Monday, August 15, 2016

ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୩


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବାମନ ମସ୍ତିଷ୍କ ତାହାର ଆହ୍ୱାନ ଓ ଦାୟିତ୍ୱଗୁଡ଼ିକୁ କମେଇ କରି ଦେଖେ । କାରଣ ଛୋଟ ମସ୍ତିଷ୍କ କେବଳ ଛୋଟ ଦାୟିତ୍ୱକୁ ହିଁ ତୁଲାଇପାରିବ । ଏକ ବିରାଟ ଆହ୍ୱାନ ତା' ଆଗରେ ଆସି ଠିଆ ହେଲେ ସେ ତାହା ପ୍ରତି ଆଖି ବୁଜିଦିଏ । ଭାରତୀୟ ଶିକ୍ଷିତ ଶ୍ରେଣୀ କେବଳ ପାକିସ୍ତାନ୍ କୁ ବିପଦର ମୁଖ୍ୟ ବିନ୍ଦୁ ଭାବରେ ଚିହ୍ନିତ କରିବାକୁ ଚାହେଁ । ଏପରି କଲେ ମଥାଟି ଥଣ୍ଡା ରହେ । ଭୌଗୋଳିକ, ଆର୍ଥିକ ଓ ସାମରିକ ଦୃଷ୍ଟିରୁ ପାକିସ୍ତାନ୍ ଆମଠାରୁ ଅନେକ ଛୋଟ । ସାମାଜିକ ଓ ବୌଦ୍ଧିକ ଚେତନାରେ ମଧ୍ୟ ଭାରତ ପାକିସ୍ତାନ୍ ଠାରୁ ଊଦ୍ଧ୍ୱର୍ରେ । ପାକିସ୍ତାନ୍ ଭାରତ ସାଙ୍ଗରେ ଦୁଇଥର ଯୁଦ୍ଧ କରିଛି ଓ ପରାସ୍ତ ହୋଇଛି । ୧୯୪୮ ମସିହାରେ ପାକିସ୍ତାନ୍ ଭାରତ ଉପରେ ଆକ୍ରମଣ କରିନଥିଲା । ପାକିସ୍ତାନ୍ ବିରୁଦ୍ଧରେ ଭାବପ୍ରବଣ ହେବାବେଳେ ଅନେକ ବନ୍ଧୁ ଭୁଲିଯାନ୍ତି ଯେ ସ୍ୱାଧୀନତା ବେଳେ ଭାରତର ମାନଚିତ୍ରରେ କାଶ୍ମୀର ନଥିଲା । ମୁସଲମାନ୍ ବହୁଳ କାଶ୍ମୀର୍ ର ହିନ୍ଦୁ ମହାରାଜା ଭାରତରେ ମିଶିବେ କି ଅଲଗା ଦେଶ ହୋଇ ରହିବେ, ସ୍ଥିର କରିପାରି ନଥିଲେ । ସେତିକିବେଳେ ପାକିସ୍ତାନ୍ କାଶ୍ମୀର୍ ଉପରେ ଆକ୍ରମଣ କରିଥିଲା । ଭାରତ ଉପରେ ନୁହେଁ । ଆକ୍ରମଣ ଚାଲିଥିବା ଭିତରେ କାଶ୍ମୀର୍ ଭାରତ ସଙ୍ଗେ କେତେଗୁଡ଼ିଏ ସର୍ତ୍ତ ଦେଇ ମିଶିଲା । ଭାରତୀୟ ସେନା ପାକିସ୍ଥାନୀ ସେନାକୁ ଅଟକେଇ ଦେଲା । କିନ୍ତୁ ଗୋଟିଏ ଅଞ୍ଚଳ ସେମାନଙ୍କର ନିୟନ୍ତ୍ରଣ ଭିତରକୁ ଚାଲିଯାଇଥିଲା । ଅନ୍ତଃରାଷ୍ଟ୍ରୀୟ ଚାପରେ ନେହେରୁ କାଶ୍ମୀ୍ର ପ୍ରଶ୍ନକୁ ଜାତିସଂଘ ପାଖକୁ ନେଇଗଲେ । ସେଇଦିନଠାରୁ ଏହା ଏକ ଆନ୍ତର୍ଜାତିକ ସମସ୍ୟାର ରୂପନେଲା । ଆଜି ଯଦି ପାକିସ୍ତାନ୍ କାଶ୍ମୀର୍କୁ ଏକ ଆନ୍ତର୍ଜାତିକ ପ୍ରଶ୍ନ କରି ତୋଳିବାକୁ ଚାହୁଁଛି, ଏଥିପାଇଁ କେବଳ ସେ ଦୋଷୀ ନୁହେଁ ।

