Thursday, September 01, 2016

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୫


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ


ଲଣ୍ଡନ୍ ରେ ଅବସ୍ଥିତ ଇଷ୍ଟ୍ ଇଣ୍ଡିଆ ହାଉସ୍ ର ଚିତ୍ର (୧୮୦୦ ମସିହା)
ଚିତ୍ରକର ଥମାସ୍ ମାଲଟନ୍
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ସବୁ ପ୍ରକାରର ଜନ।କାଂକ୍ଷା ଓ ସ୍ୱାୟତ୍ତତାକୁ ଦମନ କରିବା ପାଇଁ ଏହି ଅମଲାତାନ୍ତ୍ରିକ ବାହିନୀକୁ ସାମ୍ରାଜ୍ୟବାଦୀମାନେ ଗଢିଥିଲେ । ସ୍ୱାଧୀନ ଭାରତରେ ଅମଲାତନ୍ତ୍ରର କାର୍ଯ୍ୟପ୍ରଣାଳୀକୁ ଅପରିବର୍ତ୍ତିତ ରଖିବା ଫଳରେ ଏହାର ସ୍ୱଭାବ ଓ ମନୋଭାବ ପୂର୍ବପରି ଜନାକାଂକ୍ଷା ବିରୋଧୀ ହୋଇ ରହିଛି । ଏହିମାନଙ୍କର ଦମନମୂଳକ କାର୍ଯ୍ୟପ୍ରଣାଳୀ ଯୋଗୁଁ ଜନାକାଂକ୍ଷା ଓ ଆଞ୍ଚଳିକ ଆକାଂକ୍ଷାର ଆନ୍ଦୋଳନମାନଙ୍କୁ ସବୁବେଳେ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି । ଅମାନବୀୟ ଦମନ ଫଳରେ ଲୋକେ ତାଙ୍କର ନୈତିକ ସାହସ ହରାଉଛନ୍ତି କିମ୍ବା ହିଂସାତ୍ମକ ହେଉଛନ୍ତି । କେତେକ ସ୍ଥଳରେ ସେମାନେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀର ରୂପ ନେଇ ଗଣତନ୍ତ୍ର ତଥା ରାଷ୍ଟ୍ରୀୟ ଏକତାକୁ ବିପନ୍ନ କରୁଛନ୍ତି ।

ଉପରେ ଯେଉଁ ଅତିକେନ୍ଦ୍ରୀକରଣ ବା ରାଜଧାନୀର କ୍ଷମତାର କେନ୍ଦ୍ରୀକରଣ କଥା କୁହାଗଲା, ସେଥିପାଇଁ ସ୍ୱାୟତ୍ତତାର ବିକାଶ ହୋଇପାରୁ ନାହିଁ । ତାହା କିନ୍ତୁ ଔପନିବେଶିକ ପୁଞ୍ଜିବାଦ ପାଇଁ ଦରକାରୀ । ସାମ୍ରାଜ୍ୟ-ଉପନିବେଶର ଢାଞ୍ଚା ଭିତରେ ପୁଞ୍ଜିବାଦ ସାମ୍ରାଜ୍ୟବାଦୀ ଦେଶମାନଙ୍କୁ ଅତି ସମୃଦ୍ଧ କରାଏ । ଉପନିବେଶମାନଙ୍କୁ ଦରିଦ୍ର କରିଦିଏ । ତେଣୁ ଏ ଦେଶମାନଙ୍କରେ ଯନ୍ତ୍ରବିଦ୍ୟାର ଫଳାଫଳ ମଧ୍ୟ ଭିନ୍ନ ପ୍ରକାରର ହୁଏ । ସାମ୍ରାଜ୍ୟବାଦୀ ଦେଶମାନଙ୍କର ସବୁ ଅଞ୍ଚଳରେ, ଏପରିକି ଗ୍ରାମମାନଙ୍କରେ ମଧ୍ୟ, ସମାନ ପରିମାଣରେ ପୁଞ୍ଜି ଓ ଟେକ୍ନୋଲୋଜିର ପ୍ରୟୋଗ ହୁଏ । ତେଣୁ ଆଞ୍ଚଳିକ ବିଷମତା ନଗଣ୍ୟ ଅବସ୍ଥାକୁ ଆସିଯାଏ । ଗ୍ରାମ ଓ ସହରର ଦୂରତା ମଧ୍ୟ କମିଯାଏ । 

