କାଶ୍ମୀରର ବର୍ତ୍ତମାନର ଇତିହାସ
![]() |
ଜାମ୍ମୁ ଓ କାଶ୍ମୀରର ପ୍ରଥମ ରାଜା, ଗୁଲାବ୍ ସିଂହ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
“ଭେଟିବା ପୁନଶ୍ଚ ଆମ୍ଭେ ନଗ୍ର ଶ୍ରୀନଗରେ,
ସୁକ୍ଷେମର
ପ୍ରାସାଦର ଦରଜା ପାଖରେ ।
ପୁଷ୍ପିତ
ହୋଇବ ହସ୍ତ ମୁଷ୍ଟିବଦ୍ଧ ହୋଇ;
ଯେପର୍ଯ୍ୟନ୍ତ
ସଇନିକେ କୁଞ୍ଚିକା ଫେରାଇ,
ଦୃଷ୍ଟିପଥ
ଉହାଡ଼ୁ ନ ଯାଆନ୍ତି ଉଭେଇ ।
ପ୍ରବେଶିବା
ଶେଷ ବିଶ୍ୱେ ପୁନଶ୍ଚ ଆମ୍ଭର,
ହୋଇଥିଲା
ଯାହା ଅଦୃଶ୍ୟ ପ୍ରଥମ ଥର
ଅନୁପସ୍ଥିତିରେ
ଖଣ୍ଡିତ ନଗରୁ ଆମ୍ଭର ।”
-
କାଶ୍ମିରୀ-ଆମେରିକୀୟ
କବି,
ଆଗା
ଶାହିଦ୍ ଅଲି ।
ଏହି
ଆଠ ଜୁଲାଇ ୨୦୧୬ରେ ସୁରକ୍ଷାକର୍ମୀମାନଙ୍କର
ଗୁଳିମାଡ଼ରେ (ଅନେକେ
ଏହାକୁ ମିଛ ଏନ୍କାଉଣ୍ଟର୍ ବୋଲି
ମଧ୍ୟ କହୁଛନ୍ତି)
ହିଜବୁଲ
ମୁଜାହିଦ୍ଦିନିର ଏକୋଇଶି ବର୍ଷୀୟ
ଅଧିନାୟକ ବୁରହାନ୍ ୱାନି ମୃତ୍ୟୁବରଣ
କଲେ । ତାଙ୍କୁ କବର ଦେଲାବେଳେ
ଦେଢ଼ଲକ୍ଷରୁ ଉର୍ଦ୍ଧ ସଂଖ୍ୟାରେ
ଲୋକେ ଶବ ଶୋଭାଯାତ୍ରାରେ ଯୋଗଦେଲେ
। ଏହା ପରେ କାଶ୍ମୀର ଉପତ୍ୟକାରେ
ଏକ ଗଣଆନ୍ଦୋଳନ ମୁଣ୍ଡ ଟେକିଛି
ଯାହା ଥମିବାର କୌଣସି ଲକ୍ଷଣ ଏହି
ଲେଖାଟି ଲେଖିଲା ବେଳକୁ (ପ୍ରଥମ
ଅଗଷ୍ଟ)
ଦେଖାଯାଉନାହିଁ
। ଏହି ଆନ୍ଦୋଳନରେ ସ୍ୱତଃପ୍ରବୃତ୍ତ
ଭାବରେ ଆବାଳବୃଦ୍ଧବନିତା,
ଲକ୍ଷଲକ୍ଷ
ଲୋକେ ଯୋଗ ଦେଇଛନ୍ତି । ଏମାନଙ୍କ
ମଧ୍ୟରୁ ଅଧିକାଂଶ ତିରିଶି ବରଷରୁ
କମ ବୟସର ପିଲା । ପରିସ୍ଥିତିକୁ
ଗୁରୁତ୍ତ୍ୱର ନଦେଇ କେନ୍ଦ୍ର
ସରକାର ଓ ଜାମ୍ମୁ ଓ କାଶ୍ମୀରର
ପିଡ଼ିପି-ଭାଜପାର
ମେଣ୍ଟ ସରକାର ଚିରାଚରିତ ପଦ୍ଧତିରେ
ଲୋକବିରୋଧି ପଦକ୍ଷେପମାନ ନେଇ,
ଏହି
ମୂଳତଃ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ
ବଳପ୍ରୟୋଗ କରି,
ଚପାଇଦେବା
ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି
