Sunday, August 14, 2016

ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୨


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଅତଏବ, ବୋମାର ବିରୋଧ କରିବା ଆପଣାଛାଏଁ ଏକ ପବିତ୍ର କାର୍ଯ୍ୟ ହୋଇଯାଏନା । ରାଷ୍ଟ୍ରର ପ୍ରତିରକ୍ଷା ଏକ ପାପକାର୍ଯ୍ୟ ନୁହେଁ । ରାଷ୍ଟ୍ର ଏକ ଅପରିହାର୍ଯ୍ୟ ଅନୁଷ୍ଠାନ। ଏହାର ପ୍ରତିରକ୍ଷା ମଧ୍ୟ ବାଞ୍ଛନୀୟ । ତେଣୁ ବୋମାକୁ ବିରୋଧ କରିବାର କେବଳ ଦୁଇଟି ତର୍କସଙ୍ଗତ ଉପାୟ ଅଛି । ପ୍ରଥମଟି ଏହା ଯେ, ବୋମାଦ୍ୱାରା ପ୍ରତିରକ୍ଷା ହୋଇପାରିବ ନାହିଁ । ଅନ୍ୟଭାବରେ କହିବାକୁ ଗଲେ ପ୍ରତିରକ୍ଷାର ବିକଳ୍ପ ଉପାୟ ଖୋଜିବାକୁ ହେବ । ଦ୍ୱିତୀୟତଃ, ପରମାଣୁ ବୋମା ଏପରି ଏକ ମାନବ ସମାଜ ବିରୋଧୀ ଅସ୍ତ୍ର ଯେ ଆମେ ପରାଜୟ ସ୍ୱୀକାର କରିବା ହେଲେ ଏହି ଅସ୍ତ୍ରର ନିର୍ମାଣ ବା ବ୍ୟବହାର କରିବା ନାହିଁ । ଦୁଇଟି ମଧ୍ୟରୁ ଯେ କୌଣସି ବକ୍ତବ୍ୟ ପ୍ରକାଶ କରିବା ପାଇଁ ମାନସିକ ସାହସ ଦରକାର । ବୋମାର ସମର୍ଥନ କରିବା ମଧ୍ୟ କୌଣସି ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ନୁହେଁ, କି ଦେଶଭକ୍ତିର ପରିଚାୟକ ନୁହେଁ । ଦେଶଭକ୍ତି ଏକ ତ୍ୟାଗର ଭାବନା ଅଟେ । ବୋମାର ସମର୍ଥନ ଯଦି ତ୍ୟାଗଭାବନାଯୁକ୍ତ ନୁହେଁ ତାହା ହେଲେ ଏହା ଏକ ପ୍ରକାରର ଆତ୍ମପ୍ରବନା । ତ୍ୟାଗବିହୀନ ଦେଶଭକ୍ତିରୁ ଦେଶକୁ କିଛି ମିଳିବାର ନାହିଁ ।

