Tuesday, August 23, 2016

ବଉଦ ଯାତ୍ରା


( ଏହି ଆଲେଖ୍ୟଟି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ 'ନିରବଧି ନିରବ'ରୁ ସଙ୍ଗୃହିତ ।  ଏହା ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ର ୨୦୧୬ ମସିହାର ଅଗଷ୍ଟ ମାସର ଦ୍ୱିତୀୟ ସଂଖ୍ୟାରେ ଛପାଯାଇଥିଲା)


ବଉଦ ରାଜ୍ୟର ମାନଚିତ୍ର
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 



ଉଣେଇଶିଶହ ତେତିଶି ମସିହାର ଅକ୍ଟୋବର ମାସରେ ଅସ୍ଥାୟୀ ଦ୍ୱିତୀୟ ଶିକ୍ଷକ ଭାବରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ ଆଠମଲ୍ଲିକ ଗଡ଼ଜାତ ରାଜ୍ୟର ଭିକ୍ଟୋରିଆ ମାଇନର ଇସ୍କୁଲୁରେ । ବିଶ୍ୱସାରା ନିର୍ଘାତ ତିରୋଟ ଅବସ୍ଥା । ଚାକିରିବାକିରିର ଘୋର ଅଭାବ । ବିଦ୍ୟାଳୟଟିରେ ପ୍ରଧାନ ଶିକ୍ଷକ ଥାଆନ୍ତି ତ୍ରିପାଠୀ ଆଜ୍ଞାଙ୍କର ପ୍ରାକ୍ତନ ଶିକ୍ଷକ ହର୍ଯ୍ୟଷ ଦାସ । କିଛି ମାସ କାମ କଲା ଭିତରେ ଛୁଟିରେ ଯାଇଥିବା ସ୍ଥାୟୀ ଶିକ୍ଷକ କାମରେ ଆସି ଯୋଗ ଦେଲେ । ହର୍ଯ୍ୟଷ ବାବୁ ନିଜର ପ୍ରିୟ ଛାତ୍ରଟିକୁ ଆଠମଲ୍ଲିକ ରାଇଜର ହଣ୍ଡପା ବିଦ୍ୟାଳୟରେ ହିଁ ଥଇଥାନ କରିବା ପାଇଁ ଚେଷ୍ଟା ଚଲାଇଥାଆନ୍ତି । ଏହା ଭିତରେ କୁଷ୍ଟଁ ବାବୁ ବଉଦ ଗଡ଼ଜାତର ଉଚ୍ଚ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ପଦଟି ପାଇଁ ଆବେଦନ ମଧ୍ୟ କରିଥାଆନ୍ତି । ସେଠୁ ନିଯୁକ୍ତି ପତ୍ରଟିଏ ପାଇଁ ତ୍ରିପାଠୀଏ ବଉଦ ଯିବା ପାଇଁ ମନସ୍ତ କଲେ ରାଜପାଇଟି କରିବା ପାଇଁ ।

ଏହି ଶୁଣି ହର୍ଯ୍ୟଷ ବାବୁ ଖୁସି ହେଲେ । ମାତ୍ର ତାଙ୍କୁ ଚିନ୍ତା ଘାରିଲା ତାଙ୍କର ପ୍ରିୟ ଶିଷ୍ୟଟି ବଉଦ ଯିବେ କିପରି । ପ୍ରଥମେ ଆଠମଲ୍ଲିକ ଠାରୁ ମାଧପୁର ରାସ୍ତାରେ କିଆକଟା । ଆଠମଲ୍ଲିକ ଓ ବଉଦର ଦୋସିମାଳିରେ ମହାନଦୀ କୁଳରେ କିଆକଟା ଆଠମଲ୍ଲିକର ଗୋଟାଏ ଚଉକି । ମହାନଦୀ ପାର ହେଲେ ବଉଦ । ରାସ୍ତା ଜଙ୍ଗଲିଆ । ଜନ୍ତୁଜୁନ୍ତାରେ ଭରତି । ସେ ତେଣୁକରି ଆଦେଶ ଦେଲେ ଛାତ୍ରଙ୍କୁ ରାଜାଙ୍କୁ କହି ହାତୀର ବନ୍ଦୋବସ୍ତ କରିବା ପାଇଁ । ଆଠମଲ୍ଲିକର ସେବେକାର ରଜା କିଶୋରଚନ୍ଦ୍ର ଦେଓ ଉତ୍ତମ ବକ୍ତା, ସୁସାହିତ୍ୟିକ ଓ କ୍ୟାରମ୍ ପ୍ରେମୀ; ଦିଲଦାର୍ ମଧ୍ୟ । କ୍ୟାରମ୍ ଖେଳରେ ରଜା ଜିତିଥିବା ବେଳେ (ବନ୍ଧୁମାନଙ୍କର ପରାମର୍ଶ ଅନୁସାରେ) ତାଙ୍କୁ କବି ବଢ଼ାଇଦେଲେ ଦରଖାସ୍ତ ଖଣ୍ଡିଏ ବଉଦ ଗସ୍ତ ପାଇଁ ହାତୀଟିଏର ବନ୍ଦୋବସ୍ତ ନିମନ୍ତେ । ରାଜା ହସି ହସି ଲେଖିଦେଲେ ଯେ, ‘ପ୍ଲିଜ୍ ଆରେଞ୍ଚ୍ ଆନ୍ ଏଲିଫ୍ୟାଣ୍ଟ୍ ଫ ଦିସ୍ ଏପ୍ଲିକେଣ୍ଟ୍ ପଜିଟିୱଲି ଟୁମରୋ’ ।