।
କାଶ୍ମୀରରେ
ଉଭୟ ବର୍ତ୍ତମାନର ଓ ଗତ କେଇ ଦଶନ୍ଧିର
ସମସ୍ୟା ଏକ ରାଜନୈତିକ ସମସ୍ୟା:
ଉଗ୍ରବାଦ
ସେହି ଅସମାହିତ ରାଜନୈତିକ ସମସ୍ୟାର
ଏକ ଲକ୍ଷଣ ମାତ୍ର । ଗୋଟିଏ ପ୍ରଶାସନିକ
ଏକକ ଭାବରେ ବର୍ତ୍ତମାନର ଜାମ୍ମୁ
ଓ କାଶ୍ମୀରର ଇତିହାସ ଏତେ ପୁରୁଣା
ନୁହେଁ । ଉନବିଂଶ ଶତାବ୍ଦୀରେ
ଉତ୍ତର ଭାରତରେ ପ୍ରଭୁତ୍ତ୍ୱ
ବିସ୍ତାର ପାଇଁ ନାନା ଦେଶୀ ଓ
ବିଦେଶୀ ଶକ୍ତିମାନେ ସଙ୍ଘର୍ଷରତ
ଥିଲେ । ସବୁଠାରୁ କଡ଼ା ଲଢ଼େଇ
ବୋଧେହୁଏ ଇଷ୍ଟ୍ ଇଣ୍ଡିଆ କମ୍ପାନୀ
ଓ ଶିଖ୍ ସାମ୍ରାଜ୍ୟ ମଧ୍ୟରେ ଥିଲା
। ୧୮୪୬ ମସିହାରେ ଶିଖ୍ ମାନେ
ଇଂରେଜ୍ ମାନଙ୍କ ପାଖରୁ ହାରିଗଲା
ପରେ,
ତାଙ୍କର
ସାମ୍ରାଜ୍ୟରୁ ଅନେକ ଅଂଶର ନିୟନ୍ତ୍ରଣ
ହରାଇଲେ । ତନ୍ମଧ୍ୟରୁ ଜାମ୍ମୁ,
କାଶ୍ମୀର,
ଗିଲଗିଟ୍-ବାଲଟିସ୍ଥାନ୍
ଓ ଲଦ୍ଦାଖ୍ ଅଞ୍ଚଳ ଅନ୍ୟତମ ଥିଲା
। ଏହି ଚାରୋଟି ଅଞ୍ଚଳକୁ ଡୋଗ୍ରା
ବଂଶର ଜଣେ ରାଜପୁତ ଗୁଲାବ ସିଂହ
ପଞ୍ଚସ୍ତରୀ ଲକ୍ଷ ନାନକଶାହୀ
ଟଙ୍କା ଇଂରେଜମାନଙ୍କୁ ଦେଇ କିଣିଲେ
ଓ ଏକ ରାଜ୍ୟ ସ୍ଥାପିତ କଲେ ।
ଏହି
ରାଜ୍ୟ ଭାରତର ଅନ୍ୟ କରଦ ରାଜ୍ୟମାନଙ୍କ
ପରି ନାମକୁ ମାତ୍ର ସ୍ୱାଧୀନ ଥିଲା
। ମାତ୍ର ଏହା ବ୍ରିଟିଶ୍ ସାମ୍ରାଜ୍ୟର
କରଦ ରାଜ୍ୟମାନଙ୍କ ମଧ୍ୟରୁ ଆୟତନରେ
ସର୍ବବୃହତ୍ ତଥା ଜନସଂଖ୍ୟାରେ
ଦ୍ୱିତୀୟ ବୃହତ୍ତମ ଥିଲା । ମାତ୍ର
ଏହି ରାଜ୍ୟର ଚାରୋଟିଯାକ ଅଞ୍ଚଳ
ନିଜ ନିଜର ଇତିହାସ ତଥା ସମାଜ
ବ୍ୟବସ୍ଥା ଦୃଷ୍ଟିରୁ ଭିନ୍ନ
ଭିନ୍ନ । ଜାମ୍ମୁରେ ହିନ୍ଦୁମାନେ
ସଂଖ୍ୟାଗରିଷ୍ଠ ହୋଇଥିଲା ବେଳେ,
କଶ୍ମୀରରେ
ମୁସଲମାନ ମାନେ ସଂଖ୍ୟାଗରିଷ୍ଠ
। ଲଦାଖରେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କର
ଗୁରୁତ୍ତ୍ୱ ବେଶୀ । ମାତ୍ର ପ୍ରତ୍ୟେକ
ଅଞ୍ଚଳରେ ଅନ୍ୟ ଧର୍ମାବଲମ୍ବୀମାନେ
ସଂଖ୍ୟାଲଘୁ ହେଲେ ମଧ୍ୟ ବହୁଳ