ଭାରତର ଶାସକ ଶ୍ରେଣୀ (ଭାରତ ପରି ଦେଶରେ ଶିକ୍ଷିତ ଶ୍ରେଣୀ ହିଁ ଶାସକ ଶ୍ରେଣୀ) ପ୍ରତିରକ୍ଷା ସଚେତନ ନୁହନ୍ତି । ରାଷ୍ଟ୍ରର ପ୍ରତିରକ୍ଷା ପାଇଁ କେଉଁ ଉପାଦାନ ଦରକାର, ସେଥିରେ କୂଟନୀତି ଓ ଅର୍ଥନୀତିର ଭୂମିକା କଅଣ, ଏ ସମ୍ପର୍କରେ ଉଚ୍ଚ ଶିକ୍ଷିତ ଓ ବିଶେଷଜ୍ଞମାନେ ମଧ୍ୟ ଅନୁଧ୍ୟାନ କରୁନାହାନ୍ତି । ତେଣୁ ଶିକ୍ଷିତରୁ ଆରମ୍ଭ କରି ନିରକ୍ଷର ଗ୍ରାମବାସୀ ପର୍ଯ୍ୟନ୍ତ ପ୍ରତିରକ୍ଷା କହିଲେ ସୈନ୍ୟବାହିନୀ ଓ ହତିଆରକୁ ବୁଝନ୍ତି । ଜଣେ ଶାସକ ଭାବରେ ପ୍ରଧାନମନ୍ତ୍ରୀ ନେହେରୁଙ୍କର ମଧ୍ୟ ଏହିପରି ଧାରଣା ଥିଲା । ୧୯୬୨ ମସିହାରେ ଚୀନ୍ ଦ୍ୱାରା ଯେତେବେଳେ ଆକ୍ରମଣ ଆରମ୍ଭ ହେଲା, ନେହେରୁ କୌଣସି ଏକ ଗସ୍ତରେ ବାହାରିଥିଲେ । ସାମ୍ବାଦିକମାନେ ଆକ୍ରମଣ ବିଷୟରେ ପଚାରିବାରୁ ସେ ଉତ୍ତର ଦେଲେ, ଆମ ସେନାବାହିନୀକୁ କହିଦିଆ ହୋଇଛି ଯେ ସେମାନେ ଆକ୍ରମଣକାରୀଙ୍କୁ ବାହାର କରିଦେବେ । ଏହାର କେତୋଟି ଦିନ ମଧ୍ୟରେ ଭାରତର ଅପମାନଜନକ ପରାଜୟ ହେଲା । ଦୁନିଆର ଚକ୍ଷୁରେ ଭାରତର ପ୍ରତିଷ୍ଠା କମିଗଲା । ୧୯୪୭ ମସିହା ପୂର୍ବରୁ ଗାନ୍ଧିଜୀ ସ୍ୱାଧୀନ ଭାରତର ବିଦେଶନୀତି ସମ୍ପର୍କରେ ପରାମର୍ଶ ଦେଇଥିଲେ ଯେ ସର୍ବପ୍ରଥମେ ପଡ଼ୋଶୀ ଦେଶମାନଙ୍କ ସହିତ ସହଯୋଗର ଦୃଢ଼ ସମ୍ପର୍କ ବିକଶିତ କରିବାକୁ ହେବ । ସେତେବେଳେ ଚୀନ୍ ଆମର ପଡ଼ୋଶୀ ଦେଶ ନଥିଲା । ୧୯୬୨ ମସିହାର ଆକ୍ରମଣ ବେଳେ ଗୋଟିଏ ମଧ୍ୟ ପଡ଼ୋଶୀ ଦେଶ ଚୀନ୍ କୁ ଆକ୍ରମଣକାରୀ କହିବା ପାଇଁ ପ୍ରସ୍ତୁତ ନଥିଲେ । ଏହା ଥିଲା ଆମର ବିଦେଶନୀତି ବା କୂଟନୀତିର ଚରମ ବିଫଳତା ।

