ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ -୧
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
![]() |
ସୋସାଲିଷ୍ଟ୍ ଇଣ୍ଟର୍ନ୍ୟାସନାଲ୍ ର ଚିହ୍ନ ଫୋଟ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ବିଂଶ
ଶତାବ୍ଦୀର ଅନ୍ତିମ ଓ ଏକବିଂଶ
ଶତାବ୍ଦୀର ପ୍ରାରମ୍ଭିକ କାଳ
ଗଣତନ୍ତ୍ରର ବିଚାର ଓ ଗଣତାନ୍ତ୍ରିକ
ବ୍ୟବସ୍ଥା ପାଇଁ ଏକ ଅବକ୍ଷୟର
ସମୟ । ବିଗତ ତିରିଶ ଓ ଚାଳିଶ
ଦଶନ୍ଧିରେ ୟୁରୋପୀୟ ଗଣତନ୍ତ୍ରର
ଯେଉଁ କ୍ଷୟ ଘଟିଥିଲା ତାହାଠାରୁ
ଏହା ଭିନ୍ନ । ଉଭୟଙ୍କ ମଧ୍ୟରେ
ଗୁଣାତ୍ମକ ଫରକ ରହିଛି । ସେତେବେଳେ
ୟୁରୋପ୍ ର ଉଦାରବାଦୀ ଓ ପ୍ରଗତିଶୀଳ
ମସ୍ତିଷ୍କକୁ ଫାସିବାଦର ଆକ୍ରମଣ
ଯୋଗୁଁ ଗୋଟିଏ ବଡ଼ ଆଘାତ ଲାଗିଥିଲା ।
କିନ୍ତୁ ସେଥିରେ ୟୁରୋପୀୟ ମାନସ
ଭୟଭୀତ କିମ୍ବା ନିଶ୍ଚଳ ହୋଇଯାଇ
ନଥିଲା । ବରଂ, ଗଣତନ୍ତ୍ରକୁ ଯୁଦ୍ଧରେ ବିଜୟୀ
କରିବା ପାଇଁ ଓ ଯୁଦ୍ଧ ପରେ ସାରା
ବିଶ୍ୱରେ ପ୍ରସାରିତ କରିବା ପାଇଁ
ଇଚ୍ଛା ଶକ୍ତି ଜାଗ୍ରତ ହୋଇଥିଲା ।
ଫାସିବାଦ ଓ ନାଜିବାଦର ଆକ୍ରମଣ
କେବଳ କ୍ଷମତା ରାଜନୀତିର ସ୍ତରରେ
ହୋଇ ନଥିଲା । ଗଣତନ୍ତ୍ରର
ବିଚାର ଓ ଦର୍ଶନ ଉପରେ ଏହା ଏକ
ବୌଦ୍ଧିକ ଆକ୍ରମଣ ମଧ୍ୟ ଥିଲା ।
ସାମ୍ୟବାଦ (କମ୍ୟୁନିଜିମ୍)
ଗଣତନ୍ତ୍ରର
ପ୍ରତ୍ୟକ୍ଷ ବିରୋଧ କରୁନଥିଲା । ବରଂ, କମ୍ୟୁନିଷ୍ଟ୍ ମାନେ କହୁଥିଲେ
ଯେ ସାମ୍ୟବାଦୀ ସମାଜରେ ହିଁ
ପ୍ରକୃତ ଗଣତନ୍ତ୍ର ମିଳିପାରିବ ।
ଅଥଚ ଷ୍ଟାଲିନ୍-ବାଦର ଏକଛତ୍ରବାଦୀ
ରୂପ କାହାରିକୁ ଅଜଣା ନଥିଲା ।
ଏହି ପରିସ୍ଥିତିରେ ୟୁରୋପୀୟ
ଗଣତନ୍ତ୍ରକୁ ଫାସିବାଦ ଓ ଷ୍ଟାଲିନ୍-ବାଦ, ଉଭୟର ପ୍ରତ୍ୟୁତ୍ତର ଦେବାକୁ ପଡ଼ିଥିଲା ।
ୟୁରୋପ୍ ଓ ଆମେରିକାର ବାହାରେ
ଥିବା ଦେଶମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ
ଗଣତନ୍ତ୍ର ଓ ଏକଛତ୍ରବାଦର
ଲଢ଼େଇ ଭାବରେ ଦେଖୁ ନଥିଲେ । କିନ୍ତୁ
ତୃତୀୟ ବିଶ୍ୱର ଦେଶମାନଙ୍କରେ
