Thursday, September 01, 2016

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୪


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ


ଖେଡ଼ା ସତ୍ୟାଗ୍ରହ (୧୯୧୮) ସମୟର ଗାନ୍ଧିଜୀ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍  

ଏହି ସ୍ଥାୟୀତ୍ୱର କାରଣ ବ୍ରିଟିଶ୍ ପାର୍ଲିଆମେଣ୍ଟ୍ ର ଛାଞ୍ଚରେ ଗଢ଼ା ଯାଇଥିବା ସମ୍ବିଧାନ ନୁହେଁ । ଭାରତ ସ୍ୱାଧୀନ ହେବାର ଓ ସମ୍ବିଧାନ ପ୍ରଣୟନ ହେବାର ବହୁତ ପୂର୍ବରୁ, ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରୁ ହିଁ ଗଣତନ୍ତ୍ରର ମୂଳଦୁଆ ପଡ଼ିସାରିଥିଲା । ୧୯୫୦ରେ ଯେଉଁ ସମ୍ବିଧାନ ଲାଗୁ ହେଲା, ତାହା ଯେ ଗଣତାନ୍ତ୍ରିକ ହେବ ଏହା ସମସ୍ତେ ଜାଣିସାରିଥିଲେ । ତାହା କେତେ ମୌଳିକ ହେବ, କେତେ ଲୋକାଭିମୁଖୀ ହେବ ଓ ଲୋକାଧିପତ୍ୟର କେଉଁ ସଂସ୍ଥା ରହିବ, ତାହାହିଁ ସନ୍ଦେହର ବିଷୟ ଥିଲା । କାରଣ ଭାରତର ସମ୍ବିଧାନ ରଚନା ବେଳେ ତିନି ପ୍ରକାରର ଲୋକ ଥିଲେ । ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷା ପ୍ରାପ୍ତ ହୋଇ ପେଶାଦାର ଆଇନଜ୍ଞ ହୋଇଥିଲେ; ଯେଉଁମାନେ ଗାନ୍ଧୀଙ୍କର ସ୍ୱାୟତ୍ତତା, ‘ଗ୍ରାମ ସ୍ୱରାଜ’ ଓ ସମାନତାର ନୀତିକୁ ମାନୁଥିଲେ; ତଥା, ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧୀଙ୍କର ଅନୁଗାମୀ ହେଲେ ମଧ୍ୟ ୟୁରୋପୀୟ ଲୋକ କଲ୍ୟାଣକାରୀ ଗଣତନ୍ତ୍ରକୁ ଆଦର୍ଶ ରୂପେ ମାନୁଥିଲେ । 

