ପିଲାଙ୍କ ଗୀତ - 'ବଣି ଚଢ଼େଇ'
ପଲ୍ଲି କବି ନନ୍ଦକିଶୋର ବଳ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ବଣି ଚଢ଼େଇ ବଣି ଚଢ଼େଇ,
କେଉଁ ଘରେ ତୋର ଘର ?
ଆସ ଆସ ଆମ ଘରକୁ
କରିବା ଖେଳ ଘର ।
ଖାଇବାକୁ ଦେବି ଦୁଧଭାତ
ପିଇବୁ ନବାତ-ପଣା,
ରହିବୁ ଖାସା ପିଞ୍ଜରାରେ
କିଛି ନ ଯିବ ଜଣା ।
ପୋକ ଜୋକ ଖୁଣ୍ଟି ଖାଉ
ବୁଲି ବିଲବାଡ଼ି,
ରହରେ ଆସି ମଉଜରେ
ଆମ ପାରାଭାଡ଼ି ।
ସଞ୍ଜ ସକାଳେ ସାଙ୍ଗ ହୋଇ
ବୁଲିବାକୁ ଯିବା,
ଏକା ସଙ୍ଗେ ଖେଳି ବୁଲି
ସାଥୀ ହୋଇ ଥିବା ।
ଉଡ଼ିଗଲା ବଣି ଚଢ଼େଇ
କହି "ନାହିଁ ନାହିଁ,
ଲୋଡ଼ା ନାହିଁ ଘର ଦୁଆର
ବଣ ଭଲ ଭାଇ ।"
No comments:
Post a Comment