ଯେଉଁ ଜାତୀୟ ଆନେ୍ଦାଳନ ମାନ
ଚାଲୁଥିଲା, ସେମାନଙ୍କ ଉପରେ
ଗଣତନ୍ତ୍ର ଓ ସାମ୍ୟବାଦର
ବୈଚାରିକ ପ୍ରଭାବ ପଡ଼ୁଥିଲା ।
ଫାସିବାଦର ବୈଚାରିକ ପ୍ରଭାବ
ନଥିଲା । ନେତାଜୀ ସୁବାସ ଚନ୍ଦ୍ର
ବୋଷ୍ ଶତ୍ରୁର ଶତ୍ରୁକୁ ବନ୍ଧୁ
କରିବାର ରଣକୌଶଳ ଗ୍ରହଣ କରିଥିଲେ । କିନ୍ତୁ, ତାଙ୍କର ସାମାଜିକ ରାଜନୈତିକ
ବିଚାର ଫାସିବାଦୀ ନଥିଲା।
ଫାସିବାଦ ଓ ଷ୍ଟାଲିନ୍-ବାଦ, ଉଭୟଙ୍କର
ଆହ୍ୱାନର ସମ୍ମୁଖୀନ ହୋଇ ୟୁରୋପୀୟ
ଗଣତନ୍ତ୍ରକୁ ନିଜର ଉକ୍ରୃଷ୍ଟତା
ପ୍ରମାଣ କରିବାର ଥିଲା। ଏହି ସମୟରେ
(ଅର୍ଥାତ୍,
୧୯୪୦ ମସିହାରୁ
୧୯୬୦ ମସିହା ମଧ୍ୟରେ)
ୟୁରୋପ୍ ରେ ଗଣତାନ୍ତ୍ରିକ ବିଚାରଧାରା ଅଧିକ
ମାର୍ଜିତ ହେଲା । ତାହାର ସଂସ୍ଥାଗତ
ରୂପ ମଧ୍ୟ ସୁଦୃଢ଼ ହେଲା । ଘମାଘୋଟ
ଯୁଦ୍ଧ ଚାଲିଥିବା ସମୟରେ ଯେତେବେଳେ
ବ୍ରିଟେନ୍ ର ଆକାଶ ଧ୍ୱଂସ ଓ ପରାଜୟର
ଆଶଙ୍କାରେ ମେଘାଛନ୍ନ ଥିଲା,
ସେତେବେଳେ
ମଧ୍ୟ ତାହାର ପାର୍ଲିଆମେଣ୍ଟ୍ ଅବିରତ
ଚାଲିଥିଲା । ଯୁଦ୍ଧର ପରବର୍ତ୍ତୀ ଅବସ୍ଥାରେ ବ୍ରିଟେନ୍ ସମେତ ଅନେକ
ୟୁରୋପୀୟ ଦେଶରେ ଗଣତନ୍ତ୍ରର ଏକ
ଜନକଲ୍ୟାଣକାରୀ ରୂପ ବିକଶିତ
ହେଲା । ଗଣତନ୍ତ୍ର କହିଲେ କେବଳ
ନାଗରିକମାନଙ୍କର ଆଇନଗତ ଅଧିକାରକୁ
ବୁଝାଇଲା ନାହିଁ । ନାଗରିକମାନଙ୍କ
ମଧ୍ୟରେ ସାମାଜିକ ସମାନତା ଆଣିବା
ପାଇଁ ଲୋକ-କଲ୍ୟାଣକାରୀ
ରାଜ୍ୟ (ୱେଲ୍ଫେୟାର୍
ଷ୍ଟେଟ୍)ର
ଅବଧାରଣା ସୃଷ୍ଟି ହେଲା ।
ୟୁରୋପ୍
ରେ ଯେଉଁମାନେ ନିଜକୁ
ଗଣତାନ୍ତ୍ରିକ -
ସମାଜବାଦୀ
କିମ୍ବା ସାମାଜିକ-ଗଣତନ୍ତ୍ରବାଦୀ
(ସୋସାଲ୍-ଡେମୋକ୍ରେଟ୍)
ବୋଲି
ଅଭିହିତ କରୁଥିଲେ ସେମାନେ
ଲୋକ-କଲ୍ୟାଣକାରୀ
କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା
ଥିଲେ । ଏହି ଦଳମାନଙ୍କର ବାରମ୍ବାର
ଶାସନ ଫଳରେ ୟୁରୋପର କେତେକ
ରାଷ୍ଟ୍ରରେ,
ବିଶେଷକରି
ସ୍କାଣ୍ଡିନେଭିଏନ୍ ଦେଶ,
ଅର୍ଥାତ୍
ଫିନ୍ଲ୍ୟାଣ୍ଡ୍,
ନର୍ୱେ,
ସୁଇଡେନ୍
ଆଦି ଦେଶମାନଙ୍କରେ ଲୋକ କଲ୍ୟାଣକାରୀ
