Thursday, September 08, 2016

ପିଲାଙ୍ଗ ଗୀତ - 'ବାଳ‌ିକା ଓ ପକ୍ଷୀ'


ପଲ୍ଲୀ କବି - ନନ୍ଦକିଶୋର ବଳ 


୩ଟି ପକ୍ଷୀ (ଜର୍ମାନୀ - ପଞ୍ଚଦଶ ଶତାବ୍ଦୀ)
ପ୍ରିଣ୍ଟ୍ ଶିଳ୍ପୀ - ମାଷ୍ଟର୍ ଅଫ୍ ଦ ପ୍ଲେୟିଙ୍ଗ୍ କାର୍ଡ଼୍ସ୍ 

ବାଳିକା - 
ସାନ ଚଢ଼େଇରେ ସାନ ଚଢ଼େଇ ତୁ
ମୋ ପାଖକୁ ଆସ ଧାଇଁ,
ଶାଗୁଆ ବନର ପିଞ୍ଜରାଟିଏ ମୁଁ 
ରଖିଛି ତୋହରି ପାଇଁ ।

ଅନେକ ସୁନ୍ଦର ଟିକି ଟିକି ଫୁଲ
ଦେବି ମୁହିଁ ତୋତେ ଆଣି,
ପାଚିଲା ପିଜୁଳି ଦେବି, ଲାଗିଥିବ
ଯହିଁରେ କାକର ପାଣି ।

ପକ୍ଷୀ - 
ଧନ୍ୟ ଧନ୍ୟ ମୋର ଟିକି ଭଉଣୀ ଗୋ,
ତୁମରି ଯତନ ପାଇଁ,
ନିର୍ମଳ ଶୀତଳ ପବନ ସମାନ 
ମୋର ପ୍ରିୟ ଆଉ ନାହିଁ ।

ପୁରାତନ ବରଗଛେ ଯେଉଁ ସାନ 
ବସା ମୋହର ଅଛଇ,
ସୁନା ପିଞ୍ଜରାର ସୁଖଠାରୁ ତାହା 
ଅନେକ ଭଲ ଅଟଇ ।

ବାଳିକା -
ସାନ ଚଢ଼େଇରେ ସାନ ଚଢ଼େଇ ତୁ
କେଉଁଠାକୁ ଯିବୁ ଉଡ଼ି,
ଯେତେବେଳେ ସବୁ ବିଲବାଡ଼ି ଯିବ
ବରଷା ଜଳରେ ବୁଡ଼ି ।

ଓଦା ହୋଇଯିବ ପୁରାତନ ବର-
ଗଛ ବରଷା ଜଳରେ,
ସାନ ଚଢ଼େଇରେ ସାନ ଚଢ଼େଇ ତୁ
ରହ ମୋହରି ସାଙ୍ଗରେ ।

ପକ୍ଷୀ - 
ନାହିଁ ନାହିଁ ନାହିଁ ସାନ ବାଳିକା ଗୋ
ଉଡ଼ି ଚାଲିଯିବି ମୁହିଁ,
ଶ୍ୟାମଳ ବନର ବିଲ ଅଛି ପୁଣି
ନିର୍ମଳ ଆକାଶ ଯହିଁ ।

ଯେତେବେଳେ ନବ ବସନ୍ତ ଫେରିବ
ଦକ୍ଷିଣା ପବନ ସଙ୍ଗେ,
ସେତେବେଳେ ମୋର ଆନନ୍ଦ ସଙ୍ଗୀତ 
ପୁଣି ମୁଁ ଗାଇବି ରଙ୍ଗେ ।

ବାଳ‌ିକା -
ସାନ ଚଢ଼େଇରେ ସାନ ଚଢ଼େଇ ତୋ
କିଏ ଦେଖାଇବ ପଥ ?
ନିର୍ଜନ ପର୍ବତ ପଥ ଭୟଙ୍କର 
ବିଜନ ସମୁଦ୍ର ପଥ ।

ନିର୍ବୁଧିଆ ପକ୍ଷୀ ଆ'ରେ ମୋ ଘରେ
ମୋହରି ସାଥିରେ ଥିବୁ,
ନ ମାନି ମୋ ବୋଲ ଚାଲିଗଲେ ନିଶ୍ଚେ 
ଜାଣିଥା ପଥ ହୁଡ଼ିବୁ । 

ପକ୍ଷୀ -
ଟିକି ଭଉଣୀ ଗୋ ଟିକି ଭଉଣୀ ଗୋ
ପଥ ଦେଖାନ୍ତି ଈଶ୍ୱର,
ନିର୍ଜନ ପର୍ବତ ଅବା ଜନପ୍ରାଣୀ-
ଶୂନ୍ୟ ସମୁଦ୍ର ଉପର ।

ପ୍ରଭାତ ପବନ ସମାନ ସ୍ୱାଧୀନ 
ହୋଇ ମୁହିଁ ଉଡ଼ିଯିବି,
ସୂର୍ଯ୍ୟକିରଣର ପଛେ ପଛେ ଯିବି 
କେଭେ ପଥ ନ ହୁଡ଼ିବି । 

No comments:

Post a Comment