ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୮
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଭାରତର
ଲୋକେ ଧରିନେବା ଉଚିତ ଯେ ସେମାନେ
ଏକ ଅତି ଦୁର୍ବଳ ରାଷ୍ଟ୍ର ହୋଇ
ପଡ଼ିଛନ୍ତି । ପାକିସ୍ତାନ୍ ସଙ୍ଗେ
ବିବାଦର ପଚାଶ ବର୍ଷ ପରେ ଓ ଚୀନ୍
ଆକ୍ରମଣର ପଇଁତିରିଶି ବର୍ଷ ପରେ
ଆଉ ବାହାସ୍ଫୋଟ ମାରିବା ଦରକାର
ନାହିଁ । ଆମେ ଯୁଦ୍ଧ ଦ୍ୱାରା
କିମ୍ବା ନିଜର ସର୍ତ୍ତ ଉପରେ ଏ
ସମସ୍ୟାଗୁଡ଼ିକର ସମାଧାନ କରିପାରିବା
ନାହିଁ । ଅଥଚ ଏ ସମସ୍ୟାର ତତ୍କାଳ ସମାଧାନ ନ ହେଲେ ପରିସ୍ଥିତି ଅଧିକ
ଜଟିଳ ହେବ । ମହାଶକ୍ତି ଓ
ଉପମହାଶକ୍ତିମାନେ ତାଙ୍କ ସର୍ତ୍ତ ଅନୁସାରେ ସନ୍ଧି କରିବା ପାଇଁ
ଆମକୁ ବାଧ୍ୟ କରିବେ । ତେଣୁ ତୃତୀୟ
ପକ୍ଷଟିଏ ଖୋଜିବାକୁ ପଡ଼ିପାରେ ।
ଅବଶ୍ୟ ସ୍ୱାଧୀନମନା ତୃତୀୟପକ୍ଷ
ପାଇବା ଅତି କଠିନ । କିନ୍ତୁ ଏହି
ସ୍ଥିତିରେ ଯିଏ ଅଧିକ ନିରପେକ୍ଷ
ସେଭଳି ଏକ ମଧ୍ୟସ୍ଥ ଖୋଜିବାକୁ
ପଡ଼ିବ । ସମାଧାନ ସିଧାସଳଖ ଓ ସ୍ଥାୟୀ ହେବା ଦରକାର । ତାହାହେଲେ
କେତେକ ଭାବରେ କ୍ଷତି ସହି ମଧ୍ୟ
ତୃତୀୟ ପକ୍ଷର ନିଷ୍ପତ୍ତିକୁ ଗ୍ରହଣ
କରାଯାଇପାରେ । ଗୋଟିଏ ବହୁତ ବଡ଼
ବୋଝ ଆମ କାନ୍ଧରୁ ଚାଲିଯିବ ।
ଏହା
କେତେବେଳେ ହୋଇପାରିବ ?
ଯେତେବେଳେ
ଆମେ ପ୍ରକୃତରେ ରାଷ୍ଟ୍ରର ଦୀର୍ଘକାଳ
ଉଦ୍ଦେଶ୍ୟକୁ ନିଷ୍ଠାର ସହିତ
ଗ୍ରହଣ କରିବା ଓ ଆମର ଅର୍ଥନୀତି,
ସମାଜନୀତି
ତଥା ବିଶ୍ୱନୀତିକୁ ନୂଆ ଢାଞ୍ଚାରେ
ପକାଇବାକୁ ଏକମନ ହେବା, ସେତେବେଳେ
କିଛି କ୍ଷତି ସହିଯିବାର ସାହସ
ମଧ୍ୟ ଜାତ ହେବ । ଏହାପରେ ପାକିସ୍ତାନ୍, ବଙ୍ଗଳାଦେଶ,
ଶ୍ରୀଲଙ୍କା
ଓ ନେପାଳ ଇତ୍ୟାଦି ପଡ଼ୋଶୀ ଦେଶମାନଙ୍କୁ
ନେଇ ଏକ ଆଞ୍ଚଳିକ ମହାସଙ୍ଘ ଗଠନ ହିଁ
ଆମର ଭବିଷ୍ୟତ ପ୍ରତିରକ୍ଷାର
ମୁଖ୍ୟ କୌଶଳ ହେବ ।
ରାଷ୍ଟ୍ରବାଦର
ମଧ୍ୟ ସୀମା ଅଛି । ଅନ୍ୟ ଦେଶମାନଙ୍କର ଓ ମାନବ ସମାଜର ସ୍ୱାର୍ଥ ସାଙ୍ଗରେ
ଖାପଖୁଆଇ ରାଷ୍ଟ୍ରବାଦର ବ୍ୟାଖ୍ୟା
ଦରକାର ହେଉଛି । କେତେକ ବୌଦ୍ଧିକ
ମହଲରେ ଜାତୀୟ ରାଷ୍ଟ୍ର (ନେଶନ୍ ଷ୍ଟେଟ୍) ଓ
ରାଷ୍ଟ୍ରର ସାର୍ବଭୌମ କ୍ଷମତା
