନ୍ତି, କିମ୍ବା ଅନ୍ୟମାନେ, ଯେଉଁମାନେ, ଆଜାଦି ଦାବି କରନ୍ତି, ସେମାନେ ସୁବିଧାଜନକ ଭାବରେ ଭୁଲିଯାଆନ୍ତି ଯେ ଗଣଭୋଟ ହେବା ପାଇଁ ପ୍ରଥମେ ପାକିସ୍ଥାନକୁ କାଶ୍ମୀରରୁ ସେନା ପ୍ରତ୍ୟାହାର କରିବାକୁ ପଡ଼ିବ । କାଶ୍ମୀରବାସୀଙ୍କ ପ୍ରତି ମିଥ୍ୟାଦରଦ ଦେଖାଉଥିବା ପାକିସ୍ଥାନର ସେନା ଓ ସରକାର କେବେ ଏହା କରିବେକି ?

ଭାରତର କାଶ୍ମୀର ସମସ୍ୟାର ରାଜନୈତିକ ଦିଗ ପ୍ରତି ଅବହେଳା ଆଜି ନୂଆ ନୁହେଁ । କାଶ୍ମୀର ଭାରତର ଅଂଶ ବନିସାରିଲା ପରେ ପ୍ରାୟତଃ ୧୯୮୭ ମସିହା ପର୍ଯ୍ୟନ୍ତ ପ୍ରାୟତଃ ରାଜ୍ୟସ୍ତରୀୟ ନିର୍ବାଚନରେ ହେରଫେର ହୋଇଥିବାର ଅଭିଯୋଗ ହୋଇଆସିଛି । ଅନେକ ନିରପେକ୍ଷ ପର୍ଯ୍ୟବେକ୍ଷକଙ୍କ ମତାନୁସାରେ ଏହି ଅଭିଯୋଗ ଗୁଡ଼ିକରେ ଅନେକ ସତ୍ୟତା ରହିଛି । କେନ୍ଦ୍ରିୟ ସ୍ତରରେ କଙ୍ଗ୍ରେସ ସରକାର ୧୯୮୭ ମସିହାର ଜାମ୍ମୁ ଓ କାଶ୍ମୀରର ରାଜ୍ୟ ନିର୍ବାଚନରେ ବଡ଼ ଧରଣର ହେରଫେର କରାଇ ନ୍ୟାସନାଲ୍ କନ୍ଫରେନ୍ସ୍ କୁ ଜିତାଇବା ପାଇଁ ଚକ୍ରାନ୍ତ କରିଥିଲା ବୋଲି ଅଭିଯୋଗ ହୁଏ । ଏହାର କୌଣସି ମିମାଂସା କରାଗଲା ନାହିଁ । ଅନେକ ଲୋକଙ୍କର ମତରେ ଏହାହିଁ କାଶ୍ମୀରରେ ୧୯୮୯-୯୦ ଠାରୁ ଉଗ୍ରବାଦ ମୁଣ୍ଡ ଟେକିବାର ମୂଳ କାରଣ । ମାତ୍ର ୧୯୯୬ ମସିହା ପରଠାରୁ ସାଧାରଣ ଭାବରେ ନିର୍ବାଚନ ନିରପେକ୍ଷ ଭାବରେ ଅନୁଷ୍ଠିତ ହୋଇଛି ବୋଲି ଅଧିକାଂଶ ପର୍ଯ୍ୟବେକ୍ଷକଙ୍କର ମତ ।

