Saturday, August 13, 2016

ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ -୧ 

ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 


ଆଇ.ଏନ୍.ଏସ୍ ସାତପୁରା
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବେଳେ ବେଳେ ଏପରି କିଛି ଘଟିଯାଏ ଯାହାର ସାମ୍ନାରେ ଠିଆ ହୋଇ ଆମର ଅନ୍ତରର ଚରିତ୍ରଟିକୁ ଆମେ ଦେଖିପାରୁ । ସେଇ ଘଟଣାର ଦର୍ପଣରେ ଆମର ଗୋଷ୍ଠୀ ଚରିତ୍ର ପ୍ରତିବିମ୍ବିତ ହୋଇଯାଏ । ଏକ ସମଷ୍ଟି ଭାବରେ ଆମର ମସ୍ତିଷ୍କ ଓ ହୃଦୟ କିପରି କାମ କରୁଛି ତାହା ଧରା ପଡ଼ିଯାଏ । ଗତ ୧୧ ମଇ ୧୯୯୮ରୁ ୨୮ ମଇ ୧୯୯୮ ଏଭଳି ଏକ ଘଟଣା ପ୍ରବାହର ସମୟ ଥିଲା । (ଏଗାର ମଇ ଦିନ ଭାରତ ସରକାର ପରମାଣୁ ପରୀକ୍ଷଣ କଲେ ଓ ଅଠେଇଶ୍ ମଇରେ ପାକିସ୍ତାନ୍ ତାହା କଲା ।)

ଆମ ସମାଜରେ ଏକ ମିଶ୍ରିତ ଶ୍ରେଣୀ ଅଛି ଯାହାର କାର୍ଯ୍ୟଶୈଳୀ ଓ ଭାବଭଙ୍ଗିମା ଆମର ଜାତୀୟ ଚରିତ୍ରକୁ ପରିଭାଷିତ କରିଥାଏ । ଏହି ଶ୍ରେଣୀର ଅନୁପାତ ଜନସଂଖ୍ୟାର ବହୁତ ବଡ଼ ଭାଗ ନହେଲେ ମଧ୍ୟ ଆମ ରାଷ୍ଟ୍ରର ଦିଗ ଓ ଦିଗନ୍ତକୁ ନିରୂପଣ କରିବାରେ ତାହାର ଏକ ନିଷ୍ପିମୂଳକ ଭୂମିକା ଥାଏ । ୧୧ ମଇରୁ ୨୮ ମଇ ପର୍ଯ୍ୟନ୍ତ ଓ କିଛିଟା ତାହା ପରେ ମଧ୍ୟ ଏହି ଶ୍ରେଣୀର ତର୍କ-ବିତର୍କ ଓ ଉତ୍ସାହ-ଉଦ୍ଦୀପନା ଆଦିକୁ ସ୍ମରଣ କଲେ ଆମର ରାଷ୍ଟ୍ରୀୟ ଚରିତ୍ର ଓ ରାଷ୍ଟ୍ରୀୟ କ୍ଷମତାର ଗୋଟିଏ ଝଲକ ଦୃଶ୍ୟମାନ ହୁଏ ।

ଏଗାର ମଇର ଘଟଣା ଦିନେ ଦେଢ଼ ଦିନ ଭିତରେ ଟି.ଭି. ଓ ଖବରକାଗଜମାନଙ୍କ ଜରିଆରେ ସମ୍ବାଦରେ ଚହଳ ପକେଇବା ସଙ୍ଗେ ସଙ୍ଗେ ଆମ ଭାବନାର ବେଲୁନ୍ ରେ ହାୱା ଭରିଦେଲା । ଅଠେଇଶି ତାରିଖ ପରେ ସେଥିରୁ ଅଧା ହାୱା ଫୁସ୍ କରି ବାହାରିଗଲା । ଆମେ ଉପରକୁ ଉଠି ଯାଇଥିଲୁ । ପାକିସ୍ତାନ୍ ଆମର ଗୋଡ଼ ଟାଣି ତଳେ ପକେଇ ଦେଲା । ଆମେ ଦୁହେଁ ସମାନ ହୋଇଗଲୁ । ଆମେ ନିଜକୁ ମହାଶକ୍ତି ବୋଲି ଭାବି ସାରିଥିଲୁ । ପାକିସ୍ତାନ୍ ଜଣାଇଦେଲା ଯେ ପାକିସ୍ଥାନ୍ ଯେଉଁ ଶ୍ରେଣୀର ଶକ୍ତି, ଆମେ ବି ସେଇ ଶ୍ରେଣୀର ଶକ୍ତି । ଜୁନ୍ ତିନି ତାରିଖରେ ବିଭିନ୍ନ ରାଜ୍ୟକୁ ମିଶାଇ ଗୁଡ଼ାଏ ଉପନିର୍ବାଚନ ଥିଲା । ଯେଉଁ ଦଳର ନିଷ୍ପତ୍ତି ଓ ନୀତି ଫଳରେ ଆମକୁ ଏକ ମହାଶକ୍ତିର ଭାବନା ମିଳିଥିଲା, ତାହାକୁ ଏହି ନିର୍ବାଚନମାନଙ୍କରୁ କୌଣସି ବିଶେଷ ଭୋଟ୍ ମିଳିଥିବାର ଜଣାପଡ଼ିଲା ନାହିଁ । ଅର୍ଥାତ୍, ଗୌରବାନୁଭୂତିର ତୀବ୍ରତା କମି ସାରିଥିଲା ।