ଭାବରେ ବସବାସ କରୁଥିଲେ । ଅର୍ଥାତ୍
ଅନେକ ଦୃଷ୍ଟିରୁ ଏହି ରାଜ୍ୟଟି
ଗୋଟିଏ ମିନି ଭାରତ ଥିଲା । ଏଠାରେ
ଏହା ମଧ୍ୟ କହି ରଖିବା ଉଚିତ ହେବ
ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
ଶ୍ରୀ ଜବାହରଲାଲ ନେହରୁଙ୍କର
ପରିବାର ମୂଳତଃ କାଶ୍ମୀରର ବାସିନ୍ଦା
ଥିଲେ । ତାଙ୍କର ପୂର୍ବପୁରୁଷମାନେ
ଜୀବିକା ନିର୍ବାହ ପାଇଁ ବର୍ତ୍ତମାନର
ଉତ୍ତର ପ୍ରଦେଶକୁ ସ୍ଥାନାନ୍ତରିତ
ହୋଇଥିଲେ ।
ବ୍ରିଟିଶ୍
ଭାରତୀୟ ସାମ୍ରାଜ୍ୟ ଯେ ସ୍ୱାଧୀନ
ହେବ,
ଏହା
ଘୋଷଣା ହେବା ପରେ,
ଅନେକ
ରାଜାମାନଙ୍କ ପରି ଜାମ୍ମୁ ଓ
କାଶ୍ମୀରର ତତ୍କାଳିନ ରାଜା ହରି
ସିଂହ,
ସ୍ୱାଧୀନତାର
ସ୍ୱପ୍ନ ଦେଖିବାକୁ ଆରମ୍ଭ କଲେ
। ଏହା ପୂର୍ବରୁ ରାଜ୍ୟରେ ଗଣତନ୍ତ୍ରର
ପ୍ରତିଷ୍ଠା ନିମନ୍ତେ ଶେଖ୍
ମୁହମ୍ମଦ୍ ଅବ୍ଦୁଲ୍ଲାଙ୍କର
ନେତୃତ୍ତ୍ୱରେ ଏକ ଆନ୍ଦୋଳନ ମଧ୍ୟ
ମୁଣ୍ଡ ଟେକି ସାରିଥିଲା । ଶେଖ୍
ଅବ୍ଦୁଲ୍ଲା ମୂଳତଃ ଏକ ଗଣତାନ୍ତ୍ରିକ,
ସ୍ୱାଧୀନ
କାଶ୍ମୀରର ସ୍ୱପ୍ନ ଦେଖୁଥିଲେ
। ହେଲେ ପାକିସ୍ଥାନ ସ୍ଥାପିତ
ହେବ ବୋଲି ସମ୍ଭାବନା ବଢ଼ି ଚାଲିଛି
ଜଣା ପଡ଼ିବା ପରେ,
ଯଦି
କାଶ୍ମୀର ସ୍ୱାଧୀନ ହୋଇନପାରିଲା,
ତାହାହେଲେ,
ସେ
ପାକିସ୍ଥାନ ନୁହେଁ,
ବରଂ
ଭାରତରେ ରାଜ୍ୟର ସମ୍ମିଶ୍ରଣ
ସପକ୍ଷରେ ଥିଲେ ।
ଭାରତ
ଓ ପାକିସ୍ଥାନ ସ୍ୱାଧୀନ ହେବା
ପରେ,
ଜାମ୍ମୁ
ଓ କାଶ୍ମୀର୍ ରାଜ୍ୟ,
ପାକିସ୍ଥାନ୍
ରୁ ପାକିସ୍ଥାନୀ ସେନା ଦ୍ୱାରା
ସମର୍ଥିତ ଏକ ଆଦିବାସୀ ଦଳ ଦ୍ୱାରା
ଆକ୍ରମଣର ଶୀକାର ହୋଇଥିଲା । ଏହି
ଆକ୍ରମଣକୁ ନିଜେ ସମ୍ଭାଳି ନ ପାରି,
ଅକ୍ଟୋବର
୨୬,
୧୯୪୭
ମସିହାରେ କାଶ୍ମୀରର ମହାରାଜା
ହରି ସିଂହ ଭାରତ ସହିତ ମିଶି ଯିବା
ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର
କଲେ । ଭାରତ ସହ ମିଶ୍ରଣ ପରେ
