Friday, September 02, 2016

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ସପ୍ତମ ଓ ଅନ୍ତିମ ଭାଗ


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ



ସୁଇଜରଲାଣ୍ଡ୍ ର ଗ୍ଲାରସ୍ ଠାରେ ୨୦୦୬ ମସିହାରେ ଅନୁଷ୍ଠିତ ସଭା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପାଶ୍ଚାତ୍ୟର ଗଣତନ୍ତ୍ର ଗୁଣ୍ଡାରାଜରୁ ମୁକ୍ତ ହେଲେ ମଧ୍ୟ ଧନଶକ୍ତିର ନିୟନ୍ତ୍ରଣରୁ ମୁକ୍ତ ନୁହେଁ । ଯେତେବେଳେ ଗଣତନ୍ତ୍ର ଆକ୍ରମଣାତ୍ମକ ଓ ପୁଞ୍ଜିବାଦ ବିରୋଧୀ ଥିଲା, ସେତେବେଳେ ଏ ଦେଶମାନଙ୍କରେ ମଜଦୁର୍  ମାନଙ୍କର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହେବାପାଇଁ ନିର୍ବାଚନ କ୍ଷେତ୍ରରେ ଅବତୀର୍ଣ୍ଣ ହେଉଥିଲେ । କିନ୍ତୁ ଜଗତିକରଣ ତୀବ୍ରରୁ ତୀବ୍ରତର ହେବା ସଙ୍ଗେ ସଙ୍ଗେ ବ୍ରିଟେନ୍ ଓ ଆମେରିକାର ସବୁ ପ୍ରମୁଖ ରାଜନୈତିକ ଦଳ ପୁଞ୍ଜିପତିମାନଙ୍କର ଆଶ୍ରିତ ହୋଇଯାଇଛନ୍ତି । ଗଣତନ୍ତ୍ରରେ ହଜାର ହଜାର ସଂଖ୍ୟାରେ କର୍ମୀ ଦରକାର ହୁଅନ୍ତି । ସେମାନଙ୍କ ଭିତରୁ ବହୁତଙ୍କୁ ପୂରା ସମୟ ରାଜନୀତିରେ ଦେବାକୁ ପଡ଼େ । ସେମାନଙ୍କୁ କିଏ ପାରିଶ୍ରମିକ ଦେବ ? ସେମାନଙ୍କର ପରିବାର ଓ ରାଜନୈତିକ କର୍ମ ପାଇଁ ଖର୍ଚ୍ଚ କେଉଁଠୁ ଆସିବ ? ପାଶ୍ଚାତ୍ୟ ଗଣତନ୍ତ୍ର ଏହି ମୌଳିକ ପ୍ରଶ୍ନର କୌଣସି ସମାଧାନ କରିନାହିଁ । ରାଜନୀତିକ ଜ୍ଞାନରେ ଏହି ପ୍ରଶ୍ନକୁ ଉଠାଯାଏ ନାହିଁ । ତେଣୁ ଦଳମାନେ ପୁଞ୍ଜିଙ୍କ ପାଖରେ ବନ୍ଧା ପଡ଼ିଯାନ୍ତି । ଏବେ ବିକାଶଶୀଳ ଦେଶମାନଙ୍କରେ ସାମାଜିକ ସେବା କାର୍ଯ୍ୟ ମଧ୍ୟ ବିଦେଶୀ ପାଣ୍ଠି ଉପରେ ନିର୍ଭରଶୀଳ ହୋଇ ରହିଲାଣି । ଗଣତାନ୍ତ୍ରିକ କାର୍ଯ୍ୟ ପାଇଁ ପ୍ରତ୍ୟେକ ସମାଜରେ ଆୟର ଏକ ଉଦ୍ଗମ ହେବା ଦରକାର । ଏହା ବ୍ୟତୀତ ଗଣତନ୍ତ୍ରର ଅବଧାରଣା ବିକାଶଶୀଳ ଦେଶମାନଙ୍କରେ ଅପୂର୍ଣ୍ଣ ରହିଯିବ । ଗଣତନ୍ତ୍ରକୁ ବିସ୍ତୃତ ଓ ସୁରକ୍ଷିତ କରିବାକୁ ହେଲେ ବିକାଶଶୀଳ ଦେଶମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ହେବ ।

