ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ତୃତୀୟ ବଲ୍ଲୀ : ଶ୍ଲୋକ ୧୨
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପରମାତ୍ମା ସର୍ବଭୂତେ ଛନ୍ତି ବିଦ୍ୟମାନ
ଭୂଗର୍ଭେ ଉଜ୍ଜ୍ୱଳ-ରତ୍ନ ସମ୍ପଦ ସମାନ ।
ମୃତ୍ତିକାର ଆବରଣେ ଥିଲେ ରତ୍ନରାଶି
ନ ଦିଶଇ ଜନନେତ୍ରେ ଯେସନେ ଉଦ୍ଭାସି ।
ଇନ୍ଦ୍ରିୟ ବିଷୟ ମୋହେ ଆବୃତ ତେସନ
ନ ଦେଖନ୍ତି ପରମାତ୍ମା ରୂପେ ସର୍ବଜନ ।
ସୂକ୍ଷ୍ମୁ ସୂକ୍ଷ୍ମତର, ତହୁଁ କ୍ରମେ ସୂକ୍ଷ୍ମତମ
ଇନ୍ଦ୍ରିୟରୁ କ୍ରମେ ଯେହୁ ଭେଦନ୍ତି ପରମ ।
ସେହି ଯୋଗସିଦ୍ଧ ଧୀର ସୂକ୍ଷ୍ମଦର୍ଶୀ ଜନ
ସୂକ୍ଷ୍ମ ବୁଦ୍ଧି ବଳେ ଆତ୍ମା କରନ୍ତି ଦର୍ଶନ ।
ଇନ୍ଦ୍ରିୟ, ଇନ୍ଦ୍ରିୟ-ଅର୍ଥ, ମନ, ବୁଦ୍ଧି ଜୀବ
ଅବ୍ୟକ୍ତ ପୁରୁଷ କ୍ରମେ ସୂକ୍ଷ୍ମତ୍ତ୍ୱ ବୁଝିବ ।
ଏକୁଁ ଏକ ସୂକ୍ଷ୍ମତର ଶେଷ ସୂକ୍ଷ୍ମତମ
ପୁରୁଷ ଅନ୍ତିମ ନିଷ୍ଠା ପ୍ରଧାନ ପରମ ।
ସ୍ଥୁଳର କାରଣ ସୂକ୍ଷ୍ମ ସୂକ୍ଷ୍ମୁ ସ୍ଥୁଳ ଜାତ
ଏ ନିୟମେ ହୁଏ ସୃଷ୍ଟିତତ୍ତ୍ ପ୍ରତିଭାତ ।
ବୁଝି ପ୍ରାଜ୍ଞଜନ ଏହି ସୃଷ୍ଟି ତତ୍ତ୍ୱଗତି
ସାଧିଲେ ସଞ୍ଜମେ ହୁଏ ପରମ ପ୍ରାପତି । (ନ.ଉ. ୧।୧୩। ୨୦-୨୧)
No comments:
Post a Comment