Thursday, September 01, 2016

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୩


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ


ନେହେରୁ ଭାରତୀୟ ସମ୍ବିଧାନରେ ସାକ୍ଷର କରୁଛନ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ସାବାଳକ ମତଦାନ ଅଧିକାର, ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଓ ବିଭିନ୍ନ ସଂସ୍ଥା ଦ୍ୱାରା ଶାସକମାନଙ୍କୁ ନିୟନ୍ତ୍ରଣରେ ରଖିବା - ଏହି ତିନୋଟିଯାକ ଗୁଣ ଗଣତନ୍ତ୍ରର ବିଭିନ୍ନ ଢାଞ୍ଚା ବା ପ୍ରଣାଳୀ । କିନ୍ତୁ ରାଜନୀତି ଶାସ୍ତ୍ରର ବିଦ୍ୟାର୍ଥୀମାନେ ଜାଣନ୍ତି ଯେ ବ୍ରିଟେନ୍, ଜର୍ମାନୀ ଓ ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ପରସ୍ପରଠାରୁ ଭିନ୍ନ । ଅତଏବ, ବିକାଶଶୀଳ ବା ନବସ୍ୱାଧୀନ ଦେଶମାନଙ୍କରେ ଏହାର ରୂପ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ପୂରା ଭିନ୍ନ ହୋଇପାରିଥାନ୍ତା । ତାହା ନ ହେବାର କାରଣ ହେଉଛି ଯେ ଔପନିବେଶିକ ଦାସତ୍ୱରୁ ମୁକ୍ତ ହୋଇଥିବା ଶିକ୍ଷିତ ଶ୍ରେଣୀମାନେ ସମ୍ପୂର୍ଣ୍ଣ ନୂଆ ଭାବରେ ଚିନ୍ତା କରିବାକୁ ଭୟ କରିଛନ୍ତି । ତେଣୁ ଗଣତନ୍ତ୍ରର ସ୍ଥାପନା କରିବାକୁ ହେଲେ ବ୍ରିଟେନ୍, ଆମେରିକା ବା ଅନ୍ୟ କୌଣସି ପାଶ୍ଚାତ୍ୟ ଦେଶର ସାମ୍ବିଧାନିକ ଢାଞ୍ଚାରୁ କିଛି କିଛି ସଂଗ୍ରହ କରି ନିଜର ଏକ ବ୍ୟବସ୍ଥା ଗଢ଼ି ନେବା ଗୋଟିଏ ସହଜ ପନ୍ଥା ହୋଇଯାଇଛି । ଏହା ଫଳରେ ବିକାଶଶୀଳ ଦେଶମାନଙ୍କର ଐତିହାସିକ ପୃଷ୍ଠଭୂମି, ସାମାଜିକ ବାସ୍ତବତା ଓ ସାଂସ୍କୃତିକ ବିବିଧତା ସାଙ୍ଗରେ ଉପରୁ ଆସିଥିବା ଢାଞ୍ଚାଟି ତାଳ ଦେଇପାରୁନାହିଁ। ପରିଣାମତଃ, ବହୁ ପ୍ରକାରର ବିକୃତି ଓ ଅସଙ୍ଗତି ଦେଖା ଦେଉଛି।