କିନ୍ତୁ ବିକାଶଶୀଳ ଦେଶମାନଙ୍କରେ ପୁଞ୍ଜିବାଦ ଗୋଟିଏ ଦେଶର କେବଳ ଅଳ୍ପ କେତେକ ସ୍ଥାନକୁ ସମୃଦ୍ଧ କରିପାରେ । ବାକି ସବୁ ଅଞ୍ଚଳରେ ଏତେ ବେଶୀ ପୁଞ୍ଜି ଲଗାଇବା ସମ୍ଭବ ହୁଏ ନାହିଁ । ତେଣୁ ସମୃଦ୍ଧ, ଅଳ୍ପ ସମୃଦ୍ଧ, ପଛୁଆ ଓ ଅତି ପଛୁଆ, ଏହିପରି ବିଷମତାମାନଙ୍କର ଏକ ପିରାମିଡ଼୍ (ଓଲଟା ବରଗଛ) ଠିଆ ହୁଏ । ତେଣୁ ପ୍ରତ୍ୟେକ ବିକାଶଶୀଳ ଦେଶର ଆଞ୍ଚଳିକ ବିଷମତା ଏକ ଅପରିହାର୍ଯ୍ୟ ଅଙ୍ଗ । କେଉଁ ଅଞ୍ଚଳକୁ ବେଶୀ ଉନ୍ନତ କରାଯିବ, କେଉଁ ଅଞ୍ଚଳକୁ ପଛୁଆ ରଖାଯିବ, ତାହା କେନ୍ଦ୍ରରେ ସ୍ଥିର ହୁଏ । ତେଣୁ କେନ୍ଦ୍ର ଅଧିକ କ୍ଷମତାସମ୍ପନ୍ନ ହୋଇ ଅଞ୍ଚଳମାନଙ୍କୁ ଦୁର୍ବଳ କରିଦିଏ । ଅଞ୍ଚଳମାନେ ଛଟପଟ ହୋଇ ନିଜର ଦାବୀ ଜଣାଇଲେ ଦମନ କରିବାକୁ ହୁଏ । କଠୋର ଦମନ କରିବା ନିମନ୍ତେ ଟାଡ଼ା ଓ ମୀସା ଭଳି ଅଗଣତାନ୍ତ୍ରିକ ଆଇନ ପ୍ରଣୟନ କରାଯାଏ । ସଶସ୍ତ୍ର ଓ ଶତ୍ରୁଦେଶ ସମର୍ଥିତ ବିଚ୍ଛିନ୍ନତାବାଦୀ ଆନ୍ଦୋଳକମାନେ ନିର୍ଭୟରେ କାମ କରନ୍ତି । ତେଣୁ ଟାଡ଼ା ଭଳି କଠୋର ଦମନକାରୀ ଆଇନ୍ ର ସହଜ ଶିକାର ହୁଅନ୍ତି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳକମାନେ।

ସାଧାରଣ ବୁଦ୍ଧିର ଜ୍ଞାନରୁ ଆମେ ଜାଣୁ ଯେ ସରକାରର ହିଂସାବଳ ଓ ଧନବଳ ରାଷ୍ଟ୍ର ଭିତରେ ଥିବା ଯେ କୌଣସି ବ୍ୟକ୍ତି ବା ସଂସ୍ଥାର ହିଂସାବଳ ବା ଧନବଳ ଅପେକ୍ଷା ବହୁତ ବେଶୀ । ଏଥିରେ ଏକ ଭାରସାମ୍ୟ ଥାଏ ଯଦି ବ୍ୟକ୍ତି କିମ୍ବା ସଂସ୍ଥା ରାଜ୍ୟ ତୁଳନାରେ ସମକକ୍ଷ ହୋଇଯାଏ କିମ୍ବା ତାଠାରୁ ଅଧିକ ହିଂସା ଓ ଧନ ଏକତ୍ରିତ କରେ, ତାହା ହେଲେ ରାଜ୍ୟର ନିର୍ଦ୍ଦେଶକୁ ନ ମାନି ସେ ନିଜର ଏକ ସମାନ୍ତରାଳ ସରକାର ଗଠନ କରିବ । ତାହା ଉପରେ ରାଷ୍ଟ୍ରର ଶାସନ ଚାଲିପାରିବ ନାହିଁ । ଔପନିବେଶିକ ପୁଞ୍ଜିବାଦ ଓ ଆର୍ଥିକ ଜଗତିକରଣ ଫଳରେ ଯେଉଁ ବଡ଼ ବଡ଼ ଦୈତ୍ୟାକାର ବହୁରାଷ୍ଟ୍ରୀୟ କମ୍ପାନୀମାନେ ଗରିବ ଦେଶମାନଙ୍କରେ ପ୍ରବେଶ କରନ୍ତି, ସେମାନଙ୍କର ଧନଶକ୍ତି ଓ ଯୁଦ୍ଧଶକ୍ତି ରାଷ୍ଟ୍ର ତୁଳନାରେ ଅଧିକ ହୋଇଯାଏ । ଏପରି ଏକ ସ୍ଥିତିରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଭାରତକୁ ଦଖଲ କରିଥିଲା । ରାଜ୍ୟମାନେ କମ୍ପାନୀକୁ ଟିକସ ଦେଉଥିଲେ । ପାଉଣା ନ ପାଇଲେ କମ୍ପାନୀ ଆକ୍ରମଣ କରୁଥିଲା । ସେତେବେଳେ ବ୍ରିଟିଶ୍ କମ୍ପାନୀ ଫ୍ରାନ୍ସ ଏବଂ ପର୍ତ୍ତୁଗାଲ୍ ର କମ୍ପାନୀମାନଙ୍କୁ ବାହାର କରି ଦେଇଥିଲା । 