ପ୍ରଥମତଃ, ଅନ୍ତର୍ରାଷ୍ଟ୍ରୀୟ ଫାଶୀବାଦ ଶକ୍ତିମାନଙ୍କ କବଳରୁ ମୁକ୍ତ ହେବାକୁ ପଡ଼ିବ । ସେମାନଙ୍କ ସାଙ୍ଗରେ ଯୁଦ୍ଧ କରି ହେବନାହିଁ । ତେଣୁ ଅସହଯୋଗର ରଣକୌଶଳକୁ ଗ୍ରହଣ କରିବାକୁ ହେବ । ଗୋଟିଏ ସମୟ ପାଇଁ ୟୁରୋପ-ଆମେରିକାର ଧନୀ ଦେଶମାନଙ୍କ ଠାରୁ ଆର୍ଥିକ ଭାବରେ ବିଚ୍ଛିନ୍ନ ହେବାକୁ ପଡ଼ିବ।

ଦ୍ୱିତୀୟତଃ, ଏହା ଦ୍ୱାରା ସେମାନଙ୍କଠାରୁ ଋଣ କିମ୍ବା ଯନ୍ତ୍ରପାତି (ଟେକ୍ନୋଲୋଜି) ପାଇପାରିବା ନାହିଁ । ତାହା ଏକ ଆଶୀର୍ବାଦ ହେବ । କାରଣ ନିଜର ପୁଞ୍ଜି ଓ ନିଜେ ତିଆରି କରିପାରୁଥିବା ଯନ୍ତ୍ରପାତି ଉପରେ ଆମେ ଏକ ବଳିଷ୍ଠ ଭିିତ୍ତିଭୂମି ପ୍ରସ୍ତୁତ କରିବାର ସମ୍ଭାବନା ସୃଷ୍ଟି ହେବ । ସ୍ୱଦେଶୀ ପୁଞ୍ଜି ଯୋଗାଡ଼ କରିବା ପାଇଁ ଭୋଗବାଦର ଓ ବିଳାସୀ ଖର୍ଚ୍ଚର ମୂଳୋତ୍ପାଟନ କରିବାକୁ ହେବ । ସବୁ ପ୍ରକାରର କଳାଧନ ଉଦ୍ଖାତ କରିବାକୁ ହେବ । ଯେଉଁ କଳାଧନ ବିଦେଶରୁ ଅବୈଧ ଭାବରେ (ହାୱାଲା ବାଟ ଦେଇ) ଭାରତକୁ ଚାଲିଆସୁଛି, କେବଳ ତାହାର ପରିମାଣ ହେଉଛି ବାର୍ଷିକ ତିରିଶି ହଜାର୍ କୋଟି ଟଙ୍କା । ଏସବୁ ପ୍ରକ୍ରିୟାରୁ ବିଚ୍ଛିନ୍ନ ହେବା ଫଳରେ ଏକ ସରଳ ଜୀବନ ଦର୍ଶନର ବାୟୁମଣ୍ଡଳ ତିଆରି ହେବ । ବିଶେଷାଧିକାର ଓ ଆଡ଼ମ୍ବରକୁ ଲୋପ କରାଯିବ । ବଳକା ଧନରେ ଅଳ୍ପ ପୁଞ୍ଜି ଓ ନିଜ ଦେଶରେ ତିଆରି ହେଉଥିବା ଯନ୍ତ୍ରପାତି ସାହାଯ୍ୟରେ ଯେଉଁ ଶିଳ୍ପ ଓ କୃଷି ବ୍ୟବସ୍ଥା ତିଆରି ହେବ, ତହିଁରେ ସମସ୍ତଙ୍କୁ ଧନ୍ଦା ଯୋଗାଇ ଦିଆଯାଇପାରିବ । ସର୍ବସାଧାରଣଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟର ଆୟୋଜନ କରିବାକୁ ହେବ । କେରଳରେ ସମସ୍ତଙ୍କୁ ଶିକ୍ଷା ମିଳୁଥିବାରୁ ଶିକ୍ଷା କର୍ମନିଯୁକ୍ତିର ଏକ ବିରାଟ କ୍ଷେତ୍ର ହୋଇଛି । ଏହିପରି ଭାବରେ ଆର୍ଥିକ ସୁରକ୍ଷା ଲୋକମାନଙ୍କ ପାଇଁ ଫେରିଆସିପାରିବ । ସାମ୍ରାଜ୍ୟବାଦୀ ଦେଶମାନେ ଅତିସମୃଦ୍ଧି ବଳରେ ଲୋକଙ୍କୁ ଯେଉଁ ଆର୍ଥିକ ସୁରକ୍ଷା ଓ ସାମାଜିକ ସମାନତା ଦେଇପାରିଛନ୍ତି, ବିକାଶଶୀଳ ଦେଶ ଭୋଗବାଦ ଓ ବେକାରୀର ଉତ୍ପାଟନ କରି ତାହା ହାସଲ କରିପାରିବେ । କେବଳ ଚାକିରୀରେ ସ୍ଥାନ ସଂରକ୍ଷଣ ସାମାଜିକ ସମାନତା ଦେଇପାରିବ ନାହିଁ । ଆର୍ଥିକ ସୁରକ୍ଷା ହିଁ ଏହା ପୂରଣ କରିପାରିବ । ସମସ୍ତଙ୍କୁ ଆର୍ଥିକ ସୁରକ୍ଷା ଓ ଶିକ୍ଷା ମିଳିଯିବା ପରେ ସ୍ଥାନ ସଂରକ୍ଷଣକୁ ଲୋପ କରିଦିଆଯିବ । ଗଣତନ୍ତ୍ର ସମାଜବାଦ ନୁହେଁ । ତେଣୁ ଧନୀ ରହିବେ । କିନ୍ତୁ ତଳେ ଥିବା ଲୋକଙ୍କଠାରୁ ପାଞ୍ଚ ପ୍ରତିଶତ ଲୋକେ, ଯାହାଙ୍କର ଆୟ ପାଞ୍ଚ ଗୁଣରୁ ଦଶ ଗୁଣ ପର୍ଯ୍ୟନ୍ତ ହେବ, ସେମାନେ ଧନୀ ହେବେ । ତାହା ଉପରକୁ ଏକ ଅତି ଧନୀ ଶ୍ରେଣୀ ରହିବେ ନାହିଁ ।