ଭାରତୀୟ ସେନା ଏହି ଆଦିବାସୀ ଦଳ
ଓ ପାକିସ୍ତାନୀ ସେନା ସହିତ ୧୯୪୮
ମସିହାର ଶେଷ ପର୍ଯ୍ୟନ୍ତ ଏକ ଯୁଦ୍ଧ
ଲଢ଼ିଲେ । ୧୯୪୮ ମସିହାରେ ଭାରତ
ମିଳିତ ଜାତିସଂଙ୍ଘକୁ ଏହି ସମସ୍ୟା
ନେଇ ଫେରାଦ ହେବାକୁ ଗଲା । ଅଗଷ୍ଟ
୧୯୪୮ ମସିହାରେ ମିଳିତ ଜାତିସଂଙ୍ଘରେ
ପାରିତ ଏକ ପ୍ରସ୍ତାବ ଅନୁସାରେ
ଜାମ୍ମୁ ଓ କାଶ୍ମୀରର ରାଜନୈତିକ
ସ୍ଥିତିକୁ ନେଇ ସେଠାରେ ଏକ ଗଣଭୋଟ
ଅନୁଷ୍ଠିତ ହେବାକୁ ଥିଲା । ମାତ୍ର
ଏହି ଗଣଭୋଟର ପ୍ରଥମ ସର୍ତ୍ତ ଥିଲା
ଯେ ପ୍ରଥମେ ପାକିସ୍ଥାନ କାଶ୍ମୀରରୁ
ସେନା ଓହରାଇବ । ତାହା ପରେ ଯାଇଁ
ଭାରତ ସେଠାରୁ ସେନା ହଟାଇବ । ତାହା
ପରେ ମିଳିତ ଜାତିସଙ୍ଘର ତତ୍ତ୍ୱାବଧାନରେ
ଗଣଭୋଟ ଅନୁଷ୍ଠିତ ହେବ । ପ୍ରଥମ
ଭାରତ-ପାକିସ୍ଥାନ
ଯୁଦ୍ଧ,
ଯାହା
କାଶ୍ମୀର ଯୋଗୁଁ ହିଁ ଘଟିଥିଲା,
ଜାନୁଆରୀ
୧୯୪୯ ମସିହାରେ ମିଳିତ ଜାତିସଙ୍ଘର
ହସ୍ତକ୍ଷେପ ଯୋଗୁଁ ବନ୍ଦ ହେଲା
। ଯୁଦ୍ଧବିରତି ସମୟରେ ଉଭୟ ଦେଶର
ସେନାମାନଙ୍କର ଅବସ୍ଥିତିକୁ ନେଇ
ଯେଉଁ ଗାର କଟାଗଲା (ଓ
କାଶ୍ମୀରର ବିଭାଜନ ହେଲା)
ତାହାକୁ
ଆମେ ବର୍ତ୍ତମାନ ଏଲ୍.ଓ.ସି.
ବା
ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଭାବରେ
ଜାଣୁ । ୧୯୪୮ ମସିହା ପରେ ଭାରତ
ଓ ପାକିସ୍ଥାନ କାଶ୍ମୀରକୁ ନେଇ
ଆହୁରି ଅନେକ ଥର ଲଢ଼ି ସାରିଛନ୍ତି
। ଏଥିମଧ୍ୟରୁ ୧୯୬୫ ର ଯୁଦ୍ଧ ତଥା
୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧ
ଅନ୍ୟତମ । ବର୍ତ୍ତମାନ ଭାରତର
ଅଧିକାରରେ କାଶ୍ମୀର୍ ଉପତ୍ୟକା,
ଲଦ୍ଦାଖ୍
ଓ ଜାମ୍ମୁ ଅଞ୍ଚଳ ଥିଲା ବେଳେ,
ପାକିସ୍ଥାନ୍
ଓ ଚୀନ୍ ଅଧୀନରେ ପ୍ରାକ୍ତନ ଜାମ୍ମୁ
କାଶ୍ମୀର ରାଜ୍ୟର ବାକିତକ ଅଞ୍ଚଳ
ଅଛି ।
ଭାରତର
କାଶ୍ମୀର୍ ସମସ୍ୟାର ରାଜନୈତିକ
ଦିଗ ପ୍ରତି ଅବହେଳା ଆଜି ନୂଆ
ନୁହେଁ । କାଶ୍ମୀର ଯେବେ ଭାରତରେ
ମିଶିଲା,
