Tuesday, August 16, 2016

ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୪


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ


 

ଭାରତୀୟ ବାୟୁସେନାର ଜାଗୁଅର୍ ବିମାନ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

କାରଣ ସେମାନଙ୍କର ଭୟ । ଚୀନ୍ ପ୍ରତି ଶାସକ ଓ ଶିକ୍ଷିତ ଉଭୟେ ଶ୍ରେଣୀର ଏକ ଭୀରୁଭାବ ଅଛି । ଚୀନ୍ ସାଙ୍ଗରେ ସଙ୍ଘର୍ଷ କରିବାର ଛବି ସେମାନେ ନିଜ କଳ୍ପନାରେ ଆଙ୍କିପାରନ୍ତି ନାହିଁ । ଜର୍ଜ୍ ଫର୍ଣ୍ଣାଣ୍ଡେଜ୍ଙ ଙ୍କ ଉପରେ ସେମାନେ ଏଥିପାଇଁ ରାଗିଲେ ନାହିଁ ଯେ, ସରକାରୀ ମନ୍ତ୍ରୀ ପଦରେ ଥାଇ ସେ ଏପରି ଅନୁଚିତ ଭାଷା ବ୍ୟବହାର କଲେ । ସେମାନେ ଭାବିଲେ ଯେ ଚୀନ୍ ଯଦି ରାଗିଯିବ, ଆମେ ତାହାର ମୁକାବିଲା କରିବା କିପରି?  ପାକିସ୍ତାନ୍ କୁ ଯୁଦ୍ଧ ପାଇଁ ଡାକରା ଦେବା ସହଜ । କାରଣ, ପାକିସ୍ତାନ୍ ର ଶିକ୍ଷିତ ଶ୍ରେଣୀ ଅଳସୁଆ, ସ୍ୱାର୍ଥପର ଓ ବିଳାସୀ। ଚୀନ୍ ର ଶାସକ ଓ ମଧ୍ୟବିତ୍ତ ଶ୍ରେଣୀ ତଥା ମଜଦୁର୍ ବର୍ଗ ବହୁ ବର୍ଷ ଧରି ତ୍ୟାଗ, ଅନୁଶାସନ ଓ କଠୋର ଶ୍ରମର ଭିତର ଦେଇ ଗତି କରିଛନ୍ତି । ଭାରତର ଶିକ୍ଷିତ ଶ୍ରେଣୀ ସର୍ବଦା ତ୍ୟାଗ ଓ କଠିନ ଶ୍ରମକୁ ଭୟ କରିଆସିଛି । ଏହି କାରଣରୁ ସେମାନେ ଗାନ୍ଧୀଙ୍କୁ ମଧ୍ୟ ଘୃଣା କରନ୍ତି । କାରଣ ଗାନ୍ଧୀ ସେମାନଙ୍କୁ କଠିନ ଶ୍ରମ କରିବା ପାଇଁ ବାଧ୍ୟ କରନ୍ତି । ବାଜପେୟୀ ସରକାର ଚୀନ୍ ବିବାଦ ସମ୍ପର୍କରେ ପ୍ରକଟ ଭାବରେ ଆଉ କିଛି କହୁ ନାହାନ୍ତି । ପ୍ରଚ୍ଛନ୍ନ ଭାବରେ, କାର୍ଯ୍ୟରେ କିଛି କରୁଛନ୍ତି କି ? ଆମର ଅନୁମାନ ଯେ ସେ କିଛି କରୁନାହାନ୍ତି । ଏହାର କୁପରିଣାମ ଭବିଷ୍ୟତ ବଂଶଧରମାନେ ଭୋଗିବେ । ଚୀନ୍ ଭାରତକୁ କହୁଛି, ସୀମା ବିବାଦ ବିଷୟରେ ବ୍ୟସ୍ତ ହୁଅନାହିଁ । ଆମେ କିଛି ଅଶାନ୍ତି ସୃଷ୍ଟି କରୁନାହୁଁ । ତେଣୁ ଏପରି ଗଡ଼ିଚାଲୁ । ଚୀନ୍ ସାଙ୍ଗରେ ଦୃଢ଼ତାପୂର୍ଣ୍ଣ କଥାବାର୍ତ୍ତା କରିପାରୁ ନଥିବା ଶାସକମାନେ ମଧ୍ୟ ଏହି ଶସ୍ତା ବାଟକୁ ପସନ୍ଦ କରିଛନ୍ତି । ସୀମାର ଅସ୍ପଷ୍ଟତା ଯେତେ ବେଶୀ ପୁରୁଣା ହେବ ଚୀନ୍ ର ଦାବୀ ସେତିକି ସୁଦୃଢ଼ ହେବ । ଚୀନ୍ ନିଶ୍ଚୟ ଆମ ଅପେକ୍ଷା ବେଶୀ ଶକ୍ତିଶାଳୀ । ତେଣୁ ସୁବିଧା ସମୟ ଦେଖି, କିମ୍ବା ପାକିସ୍ତାନ୍ ସାଙ୍ଗରେ କେତେବେଳେ ଯଦି ଆମ ପଶ୍ଚିମ ପଟରେ ଯୁଦ୍ଧ ହୁଏ, ସେତେବେଳେ ପୂର୍ବ ବା ଉତ୍ତର ପଟେ ଚୀନ୍ ତାହାର ନାଟ ଆରମ୍ଭ କରିଦେବ । ଭାରତ-ଚୀନ୍ ସୀମାକୁ ଅସ୍ପଷ୍ଟ ଓ ଅନିର୍ଦ୍ଧାରିତ ରଖିବା ମୋଟେ ନିରାପଦ ନୁହେଁ । ଯେଉଁମାନେ ଦେଶଭକ୍ତ ଶାସକ, ସେମାନେ ପୁରୁଣା ଓ ବର୍ତ୍ତମାନର ବିବାଦ ଗୁଡ଼ିକର ମୀମାଂସା କରାଇ ଭବିଷ୍ୟତ ବଂଶଧରମାନଙ୍କର ପଥକୁ ସୁଗମ କରନ୍ତି । ଭାରତରେ ଏହାର ଓଲଟା ହେଉଅଛି ।
ଚୀନ୍ ସାଙ୍ଗରେ ଭାରତର ବିବାଦ ଯେତିକି ବିଳମ୍ବିତ ହେଉଛି, ପାକିସ୍ତାନ୍ ର ଚୀନ୍ ସହିତ ସମ୍ପର୍କ ସେତିକି ଘନିଷ୍ଠ ହେଉଛି । ଭାରତର ବିଶାଳ ବଜାର ଉପରେ ଲୋଲୁପ ଦୃଷ୍ଟି ପକେଇ ଆମେରିକା ଭାରତର ବନ୍ଧୁତା ଚାହେଁ । କିନ୍ତୁ ପାକିସ୍ତାନ୍ ତାହାର ଗେହ୍ଲା ପୁଅ । ପାକିସ୍ତାନ୍ ର ଶାସକ ଶ୍ରେଣୀ ଆମେରିକାର ପୁରା ଗୋଲାମୀ ସ୍ୱୀକାର କରିଛନ୍ତି । ଭାରତର ଶିକ୍ଷିତ ଶ୍ରେଣୀ ଦ୍ୱିଧାଯୁକ୍ତ ହୋଇ ଆମେରିକାର ଗୋଲାମୀ ଚାହାନ୍ତି । ତେଣୁ ବଜାର ହରାଇବାର ଭୟ ଆମେରିକାର ନାହିଁ । ଯୁଦ୍ଧରେ ଜୟ ପରାଜୟ ଯାହା ହେଉ, ଆମେରିକା ପାକିସ୍ତାନ୍ କୁ ଅପମାନିତ ହେବାକୁ ଦେବନାହିଁ ।

