Wednesday, August 24, 2016

କଟକ ବିଜୟ

(ଶ୍ରୀଯୁକ୍ତ ଚିନ୍ତାମଣି ଆଚାର୍ଯ୍ୟ ବି.ଏଲ୍., ଏମ୍.ଆର୍. .ଏସ୍)


୧୮୧୩ ମସିହାର ଜଣେ ମରାଠା ସୈନିକଙ୍କର ଚିତ୍ର
ଚିତ୍ର - ବ୍ରିଟିଶ୍ ଲେଖକ ଓ କଳାକାର ଜେମ୍ସ୍ ଫୋବ୍ସ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଭାରତ  ବର୍ଷରେ ଇଂରେଜମାନେ ସବୁ ଅଞ୍ଚଳ ଜୟ କଲା ପରେ ଓଡ଼ିଶା ଜୟ କରିଥିଲେ । ମରହଟ୍ଟାମାନେ ୧୮୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାର ରାଜା ଥିଲେ । ଇଂରାଜମାନେ ୧୯୦୩ ଅବ୍ଦ ପୂର୍ବରୁ ଉତ୍ତରରେ ବଙ୍ଗଦେଶ ପ୍ରଭୃତି ଓ ଦକ୍ଷିଣରେ ଗଞ୍ଜାମ ପର୍ଯ୍ୟନ୍ତ ଅଧିକାର କରିସାରିଥିଲେ; କିନ୍ତୁ ମରହଟ୍ଟାମାନଙ୍କର ଜୁଲୁମ ହେତୁରୁ ସେହି ଅଞ୍ଚଳମାନଙ୍କର ରାଜସ୍ୱ ନିୟମିତ ରୂପେ ଆଦାୟ ହୋଇ ପାରୁ ନ ଥିଲା । ମରହଟ୍ଟାମାନଙ୍କୁ ଏକାବେଳକେ ତଡ଼ି ଦେଇ ନ ପାରିଲେ ସୁୁବିଧା ହେବ ନାହିଁ ବୋଲି ଗଞ୍ଜାମର କିଲଟର ଲେଖିଲେ । ସେତେବେଳେ ଲର୍ଡ଼ ଉଏଲସଲି ଭାରତବର୍ଷର ବଡ଼ଲାଟ । ଦଳେ ସୈନ୍ୟ ପଠାଇବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ମରହଟ୍ଟାମାନଙ୍କୁ ଏକାବେଳେକେ ଦୂର କରିଦେବା ନିମନ୍ତେ ଲାଟ ସାହେବ ପ୍ରତିଜ୍ଞା କରିଥିଲେ । 

୧୮୦୩ ଅବ୍ଦର ଜୁଲାଇ ମାସରେ ଗଞ୍ଜାମର ରାଜକର୍ମଚାରିମାନେ ଯୁଦ୍ଧ ସାମଗ୍ରୀମାନ ଓ ସୈନ୍ୟମାନଙ୍କର ଖାଦ୍ୟଦ୍ରବ୍ୟାଦିର  ଆୟୋଜନ କରିବାରେ ଲାଗିଲେ । ଟ ୪୫୦୦୦୦/ ଖରଚ କରିବାକୁ ଗଞ୍ଜାମ କିଲଟରଙ୍କୁ ଆଦେଶ ଦିଆ ଯାଇଥିଲା । ପାଞ୍ଚ ସପ୍ତାହ ମଧ୍ୟରେ ସମସ୍ତ ଆୟୋଜନ ହୋଇଗଲା । ୨୪୦୦ ଶହ ଦେଶୀ ଓ ୬୦୦ ସାହେବ ସୈନ୍ୟ ଆସିଲେ । 

ସେପ୍ଟେମ୍ବର ମାସ ୪ ତାରିଖରେ ସୈନ୍ୟମାନେ ଗଞ୍ଜାମଠାରୁ ଯୁଦ୍ଧଯାତ୍ରା କଲେ । ସେହି ସୈନ୍ୟମାନଙ୍କର ସେନାପତି ହେଲେ କର୍ଣ୍ଣେଲ ହାରକଟ୍ । ଇଂରେଜ ସୈନ୍ୟ ପ୍ରଥମ ରାତିରେ ପ୍ରୟାଗୀ ନଦୀକୂଳରେ ରହିଲେ । ତହିଁ ପରଦିନ ଓଡ଼ିଶା ସୀମାରେ ପହଞ୍ଚିଲେ । ସେମାନଙ୍କ ସଙ୍ଗେ ୮୦୦ ଖଣ୍ଡ ବଳଦଗାଡ଼ିରେ ଖାଦ୍ୟସାମଗ୍ରୀ ଓ  ଟ ୧୪୫ ୦୦୦/  ଆସିଥିଲା । 