ରାଜଆଦେଶ ଅନୁସାରେ ହସ୍ତୀ ଆବେଦକଙ୍କ ଦୁଆରେ ଆସି ତାହା ପର ଦିନ ଦଣ୍ଡାୟମାନ ହେଲା । ଉଣେଇଶିଶହ ଚଉତିରିଶି ମସିହାର ଜାନୁଆରୀ ମାସର ପ୍ରଥମ ସପ୍ତାହରେ ହାତୀ ଉପରେ ଉପବେଶନ କରି, ଆଠମଲ୍ଲିକ ରାଜା ଓ ରାଇଜ, ଗୁରୁ ହର୍ଯ୍ୟଷ ବାବୁ ତଥା ଭିକ୍ଟୋରିଆ ଇସ୍କୁଲୁର ମାୟା ଛାଡ଼ି ବାବୁ ତ୍ରିପାଠୀଏ ଚାଲିଲେ ବଉଦ ଅଭିମୁଖେ । ସେତେବେଳେ ବଉଦ ରାଜା ଆଦେଶ କରିଥାଆନ୍ତି ଯେ ସବୁ ତିରିଶି ଟଙ୍କା ବା ତତୁର୍ଦ୍ଧ ମାସିକିଆ ଦରମା ପାଉଥିବା ରାଜ କର୍ମଚାରୀ ସମ୍ପୂର୍ଣ୍ଣ ସାହେବୀ ଆଦବ କାଇଦାରେ ପୂରା ପ୍ୟାଣ୍ଟ୍, କୋଟ୍, ଟାଇ ଇତ୍ୟାଦି ନ ପିନ୍ଧି କର୍ମକ୍ଷେତ୍ରକୁ ଓହ୍ଲାଇପାରିବେ ନାହିଁ । ବିଶେଷ ବରାଦରେ ତିଆରି ହୋଇଥିବା (ଗୁରୁ ଦାସେଙ୍କ ଦରଜୀ ତିଆରି କରିଥିବା ) କୋଟ୍ ଓ ପ୍ୟାଣ୍ଟ୍ ଓ ଗୁରୁଙ୍କର ନିଜର ଅଙ୍ଗଲାଗି ଟାଇ ପିନ୍ଧି, ସାଇବ ବନି, ହାତୀ ଚଢି, ସକାଳୁ ସକାଳୁ ଯାତ୍ରା ଆରମ୍ଭ ହେଲା ।

ଆଠମଲ୍ଲିକଠାରୁ କିଆକଟା ପର୍ଯ୍ୟନ୍ତ ସେତେବେଳେ କଚ୍ଚା ସଡ଼କଟିଏ ଲହରେଇହେଇ ବହିଯାଇଥାଏ ଜଙ୍ଗଲ ଓ କ୍ଷେତ୍ର ମଧ୍ୟ ଦେଇ । ଲୋକମାନେ ହାତୀଚଢ଼ା, ସାଇବ-ପୋଷାକ ପିନ୍ଧା ଲୋକଜଣଙ୍କୁ ଦେଖି ନମସ୍କାର ମଧ୍ୟ କରୁଥାଆନ୍ତି । ଅନେକ ଯେଗାରେ ରାସ୍ତା କଡ଼ରେ ଆଖୁ ଖେତ । ଆଖୁ ଅମଳର ବେଳ । କାଫି ଖଣ୍ଡେ ବାଟ ଗଲା ପରେ, ମାହୁନ୍ତ ହାତୀକୁ ଘଡ଼ିଏ ଛିଡ଼ା କରି ତାଜା ଆଖୁ ଦୋରୁଅ ଢାଳେ ଆଣି ପିଇବାକୁ ଦେଲା । ସକାଳୁ କଅଣ ଖାଇଥିଲେ ନ ଥିଲେ, ଦୋରୁଅ ଢାଳକ ପିଇ ତ୍ରିପାଠୀ ବାବୁଙ୍କ ପିଣ୍ଡରେ ହଁସା ପଶିଲା ।