ତୃତୀୟତଃ, ବିବିଧତାକୁ ସମ୍ମାନ ଓ ସମାନତା ଦେବା ଏକ ମୂଳମନ୍ତ୍ର ହେବ । ସ୍ୱାୟତ୍ତତା ବା ବିକେନ୍ଦ୍ରୀକରଣ ନୂତନ ଗଣତାନ୍ତ୍ରିକ ବ୍ୟବସ୍ଥାର ଅନିର୍ବାର୍ଯ୍ୟ ଅଙ୍ଗ ରୂପେ ଗଣାଯିବ । କେନ୍ଦ୍ର ସରକାର ପାଖରେ ଅତି ସୀମିତ କାର୍ଯ୍ୟ ରହିବ । ତାଠାରୁ ବେଶୀ ରହିବ ରାଜ୍ୟ ପାଖରେ । କିନ୍ତୁ ସବୁଠାରୁ ଅଧିକ କାମ ଓ କ୍ଷମତା ରହିବ ଗ୍ରାମପଞ୍ଚାୟତ ଓ ଅଞ୍ଚଳମାନଙ୍କରେ । ନାଗରିକମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ସାଙ୍ଗରେ ସମ୍ପୃକ୍ତ ସବୁ ବିଭାଗ ଗ୍ରାମ ଓ ପ୍ରଖଣ୍ଡ କରିବେ । ପୁଲିସି ଓ ଅଦାଲତ୍ ବ୍ୟବସ୍ଥାର ବଡ଼ଭାଗ ଗ୍ରାମ ଓ ପ୍ରଖଣ୍ଡରେ ରହିବ । ବିଶ୍ୱବିଦ୍ୟାଳୟର ଶିକ୍ଷିତ ଲୋକମାନଙ୍କୁ ତାଙ୍କର ମୁର୍ଖତା ଯୋଗୁଁ ଏହା ୟୁଟୋପିଆ ଭଳି ଲାଗିବ । ସେମାନେ କଅଣ ଜାଣନ୍ତି ୟୁରୋପ୍ ର ଗଣତାନ୍ତ୍ରିକ ଦେଶମାନଙ୍କରେ ସ୍ଥାନୀୟ ଶାସନ ଅଧିନରେ ପୁଲିସ ଓ ଅଦାଲତ୍ ର ବିଭାଗମାନ ଥାଏ ।