ଏପର୍ଯ୍ୟନ୍ତ ବାଜପେୟୀ ସରକାର ଯାହା କରିଛି, ତଦ୍ୱାରା ପାକିସ୍ତାନ୍-ଚୀନ୍-ଆମେରିକାର ତ୍ରିକୋଣ ମଜବୁତ୍ ହୋଇଛି । କେତେକ ଭା..ପା. ମନ୍ତ୍ରୀଙ୍କର ମୁଣ୍ଡ ଖରାପ ହୋଇଛି । ସେମାନେ ଯୁଦ୍ଧଂଦେହି ସ୍ୱରରେ କଥାବାର୍ତ୍ତା କରୁଛନ୍ତି । ଏଭଳି ନୀତି ଅନୁସରଣ କରି ସେମାନେ କେବେ ହେଲେ କାଶ୍ମୀର୍ ସମସ୍ୟାର ସମାଧାନ କରିପାରିବେ ନାହିଁ । ବାଜପେୟୀ ସରକାର ପୂରା ପାଞ୍ଚବର୍ଷ କାଳ ଗାଦୀରେ ରହିଲେ ମଧ୍ୟ ସେମାନେ ଏହା କରିପାରିବେ ନାହିଁ । ବିଦେଶ ନୀତି ବା କୂଟନୀତି ସ୍ତରରେ ଭାରତ କୌଣସି ଆନ୍ତର୍ଜାତିକ ଆଧାର ସୃଷ୍ଟି କରିନାହିଁ।