ସମ୍ବିଧାନ ନିର୍ମାଣରେ ଗାନ୍ଧୀଙ୍କର ନୀତିର ବଳିଷ୍ଠ ପ୍ରତିନିଧିତ୍ୱ କରିବା ପାଇଁ କେହି ନଥିଲେ । ଆଇନଜ୍ଞମାନେ ପ୍ରଭାବଶାଳୀ ଥିଲେ । ନେହେରୁଙ୍କ ଭଳି ନେତାମାନେ ଲୋକ କଲ୍ୟାଣକାରୀ ରାଜ୍ୟରେ ବିଶ୍ୱାସ କରୁଥିଲେ ମଧ୍ୟ ସେମାନଙ୍କର କୌଣସି ମୌଳିକ ଚିନ୍ତା ନଥିବାରୁ ଆଇନଜ୍ଞମାନଙ୍କ ଉପରେ ବେଶୀ କାମ ଛାଡ଼ି ଦେଇଥିଲେ । ସେ ଯାହା ହେଉ, ଗଣତନ୍ତ୍ରର କୌଣସି ବିରୋଧ ନଥିଲା । କାରଣ ରାଜନୀତି ଓ ଜନସାଧାରଣ ଗଣତାନ୍ତ୍ରିକ ହୋଇସାରିଥିଲେ । ସାମ୍ରାଜ୍ୟବାଦ ବିରୋଧୀ ସଙ୍ଘର୍ଷକୁ ଅହିଂସା ନୀତିରେ ଚଳାଇବା ଦ୍ୱାରା ଭାରତର ରାଜନୀତି ସ୍ୱାଧୀନତା ଆଗରୁ ଗଣତାନ୍ତ୍ରିକ ହୋଇସାରିଥିଲା । ନେତାମାନଙ୍କର ନିର୍ବାଚନ, ଆନ୍ଦୋଳନର ନିଷ୍ପତ୍ତି ଓ ପରିଚାଳନା, ଗଣତାନ୍ତ୍ରିକ ବିଧିରେ ହେଉଥିଲା। ସେମାନଙ୍କର ମତଭେଦ, କଳହ, ଭୁଲ୍, ତ୍ରୁଟି, ସବୁ କଥା ଲୋକେ ଜାଣିପାରୁଥିଲେ । ତେଣୁ, ଲୋକମାନେ ନେତାମାନଙ୍କର ଓ ସଙ୍ଗଠନର ଅନେକ କଥାରେ ମତ ପ୍ରକାଶ କରୁଥିଲେ । ଅତଏବ, ରାଜନେତା ଓ ଜନତା, ଉଭୟଙ୍କର, ଜନତନ୍ତ୍ରରେ ଦୀକ୍ଷା ହୋଇସାରିଥିଲା । ଯେତେବେଳେ ଆନ୍ଦୋଳନରେ ସତ୍ୟାଗ୍ରହୀମାନେ ଜେଲ ଦଣ୍ଡ ଭୋଗୁଥିଲେ, ସେତେବେଳେ ଜଣାପଡ଼ୁଥିଲା ଯେ ଭାରତ ଗଣତାନ୍ତ୍ରିକ କିନ୍ତୁ ବ୍ରିଟେନ୍ ଅଗଣତାନ୍ତ୍ରିକ ।

ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ହିଂସା ବା ଶସ୍ତ୍ରକୁ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କରିବାରେ ଗୋଟିଏ ସୁଫଳ ହେଲା ଯେ, ଏ ଦେଶରେ ସେନାବାହିନୀର କୌଣସି ରାଜନୈତିକ ଗୁରୁତ୍ୱ ରହିଲା ନାହିଁ । ଯୁଦ୍ଧ ବା ସଙ୍କଟର ସ୍ଥିତି ମାନଙ୍କରେ ମଧ୍ୟ ଭାରତର ସେନା ଭିତରେ ରାଜନୀତିରେ ହସ୍ତକ୍ଷେପ କରିବାର ପ୍ରବୃତ୍ତି ଦେଖାଯାଏ ନାହିଁ । ରାଜନୀତିରେ ସେନାବାହିନୀର ହସ୍ତକ୍ଷେପ ବହୁଦେଶର ରାଜନୀତିକୁ କଳଙ୍କିତ କରୁଛି । ଗଣତନ୍ତ୍ରକୁ ଭାଙ୍ଗି ଦେଉଛି। ପଡ଼ୋଶୀ ଦେଶ ପାକିସ୍ତାନ୍ ଏହାର ଏକ ଦୃଷ୍ଟାନ୍ତ।

ଗଣତନ୍ତ୍ରର ଆଉ କେତେକ ଅଭିନବ ଦିଗ ଭାରତର ରାଷ୍ଟ୍ରୀୟ ଆନ୍ଦୋଳନକୁ ଗୌରବାନ୍ୱିତ କରିଥିଲା । ସ୍ୱାଧୀନତା ଆନ୍ଦୋଳନ ବେଳୁ ହିଁ ଭାରତର ବିବିଧତାକୁ ନିଷ୍ଠାପର ଭାବରେ ସ୍ୱୀକାର କରାଯାଇଥିଲା । ଲୋକେ ଅନୁଭବ କରୁଥିଲେ ଯେ, ଭାରତୀୟ ଗଣତନ୍ତ୍ର ନିମନ୍ତେ ଭାଷାମାନଙ୍କୁ ସ୍ୱାୟତତ୍ତା ଦେବା, ସବୁ ଧର୍ମକୁ ସମାନ ଭାବରେ ସମ୍ମାନ କରିବା, ଗ୍ରାମମାନଙ୍କର ରାଜନୈତିକ କ୍ଷମତାକୁ ସ୍ୱୀକାର କରିବା ଓ ତାହାର ସ୍ୱାବଲମ୍ବୀ ଅର୍ଥନୀତିକୁ ଏକ ନୂଆ ଗତିଶୀଳତା ପ୍ରଦାନ କରିବା, ତଥା, ସର୍ବୋପରି ଭୋଗବାଦକୁ ତ୍ୟାଗ କରି ଆର୍ଥିକ ସମାନତାର ମୂଳଦୁଆ ପକାଇବା ଇତ୍ୟାଦି ହେଉଛି ଅପରିହାର୍ଯ୍ୟ ଅଙ୍ଗ ।