ଚତୁର୍ଥତଃ, ପ୍ରଶାସନର ସଂରଚନା ଓ ସ୍ୱଭାବର ପରିବର୍ତ୍ତନ ଔପନିବେଶିକ ଦେଶମାନଙ୍କରେ ସୁସ୍ଥ ଗଣତନ୍ତ୍ର ସ୍ଥାପନାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଯେଉଁ ଦିନ ଗ୍ରାମର କ୍ଷୁଦ୍ର ଚାଷୀ ନିଜର ନ୍ୟାଯ୍ୟ କାମ ପାଇଁ ପ୍ରଶାସନ ପାଖକୁ ଯିବେ ଓ ଖାଲି ହାତରେ ଫେରିଆସିବେ ନାହିଁ, ଅଦାଲତରେ ମାଲିମକଦ୍ଦମା ଛିଣ୍ଡିବାକୁ ବର୍ଷ ବର୍ଷ ଧରି ସମୟ ଲାଗିବ ନାହିଁ, ସେହି ଦିନ ଭାରତର ପ୍ରଜା ଜାଣିବ ଯେ ତାକୁ ସ୍ୱରାଜ ମିଳିଛି ଓ ଅଧିକାର ମିଳିଛି । ଯେଉଁ ଶିକ୍ଷିତ ବ୍ୟକ୍ତିମାନେ ପାଶ୍ଚାତ୍ୟର ଅବଗୁଣ ଓ ଅନାବଶ୍ୟକ ଗୁଣମାନଙ୍କୁ ଗୌରବାନ୍ୱିତ କରନ୍ତି, ସେମାନେ ଜାଣନ୍ତି ନାହିଁ ଯେ ଯେଉଁ ଧନୀ ଦେଶମାନେ ଆମ ଦେଶରେ ଏଭଳି ଏକ ଅମଲାତାନ୍ତ୍ରିକ ଯନ୍ତ୍ରୀଘର ତିଆରି କଲେ, ସେମାନଙ୍କ ଦେଶରେ ସାଧାରଣ ଭାବରେ କୌଣସି ନାଗରିକ ଚାହିଁଲେ ପ୍ରଶାସନଠାରୁ ନିଜର ପ୍ରାପ୍ୟ ନେଇପାରେ । ଅଦାଲତ୍ ରେ ବିଳମ୍ବ ହୁଏନାହିଁ । ସରକାର ଉପରେ ଯଦି ନାଗରିକର ପଇସା ରହିଛି, ନାଗରିକକୁ ଗୋଡ଼ାଇବାକୁ ପଡ଼େ ନାହିଁ । ବିଳମ୍ବ ହେଲେ ସରକାର ନିଜେ ନାଗରିକ ପାଖକୁ ଯାଇ ପଇସା ଦେଇଆସେ । ପ୍ରଫେସର ମାନେ ଚାକିରି ଛାଡ଼ିବାର ତିନିବର୍ଷ ପରେ ମଧ୍ୟ ପେନ୍ସନ୍ ନ ପାଇବା ଘଟଣାରେ ଯଦି ଲଜ୍ଜିତ ହେଉଥାନ୍ତେ, ତାହା ହେଲେ ସେମାନେ ଦରମା ବଢ଼ାଇବା ପାଇଁ ନୁହେଁ, ବରଂ ପ୍ରଶାସନର ଢଙ୍ଗ ବଦଳାଇବାକୁ ଆନ୍ଦୋଳନ କରନ୍ତେ ।

ପଞ୍ଚମତଃ, ସାଧାରଣ ଭାବରେ ଜଣେ ସଚ୍ଚୋଟ ମଣିଷ ରାଜନୈତିକ କର୍ମୀ ହୋଇପାରିବେ । ସେ ନିଜର କାର୍ଯ୍ୟଦକ୍ଷତାର ଯୋଗ୍ୟତା ଅନୁସାରେ ଦେଶର ଶାସକ ହୋଇପାରିବେ । ଏଥିପାଇଁ ଏକ ଆର୍ଥିକ ବ୍ୟବସ୍ଥା ରାଜକୋଷରୁ ନୁହେଁ, ସମାଜରେ ତିଆରି କରିବାକୁ ହେବ । କେବଳ ପ୍ରାରମ୍ଭ ପାଇଁ ସରକାରୀ କୋଷରୁ କେତେକ ସଂସ୍ଥା ଗଢ଼ିବାକୁ ହେବ । ଏହି ସଂସ୍ଥାମାନେ ରାଜନୈତିକ କର୍ମୀମାନଙ୍କର ଭାର ଗ୍ରହଣ କରିବେ । ସର୍ତ୍ତ ରହିବ ଯେ କର୍ମୀମାନେ ସରଳ ଜୀବନଯାପନ କରିବେ । ତଥା, କେତେ ପ୍ରକାରର ସାଧୁତାର ଅନୁଶାସନରେ ରହିବେ । ଭାରତର ସ୍ୱାଧୀନତା ଆନ୍ଦୋଳନ ବେଳେ ଏହି ଭଳି ସଂସ୍ଥାମାନଙ୍କର ଆବିର୍ଭାବ ହୋଇଥିଲା ।

No comments:

Post a Comment