ପିଲାଙ୍କ ଗୀତ ବେଙ୍ଗୁଲି ରାଣୀ
ପଲ୍ଲିକବି ନନ୍ଦକିଶୋର ବଳ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ,
ନଈ ସମୁଦର ଭସେଇ ଦେ ।
ଇନ୍ଦ୍ର ରାଜାଙ୍କର ବେଙ୍ଗୁଲୀ ରାଣୀ,
ବୋବେଇ ଦେଲେ ସେ ବରଷେ ପାଣି ।
ବେଙ୍ଗୁଲୀ ବସଇ ସାରୁ ମୂଳରେ,
ଛତ୍ରି ଧରିଅଛି ସାରୁ ପତରେ ।
ବେଙ୍ଗୁଲୀ ବୋବାଏ କେଁ କଟର,
ପାଣିରେ ଭାସଇ ଦୁଆର ଘର ।
ପାଣି ପଶିଗଲା ସାପ-ଗାତର,
ସାପମାନେ ହେଲେ ଛିନିଛତର ।
ଖରାଦିନେ ସାପ ବେଙ୍ଗ ଖାଇଲା,
ବରଷା ଦିନରେ ଫଳ ପାଇଲା ।
ଇନ୍ଦ୍ରଦେବତାଙ୍କ ବେଙ୍ଗୁଲୀ ରାଣୀ,
ସାପ କାମୁଡ଼ିଲା ତାଙ୍କ ଘରଣୀ ।
ଇନ୍ଦ୍ର ରଜା ପାଣି ବରଷି ଦେଲେ,
ନଈ ସମୁଦର ଭସାଇ ଦେଲେ ।
ସାପଘରେ ପଶିଗଲା ରେ ପାଣି,
ହୁଳୁହୁଳି ଦେଲା ବେଙ୍ଗୁଲୀ ରାଣୀ ।
ପାଟି ପାକୁ ପାକୁ କରି ବେଙ୍ଗୁଲୀ,
ଫକର ଫକର ଯାଉଛି ବୁଲି ।
No comments:
Post a Comment