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବଜାର ଦାମ୍ ବହୁତ ବେଶୀ ଓ କିଣିବା ବେଳେ ମୋଟା କମିଶନ ମିଳିଥାଏ । ତେଣୁ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସମୟରୁ ହତିଆର କିଣିବା ଆମର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରିୟକାର୍ଯ୍ୟ ହୋଇପଡ଼ିଛି । ନୂଆ ହତିଆର କିଣାଯାଇ ଖବରକାଗଜ ଦ୍ୱାରା ସେଗୁଡ଼ିକୁ ପ୍ରଚାରିତ କରାଯାଏ । ଲୋକେ ତାକୁ ଦେଖି ଭାବନ୍ତି ଯେ ଆମର ପ୍ରତିରକ୍ଷା ମଜବୁତ୍ ହେଉଛି । ଏହି ମନୋବିଜ୍ଞାନ ଆମର ମସ୍ତିଷ୍କରେ ଥିଲା । ତେଣୁ ପରମାଣୁ ବୋମା ଫୁଟିବା ମାତ୍ରେ ଆମକୁ ଲାଗିଲା ଯେ ବ୍ରହ୍ମାସ୍ତ୍ର ମିଳିଗଲା । ଭାରତ ପ୍ରତିରକ୍ଷାର ଅସଲ ସମସ୍ୟାଗୁଡ଼ିକ କଅଣ ? ସେହି ସମସ୍ୟାଗୁଡ଼ିକ ପାଇଁ ଏହି ବ୍ରହ୍ମାସ୍ତ୍ରର ପ୍ରାସଙ୍ଗିକତା କେତେ ? ଦ୍ୱିତୀୟ ବିଶ୍ୱଯୁଦ୍ଧର ପରେ କେତେବର୍ଷ ମଧ୍ୟରେ ଯେଉଁ ଭୂତପୂର୍ବ ଔପନିବେଶିକ ଦେଶଗୁଡ଼ିକ ସ୍ୱାଧୀନତା ହାସଲ କଲେ, ସେମାନେ ଆଉ ନିଜର କିମ୍ବା ବିଶ୍ୱର ଭବିଷ୍ୟତ ବିଷୟରେ ମୌଳିକ ଚିନ୍ତନ କଲେନାହିଁ । ସମସ୍ତେ ଚାହିଁଲେ ଯେ ଗୋରା ଦେଶମାନେ ଯେଉଁ ଦିଗରେ ଯାଉଛନ୍ତି ଆମେ ମଧ୍ୟ ସେଇ ଆଡ଼କୁ ଯିବା । ଭାରତ ଓ ପାକିସ୍ତା୍ନ୍ ଭାବିଲେ ଯେ ବ୍ରିଟେନ୍ ଓ ଆମେରିକା ଯେଉଁ ଅସ୍ତ୍ରଶସ୍ତ୍ର ରଖୁଛନ୍ତି, ଆମେ ମଧ୍ୟ ସେହି ଅସ୍ତ୍ରଶସ୍ତ୍ର ରଖି ନିଜର ପ୍ରତିରକ୍ଷାକୁ ମଜବୁତ କରିବା । ପ୍ରତିରକ୍ଷାର ବିକଳ୍ପ ଉପାୟ ସେମାନେ ଖୋଜିଲେ ନାହିଁ । ଏହା ମଧ୍ୟ ବୁଝିଲେ ନାହିଁ ଯେ ବ୍ରିଟେନ୍ ଓ ଆମେରିକାର ଶକ୍ତି କେବଳ ସୈନ୍ୟବାହିନୀ କିମ୍ବା ଅସ୍ତ୍ରଶସ୍ତ୍ରକୁ ନେଇ ନୁହେଁ । 

ଆମେରିକାର ପ୍ରତିରକ୍ଷା କହିଲେ ଯାହା ବୁଝାଏ, ଭାରତର ପ୍ରତିରକ୍ଷା ସମସ୍ୟା ତାହାଠାରୁ ଭିନ୍ନ । ଖବରକାଗଜ ପଢ଼ିବା ବେଳେ ବାରମ୍ବାର ଆମର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବ ସୀମା ଅଞ୍ଚଳର ଘଟଣା ପଢ଼ି ଆମର ମନ ବ୍ୟାକୁଳ ହୋଇଉଠେ। ବୁଦ୍ଧି ବଣା ହୋଇଯାଏ। ସୀମା ଆମର ଦୁର୍ବଳ, ଅସ୍ପଷ୍ଟ ଓ ଭଙ୍ଗୁର। ସୀମାନ୍ତର ଅଞ୍ଚଳମାନ ଅଶାନ୍ତ ଓ ଉପଦୃତ । ଆମର ପ୍ରତିରକ୍ଷାର ମୁଖ୍ୟ ପ୍ରଶ୍ନ ହେଉଛି ସୀମାର ଭଙ୍ଗୁରତା ଓ ସୀମାବର୍ତ୍ତୀ ଅଳର ଅସ୍ଥିରତା । ପରମାଣୁ ବୋମା ଏହି ସମସ୍ୟା ସମାଧାନରେ କଅଣ ସାହାଯ୍ୟ କରିବ ?

No comments:

Post a Comment