Tuesday, August 16, 2016

ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୫


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ


ଆଇ.ଏନ୍.ଏସ୍. ବିକ୍ରମାଦିତ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

କୁଟନୀତିର ବ୍ୟାପକ ଆଧାର ନଥିଲେ ସେନା ବା ହତିଆର କୌଣସି କାମରେ ଆସିବ ନାହିଁ । ଅର୍ଥନୀତି ପ୍ରତିରକ୍ଷାର ଅଙ୍ଗ ନୁହେଁ । କିନ୍ତୁ ଏକ ସବଳ ଅର୍ଥନୀତି ହେଉଛି ଉମ କୂଟନୀତିର ଭିିତ୍ତି । ଯେଉଁ ଦେଶ ନିଜର ଅର୍ଥନୀତିକୁ ସବଳ ଓ ଗତିଶୀଳ କରିପାରି ନାହିଁ, ଲୋକଙ୍କୁ ଖାଇବାକୁ ଦେଇପାରୁ ନାହିଁ କି ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେଇପାରୁ ନାହିଁ, ତାହା ସଙ୍ଗେ ସମ୍ପର୍କ ରଖିବାକୁ ଅନ୍ୟ ଦେଶମାନଙ୍କର ଉତ୍ସାହ ହେବନାହିଁ କି ସମ୍ମାନ ଜାତ ହେବନାହିଁ । ବାହ୍ୟ ଦେଶମାନଙ୍କୁ ସେ ଗୋଟିଏ ‘ଶକ୍ତି’ ଭାବରେ ଦେଖାଯିବ ନାହିଁ । ଚୀନ୍ ର ଆର୍ଥିକ ବିକାଶ ବିଷୟରେ ଯେତିକି ଚର୍ଚ୍ଚା ବଢ଼ୁଛି, ଏକ ଶକ୍ତି ବା ସମ୍ଭାବିତ ମହାଶକ୍ତି ଭାବରେ ତାହାର ଛବି ବ୍ୟାପୁଛି ।

ଭାରତର ଶିକ୍ଷିତ ଶ୍ରେଣୀ କୂଟନୀତି କହିଲେ କୁଟିଳ ନୀତି ବୋଲି ବୁଝିଥାନ୍ତି । କୁଟିଳତା ସାଙ୍ଗରେ ଏହାର ବିଶେଷ ସମ୍ପର୍କ ନାହିଁ । ଆପଣା ଦେଶର ଦୀର୍ଘକାଳୀନ ସ୍ୱାର୍ଥକୁ କେନ୍ଦ୍ରରେ ରଖି ବିଶ୍ୱର ବିଭିନ୍ନ ଦେଶ ସାଙ୍ଗରେ ବିବିଧ ସ୍ତରର ସମ୍ପର୍କ ରକ୍ଷା କରି ବୁଦ୍ଧିମାର ସହ ଆନ୍ତର୍ଜାତିକ ଘଟଣାମାନଙ୍କରେ ହସ୍ତକ୍ଷେପ କରିବା ହେଉଛି କୂଟନୀତି ଓ ବିଦେଶ ନୀତିର ସାରକଥା । ବ୍ରିଟେନ୍ ର କୂଟନୀତି ଇଂରେଜୀ ଭାଷା ଓ ସେକ୍ସପିୟର୍  ଙ୍କୁ ମାଧ୍ୟମ କରିଥାଏ । ଯେଉଁଠି ସେକ୍ସପିୟର୍ ଆଦୃତ ହେଉଛନ୍ତି ଓ ଇଂରାଜୀ ଭାଷାର ପ୍ରଚଳନ ଅଛି, ସେଇଠି ବ୍ରିଟେନ ତାହାର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରେ । ଭାରତରେ ଇଂରାଜୀ ଭାଷାକୁ ବ୍ୟାପକ ଓ ଦୃଢ଼ କରିବା ଭାରତରେ ବ୍ରିଟିଶ୍ ନୀତିର ଏକ ଅପରିହାର୍ଯ୍ୟ ଅଙ୍ଗ । ଏହିପରି ଯେଉଁଠି ପେପ୍ସି କୋଲା ଓ ଜିନ୍ପ୍ ର ଆଦର ଅଛି, ସେଇଠି ଆମେରିକା ତାହାର ପ୍ରଭାବ ବିସ୍ତାର କରିପାରିବ ବୋଲି ସ୍ଥିର କରେ । ଯେଉଁଠି ମଙ୍ଗୋଲୀୟ ଚେହେରା ଦେଖାଦିଏ, ସେଇଠି ଚୀନ୍ ତାହାର ଆଧିପତ୍ୟ ଅଞ୍ଚଳ ସୃଷ୍ଟି କରିବ ବୋଲି ବିଚାର କରେ ।