ତେବେ ସେଇ ମହାନ ଅନୁଭବର ତୀବ୍ରତା କମିଗଲେ ସୁଦ୍ଧା ସେଇ ବାସନା ରହିଗଲା । ଯେଉଁ ବୋମା ଆମକୁ ଏତେ ଉପରକୁ ଉଠାଇ ଦେଇଥିଲା ଓ ଏକ ଅଦ୍ଭୁତପୂର୍ବ ବିନୟର ଶିହରଣ ଆଣି ଦେଇଥିଲା, ତାକୁ ଆମେ ନିନ୍ଦା କରିବୁ କିପରି ? ତାହାର ପରୀକ୍ଷଣକୁ ଅନୁଚିତ ବୋଲି କହିବୁ କିପରି ? ଯେଉଁମାନେ ଛଅ ଅଗଷ୍ଟ୍ ହିରୋସୀମା ଦିବସ ପାଳନ କଲେ, ନିଶ୍ଚୟ ଆମ ରାଷ୍ଟ୍ରୀୟ ଚରିତ୍ରର ପରିପନ୍ଥୀ ଏକ ଅସାମାଜିକ ଗୋଷ୍ଠୀ । ଏଗାର ମଇ ଦିନ ଭାରତୀୟ ଜନତା ପାର୍ଟି (ଭା..ପା)ର ବଡ଼ ବଡ଼ ଶତ୍ରୁମାନେ ସ୍ତବ୍ଧ ହୋଇଯାଇଥିଲେ । ପ୍ରଚଳିତ ରାଜନୀତିରେ ଭା..ପା.ର ସବୁଠାରୁ ବଡ଼ପାଟିଆ ଶତ୍ରୁ ହେଉଛନ୍ତି କମୁ୍ୟନିଷ୍ଟ୍ ମାନେ । କେତେଦିନ ପର୍ଯ୍ୟନ୍ତ ସେମାନଙ୍କ ମୁହଁରୁ କଥା ବାହାରିଲା ନାହିଁ । ସେମାନେ ପ୍ରଥମେ ଯେତେବେଳେ ମୁହଁ ଖୋଲିଲେ ସେତେବେଳେ ନିନ୍ଦା କରିବେ କି ପ୍ରଶଂସା କରିବେ ଏହାର ଦ୍ୱନ୍ଦ୍ୱ ସରି ନଥାଏ । ମାର୍କ୍ସବାଦୀ ଦଳର ମହାସଚିବ ହରିକିଶନ୍ ପ୍ରଶଂସା କଲେ । କହିଲେ ଯେ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏହି ଅତ୍ୟାଧୁନିକ ଟେକ୍ନୋଲଜି କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ଧନ୍ୟବାଦର ପାତ୍ର ହୋଇଛନ୍ତି । ଏଭଳି ବିବୃତି ଯେ ବୋମା ବିସ୍ପୋରଣକୁ ଗୌରବାନ୍ୱିତ ନ କରିଛି, ତାହା କମ୍ୟୁନିଷ୍ଟ୍ ବୁଦ୍ଧିଜୀବୀମାନେ କହିପାରିବେ କି ? ଅଠେଇଶ ମଇରେ ଯେତେବେଳେ ପାକିସ୍ତାନ୍ ବୋମା ବିସ୍ପୋରଣ କଲା, ଏସିଆର ଆଉ ଏକ ଦେଶ ଏହି ଆଧୁନିକତମ ଟେକ୍ନୋଲୋଜିରେ ପାରଙ୍ଗମ ହୋଇଗଲା ବୋଲି ସେମାନେ ପୁନର୍ବାର ବିବୃତି ଦେଇଥାନ୍ତେ । ତାଙ୍କର ରାଷ୍ଟ୍ରଭକ୍ତି ବାଧା ଦେଲା କି ? ଭାରତୀୟ ଜନତାପାର୍ଟିରୁ ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ଦଳ ପର୍ଯ୍ୟନ୍ତ ସଭିଙ୍କର ମସ୍ତିଷ୍କ କ’ଣ ଏକା ଭଳି କାମ କରୁଛି ?