ସେତେବେଳେ
ଯେଉଁ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା,
ତାହା
ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ
ଅନେକ ସ୍ୱାୟତ୍ତଶାସନ ମିଳିଥିଲା
। ଭାରତର କେନ୍ଦ୍ର ସରକାରଙ୍କର
ଅଧିନରେ କେବଳ ପ୍ରତିରକ୍ଷା,
ଦୂରସଞ୍ଚାର
ତଥା ବିଦେଶନୀତି ରହିଥିଲା ।
ବାକିସବୁ ବିଷୟ ଜାମ୍ମୁ ଓ କାଶ୍ମୀରର
ରାଜ୍ୟ ସରକାରଙ୍କର ଅଧିନରେ
ରହିଥିଲା । ମାତ୍ର ୧୯୫୩ ମସିହାରେ
କାଶ୍ମୀରର ସ୍ୱାଧୀନତା ବିଷୟରେ
ଶେଖ୍ ଅବ୍ଦୁଲ୍ଲା କଥାବାର୍ତ୍ତା
କରିବାରୁ ତଥା ନିଜ ରାଜ୍ୟରେ ମୌଳିକ
ଭୁସଂସ୍କାର ଲାଗୁ କରିବାରୁ ଭାରତର
କେନ୍ଦ୍ର ସରକାର ତାଙ୍କୁ ଜେଲ୍
ରେ ଭର୍ତ୍ତି କରିଦେଲେ । ଏହା ପରେ
କେନ୍ଦ୍ର ସରକାରଙ୍କର ଅଦୂରଦର୍ଶୀ
ଦଖଲଅନ୍ଦାଜି ଯୋଗୁଁ କାଶ୍ମୀର
ନିଜର ସ୍ୱାୟତ୍ତତା ଧୀରେଧୀରେ
ହରାଇ ବସିଲା । କେନ୍ଦ୍ର ସରକାରଙ୍କର
କାନ୍ଧରେ ଚଢ଼ି ନାନା କୁଜିନେତା
ସରକାର ଗଢ଼ିଲେ । ଶେଖ୍ ଅବ୍ଦୁଲ୍ଲା
କୋଡ଼ିଏ ବର୍ଷରୁ ଉର୍ଦ୍ଧ ସମୟ
ଜେଲ୍ ରେ କଟାଇଲେ । ନିଜ ଜୀବନର
ଶେଷ ଭାଗରେ ସେ ଭାରତ ସରକାରଙ୍କର
ସହ ରାଜିନାମା କରି କାଶ୍ମିରୀ
ସ୍ୱାଧୀନତାର ଦାବୀ ଛାଡ଼ିଦେଲେ
ଓ ପୁଣି ଜାମ୍ମୁ ଓ କାଶ୍ମୀର ରାଜ୍ୟର
ମୂଖ୍ୟମନ୍ତ୍ରୀ ଭାବରେ ୧୯୮୨
ମସିହାରେ ନିଜର ମୃତ୍ୟୁ ପର୍ଯ୍ୟନ୍ତ
ଶାସନ କଲେ । କାଶ୍ମୀର ଭାରତର ଅଂଶ
ବନିସାରିଲା ପରେ ୧୯୮୭ ମସିହା
ପର୍ଯ୍ୟନ୍ତ ପ୍ରାୟତଃ ରାଜ୍ୟସ୍ତରୀୟ
ନିର୍ବାଚନରେ ହେରଫେର ହୋଇଥିବାର
ଅଭିଯୋଗ ହୋଇଆସିଛି । ଅନେକ ନିରପେକ୍ଷ
ପର୍ଯ୍ୟବେକ୍ଷକଙ୍କ ମତାନୁସାରେ
ଏହି ଅଭିଯୋଗ ଗୁଡ଼ିକରେ ଅନେକ
ସତ୍ୟତା ରହିଛି । ମାତ୍ର ୧୯୯୬
ମସିହା ପରଠାରୁ ସାଧାରଣ ଭାବରେ
ନିର୍ବାଚନ ନିରପେକ୍ଷ ଭାବରେ
ଅନୁଷ୍ଠିତ ହୋଇଛି ବୋଲି ଅଧିକାଂଶ
ପର୍ଯ୍ୟବେକ୍ଷକଙ୍କର ମତ ।
କେନ୍ଦ୍ରିୟ