ଭାରତର ଶାସକମାନେ ସାଂସ୍କୃତିକ, ଭୌଗୋଳିକ ଓ ବ୍ୟାପାରିକ ସାମଞ୍ଜସ୍ୟ ଗୁଡ଼ିକରେ କୂଟନୀତିର ବ୍ୟବହାର କରିବାକୁ କେବେ ଚେଷ୍ଟା ମଧ୍ୟ କରିନାହାନ୍ତି । ପାକିସ୍ତାନ୍, ବଙ୍ଗଳାଦେଶ, ନେପାଳ ଆଦି ରାଷ୍ଟ୍ରମାନଙ୍କର ଭାଷା ଓ ଭାରତୀୟ ଭାଷାର ଏତେ ସମାନତା ଥାଇ ସୁଦ୍ଧା, ଆମେ ଏହି ସବୁ ଦେଶ ସାଙ୍ଗରେ ଊର୍ଦ୍ଦୁ, ବଙ୍ଗଳା ଓ ନେପାଳୀ ପ୍ରଭୃତି ଭାଷାକୁ ବ୍ୟବହାର ନକରି ଗୋଟିଏ ୟୁରୋପୀୟ ଭାଷା ମାଧ୍ୟମରେ ଉକ୍ତ ଦେଶମାନଙ୍କ ସଙ୍ଗେ ପତ୍ର ବିନିମୟ କରୁ । ସେମାନଙ୍କ ସହ ଚର୍ଚ୍ଚା ଆଲୋଚନା ମଧ୍ୟ ଇଂରାଜୀ ଭାଷାରେ କରିଥାଉ । ଏସବୁ ଦେଶର ଜନସାଧାରଣ ସଙ୍ଗେ ଭାରତୀୟ ଜନସାଧାରଣଙ୍କର ବନ୍ଧୁତା ବଢ଼ାଇବା ପାଇଁ ଯେଉଁ ସ୍ୱାଭାବିକ ଓ ସାଂସ୍କୃତିକ ବାଟଗୁଡ଼ିକ ଅଛି, ସେଗୁଡ଼ିକୁ ରୁଦ୍ଧ କରି ଆମେ ବିଶ୍ୱରେ ଏକ ଶକ୍ତି ହେବାକୁ ଚେଷ୍ଟା କରୁ ।

ଭାରତର ମୁସଲମାନ୍ ଧର୍ମ ଆନ୍ତର୍ଜାତିକ ସମ୍ପର୍କ ପାଇଁ ଆଉ ଏକ ଆଧାର। ମଧ୍ୟ-ଏସିଆ, ଦକ୍ଷିଣ-ଏସିଆ ଓ ପଶ୍ଚିମ-ଏସିଆର ମୁସଲମାନ୍ ନେତାମାନଙ୍କ ସହ ସାଂସ୍କୃତିକ ବନ୍ଧୁତା ରକ୍ଷା କରିବାର ଏହା ଏକ ମାଧ୍ୟମ । ଅତୀତର ଏକ ସମୟରେ ଏହି ଧର୍ମ ଭାରତ ପାଇଁ ଆକ୍ରମଣକାରୀ ଥିଲା । କିନ୍ତୁ ଅତୀତର କୋଇଲା ଗର୍ତ୍ତ, ଭବିଷ୍ୟତର ହୀରାଖଣି ମଧ୍ୟ ହୋଇପାରେ । ଭାରତର ଶିକ୍ଷିତମାନେ ଏପର୍ଯ୍ୟନ୍ତ ଏକ ସମ୍ୟକ୍ ଧର୍ମନୀତି ଗ୍ରହଣ କରିପାରି ନାହାନ୍ତି । ଏପରିକି ବୌଦ୍ଧଧର୍ମକୁ ମଧ୍ୟ ଆମେ ଏକ ସାଂସ୍କୃତିକ ସମ୍ପର୍କର ବାହକ କରି ଜାଣିନାହୁଁ । ଯୋଗ ଆଉ ତନ୍ତ୍ରର ବ୍ୟବହାର କରିଛୁ । କିନ୍ତୁ ଏସିଆ ବା ଆଫ୍ରିକା ସଙ୍ଗେ ସାଂସ୍କୃତିକ ପରିଚୟ ପାଇଁ ନୁହେଁ । ଗୋରା ଦେଶର ଧନୀମାନଙ୍କର ମନୋରଞ୍ଜନ ଓ ସ୍ୱାସ୍ଥ୍ୟବର୍ଦ୍ଧନ ଉଦ୍ଦେଶ୍ୟରେ । ଧର୍ମର ସୃଜନାତ୍ମକ ଓ ବିସ୍ଫୋଟକ ଦିଗ, ଉଭୟ ତ ଅଛି । କାଶ୍ମୀର୍ ସୀମାର ଏପଟେ ଓ ସେପଟେ ଗୋଟିଏ ଧର୍ମର ଅନୁଗାମୀମାନେ ରହନ୍ତି । ସେହି ଧର୍ମ ପ୍ରତି ବିଦ୍ୱେଷ ଭାବନା ପୋଷଣ କରୁଥିବା କୌଣସି ଭାରତୀୟ ଶାସକ କାଶ୍ମୀର୍ ସମସ୍ୟାର ସ୍ଥାୟୀ ସମାଧାନ କରିପାରିବ ନାହିଁ ।

No comments:

Post a Comment