ମାତ୍ର ୧୯୯୦ରେ କାଶ୍ମୀରରେ ଲାଗୁହୋଇଥିବା ଆଫ୍ସା (ଆର୍ମ଼ଡ଼୍ ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ୍ ଆକ୍ଟ୍) ଯୋଗୁଁ ସାଧାରଣ ଲୋକଙ୍କର ମାନବାଧିକାରର ଘୋର ହନନ ହୋଇଛି । ସାଢ଼େ ତିନି ହଜାରରୁ ଅଧିକ ସାଧାରଣ ଲୋକେ ସୁରକ୍ଷାବଳଙ୍କ ହାତରେ ପ୍ରାଣ ହରାଇଛନ୍ତି । କାଶ୍ମିରୀ ପଣ୍ଡିତ ମାନଙ୍କୁ ସରକାର ସୁରକ୍ଷା ନଯୋଗାଇବାରୁ ସେମାନଙ୍କ ମଧ୍ୟରୁ ପାଖାପାଖି ଦୁଇଲକ୍ଷ ଲୋକେ ଭୟରେ କାଶ୍ମୀର ଛାଡ଼ି ଜାମ୍ମୁରେ ଓ ଅନ୍ୟତ୍ର ଶରଣାର୍ଥୀ ବନିବାକୁ ବାଧ୍ୟ ହୋଇଛନ୍ତି । ମାନବ ଅଧିକାର ସଙ୍ଗଠନଗୁଡ଼ିକର ଅନୁସନ୍ଧାନ ଅନୁସାରେ କାଶ୍ମୀରରେ କର୍ମରତ ପାଞ୍ଚଶହରୁ ଉର୍ଦ୍ଧ୍ୱ ପୋଲିସି କର୍ମଚାରୀ, ଅର୍ଦ୍ଧ ସାମରିକ ବଳର କର୍ମକର୍ତ୍ତା ତଥା ଭାରତୀୟ ସେନାର ଅଧିକାରୀମାନେ ନିର୍ଯ୍ୟାତନା, କଏଦରେ ମୃତ୍ୟୁ, ମିଥ୍ୟା ଏନକାଉଣ୍ଟର୍ ଓ ଧର୍ଷଣ ଇତ୍ୟାଦି ଘୃଣ୍ୟ ଅପରାଧରେ ସମ୍ପୃକ୍ତ ଅଛନ୍ତି । ଏମାନଙ୍କ ବିରୁଦ୍ଧରେ ସରକାରୀ ବ୍ୟବସ୍ଥା କେବେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହି ସବୁ ଅପରାଧର ଭୁକ୍ତଭୋଗୀ କାଶ୍ମୀରନିବାସୀ ଭାରତୀୟ ନାଗରିକ ମାନେ କେବେ ନ୍ୟାୟ ପାଇନାହାନ୍ତି ।

ଏବେ ଯେଉଁ ଗଣଆନ୍ଦୋଳନ ମୁଣ୍ଡ ଟେକିଛି ତାହା ପଛରେ ରହିଛି ଏହିସବୁ ଅନ୍ୟାୟ, ଅପରାଧ ଓ ରାଜନୈତିକ ସୁବିଧାବାଦ । ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରରେ ଗଠବନ୍ଧନରେ ରାଜ୍ୟ ସରକାର ଚଳାଉଥିବା ଭାଜପା ଓ ପିଡ଼ିପି, ୨୦୧୪ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ପରସ୍ପର ବିରୋଧରେ ଲଢ଼ିଥିଲେ । ନିର୍ବାଚନ ପ୍ରଚାରରେ ପିଡ଼ିପି ର ନେତ୍ରୀ ମେହେବୁବା ମୁଫ୍ତି ଏହା କହିବୁଲିଲେ ଯେ ସେ ମୋଦିଙ୍କୁ ଓ ବିଜେପିକୁ କାଶ୍ମୀରର ମାଟି ମଡ଼ାଇ ଦେବେ ନାହିଁ । ଭାଜପାର ଅନେକ ନେତା ମଧ୍ୟ ପିଡିପିକୁ ଉଗ୍ରପନ୍ଥୀମାନଙ୍କର ଦଳ ଭାବରେ ବର୍ଣ୍ଣନା କରିବା ପାଇଁ ପଛାଇନଥିଲେ । ମାତ୍ର ନିର୍ବାଚନ ପରେ ସୁବିଧାବାଦୀ ରାଜନୀତିର ଗୋଟିଏ ସୁନ୍ଦର ଉଦାହରଣ ସୃଷ୍ଟି କରି ପିଡ଼ିପି ଓ ଭାଜପା, ପିଡ଼ିପିର ମୁଫ୍ତି ମୁହମ୍ମଦ ସଏଦଙ୍କର ନେତୃତ୍ତ୍ୱରେ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କଲେ । ଏହା କାଶ୍ମୀରର ଜନସାଧାରଣଙ୍କର ପ୍ରତି ଏକ ବିଶ୍ୱାସଘାତ ଥିଲା । ଯେଉଁ ସବୁ ଅଞ୍ଚଳରେ ପିଡ଼ିପି ସବୁଠାରୁ ଶକ୍ତିଶାଳୀ ଥିଲା ସେହିଠାରେ ହିଁ ବର୍ତ୍ତମାନ ସବୁଠାରୁ ବେଶୀ ଶକ୍ତିଶାଳୀ ଗଣଆନ୍ଦୋଳନ ମୁଣ୍ଡଟେକିଛି । ଅର୍ଥାତ୍ ରାଜନୈତିକ ସୁବିଧାବାଦ ଓ ଲୋକଙ୍କ ପ୍ରତି ରାଜନୈତିକ ଦଳଗୁଡିକର ବିଶ୍ୱାସଘାତକତା ଜନଅସନ୍ତୋଷର ଏକ ବଡ଼ କାରଣ ।