ସ୍ତରରେ କଙ୍ଗ୍ରେସ୍ ସରକାର,
୧୯୮୭
ମସିହାର ଜାମ୍ମୁ ଓ କାଶ୍ମୀରର
ରାଜ୍ୟ ନିର୍ବାଚନରେ ବଡ଼ ଧରଣର
ହେରଫେର କରାଇ ନ୍ୟାସନାଲ୍
କନ୍ଫରେନ୍ସ୍ କୁ ଜିତାଇବା ପାଇଁ
ଚକ୍ରାନ୍ତ କରିଥିଲା ବୋଲି ଅଭିଯୋଗ
ହୁଏ । ଏହାର କୌଣସି ମିମାଂସା
କରାଗଲା ନାହିଁ । ଅନେକ ଲୋକଙ୍କର
ମତରେ ଏହାହିଁ କାଶ୍ମୀରରେ ୧୯୮୯-୯୦
ଠାରୁ ଉଗ୍ରବାଦ ତଥା ବିଚ୍ଛିନତାବାଦ
ମୁଣ୍ଡ ଟେକିବାର ମୂଳ କାରଣ ଏହି
ରାଜନୈତିକ ସମସ୍ୟାର ସମାଧାନ
ସରକାର କରିପାରିଲେ ନାହିଁ ।
ଏଣୁକରି ଜନଅସନ୍ତୋଷ ବଢ଼ିଚାଲିଲା
। ସରକାରଙ୍କର ମାତ୍ରାଧିକ କାର୍ଯ୍ୟ
ଯୋଗୁଁ ଅନେକ ନୀରିହ ଲୋକ ପ୍ରାଣ
ହରାଇଲେ ।
ହଜାର
ହଜାର ସଂଖ୍ୟାରେ ସାଧାରଣ ଜନତାଙ୍କୁ
ସରକାର ଉଗ୍ରବାଦୀ ନାଁରେ ଗିରଫ
କରିବାକୁ ଆରମ୍ଭ କଲା । ଏହା
ବିରୁଦ୍ଧରେ ୨୦ ଜାନୁଆରୀ ୧୯୯୦ରେ,
ଶାନ୍ତିପୂର୍ଣ୍ଣ
ଭାବରେ ପ୍ରତିବାଦ କରୁଥିବା ଲୋକଙ୍କ
ଉପରେ ଗାୱାକଡ଼ାଲ୍ ଠାରେ ଏକ
ଗଣହତ୍ୟା ଅନୁଷ୍ଠିତ ହେଲା । ଏଥିରେ
ପଚାଶରୁ ଅଧିକ ନୀରିହ ଲୋକ ସରକାରୀ
ଗୁଳିମାଡ଼ରେ ମୃତ୍ୟୁବରଣ କଲେ
। ଗଣଭୋଟ ଦାବି କରି ପ୍ରଦର୍ଶନ
କରୁଥିବା ଶାନ୍ତିପୂର୍ଣ୍ଣ ଜନତା
ଉପରେ ସରକାର ଗୁଳିଚଳାଇବାରୁ ୧
ମାର୍ଚ୍ଚ ୧୯୯୦ ନବେରେ ଜକୁରା ଓ
ଟେଙ୍ଗପୁରା ଗଣହତ୍ୟାରେ ୩୩ ଜଣ
ସାଧାରଣ ଜନତା ପ୍ରାଣ ହରାଇଲେ
ତଥା ୪୭ ଜଣ ଆଘାତପ୍ରାପ୍ତ ହେଲେ
। ମାନବ ଅଧିକାର ସଂସ୍ଥା ଆମ୍ନେଷ୍ଟି
ଇଣ୍ଟର୍ନ୍ୟାସନାଲ୍ ଅନୁସାରେ
୨୨ ଅକ୍ଟୋବର ୧୯୯୩ରେ ବିଜବେହାରା
ଓ ଶ୍ରୀନଗର ଠାରେ ଅନୁଷ୍ଠିତ
ଗଣହତ୍ୟାରେ ୫୧ ରୁ ଅଧିକ ଲୋକ ମଲେ
ତଥା ୨୦୦ରୁ ଅଧିକ ଲୋକ ଖଣ୍ଡିଆ
ଖାବରା ହୋଇଥିଲେ ।
ଏହିପରି
ଗଣହତ୍ୟାଗୁଡ଼ିକ ଛଡ଼ା,
୧୯୯୦ରେ
କାଶ୍ମୀରରେ ଲାଗୁହୋଇଥିବା ଆଫ୍ସା
(ଆର୍ମ଼ଡ଼୍
ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ୍
ଆକ୍ଟ୍)
ଯୋଗୁଁ