ଆଦି ଅବଧାରଣାକୁ ତ୍ୟାଗ କରିବା
ପାଇଁ ଆଲୋଚନା ହେଉଛି । କେତେକ
ଆଲୋଚନା କେବଳ ଫେଶନ ସ୍ତରରେ
ହେଉଛି । କିନ୍ତୁ କେତେକ ଆଲୋଚନାରେ
ଗାମ୍ଭୀର୍ଯ୍ୟ ମଧ୍ୟ ଅଛି ।
ମହାଶକ୍ତିମାନ ଓ ତାଙ୍କର ଆର୍ଥିକ
ସାମ୍ରାଜ୍ୟବାଦ ଥିବା ପର୍ଯ୍ୟନ୍ତ
ରାଷ୍ଟ୍ର ଓ ରାଷ୍ଟ୍ରବାଦ ଉଭୟର
ଗୁରୁତ୍ତ୍ୱ ରହିଛି । କିନ୍ତୁ ଏଗୁଡ଼ିକୁ
ଯୁଗୋପଯୋଗୀ କରିବା ପାଇଁ କେତେକ
ସଂଶୋଧନ ଦରକାର । ରାଷ୍ଟ୍ରବାଦକୁ
ସୀମିତ କରିବା ତିନୋଟି ଦିଗରୁ
ଆରମ୍ଭ କରାଯାଇପାରେ ।
ଯେଉଁ
ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ
ଦୀର୍ଘକାଳରୁ ସୀମା ଓ ଅଞ୍ଚଳ ବାବଦରେ
ସଙ୍ଘର୍ଷ ଲାଗିରହିଛି,
ସେମାନେ
ତୃତୀୟ ପକ୍ଷକୁ ମଧ୍ୟସ୍ଥ କରି
ଶୀଘ୍ର ସମାଧାନର ମାର୍ଗ ପ୍ରଶସ୍ତ
କରନ୍ତୁ। ଏସିଆ,
ଆଫ୍ରିକା
ଓ ଦକ୍ଷିଣ ଆମେରିକାର ଦେଶମାନେ
ନିଜ ନିଜ ମହାଦେଶର ନିର୍ଦ୍ଦିଷ୍ଟ
ଅଳକୁ ନେଇ ମହାସଙ୍ଘମାନଙ୍କର
ସ୍ଥାପନା କରନ୍ତୁ। ମହାସଙ୍ଘର
ପ୍ରଥମ ଉଦ୍ଦେଶ୍ୟ ହେବ ପ୍ରତିରକ୍ଷା ।
ତାହାହେଲେ ଆର୍ଥିକ ଓ ରାଜନୈତିକ
ସମନ୍ୱୟର ପ୍ରଶ୍ନ ଆପେ ଆପେ ଉଠିବ ।
‘ସାର୍କ’ ଦେଶମାନଙ୍କର ସଙ୍ଘ ଆଗେଇ
ପାରୁନି,
କାରଣ
ପ୍ରତିରକ୍ଷା ସେମାନଙ୍କର ମୁଖ୍ୟ
ବିଷୟ ନୁହେଁ। ଯଦି
ପ୍ରତିରକ୍ଷା ମହାସଙ୍ଘ ହେବ,
ତାହାହେଲେ
କେତେକ ଦେଶ ରାଷ୍ଟ୍ରୀୟ ସେନାକୁ
ପୁରାପୁରି ତ୍ୟାଗ କରିପାରନ୍ତି ।
ତାହା ଛଡ଼ା କେତେ ପ୍ରକାରର ଅସ୍ତ୍ରକୁ
ଯଦି ମାନବ ସମାଜର ଧ୍ୱଂସକାରୀ
ବୋଲି ପରିଗଣିତ କରାଯାଏ,
ସେହି
ଅସ୍ତ୍ରକୁ ଏକତରଫା ତ୍ୟାଗ କରିବାର
ଘୋଷଣା ମଧ୍ୟ କେତେକ ଦେଶ ଓ ସେମାନଙ୍କର ସଙ୍ଘ କରିବା ଉଚିତ
ହେବ । ପରମାଣୁ ବୋମାକୁ ଏକ ନିଷିଦ୍ଧ
ଅସ୍ତ୍ରରୂପେ ଚିହ୍ନିତ କରାଯିବା
ସର୍ବପ୍ରଥମେ ଦରକାର ।
ଏସବୁ
ସୂତ୍ର ସାଙ୍ଗେ ସାଙ୍ଗେ କାର୍ଯ୍ୟକାରୀ
ହୋଇଯିବ ନାହିଁ। ବିଭିନ୍ନ ଦେଶର
ରାଜନୈତିକ ଓ ବୌଦ୍ଧିକ ଗୋଷ୍ଠୀମାନେ
ଯଦି ଆଜିଠାରୁ ନିରବଚ୍ଛିନ୍ନ
ଭାବରେ ପ୍ରଚାର,
ଆଲୋଚନା
ଓ ଅଭିଯାନ ଚଳାଇବେ ତାହାହେଲେ
ଏକବିଂଶ ଶତାବ୍ଦୀରେ ଏହାର ସୁଫଳ
ମିଳିବ।
No comments:
Post a Comment