ସରକାର ବୁଝିବା ଦରକାର ଯେ ଏହି ଗଣଆନ୍ଦୋଳନକୁ ବଳପ୍ରୟୋଗ କରି ଚପାଇ ଦିଆଯାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ବିଦେଶରେ ଢୋଲ ନ ବଜାଇ କାଶ୍ମୀରରେ ଗୃହ ମନ୍ତ୍ରୀଙ୍କ ସହ କିଛି ସପ୍ତାହ ରହି, କାଶ୍ଣୀରର ସବୁ ବର୍ଗର ଲୋକଙ୍କ ସହ ଆଲୋଚନା କରନ୍ତୁ । କାଶ୍ମୀରରୁ ଆର୍ମ଼ଡ଼୍ ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ୍ ଆକ୍ଟ୍ ପ୍ରତ୍ୟାହାର କରାଯାଉ । ଏ ପର୍ଯନ୍ତ ଅଭିଯୋଗ ହୋଇଥିବା ସମସ୍ତ ମାନବ ଅଧିକାର ହନନ ଅଭିଯୋଗର ନିରପେକ୍ଷ ନ୍ୟାୟିକ ଯାଞ୍ଚ କରାଯାଉ । କାଶ୍ମୀରରେ ଅସଲ ଗଣତନ୍ତ୍ର ଫେରାଇ ଆଣିବାର ଚେଷ୍ଟା କରାଯାଉ । ଲୋକେ ନ୍ୟାୟ ପାଇଲେ, ଶାସନ ଲୋକାଭିମୁଖୀ ହେଲେ, ଲୋକେ ବଳେ ଶାନ୍ତ ପଡ଼ିବେ ଓ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବାଟ ଫିଟିବ । ନହେଲେ ପାକିସ୍ଥାନ ଗୋଳିଆ ପାଣିରୁ ଫାଇଦା ଉଠାଇବ ଓ ପରିସ୍ଥିତି ଯେ କିଭଳି ସାଙ୍ଘାତିକ ରୂପ ନେବ ତାହାର କଳନା କରିହେବ ନାହିଁ । ସାଧୁ ସାବଧାନ । 

(ଏହି ଲେଖାର ଏକ ରୂପ ୨୨ ଜୁଲାଇ ୨୦୧୬ ମସିହାରେ ଦୈନିକ ସମାଜ ଖବରକାଗଜରେ ଛପାଯାଇଥିଲା ।) 

No comments:

Post a Comment