ଏବେ ୟୁରୋପ୍ ଓ ଆମେରିକାର ସବୁ ଦେଶ ମିଳିତ ଭାବରେ ପ୍ରବେଶ କରିଛନ୍ତି । ସେମାନେ ସ୍ଥିର କରିବେ କେଉଁଠି ସେମାନେ ପୁଞ୍ଜି ଲଗାଇବେ । ତେଣୁ ଅର୍ଥନୀତିର ନିୟମକାନୁନ୍ ସେମାନଙ୍କ ଇଚ୍ଛା ଅନୁସାରେ ହେବ । ଅବଶ୍ୟ ଆଇନ୍ ଗୁଡ଼ିକୁ ଦେଶର ଶାସକମାନେ ତିଆରି କରିବେ । ସେମାନେ ଯଦି କରିବାକୁ ଅମଙ୍ଗ ହେବେ, ତାହା ହେଲେ ସେହି ଶାସକମାନଙ୍କୁ ହଟାଇ ବୋଲକରା ଶାସକମାନଙ୍କୁ ବସେଇବାକୁ ହେବ । ସେମାନେ ଦେଶ ଭିତରର ହିଂସାଗତ ଆନ୍ଦୋଳନକୁ ଧନ ଓ ଅସ୍ତ୍ରଶସ୍ତ୍ର ଦେଇ ଆହୁରି ବେଶୀ ଉଗ୍ର କରିଦିଅନ୍ତି । ଏସବୁ କାମ ପାଇଁ ସେମାନେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ବ୍ୟବହାର କରନ୍ତି । ଗୃହଯୁଦ୍ଧ ଓ ପଡ଼ୋଶୀ ଦେଶ ସହିତ ଯୁଦ୍ଧର ଭଉଁରୀରେ ପଡ଼ି ସରକାରମାନେ ଲୋକଙ୍କର ବିଶ୍ୱାସ ହରାଇ ଦିଅନ୍ତି । ଅଧିକ ଭ୍ରଷ୍ଟ ଓ ଅଧିକ ଅଗଣତାନ୍ତ୍ରିକ ହୁଅନ୍ତି। ଯେଉଁ ଢଙ୍ଗରେ ଏହା ହୁଏ, ତାହା ବର୍ତ୍ତମାନର ଭାରତରେ ସମସ୍ତେ ଦେଖିପାରିବେ ।

ବହୁରାଷ୍ଟ୍ରୀୟ କମ୍ପାନୀମାନେ ବିଶ୍ୱବ୍ୟାଙ୍କ୍ ଓ ବିଶ୍ୱବାଣିଜ୍ୟ ସଙ୍ଗଠନର ଚାପ ପକାନ୍ତି ଯେ ସରକାରମାନେ ଶିଳ୍ପ ଓ ବ୍ୟବସାୟ ଉପରେ ନୂଆ କର ନ ଲଗାନ୍ତୁ। ଯଦି ପଇସା ଦରକାର, ବିଦେଶରୁ ଋଣ ନିଅନ୍ତୁ। କେବଳ କେନ୍ଦ୍ର ନୁହେଁ, ରାଜ୍ୟମାନେ ମଧ୍ୟ ବିଦେଶରୁ ଋଣ ସଙ୍ଗ୍ରହ କରନ୍ତୁ । ଋଣ ମିଳିବାର ସର୍ତ୍ତ ହେଲା ଯେ ଅର୍ଥର ବିନିଯୋଗ କିପରି ହେବ ତାହାର ପରାମର୍ଶ ସେମାନେ ଦେବେ ।

No comments:

Post a Comment