Friday, September 30, 2016

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ - ୨

ଯେଉଁ ଲୋକଙ୍କ ନାଁ ଗୋଟିଏ ଲେଖାଏଁ ବାକ୍ୟ


ୱିଗ୍-ୱାମ୍ ର ରେଖାଚିତ୍ର 


ଗୋଟିଏ ଜାତିର ଲୋକ ଅଛନ୍ତି ଯେଉଁମାନଙ୍କ ନାଁ ହେଉଛି ଗୋଟିଏ ଲେଖାଁ ବାକ୍ୟ ବା ବାକ୍ୟାଂଶ । ଜଣେ ଲୋକର ନାଁ ହେଉଛି, ‘ସେ ଠିକ ମୁଣ୍ଡର ଖପୁରି ଉପରେ ଆଘାତ କରେ ।’ ଆଉ ଜଣକର ନାଁ ହେଉଛି, ‘ସେ ସେମାନଙ୍କୁ ଖୋଜି ବାହାର କରେ ଓ ମାରି ପକାଏ ।’ ତାଙ୍କ ନାଁ ଯେ ଏତେଗୁଡ଼ାଏ ଭିନ୍ନ ଭିନ୍ନ ଶବ୍ଦ ତାହା ନୁହେଁ, କିନ୍ତୁ ତାଙ୍କ ନାଁର ଅର୍ଥ ଏହିପରି ମଧ୍ୟ ଅବଶ୍ୟ ଏ ଅର୍ଥ ଲୋକଙ୍କର କାର୍ଯ୍ୟକୁ ବୁଝାଏ ନାହିଁ । ଏ ଖାଲି ଗୋଟିଏ ଲେଖାଁ ନାଁ ।

ପୃଥିବୀର ଆର ପାଖରେ ଅର୍ଥାତ ଆମ ଗୋଡ଼ତଳେ ଉତ୍ତର ଓ ଦକ୍ଷିଣ ଆମେରିକା ବୋଲି ଯେଉଁ ଦୁଇଟି ବିଶାଳ ମହାଦେଶ ଅଛି, ଏମାନେ ସେହି ଦେଶର ଲୋକ। ଉତ୍ତର ଆମେରିକାର ପଶ୍ଚିମ ପଟେ ପର୍ବତମାଳା, ପୂର୍ବ ପାଖରେ ପାହାଡ଼, ଉତ୍ତରରେ ଅତି ଥଣ୍ଡା, ପାଇନ୍ ଗଛର ଜଙ୍ଗଲ ଓ ବରଫ, ମଝିରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଛି ବିଶାଳ ଗୋଟିଏ ପଡ଼ିଆ - ଯାହାର କଥା ‘ସମଶୀତଳ ଦେଶର ଘାସ ଭୂଇଁ’ରେ ତୁମେ ପଡ଼ିଛ। ଏହାକୁ ପ୍ରେୟାରି କହନ୍ତି ।  

ଦକ୍ଷିଣ ଆମେରିକାର ପଶ୍ଚିମକୁ ଉତ୍ତର ଆମେରିକାର ପର୍ବତମାଳା ଲମ୍ବି ଆସିଛି । ଏ ମହାଦେଶର ଚଉଡ଼ା ଉତ୍ତରଭାଗ ହେଉଛି ‘ଗରମ ଦେଶର ଜଙ୍ଗଲ’ । ତଳକୁ ତଳକୁ ଘାସ ଭୂଇଁ ଅଛି । ଗରମ ଦେଶର ଘାସ ଭୂଇଁ ଭିତରେ ଶାଖା ପ୍ରଶାଖା ମେଲାଇ ଯାଇଛି ପୃଥିବୀର ସବୁଠାରୁ ବଡ଼ ନଦୀ, ଆମେଜୋନ୍ ନଦୀ । ଉତ୍ତର ଆମେରିକାର ମଝିରୁ ଦକ୍ଷିଣକୁ ଚାଲିଯାଇଛି ମିଶୋରି-ମିଶିଶିପି ନଦୀ, - ଯହିଁରେ ଅସଙ୍ଖ୍ୟ ଗଙ୍ଗାନଦୀ ରହିଯାଇପାରିବେ ।