ମରହଟ୍ଟାମାନେ ସେମାନଙ୍କ ରାଜତ୍ୱର ଶେଷ କାଳରେ ଏତେ ଦୂର ଅତ୍ୟାଚାର ଆରମ୍ଭ କରିଥିଲେ ଯେ, ଲୋକେ ସେମାନଙ୍କୁ ବିଶେଷ ଘୃଣା କରୁଥିଲେ; ଓଡ଼ିଶାର ପ୍ରଧାନ ପ୍ରଧାନ ଲୋକମାନେ ଇ‌ଂରାଜ ସୈନ୍ୟମାନଙ୍କ ଆଗମନ ବିଷୟ ଜାଣି ପାରି ସେମାନଙ୍କର ଶରଣାପନ୍ନ ହେଲେ । ପୁରୀ ଓ ଅନ୍ୟାନ୍ୟ ଧର୍ମସ୍ଥାନମାନଙ୍କର ପଣ୍ଡା ଓ ପଢ଼ିହାରୀମାନେ ସେମାନଙ୍କର ଶରଣ ପଶି ଜଣାଇଲେ, "ଆପଣମାନେ ରାଜ୍ୟ ଅଧିକାର କରନ୍ତୁ ମରହଟ୍ଟାମାନଙ୍କୁ ତଡ଼ି ଦେଉନ୍ତୁ; ଆମ୍ଭମାନଙ୍କର ରକ୍ଷଣାବେକ୍ଷଣ କରନ୍ତୁ; କିନ୍ତୁ ଆମ୍ଭମାନଙ୍କର ଧର୍ମରେ ହସ୍ତକ୍ଷେପ ନ କରନ୍ତୁ ।" ହିନ୍ଦୁଧର୍ମରେ କାହିଁକି, ଭାରତୀୟ କୌଣସି ଧର୍ମରେ ହସ୍ତକ୍ଷେପ ନ କରିବା ଇଂରାଜ ଶାସନର ମୂଳ ନୀତି ।

୧୮ ତାରିଖ ସେପ୍ଟେମ୍ବରରେ ଇଂରାଜ ସୈନ୍ୟ ପୁରୀରେ ଉପସ୍ଥିତ ହେଲେ । ଏହି ଚଉଦ ଦିନ ମଧ୍ୟରେ ମରହଟ୍ଟାମାନେ କଣ କରୁଥିଲେ ସେମାନେ ଓଡିଶାବାସୀଙ୍କର ସାହାଯ୍ୟ ଲୋଡିଥିଲେ ମଧ୍ୟ ପାଇଲେ ନାହିଁ । ମରହଟ୍ଟା ସୈନ୍ୟମାନେ ଭାର୍ଗବୀ ନଦୀକୂଳରେ ଏକତ୍ରିତ ହେଲେ । ସେ ସମୟରେ ବର୍ଷାକାଳ; ନଦୀ ବୃଦ୍ଧି ହେତୁରୁ ନଦୀ ପାର ହେବା ଇଂରାଜମାନଙ୍କ ପକ୍ଷରେ ଦୁଃସାଧ୍ୟ ହୋଇ ଥିଲେ ମଧ୍ୟ ସେମାନେ ସାହସପୂର୍ବକ ନଦୀ ପାର ହୋଇ ମରହଟ୍ଟା ସୈନ୍ୟମାନଙ୍କୁ ଆକ୍ରମଣ କଲେ; ମରହଟ୍ଟା ସୈନ୍ୟମାନେ ପରାସ୍ତ ହୋଇ ପଳାୟନ କଲେ । ଇଂରାଜ ସୈନ୍ୟମାନେ ସେମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ପଚାଶ ମାଇଲ ପର୍ଯ୍ୟନ୍ତ ତଡ଼ି ଘେନି ଯାଇଥିଲେ । ମରହଟ୍ଟାମାନଙ୍କ ପକ୍ଷରୁ ଯେଉଁମାନଙ୍କ ଉପରେ ଘାଟ ଜଗିବା ଭାର ଥିଲା, ସେମାନେ ବିଶ୍ୱାସଘାତକତା କରି ଘାଟ ଛାଡ଼ି ଦେଲେ ।

ଅକ୍ଟୋବର ମାସର ୨ ତାରିଖରେ ମରହଟ୍ଟା ସୈନ୍ୟମାନେ ସେମାନଙ୍କ ଶିବିରରେ ଭୋଜନ କାର୍ଯ୍ୟରେ ନିଯୁକ୍ତ ଥିବା ସମୟରେ ଇଂରାଜ ସୈନ୍ୟ ଅଜ୍ଞାତଭାବରେ ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ପୁନର୍ବାର ବହୁଦୂରକୁ ତଡ଼ି ଦେଇଥିଲେ ।