୧୯୬୫ ଓ ୧୯୭୧ ମସିହା ମାନଙ୍କରେ ଯେଉଁ ଭାରତ-ପାକିସ୍ତାନ୍ ଯୁଦ୍ଧ ହେଲା, ଉଭୟରେ ଭାରତର ସ୍ପଷ୍ଟ ସାମରିକ ବିଜୟ ହୋଇଥିଲା । କିନ୍ତୁ ସେତିକିରେ ଭାରତକୁ କିଛି ମିଳିଲା ନାହିଁ । ଯଦି ବିଜୟ ହେଲା, ସେତେବେଳେ କାଶ୍ମୀର୍ ବିଷୟରେ ଏକ ପକ୍କା ମୀମାଂସା ଆମେ କରାଇ ପାରିଥାଆନ୍ତୁ । ନ ହେବାର କାରଣ ଏହି ଯେ, ବିଶ୍ୱରେ ଯେଉଁ ଦାଦା-ଶକ୍ତିମାନେ ଅଛନ୍ତି ସେମାନେ ଦୁନିଆର ଯେ କୌଣସି ସ୍ଥାନରେ ଯୁଦ୍ଧ ବା ସନ୍ଧି ହେବା ସମୟରେ ଦୃଶ୍ୟ ବା ଅଦୃଶ୍ୟ ଭାବରେ ପହଞ୍ଚି ଯାଆନ୍ତି । ଅଧିକାଂଶ ସ୍ଥଳରେ ଯୁଦ୍ଧକୁ ଉତ୍ସାହିତ କରନ୍ତି । ସନ୍ଧିମାନଙ୍କୁ ଅମୀମାଂସିତ ରଖିବାର ଚେଷ୍ଟା କରନ୍ତି । ବିଜୟୀ ଦେଶମାନେ ମଧ୍ୟ ତାଙ୍କ ଚାପରେ ପଡ଼ିଯାଆନ୍ତି । ଭାରତ ସବୁବେଳେ ସେମାନଙ୍କ ଚାପ ଆଗରେ ନଇଁଛି । ତାସକେଣ୍ଟ୍ ଓ ଶିମଳା ଚୁକ୍ତି ଭାରତକୁ କୌଣସି ସୁଫଳ ଦେଲାନାହିଁ । ପାକିସ୍ତାନ୍ ସାଙ୍ଗରେ ବିବାଦ ଯେଉଁଠି ଥିଲା ସେଇଠି ରହିଲା । ମହାଶକ୍ତିମାନେ ଚାହାନ୍ତି ଯେ ତୃତୀୟ ବିଶ୍ୱର କଳହଗୁଡ଼ିକ ନ ଛିଣ୍ଡୁ । ତାହା ହେଲେ ସେହି ଦେଶଗୁଡ଼ିକ ସାମ୍ରାଜ୍ୟବାଦୀମାନଙ୍କ ପାଇଁ ଦୁର୍ବଳ ଶିକାର ହୋଇ ରହିବେ ।