ସାଧାରଣ ଲୋକଙ୍କର ମାନବାଧିକାରର
ଘୋର ହନନ ହୋଇଛି । କାଶ୍ମୀରରେ
ମାନବ ଅଧିକାରର ହନନରେ ଉଗ୍ରବାଦୀମାନଙ୍କର
ମଧ୍ୟ ଏକ ବଡ଼ ଭୂମିକା ରହିଛି ।
ଉଗ୍ରପନ୍ଥୀମାନଙ୍କର ଧମକ ଓ ହତ୍ୟା
ଯୋଗୁଁ ଲକ୍ଷାଧିକ କାଶ୍ମୀର
ପଣ୍ଡିତମାନଙ୍କୁ ସ୍ଥାନାନ୍ତରିତ
ହୋଇ ବାସ୍ତୁହରା ହେବାକୁ ପଡ଼ିଛି
। ଏହା ଛଡ଼ା କାଶ୍ମୀରରେ ଶହଶହ
ସଂଖ୍ୟାରେ ସାଧାରଣ ମୁସଲିମ୍
ମାନଙ୍କ ହତ୍ୟାରେ ମଧ୍ୟ ଉଗ୍ରବାଦୀମାନଙ୍କ
ହାତ ରହିଛି । ମାତ୍ର ଅନେକ
ପର୍ଯ୍ୟବେକ୍ଷକମାନଙ୍କ ମତରେ,
ରାଜ୍ୟରେ
ରାଷ୍ଟ୍ର ପ୍ରାୟୋଜିତ ସନ୍ତ୍ରାସ
ଅନ୍ୟ ସବୁକିଛିକୁ ବଳିଯାଇଛି ।
କାଶ୍ମୀର୍
ର ସାଧାରଣ ଜନସାଧାରଣ ଯେ ଏ ସବୁକୁ
ନୀରବରେ ସହି ଯାଇଛନ୍ତି,
ତାହା
ନୁହେଁ । ୨୦୦୮ ମସିହାରେ ଅମରନାଥ
ମନ୍ଦିରର ପରିଚାଳନା ବୋଡ଼୍ କୁ
ଶହେ ଏକର ଜମି ହସ୍ତାନ୍ତରକୁ ନେଇ
ଯେଉଁ ଆନ୍ଦୋଳନ ଦେଖାଦେଲା,
ସେଥିରେ
ପାଞ୍ଚଲକ୍ଷରୁ ଅଧିକ ଲୋକ ଯୋଗ
ଦେଇଥିଲେ ବୋଲି ଅନେକ ରିପୋଟ୍ ରୁ
ଜଣାଯାଏ । ଏହି ନୀରିହ ଜନସାଧାରଣଙ୍କ
ଉପରେ ପୋଲିସି ଓ ସୁରକ୍ଷାବଳର
ମାତ୍ରାଧିକ ପ୍ରତିକ୍ରିୟା ଯୋଗୁଁ
ଚାଳିଶିରୁ ଅଧିକ ଲୋକ ପ୍ରାଣ
ହରାଇଲେ । ୨୦୦୯ ମସିହାରେ ସୋପିଆଁ
ଜିଲ୍ଲାରେ ଦୁଇଜଣ ମହିଳାଙ୍କର
ଧର୍ଷଣ ଓ ହତ୍ୟା ପରେ ଏହା ଅଭିଯୋଗ
ଉଠିଲା ଯେ ଏହା ପଛରେ ସୁରକ୍ଷାବଳଙ୍କର
ହାତ ଅଛି । ସରକାର ନ୍ୟାୟ ଯୋଗାଇବାରୁ
ବିଫଳ ହେବାରୁ ତଥା ପରିସ୍ଥିତିକୁ
ସମ୍ଭାଳି ନପାରିବାରୁ ଅନେକ
ଅଞ୍ଚଳରେ ସପ୍ତାହ ସପ୍ତାହ ବ୍ୟାପି
କର୍ଫ୍ୟୁ ଜାରିକରାଗଲା ଓ ଅନେକ
ଲୋକ ମୃତ୍ୟୁବରଣ କଲେ ଓ ଖଣ୍ଡିଆଖାବରା
ହେଲେ । ୨୦୧୦ ମସିହାରେ ମାନବ
ଅଧିକାର ହନନ,
ପ୍ରକୃତ
ଗଣତନ୍ତ୍ରର ଅଭାବ ତଥା ସାଧାରଣ
ଜନଅସନ୍ତୋଷ ଯୋଗୁଁ ପୁଣି ଥରେ
ଆନ୍ଦୋଳନ ମୁଣ୍ଡ ଟେକିଲା । ସରକାରୀ
ଗୁଳି ମାଡ଼ରେ ପୁଣି ଶତାଧିକ ନୀରିହ
ଜନତା ପ୍ରାଣ ହରାଇଲେ । ଏହି ବର୍ଷର