କଟକ ନଗର ଆକ୍ରମଣ କରିବାକୁ ଇଂରାଜମାନଙ୍କୁ କୌଣସି କଷ୍ଟ ସହ୍ୟ କରିବାକୁ ହୋଇ ନାହିଁ । ଲାଲବାଗ ଫାଟକ ଦେଇ ସେମାନେ କଟକ ନଗରରେ ପ୍ରବେଶ କରିଥିଲେ । କେହି ସେମାନଙ୍କ ଗତି ରୋଧ କରି ନ ଥିଲା;  ଛ ଦିନ ମଧ୍ୟରେ ସେମାନଙ୍କର ବନ୍ଧୁକ, ତୋପ, ଗୁଲି ସବୁ ଆସି ପହଞ୍ଚିଗଲା । ଛ ଦିନ ସେମାନେ କିଲ୍ଲାର ଦୁର୍ଗଦ୍ୱାରରେ ଉପସ୍ଥିତ ହେଲେ । ଅକ୍ଟୋବର ମାସ ୧୪ ତାରିଖ ଦିନ ୧୦ଟା ସମୟରେ ଜଣେ ପ୍ରଧାନ ଇଂରାଜ ସୈନିକ ଓଡ଼ିଶାର ପ୍ରାଚୀନ କୀର୍ତ୍ତି ସେହି ଦୁର୍ଗଦ୍ୱାରକୁ ତୋପଦ୍ୱାରା ଫଟାଇ ଦେଇଥିଲେ । 
ଦୁର୍ଗ ମଧ୍ୟସ୍ଥ ବିପକ୍ଷ ସେନାମାନେ ଇଂରାଜ ସେନାଙ୍କୁ ଆକ୍ରମଣ କଲେ । କିଛି ସମୟ ଯୁଦ୍ଧ ହେଲା । ବିପକ୍ଷପକ୍ଷର ସେନାପତିଙ୍କ ପାଦରେ ହଠାତ ଆଘାତ ହେବାରୁ ସେ ତଳେ ପଡ଼ିଗଲେ, ମରହଟ୍ଟାମାନେ ତହିଁ ଉତ୍ତାରୁ ଦୁର୍ଗର ପ୍ରାଚୀରବାଟେ ଡେଇଁ ପଳାଇବାକୁ ଲାଗିଲେ । ଏହି ଯୁଦ୍ଧରେ ତିରିଶ ଜଣ ମରହଟ୍ଟାଙ୍କର ମୃତ୍ୟୁ ହୋଇଥିଲା । ଯୁଦ୍ଧ ଶେଷରେ ସେମାନଙ୍କ ମୃତଦେହକୁ ବଳଦଗାଡ଼ିରେ ମହାନଦୀ କୂଳକୁ ନେଇ ଫିଙ୍ଗି ଦିଆଯାଇଥିଲା । ଏହି ୧୪ ତାରିଖଠାରୁ ସମଗ୍ର ଉତ୍କଳଖଣ୍ଡ ଇଂରାଜ ଶାସନରେ ରହିଲା ।  

କର୍ଣ୍ଣେଲ ହାରକଟ୍ କଟକର ଭାର ନେଲେ । ଜେମସ୍ ହଣ୍ଟର ସାହେବଙ୍କୁ ସେହି ଦିନ ପୁରୀ ପଠାଗଲା । କଟକ ଓ ପୁରୀର ମଧ୍ୟବର୍ତ୍ତୀ ପିପିଲିଠାରେ ପୁନଶ୍ଚ ମରହଟ୍ଟାମାନଙ୍କ ସହିତ ଥରେ ଯୁଦ୍ଧ ହୋଇଥିଲେ ମଧ୍ୟ ସେଥିରେ ମରହଟ୍ଟା ଶକ୍ତି ଏକାବେଳେକେ ଲୁପ୍ତ ହେଲା; ଇଂରାଜମାନେ ରାଜାଧିରାଜ ହେଲେ । 

ଉଇଲିୟମ ହଣ୍ଟର ସାହେବ ଜଣେ ବଡ଼ ଐତିହାସିକ । ତାଙ୍କ ମତରେ ଓଡ଼ିଶା ସ୍କଟଲଣ୍ଡ ପରି ଗୋଟି ବଡ଼ ଦେଶ ଓ ସ୍କଟଲଣ୍ଡଠାରୁ କୋଡ଼ିଏ ଗୁଣ ଉର୍ବର କ୍ଷେତ୍ର । ଏ ଦେଶକୁ ଇଂରାଜମାନେ କେବଳ ଟ ୪୫୦ ୦୦୦ଓ ପଚାଶ ଲୋକ ସାହାଯ୍ୟରେ ଅଧିକାର କଲେ । 
ବି. ଦ୍ର. ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ ପଞ୍ଚାମୃତ ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଂଖ୍ୟାରେ ଛପା  ହୋଇଥିଲା ।

No comments:

Post a Comment