ଜବାହାରଲାଲ୍ ନେହେରୁ, ସର୍ଦ୍ଦାର୍ ପଟେଲ୍ ଓ ଡା. ରାଜେନ୍ଦ୍ର ପ୍ରସାଦଙ୍କ ପରି ନେତାମାନେ ଗାନ୍ଧୀଙ୍କ କଥାର ବିରୋଧ କରୁନଥିଲେ ହେଁ ଏସବୁ କଥାକୁ - ଭାଷାର ସ୍ୱାୟତତ୍ତା, ଗ୍ରାମର ସ୍ୱରାଜ, ଶାରୀରିକ ଶ୍ରମର ଅନିର୍ବାର୍ଯ୍ୟତା, ଭୋଗବାଦ ଓ ତଦ୍-ଜନିତ ବିଷମତାର ବିନାଶ - ଏସବୁକୁ ଗଣତନ୍ତ୍ରର ମୌଳିକ ତତ୍ତ୍ୱ ବୋଲି ଭାବୁ ନଥିଲେ । କାରଣ, ପାଶ୍ଚାତ୍ୟ ଗଣତନ୍ତ୍ରର ଅବଧାରଣାରେ ଏସବୁ ଅଙ୍ଗୀଭୂତ ନୁହନ୍ତି । ତେଣୁ ଏମାନଙ୍କ ଦ୍ୱାରା ନିର୍ମିତ ସମ୍ବିଧାନରେ ଆର୍ଥିକ ବୈଷମ୍ୟ ଓ ଭୋଗବାଦକୁ ରୋକିବା ନିମନ୍ତେ ଓ ଗ୍ରାମ ତଥା ଅଞ୍ଚଳକୁ ସ୍ୱାୟତତ୍ତା ଦେବା ନିମେନ୍ତ କୌଣସି ବ୍ୟବସ୍ଥା ନାହିଁ । ସବୁ କ୍ଷମତା କେନ୍ଦ୍ରିତ ହୋଇଛି ରାଜଧାନୀରେ - ସଙ୍ଘ ଓ ରାଜ୍ୟର ରାଜଧାନୀରେ । ସେଇ ରାଜଧାନୀ ଦ୍ୱାରା ନିଯୁକ୍ତ ଅମଲାମାନେ ଲକ୍ଷ ଲକ୍ଷ ଗ୍ରାମ ଓ ଅଞ୍ଚଳକୁ ଶାସନ କରୁଛନ୍ତି । ସରକାରିଆ କମିଶନ ସଙ୍ଘର ଅଧିକାରକୁ କମେଇ ରାଜ୍ୟର ଅଧିକାର ବଢ଼େଇଦେଲେ ଅମଲାତନ୍ତ୍ରର ଗଣତାନ୍ତ୍ରିକ ଚରିତ୍ର ବଦଳିବ ନାହିଁ । ରାଜ୍ୟର ଶାସନ କହିଲେ ମୁଖ୍ୟ ସଚିବ, ଜିଲ୍ଲା କଲେକ୍ଟର ଓ ପୋଲିସି ସାହେବ ଏସ୍.ପି.ଙ୍କର ଶାସନ।

No comments:

Post a Comment