ପରମାଣୁ ବୋମାକୁ ‘ସମସ୍ତେ’ ସ୍ୱାଗତ କଲେ ବୋଲି କହିଲେ ବେଶୀ ଭୁଲ ହେବନାହିଁ । ଯେଉଁମାନେ ବିରୋଧ କଲେ ସେମାନଙ୍କୁ କୌଣସି ଗୋଟିଏ ଭାବଧାରାରେ ବାନ୍ଧି ହେବନାହିଁ । କେତେକ ଗାନ୍ଧିବାଦୀ ମଧ୍ୟ ସ୍ୱାଗତ କରିଛନ୍ତି ବୋଲି ଜଣାପଡ଼ିଛି । ସେଥିରୁ ବୁଝି ହୁଏ ଯେ ରାଷ୍ଟ୍ରୀୟ ମାନସର ଉତ୍ସାହ କେତେ ତୀବ୍ର ଥିଲା । ଯେଉଁମାନେ ବିରୋଧ କଲେ, ସେମାନଙ୍କ ଭିତରେ ଗାନ୍ଧିବାଦୀ, ମାନବତାବାଦୀ, ବୈଜ୍ଞାନିକ ଓ ପରିବେଶବାଦୀଙ୍କର ଛୋଟ ଛୋଟ ଗୋଷ୍ଠୀ ଥିଲେ । କେତେ ପ୍ରକାରର ବୁଦ୍ଧିଜୀବୀ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ୱ ବଜାର ସାଙ୍ଗରେ ଏପରି ମିଶାଇ ଦେଲେଣି ଯେ ଦେଶ ଓ ରାଷ୍ଟ୍ରର ଭାବନାକୁ ସଂକୀର୍ଣ୍ଣ ବୋଲି ବିଚାର କରନ୍ତି । ଦାରିଦ୍ର୍ୟ ହଟେଇବା ପାଇଁ ଖର୍ଚ୍ଚ ନକରି ବୋମା ତିଆରିରେ ଖର୍ଚ୍ଚ ହେଉଛି ବୋଲି ସେମାନେ ଆକ୍ଷେପ କରନ୍ତି । ସତେ ଯେପରି ପ୍ରତିରକ୍ଷା ଖର୍ଚ୍ଚରେ ବୃଦ୍ଧି ଯୋଗୁଁ ହିଁ ଦେଶରେ ଦାରିଦ୍ର୍ୟ ବଢ଼ିଚାଲିଛି । ଆଉ ଏକ ଗୋଷ୍ଠୀ ଉଗ୍ର ଆଧୁନିକତାବାଦର ଫେଶନକୁ ଅନୁସରଣ କରୁଛନ୍ତି । ରାଷ୍ଟ୍ର ଏକ ଅତ୍ୟାଚାରୀ ସଂସ୍ଥା । ତାକୁ ଆଉ ବେଶୀ ଅସ୍ତ୍ରଶସ୍ତ୍ର ଦେବାଦ୍ୱାରା ମଣିଷମାନେ ଅସହାୟ ହୋଇପଡ଼ିବେ ବୋଲି ସେମାନେ ତର୍କ କରନ୍ତି । କଥାଗୁଡ଼ିକ ବେଶ ଉଚ୍ଚ ବିଚାର ମଣ୍ଡିତ । କିନ୍ତୁ ଏହି ଉଚ୍ଚ ବିଚାରର ଗୋଷ୍ଠୀଦ୍ୱୟ ବଜାରର ସାର୍ବଭୌମିକତାରେ ଚିନ୍ତିତ ହେଉ ନାହାନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ଖୋଲାବଜାରର ଶକ୍ତି ଯେପରି ବଢ଼ିଚାଲିଛି ଓ ତାହା ଫଳରେ ଜନସାଧାରଣଙ୍କ ଜୀବନ ଯେପରି ଅସହାୟ ହୋଇଯାଉଛି, ସେଥିପ୍ରତି ଏମାନେ ସମ୍ବେଦନଶୀଳ ନୁହନ୍ତି । ନିତ୍ୟନୂତନ ଉପଭୋଗ ସାମଗ୍ରୀର ଉଦ୍ଭାବନରେ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଯେପରି ଲାଗିପଡ଼ିଛନ୍ତି ଓ ଯାହା ଫଳରେ ଭୋଗବିଳାସ ଓ ଆରାମଦାୟକ ଜିନିଷ ଉପରେ ଖର୍ଚ୍ଚ ସବୁ ବଢ଼ିଚାଲିଛି, ଏଥିପ୍ରତି ସେମାନେ ଉଦାସୀନ । ଏହିସବୁ ଅନାବଶ୍ୟକ ଓ ଅପସଂସ୍କୃତିକାରକ ଖର୍ଚ୍ଚ ଦାରିଦ୍ର୍ୟକୁ ବଢ଼ାଉଛି ବୋଲି ସେମାନେ ବିବେଚନା କରନ୍ତି ନାହିଁ  ।

No comments:

Post a Comment