ଭାରତରେ ଶାସକ ବର୍ଗ ଓ ଶିକ୍ଷିତ ଶ୍ରେଣୀ ଚାହେଁ ନାହିଁ ଯେ ଭାରତର ବିବାଦ କୌଣସି ଏକ ଶକ୍ତିଶାଳୀ ଦେଶ ସାଙ୍ଗରେ ହେଉ । ଯଦି ବିବାଦ ହୋଇଯାଏ, ତେବେ ତାହା ତାକୁ ଲୁଚାଇବାକୁ ଚାହେଁ । ଚୀନ୍ ସାଙ୍ଗରେ ଭାରତର ବିବାଦକୁ କେହି ଯଦି ଚର୍ଚ୍ଚାରେ ଉଠାଏ ତାହା ହେଲେ ଆଲୋଚନାରେ ଆଉ ଉତ୍ସାହ ରହେ ନାହିଁ । କଙ୍ଗ୍ରେସ୍ ହୁଅନ୍ତୁ, କମ୍ୟୁନିଷ୍ଟ୍ ହୁଅନ୍ତୁ ବା ଭା..ପା. ହୁଅନ୍ତୁ, ଯେତେ ଶୀଘ୍ର ହୋଇପାରେ ଚର୍ଚ୍ଚାକୁ ବନ୍ଦ କରିଦିଅନ୍ତି । ଏଥର ମଧ୍ୟ ସେଇୟା ହିଁ ହେଲା । ପରମାଣୁ ପରୀକ୍ଷଣର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ରକ୍ଷାମନ୍ତ୍ରୀ ଜର୍ଜ୍ ଫର୍ଣ୍ଣାଣ୍ଡେଜ୍ ଙ୍କୁ ଅତି ଚତୁରତାର ସହିତ ବ୍ୟବହାର କଲେ । ଜର୍ଜ୍ ମହାଶୟଙ୍କର ଚୀନ୍-ବିରୋଧୀ ମନୋଭାବକୁ ଜାଣି ଚୀନ୍ ବିରୁଦ୍ଧରେ ବିବୃତି ଦେବାପାଇଁ ତାଙ୍କୁ ପ୍ରବର୍ତ୍ତାଇଲେ । ସେହି ବିବୃତିର ଖିଅଧରି ପ୍ରଧାନମନ୍ତ୍ରୀ ବାଜପେୟୀ ଆମେରିକାର ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ । ଚିଠିରେ ଏହା କହିଲେ ଯେ ଚୀନ୍ ଆମପାଇଁ ଅତି ବିପଦଜ୍ଜନକ । ତାହା ପାଖରେ ପରମାଣୁ ବୋମାର ଏକ ବଡ଼ ଶସ୍ତ୍ରାଗାର ରହିଛି । ଏଥିପାଇଁ ଆମେ ମଧ୍ୟ ପରମାଣୁ ବୋମା ପରୀକ୍ଷଣ କରିବାକୁ ବାଧ୍ୟ ହେଲୁ । ଲିଖିତ ଭାବରେ ଆମେରିକାର ସରକାରକୁ କୈଫିୟତ୍ ଦେବା ଆଦୌ ଦରକାର ନଥିଲା । ଦିଲ୍ଲୀରେ ରହୁଥିବା ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଡାକି ମୌଖିକ ଭାବରେ ଏକଥା ସେ କହିପାରିଥାଆନ୍ତେ ।

ଇତି ମଧ୍ୟରେ ରକ୍ଷାମନ୍ତ୍ରୀଙ୍କର ବିବୃତିକୁ ନେଇ ଦେଶର ଚାରିଆଡ଼ୁ ଶିକ୍ଷିତ ମହଲର ଓ ରାଜନୈତିକ ନେତାମାନଙ୍କର କଟୁ ମନ୍ତବ୍ୟ ଆସିଲା ଯେ, ଚୀନ୍ ସାଙ୍ଗରେ ଏଭଳି କିଛି ଖରାପ ସମ୍ବନ୍ଧ ଆମର ନାହିଁ । ତେଣୁ ତାକୁ ଅଯଥାରେ ଗାଳିଦେବା ଠିକ୍ ନୁହେଁ । କ୍ଲିଣ୍ଟନ୍ ସାହେବଙ୍କୁ ଚିଠି ଲେଖିବା ପରେ ଭା..ପା.ର ନେତାମାନେ ମଧ୍ୟ ଚୀନ୍ ସମ୍ପର୍କରେ ନରମ କଥା ସବୁ କହିବା ଆରମ୍ଭ କରିଦେଲେ । ସେଇ ଚାପରେ ଜର୍ଜ୍ ମଧ୍ୟ କହି ବସିଲେ ଯେ, ମୋ କଥାକୁ ଖବରକାଗଜ ଭୁଲ ଭାବରେ ଚିତ୍ରଣ କଲେ । ବର୍ତ୍ତମାନ ଚୀନ୍ ପ୍ରସଙ୍ଗକୁ ନେଇ ସରକାର ଚୁପ୍, ରାଜନୈତିକ ଦଳମାନେ ଚୁପ୍ ଓ ବୁଦ୍ଧିଜୀବୀମାନେ ମଧ୍ୟ ଚୁପ୍।