ଜୁଲାଇ ମାସରେ ଯାହା ସବୁ ଘଟିଗଲା
ତଥା ଏପର୍ଯ୍ୟନ୍ତ ଯାହା ଚାଲିଛି,
ତାହା
ଏହି ଶୃଙ୍ଖଳର ଏକ ଅଂଶ ମାତ୍ର ।
କାଶ୍ମୀରର
ରାଜନୈତିକ ସମସ୍ୟାକୁ ସରକାର
ମୂଳତଃ ଏକ ସାମରିକ ବା ଆଇନି ଶୃଙ୍ଖଳା
ସମସ୍ୟା ଭାବରେ ଦେଖୁଛନ୍ତି । ଯେ
ପର୍ଯ୍ୟନ୍ତ ଏହି ମନୋଭାବରେ
ପରିବର୍ତ୍ତନ ଆସିନାହିଁ,
ସେ
ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ
ସମ୍ଭବ ନୁହେଁ । ଭାରତ ସରକାର
କାଶ୍ମୀର ବିଷୟରେ ପାକିସ୍ଥାନ
ସହିତ ଆଲୋଚନା କରିବା ପାଇଁ ଅନେକ
ଥର ରାଜି ହୋଇଛନ୍ତି । ମାତ୍ର
କାଶ୍ମିରୀମାନଙ୍କ ସହିତ ଆଲୋଚନା
ପାଇଁ କେବେ କୌଣସି ନିଷ୍ଠାବାନ
ଉଦ୍ୟମ କରିନାହାନ୍ତି । ଭାରତର
ରାଜନୈତିକ ବ୍ୟବସ୍ଥା ଓ ଏହାର
କଳାକାରମାନଙ୍କ ପାଇଁ ବୋଧେହୁଏ
ପାକିସ୍ଥାନୀମାନେ ମଣିଷ,
ମାତ୍ର
କାଶ୍ମିରୀମାନେ ମଣିଷ ପଦବାଚ୍ୟ
ନୁହନ୍ତି । କାଶ୍ମିର୍ ସମସ୍ୟାର
ସମାଧାନ ପାଇଁ ସରକାର ସବୁ ବର୍ଗର
କାଶ୍ମିରୀମାନଙ୍କ ସହ ଆଲୋଚନା
କରିବା ଦରକାର । ଆଲୋଚନାର ବିଷୟବସ୍ତୁ
ସରକାର ନୁହେଁ,
ଲୋକେ
ସ୍ଥିର କରିବା ଉଚିତ । ନିଷ୍ଠାର
ସହ ଆଲୋଚନା ହେଲେ,
ଲୋକମାନଙ୍କର
ଅଧିକାରକୁ ସମ୍ମାନ କରାଗଲେ,
ଅତ୍ୟଧିକ
ପରିମାଣର ସୁରକ୍ଷାବଳକୁ ପ୍ରତ୍ୟାହାର
କରାଗଲେ ତଥା ଦୋଷୀମାନଙ୍କୁ (ସେ
ସୁରକ୍ଷାବଳର ଅଧିକାରୀ ହୁଅନ୍ତୁ
ବା ନେତା)
ଦଣ୍ଡ
ଦିଆଗଲେ ସମସ୍ୟା ସମାଧାନର ବାଟ
ମନକୁମନ ଫିଟିବ । ଅନେକ ସମୟରେ
ନିଆଁ ଲିଭାଇବା ପାଇଁ ପାଣି ଢ଼ାଳିବା
ଦରକାର ହୁଏନି । ଖାଲି ଚୁଲିରୁ
ଜାଳ କାଢ଼ିଦେଲେ ଯାଏ ।
ବି.ଦ୍ର.
- ଏହି ଲେଖାଟି ପାକ୍ଷିକ ପତ୍ରିକା ସମଦୃଷ୍ଟିର ସଦ୍ୟତମ ସଂଖ୍ୟାରେ ପ୍ରକାଶିତ ହୋଇଛି । ଲେଖାଟିର କିଛି ଅଂଶ ଦୈନିକ ଖବରକାଗଜ
‘ସମାଜ’ର ୨୨ ଜୁଲାଇ ସଂଖ୍ୟାରେ ମଧ୍ୟ ପ୍ରକାଶିତ ହୋଇଥିଲା ।
No comments:
Post a Comment