ନେହେରୁଙ୍କ ସମୟରେ ବିଦେଶୀ ନୀତିର ଗୋଟିଏ ଲୋକପ୍ରିୟତା ଥିଲା । ସାଧାରଣ ଶିକ୍ଷିତ ଲୋକମାନେ ବିଦେଶ ନୀତିର ଚର୍ଚ୍ଚା କରୁଥିଲେ । କିନ୍ତୁ ନେହେରୁଙ୍କ ନୀତିରେ କେବଳ ଉପରେ ଖୋଳପାଟି ସୁନ୍ଦର ଥିଲା। ଭିତରେ କୂଟନୀତିର ଗଭୀରତା ନଥିଲା । ପଡ଼ୋଶୀ ଦେଶମାନଙ୍କ ସାଙ୍ଗରେ ସମ୍ପର୍କକୁ ମଜବୁତ ନକରି, ସେ ଗୋରା ଦେଶମାନଙ୍କର ‘କମନ୍ୱେଲଥ୍’କୁ ବିଦେଶ ସମ୍ପର୍କର ମୂଳଦୁଆ କରିବାକୁ ଚାହିଁଲେ । ବାରମ୍ବାର ସେସବୁ ଦେଶକୁ ଗସ୍ତ କଲେ । ଏହି ସମ୍ପର୍କ ଭାରତର ଆପଦ ବିପଦରେ କେବେ କୌଣସି କାମରେ ଆସିବ ନାହିଁ । ପଡ଼ୋଶୀମାନଙ୍କୁ ଆମେ ହୀନ ଦୃଷ୍ଟିରେ ଦେଖିଲୁ । ଗୋଷ୍ଠୀ ନିରପେକ୍ଷ ଫୋରମ୍ ରେ ବହୁତ ସମ୍ଭାବନା ଥିଲା । କିନ୍ତୁ ଏହାର ଏକ ନିଜସ୍ୱ ନୀତି ବା ଚରିତ୍ର ବିକଶିତ ହୋଇପାରିଲା ନାହିଁ । କେତେ ଦେଶ ସୋଭିଏତ୍ ରୁଷ୍ ଓ ଅନ୍ୟ କେତେକ ଆର୍ଥିକ ସାହାଯ୍ୟ ପାଇଁ ଆମେରିକୀୟ ଗୋଷ୍ଠୀ ଉପରେ ଓ ପ୍ରତିରକ୍ଷା ପାଇଁ ସୋଭିଏତ ରୁଷ୍ ଉପରେ ଆଶ୍ରିତ ହେଲେ । ୧୯୯୦ ମସିହାରେ ସୋଭିଏତ୍ ରୁଷ୍ ର ପତନ ପରେ ଏ ମଝିବାଲାଙ୍କର ସଙ୍ଗଠନର ଗୁରୁତ୍ୱ ରହିଲା ନାହିଁ । ଏବେ ଭାରତ ସମ୍ପୂର୍ଣ୍ଣ ଏକେଲା । କୌଣସି ସଂଘ ବା ମହାସଂଘ ତା ପଛରେ ନାହିଁ । କିମ୍ବା ତାହାର ବଶ୍ୟତା ସ୍ୱୀକାର କରିବା ପାଇଁ ମଧ୍ୟ କେହି ପ୍ରସ୍ତୁତ ନୁହନ୍ତି ।

No comments:

Post a Comment