ସାମ୍ପ୍ରତିକ ଭାରତରେ ଆମେ ଆମର ବୌଦ୍ଧିକ ଚର୍ଚ୍ଚାମାନଙ୍କରେ ବହୁ ଅସଙ୍ଗତିର ଦୃଷ୍ଟାନ୍ତ ଦେଇ ଆଲୋଚନା ସମାଲୋଚନା କରିଥାଉ । ଏହି ଅସଙ୍ଗତିଗୁଡ଼ିକର ଆଳ ଦେଖାଇ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାର ‘ସମ୍ବିଧାନ ସମୀକ୍ଷା’ ନାମକ ଏକ ଆୟୋଗ ଗଠନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଓ ତାହାର ସଙ୍ଘ-ପରିବାର ଏକ ରକ୍ଷଣଶୀଳ ହିନ୍ଦୁତ୍ୱବାଦୀ ସାମାଜିକ ବ୍ୟବସ୍ଥାର ପୁନଃପ୍ରତିଷ୍ଠା ଚାହାନ୍ତି । ଏହାର ଅନୁରୂପ ଏକ ନୂଆ ସମ୍ବିଧାନ ପ୍ରଣୟନର ସୂତ୍ରପାତ ଏହି ଆୟୋଗ ଜରିଆରେ କରାଯାଉଛି ବୋଲି ସନ୍ଦେହ କରାଯାଉଛି। ଏହି ସନ୍ଦେହର ଯଥାର୍ଥତା ଯାହା ହେଉନା କାହିଁକି, କେତେକ ଆଇନ୍-ବିଶେଷଜ୍ଞଙ୍କ ଦ୍ୱାରା ସମ୍ବିଧାନର ସମୀକ୍ଷା କରାଇଦେଲେ ଭାରତୀୟ ଗଣତନ୍ତ୍ରର ଅସଙ୍ଗତି ଦୂର ହେବନାହିଁ । କାରଣ ସମ୍ବିଧାନକୁ ଏକ ଆଇନ୍-ବ୍ୟବସ୍ଥା ଭାବରେ ସେମାନେ ଦେଖୁଛନ୍ତି । ଆଇନ୍ ବ୍ୟବସ୍ଥାର ମୂଳଦୁଆ ହେଉଛି ନ୍ୟାୟର ଅବଧାରଣା । କେଉଁ ନ୍ୟାୟ ? ଗଣତାନ୍ତ୍ରିକ ନ୍ୟାୟର ଅବଧାରଣା ନିଶ୍ଚିତ ଭାବରେ ରାଜତନ୍ତ୍ରୀୟ ନ୍ୟାୟ କିମ୍ବା ‘ମନୁ ସଂହିତା’ର (ମନୁବାଦୀ) ନ୍ୟାୟଠାରୁ ଭିନ୍ନ ।

ଆଧୁନିକ ମାନସ, ସେ ଯେଉଁ ଦେଶର ହେଉ ନା କାହିଁକି, ଗଣତାନ୍ତ୍ରିକ ନ୍ୟାୟର ଆକାଂକ୍ଷୀ । ମନେ ରଖିବାକୁ ହେବ ଯେ ଆଧୁନିକ ଓ ପାଶ୍ଚାତ୍ୟ ମଧ୍ୟରେ ଫରକ ଅଛି । ପାଶ୍ଚାତ୍ୟ କହିଲେ ୟୁରୋପ୍ ଓ ଉତ୍ତର ଆମେରିକାର ଇତିହାସରୁ ବିକଶିତ ହୋଇଥିବା ସାଂସ୍କୃତିକ ଦୃଷ୍ଟିକୋଣ; ଆଧୁନିକ କହିଲେ ମାନବ ଜାତି ଓ ବିଭିନ୍ନ ସଂସ୍କୃତି ମଧ୍ୟରେ ଚାଲିଥିବା ସଙ୍ଘାତରୁ ଉପୁଜିଥିବା ଏକ ବିଶ୍ୱମାନବୀୟ ଦୃଷ୍ଟିକୋଣ । ଏହାକୁ ବିଭିନ୍ନ ଭୂଭାଗର ସଂସ୍କୃତିଗୁଡ଼ିକ ନିଜ ନିଜ ଦୃଷ୍ଟିକୋଣ ସାଙ୍ଗରେ ମିଶାଇ ପରିଭାଷିତ କରିବେ । ରାଜନୈତିକ ଭାବରେ ମୁକ୍ତିଲାଭ କରିଥିବା ଔପନିବେଶିକ ଶିକ୍ଷିତ ଶ୍ରେଣୀମାନେ ନିଜ ନିଜ ଅଞ୍ଚଳର ପୃଷ୍ଠଭୂମିରେ ଚେର ମଡ଼ାଇ ନିଜସ୍ୱ ଆଧୁନିକତାର ଅବତାରଣା କରିବା ପାଇଁ ସାହସ ଦେଖାଇ ନାହାନ୍ତି । ସେହି କାରଣରୁ ଏବେ ମଧ୍ୟ ଆଧୁନିକ କହିଲେ ପାଶ୍ଚାତ୍ୟ ହିଁ ବୁଝାଉଛି । ଏହାର ଊଦ୍ଧ୍ୱର୍କୁ ଉଠିବାକୁ ହେବ । ଆଧୁନିକତା ଓ ଗଣତନ୍ତ୍ରର ଅବଧାରଣାକୁ ଦେଶଜ ପୁଟ ଦେଇ ପରିମାର୍ଜିତ କରିବାକୁ ହେବ । ତାହା ହେଲେ ଯାଇ ବିକାଶଶୀଳ ଦେଶଗୁଡ଼ିକରେ ଗଣତନ୍ତ୍ର ସମ୍ପର୍କୀୟ ଅସଙ୍ଗତିକୁ ବୁଝି ହେବ। ସେଇ ଅସଙ୍ଗତିକୁ ବୁଝିବା ପୂର୍ବରୁ ଭାରତର ଏକ ଅଦ୍ୱିତୀୟ ସ୍ଥିତି ବିଷୟରେ ଜାଣିବା ଦରକାର ।