ବ୍ୟବସ୍ଥାର ଚେର ଏତେ ମାଡ଼ିଯାଇଛି
ଯେ ପୃଥିବୀର ସବୁଠାରୁ ବେଶୀ
ସାମାଜିକ ସମାନତା ସେହିଠାରେ
ଦେଖାଯାଏ । ୟୁରୋପ୍ ରେ ଏହି
ସୋସାଲ୍-ଡେମୋକ୍ରେଟିକ୍
ଦଳମାନଙ୍କର ନେତୃତ୍ୱରେ ‘ସୋସାଲିଷ୍ଟ୍ ଇଷ୍ଟର୍ନ୍ୟାସନାଲ୍’ ନାମକ ଏକ ଆନ୍ତର୍ଜାତିକ
ସଙ୍ଗଠନ ଗଢ଼ା ହୋଇଥିଲା । ଭାରତରେ
ଜୟପ୍ରକାଶ୍ ନାରାୟଣ୍ ଓ ରାମ୍ ମନୋହର୍ ଲୋହିଆଙ୍କ ନେତୃତ୍ୱରେ ପରିଚାଳିତ
ସେତେବେଳର ସମାଜବାଦୀ ଦଳ ୟୁରୋପ୍ ର ଗଣତାନ୍ତ୍ରିକ ସମାଜବାଦ ଦ୍ୱାରା
ଅତ୍ୟଧିକ ପ୍ରଭାବିତ ହୋଇଥିଲା
ଓ ସୋସାଲିଷ୍ଟ ଇରନ୍ୟାସ୍ନାଲ୍
ର ସଭ୍ୟ ମଧ୍ୟ ହୋଇଥିଲା ।
ଭାରତର
ସମାଜବାଦୀମାନେ ବହୁଦିନ ପର୍ଯ୍ୟନ୍ତ
ନର୍ୱେ,
ସ୍ୱିଡ଼େନ୍ ଆଦି ଦେଶର ଲୋକ କଲ୍ୟାଣକାରୀ
ବ୍ୟବସ୍ଥାକୁ ନିଜର ଆଦର୍ଶ ରୂପେ
ଗ୍ରହଣ କରିଥିଲେ । ୧୯୭୦ ଦଶକରୁ
ଭାରତରେ ସମାଜବାଦୀମାନେ ପୁଞ୍ଜିବାଦର
ବିରୋଧ କରିବା ଛାଡ଼ିଦେଲେ । ସେତେବେଳର
ନେତା ଥିଲେ ମଧୁ ଦଣ୍ଡବତେ ଓ ଜର୍ଜ ଫର୍ଣ୍ଣାଣ୍ଡେଜ୍ । ବୈଚାରିକ
ଦୃଷ୍ଟିରୁ ସେମାନେ ପରାବଲମ୍ବୀ
ଥିଲେ । ୟୁରୋପ୍ ର
ଗଣତାନ୍ତ୍ରିକ-
ସମାଜବାଦୀମାନେ
ପୁଞ୍ଜିବାଦକୁ ହଟେଇବାର ଲକ୍ଷ୍ୟ
ଛାଡ଼ିଦେବାରୁ ଭାରତର ସମାଜବାଦୀମାନେ
ମଧ୍ୟ ସେମାନଙ୍କର ଅନୁସରଣ କଲେ ।
୧୯୭୨ ମସିହାରେ ସୋସାଲିଷ୍ଟ୍
ପାର୍ଟିକୁ ଭାଙ୍ଗିଦେଇ ସେମାନେ
ମୋରାର୍ଜୀ ଦେଶାଇଙ୍କ ନେତୃତ୍ୱରେ
ଚାଲିଥିବା ଜନତା ପାର୍ଟିର ସରକାରରେ
ଯୋଗଦେଲେ । ୟୁରୋପ୍ ର ସମାଜବାଦୀମାନେ
ଓ ସାମାଜିକ ଗଣତନ୍ତ୍ରବାଦୀମାନେ
କାହିଁକି ପୁଞ୍ଜିବାଦର ବିରୋଧ
ଛାଡ଼ିଦେଲେ, ତାହାର କାରଣ ଏମାନେ
ବୁଝିବାକୁ ଚାହିଁଲେ ନାହିଁ।
ବୁଝିବା କଥା ହେଉଛି ଯେ,
ସାମ୍ରାଜ୍ୟବାଦୀ
ନୀତି ସାହାଯ୍ୟରେ ପୁଞ୍ଜିବାଦ
ୟୁରୋପ୍ ଓ ଆମେରିକାକୁ ସମୃଦ୍ଧ
କରିଛି। ଏତେ ବେଶୀ ସମୃଦ୍ଧ କରିଛି
ଯେ ଦରିଦ୍ର ଶ୍ରେଣୀକୁ ମଧ୍ୟ
ସମୃଦ୍ଧିର ଭାଗ ମିଳିଛି । ବିକାଶଶୀଳ
ଦେଶମାନଙ୍କୁ ପୁଞ୍ଜିବାଦ ଦେଇଛି
କେବଳ ଔପନିବେଶିକ ଦାରିଦ୍ର୍ୟ
ଏବଂ ପଛୁଆପଣ ।
No comments:
Post a Comment