ଆଉ କିଛି ବାଟ ଗଲା ପରେ ଦୂରରୁ ଦିଶିଲା କିଆକଟା ଥାନାର ସଫେଦ୍ ରଙ୍ଗର ଇମାରତ୍ ଖଣ୍ଡିକ । ସେତେବେଳକୁ ସନ୍ଧ୍ୟା ହେଲାଣି । ସୂର୍ଯ୍ୟ ଦିଗବଳୟ ତଳେ ଡ଼େଇଁ ପଡ଼ି ଆତ୍ମହତ୍ୟା କରିବାକୁ ଉଦ୍ୟତ । ଡେବିରି ହାତ ପଟେ ବୁଡ଼ିଯାଉଥିବା ସୁରୁଜର ଆଲୁଅରେ ରୂପା ଭଳି ଚକଚକ କରୁଥିବା ମହାନଦୀର ବାଲୁକାଶଯ୍ୟା । ତାହାଠାରୁ ଟିକିଏ ଦୂରରେ ଅସ୍ତାଚଳଗାମୀ ଦିବାକରର ଆଲୋକରେ ଦାହମାନ ମହାନଦୀର ଘନନୀଳ ଜଳରାଶି । କିଛି ସମୟ ଏହି ଦୃଶ୍ୟ ଦେଖିସାରିଲା ପରେ ମାହୁନ୍ତ ନଦୀରେ ହାତୀ ପଶାଇଦେଇ, ପ୍ରବାହ ସେପଟେ ବଉଦ ରାଇଜରେ ନେଇ କବିଙ୍କୁ ପହଞ୍ଚାଇ ଦେଲା ।

ନଈଠାରୁ ଡାକେ ବାଟରେ ଗୋଟିଏ ଡାକବଙ୍ଗଳା । ସେଠି ସେତେବେଳେ ରହୁଥାଆନ୍ତି ରାଜାଙ୍କର ଯନ୍ତ୍ରୀ ବାସୁଦେବ ମହାନ୍ତି । ଗୁରୁ ହର୍ଯ୍ୟଷ ବାବୁ ତାଙ୍କୁ ଚିଠି ଲେଖି ଯଥାଯୋଗ୍ୟ ବ୍ୟବସ୍ଥା କରିବା ପାଇଁ ଅନୁରେଧ କରିତାଆନ୍ତି । ସେଠି ପହଞ୍ଚିଲା ବେଳକୁ ରାତି ପହରେ । ଯନ୍ତ୍ରୀ ଅବସର ବିନୋଦନ କରିବା ପାଇଁ କ୍ଲବ୍ କୁ ଖେଳିବାପାଇଁ ଯାଇଥାଆନ୍ତି । ଡାକବଙ୍ଗଳାରେ ଥାଆନ୍ତି ଜଣେ ମୃଦୁଭାଷୀ ବଙ୍ଗାଳୀ ଭଦ୍ରବ୍ୟକ୍ତି । ମହାନ୍ତି ବାବୁ ନଥିବାର ଜଣାଇ ତାଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ ଜଣାଇଲେ । ବ୍ରାହ୍ମଣ ଲୋକ ହୋଇଥିବାରୁ ଅଣ୍ଡା ଚଳେ କି ନାହିଁ ପଚାରିଲେ । ତ୍ରିପାଠୀଏ ହଁ ମାରିବାରୁ ଦୁହେଁ ଖାଇ ବସିଲେ ଭାତ ଓ ଅଣ୍ଡା ତରକାରୀ ।


ତାହା ପରେ ଗୋଟିଏ ମିଲିବୁଣା ଚାଦର ଘୋଡ଼େଇ ହୋଇ କବି ଶୋଇବାକୁ ଗଲେ । ହେଲେ ବଉଦ ଭଳି ଗଡ଼ଜାତରେ ମାଘମାସର ବାଘ ଭଳି ଥଣ୍ଡା ମିଲିଚାଦରରେ କେଉଁଠି ସମ୍ଭଳା ପଡ଼ିବ । ତ୍ରିପାଠୀ ବାବୁ ଚେଇଁ ଶୋଇଥାଆନ୍ତି, ବଙ୍ଗାଳୀବାବୁ ଜଣକ ଗରମ କମ୍ବଳ ଖଣ୍ଡିଏ ଆଣି ଘୋଡ଼େଇଦେଲେ । ତେବେ ଯାଇଁ ଥଣ୍ଡା ଟିକିଏ ସମ୍ଭଳାପଡ଼ିଲା । ଶୋଉଶୋଉ କୁଷ୍ଟଁବାବୁ ଶୁଣିଲେ ବଙ୍ଗାଳୀ ଭଦ୍ରଲୋକ ଓ ବାସୁବାବୁଙ୍କ ଭିତରେ ସାହିତ୍ୟ ଆଲୋଚନା । ତ୍ରିପାଠୀଏ ‘ସହକାର’ ଇତ୍ୟାଦି ପତ୍ରିକାରେ ଲେଖାଲେଖି କରୁଥିବା କଥାପଡ଼ିଲା । ମହାନ୍ତିଙ୍କ ପ୍ରିୟ କବି ମାୟାଧର ମାନସିଂହ ଓ ତାଙ୍କର କାବ୍ୟକୃତି ବିଷୟରେ ଆଲୋଚନା ହେଉଥାଏ । ଏମିତି କବିତାର ଆଲୋଡ଼ନରେ ଦୋହଲି ଦୋହଲି କବି କେତେବେଳେ ଶୋଇପଡ଼ିଛନ୍ତି ଜଣାନାହିଁ । ଉଠୁଉଠୁ ସକାଳ ସାତ । 

No comments:

Post a Comment