ପିଲାଙ୍କ ଗୀତ - 'ଅଦିନ ମେଘ'
ପଲ୍ଲିକବି ନନ୍ଦକିଶୋର ବଳ
![]() |
କଲମ୍ବିଆର ରାଜଧାନୀ ବୋଗୋଟାରେ ଅଦିନିଆ ବର୍ଷା ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଖରା କରୁଅଛି ମେଘ ବରଷୁଛି
ବିଲୁଆ ପୁଅର ବିଭା,
ଗାତରୁ ବାହାରି ହିଡ଼ରେ କଙ୍କଡ଼ା
ଖରା ପୋଉଁଛନ୍ତି କିବା ।
ଘୋର ଘଡ଼ଘଡ଼ି ଘଡ଼ଘଡ଼ ରଡ଼ି
କମ୍ପେ ପ୍ରାଣ ତାହା ଶୁଣି,
"ଗରଜିଲା ମେଘ ନ ବରଷେ ପାଣି"
କିଏ କହୁଥାଏ ପୁଣି ।
ଜକ ଜକ ମେଘ ଦିଶଇ ବିଜୁଳି
ତାଳଗଛ ଯାଏ ଜଳି,
ପିଲାଏ ଶୁଣିଣ ମେଘ ଗରଜନ
ଛାଡ଼ନ୍ତି ଉଝଟ ଅଳି ।
ବିଜୁଳି ଚମକେ ଦୂର ଆକାଶରେ
ଦିଶେ ସୁନାଲଟା ପରି ,
ଶବଦ ମାତର ଘଡ଼ଘଡ଼ି ସିନା
ତାହାକୁ କିପାଇଁ ଡରି ।
ପାଣି ସାଙ୍ଗେ ପଡ଼େ ସରଗ ପଥର
ତାହା ଦେଖି ପିଲାମାନେ,
ସାଉଁଟି ଖାଇଣ ଗୀତ ଗାଉଥାନ୍ତି
ନାଚି କୁଦି ତାନମାନେ ।
No comments:
Post a Comment