ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ପ୍ରଥମ ବଲ୍ଲୀ : ଶ୍ଲୋକ ୨
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଚପଳ ବାଳକମତି ଅବିବେକୀ ନରେ
ଅନୁରାଗ ପ୍ରକାଶନ୍ତି ବାହ୍ୟ ପ୍ରକାଶରେ ।
ସୁଖଶଯ୍ୟା ଧନ ମାନ ବନିତା ବିଳାସ
ଏ ଆଦି ଅନିତ୍ୟ କାମେ କରନ୍ତି ପ୍ରୟାସ ।
ସୁବିସ୍ତୀର୍ଣ୍ଣ ମୃତ୍ୟୁପାଶେ ହୁଅନ୍ତି ସେ ବନ୍ଦୀ
ଅବିଦ୍ୟା ଅନ୍ଧାରେ ବୃଥା କାମ କର୍ମେ ଛନ୍ଦି ।
ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯନ୍ତ୍ରଣା ଅପାର
ଲଭନ୍ତି ଏ ମର୍ତ୍ତ୍ୟଧାମେ ଆସି ବାରମ୍ବାର ।
ବିବେକୀ ପୁରୁଷ ତେଣୁ ତେଜି ଭୋଗରାଶି
ଅମୃତତ୍ୱ ଲାଗି ହୁଏ ଏକାନ୍ତ ପ୍ରୟାସୀ ।
ଜାଣନ୍ତି ସେ ସ୍ୱର୍ଗେ ନାହିଁ ପ୍ରକୃତ ଅମୃତ
ପୂଣ୍ୟକ୍ଷୟେ ସ୍ୱର୍ଗୁ ଜୀବ ହୁଏ ପ୍ରତ୍ୟାବୃତ୍ତ ।
ଆତ୍ମଲାଭେ ମିଳେ ଏକା ଚିର ଅମୃତତ୍ତ୍ୱ
ବୁଝି ଜ୍ଞାନୀ ଜନ ଏହି ସତ୍ୟ ସାରତତ୍ତ୍ୱ ।
ଆତ୍ମା ଧୃବ ଅନ୍ୟ ସବୁ ଅଧୃବ ଜଗତେ
ନିର୍ଦ୍ଧାର୍ଯ୍ୟ ଜାଣି ଏ ତଥ୍ୟ ନିଜ ହୃଦଗତେ,
ଅନିତ୍ୟ ବିଷୟେ କେବେ ନ କରେ କାମନା
ଲୋଡ଼େ ନାହିଁ ପୁତ୍ର ବିତ୍ତ ଲୋକ ସମ୍ବାବନା ।
ବିଜ୍ଞାନ ସ୍ୱରୂପ ଆତ୍ମା, ଆତ୍ମାର ପ୍ରେରଣେ
ଜାଣନ୍ତି ବିଷୟରାଶି ଅନୁଭବେ ଜନେ । (ନ.ଉ. ୨।୧। ୨୩)
No comments:
Post a Comment