ବାଜପେୟୀ ମନ୍ତ୍ରୀମଣ୍ଡଳ ଚୀନ୍ ସମ୍ପର୍କରେ ସମୀକ୍ଷା କରି ଚୀନ୍ ନୀତିକୁ ନୂଆମୋଡ଼ ଦେବାର କୌଣସି ନିଷ୍ପତ୍ତି କରିନଥିଲେ । ତେଣୁ ଜର୍ଜ୍ ଭଳି ଜଣେ କେବିନେଟ୍ ମନ୍ତ୍ରୀ ଚୀନ୍ କୁ ଆମର ବଡ଼ ଶତ୍ରୁ ବୋଲି ଚିହ୍ନିତ କରିବା ନିଶ୍ଚୟ ଅନୁଚିତ ଓ ମୁର୍ଖତାପୂର୍ଣ୍ଣ ଥିଲା। କିନ୍ତୁ ମନ୍ତ୍ରୀ ନହୋଇ ସାଧାରଣ ସଦସ୍ୟ ଭାବରେ ସେ ଯଦି ଏହି କଥାଟିକୁ ଲୋକସଭାରେ ଉଠାଇ ପାରିଥାନ୍ତେ, ତାହା ହେଲେ ସରକାର ଅଡ଼ୁଆରେ ପଡ଼ିଥାଆନ୍ତା । କାରଣ ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଆମର ଅଧିକାଂଶ ସୀମା ଚୀନ୍ ସାଙ୍ଗରେ ରହିଛି । ଭାରତ ଯାହାକୁ ନିଜର ସୀମା ବୋଲି ମାନେ, ଚୀନ୍ ତାହାକୁ ମୋଟେ ସ୍ୱୀକାର କରେନାହିଁ। ମାକ୍-ମୋହନ୍ ରେଖାକୁ ମଧ୍ୟ ଚୀନ୍ ସ୍ୱୀକାର କରେନାହିଁ । ଯେଉଁ ଅଞ୍ଚଳରେ ଭାରତର ପ୍ରତ୍ୟକ୍ଷ ଶାସନ ଚାଲୁଛି, ସେଭଳି ଏକ ଅଞ୍ଚଳକୁ ଚୀନ୍ ନିଜର ବୋଲି ଦାବୀ କରୁଛି । ସୀମାର ସ୍ପଷ୍ଟ ନିର୍ଦ୍ଧାରଣ ତ ହୋଇପାରୁନାହିଁ । ବାସ୍ତବିକ ନିୟନ୍ତ୍ରଣ ରେଖାଟି ମଧ୍ୟ ନିରୂପିତ ହୋଇପାରିନାହିଁ । ଆମ ଉତ୍ତର-ପୂର୍ବାଞ୍ଚଳର ବହୁ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଚୀନ୍ ଦ୍ୱାରା ପ୍ରଶିକ୍ଷିତ ଓ ପ୍ରୋତ୍ସାହିତ । ସର୍ବୋପରି ପାକିସ୍ତାନ୍ ର ଭାରତ ବିରୋଧୀ ସାମରିକ ପ୍ରସ୍ତୁତିକୁ ଚୀନ୍ ନିରନ୍ତର ସାହାଯ୍ୟ କରୁଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି । ଏହା ସତ୍ତ୍ୱେ ସମସ୍ତେ ଚୁପ୍ ହୋଇଗଲେ କାହିଁକି ? ହୁଏତ ସରକାର ପରିସ୍ଥିତି ଓ କୌଶଳ ଦୃଷ୍ଟିରୁ ପ୍ରକାଶ୍ୟ ଭାବରେ କିଛି କହୁନାହିଁ । କିନ୍ତୁ ବେସରକାରୀ ସଭ୍ୟମାନେ ଓ ବୁଦ୍ଧିଜୀବୀମାନେ କାହିଁକି ନୀରବ ହୋଇଗଲେ ?

No comments:

Post a Comment