ସମଗ୍ର ତୃତୀୟ ବିଶ୍ୱରେ, ଅର୍ଥାତ୍ ଯେଉଁସବୁ ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରାଜନୈତିକ ସ୍ୱାଧୀନତା ଲାଭ କଲେ, ସେମାନଙ୍କ ମଧ୍ୟରେ ଭାରତର ଗଣତନ୍ତ୍ର ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଏହାର ବିଶାଳ ଭୂଖଣ୍ଡ ଓ ନାନାବିଧ ଭାଷା, ଜାତି, ଧର୍ମ ଓ ସଂସ୍କୃତି ଦେଖି କେତେ ଲୋକ ଏହାକୁ ଉପମହାଦେଶ କହିଥାଆନ୍ତି । ଏହାର କୌଣସି ଯଥାର୍ଥତା ନାହିଁ। ଯୁକ୍ତରାଜ୍ୟ ଆମେରିକାକୁ ଓ ଚୀନ୍ କୁ ଉପମହାଦେଶ କୁହାଯାଉ ନାହିଁ କାହିଁକି ବିଶାଳତା ଓ ବିବିଧତା ସାଙ୍ଗକୁ ସାମ୍ରାଜ୍ୟବାଦର ଅବଦାନ ସ୍ୱରୂପ ଭାରତରେ ଭରି ରହିଛି ଦାରିଦ୍ର୍ୟ, ନିରକ୍ଷରତା ଓ ଆଳିକ ବୈଷମ୍ୟ । ଏହା ସତ୍ତ୍ୱେ ପଚାଶ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଅକ୍ଷୁର୍ଣ୍ଣ ରହିଛି । ୧୯୭୫-୭୭ କାଳଖଣ୍ଡର ଜରୁରୀକାଳୀନ ପରିସ୍ଥିତି ଏହାର ଚରିତ୍ରକୁ ବଦଳାଇ ପାରିଲା ନାହିଁ । ବରଂ, ତାହାପରେ ଜରୁରୀକାଳୀନ ପରିସ୍ଥିତିର ସମ୍ଭାବନାକୁ ସୀମିତ କରିଦିଆଗଲା । ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥାର ଏଭଳି ସ୍ଥାୟୀତ୍ୱର କାରଣ କଅଣ ଓ ଏହା ପ୍ରକୃତରେ କେତେ ସ୍ଥାୟୀ?

No comments:

Post a Comment