ଏହି ଦୁଇ ଦେଶରେ ଯେଉଁ ଲୋକେ ଅଛନ୍ତି ସେମାନଙ୍କୁ ସାହେବମାନେ କହନ୍ତି ‘ରେଡ଼୍ ଇଣ୍ଡିୟାନ୍’ ବା ‘ଲୋହିତ ଭାରତୀୟ’ । କାରଣ ଏ ଦେଶ ଯେତେବେଳେ ଆବିଷ୍କୃତ ହେଲା ସେମାନେ ଏହାକୁ ଭାରତବର୍ଷ ବୋଲି ସନେ୍ଦହ କରିଥିଲେ । ଏ ଦେଶର ଲୋକେ ପ୍ରକୃତରେ ନାଲି ନୁହନ୍ତି, ସେମାନଙ୍କ ରଙ୍ଗ ତମ୍ବାରଙ୍ଗ ପରି । ଏମାନେ ପୂର୍ବେ ସାରା ଆମେରିକା ବ୍ୟାପି ଥିଲେ । ତା’ପରେ ଇଉରୋପରୁ ଧଳା ଲୋକେ ଆସିଲେ । ନୂଆ ପରିସ୍ଥିତିକୁ ଏମାନେ ଆଦରି ନେଇପାରିଲେ ନାହିଁ । ସାହେବମାନଙ୍କୁ ସେମାନେ ଅତି ଆଦରରେ ପାଛୋଟି ନେଇଥିଲେ, ଡେଇଁ ହାତ ହଲାଇ କିଳିକିଳା ରଡ଼ି ଛାଡ଼ି ଆନନ୍ଦ ଦେଖାଇ ସେମାନଙ୍କୁ ଅଭ୍ୟର୍ଥନା କଲେ । ପରେ ଯେତେବେଳେ ଦେଖିଲେ ଯେ, ସାହେବମାନେ ତାଙ୍କ ଦେଶକୁ ତନ୍ନ ତନ୍ନ କରି ଦେଖି, ପାଦ୍ରୀ ପଠାଇ ଲୋକଙ୍କୁ ବାଗକୁ ଆଣି ଓ ତୋପ ଦେଖାଇ ଦେଶଟାକୁ ନେଇ ଯାଉଛନ୍ତି, ସେତେବେଳଠରୁ ସେମାନେ ଧଳା-ଲୋକଙ୍କର ଶତ୍ରୁ ହୋଇପଡ଼ିଲେ । ସେମାନେ ସାହେବମାନଙ୍କୁ ତାଙ୍କ ଭାଷାରେ କହନ୍ତି ‘ଶେଥାମୁହାଁ’, ଆମେ ଯେପରି କହୁ ‘ଗୋରା’ । ‘ଶେଥା-ମୁହାଁ’ମାନଙ୍କ ସଙ୍ଗେ ଧନୁ, ଛୁରି, କୁରାଢ଼ୀ ଓ ବେପାରୀମାନଙ୍କଠାରୁ କିଣିଥିବା ବନ୍ଧୁକରେ ଯୁଦ୍ଧ କରି ଏମାନେ କ୍ଷୟ ପାଇଗଲେ । ଯୁଦ୍ଧରେ ଯେତେ ନମଲେ, ସେତେ ଲୋକ ମଲେ ରୋଗରେ । ତାଙ୍କ ଖୋଲା ଦେଶରେ ପୂର୍ବେ ବସନ୍ତ-ରୋଗ ଦେଖା ନଥିଲା । ସେ ଆସିଲା ଇଉରୋପର ଲୋକମାନଙ୍କ ସହିତ ; ଏହିପରି ଅନେକ ରୋଗ ଇଉରୋପର ଲୋକେ ଆଣିଲେ । ଏମାନେ ପୂର୍ବେ ମଦ ଖାଉ ନଥିଲେ । ସାହେବମାନେ ସେମାନଙ୍କ ଭିତରେ ‘ନିଆଁ-ପାଣି’ ବା ମଦ ବିକ୍ରି କଲେ । ତହିଁରେ ସେମାନଙ୍କର ଅନିଷ୍ଟ ହେଲା । ଏହିପରି ଏହିପରି ଦୁଇ ଦୁଇଟା ମହାଦେଶ ବ୍ୟାପିଥିବା ଏତେବଡ଼ ଜାତିଟା ପ୍ରାୟ ଧ୍ୱଂସ ପାଇଗଲା । ବର୍ତ୍ତମାନ ଆମେରିକାର ସରକାର ଏମାନଙ୍କୁ ଯତ୍ନରେ ରଖିବାକୁ ଚେଷ୍ଟା କରୁଛନ୍ତି ଓ ଏମାନଙ୍କ ପାଇଁ ଅଲଗା ଜମି ଖଞ୍ଜି ଦେଇଛନ୍ତି । ଏମାନେ ବର୍ତ୍ତମାନ ସବୁଠାରୁ ବେଶୀ ଅଛନ୍ତି ଓକ୍ଲାହାମା ପ୍ରଦେଶରେ । ସେଠି ପ୍ରାୟ ସତୁରି ହଜାର, ‘ଲୋହିତ ଭାରତୀୟ’ ଘର କରିଛନ୍ତି ।

ଏମାନେ ଦିନେ ଆମେରିକାର ବିସ୍ତୃତ ପ୍ରେୟାରି ଭୂଇଁରେ ଛୋଟ ହରିଣ ଶିକାର କରି ବୁଲୁଥିଲେ । ଲୋକେ କହନ୍ତି, ଏମାନେ ଏସିଆର ଲୋକ । ବହୁବର୍ଷ ପୂର୍ବେ ଯେତେବେଳେ ଏସିଆ ଓ ଆମେରିକା ଏକାଠି ଲାଗିଥିଲା, ସେତିକିବେଳେ ଶିକାର କରିବାକୁ ଏମାନେ ଏଠିକୁ ଚାଲି ଆସିଥିଲେ ।
ଏମାନେ ଛୋଟ ଛୋଟ କୁଡ଼ିଆରେ ରହନ୍ତି, ତାକୁ କହନ୍ତି ‘ଉଇଗ୍-ୱାମ୍’ । ଘରର ଗୃହିଣୀକୁ କୁହାଯାଏ ‘ସ୍ତୂ’ ଓ ଗୃହସ୍ଥକୁ କହନ୍ତି ‘ଯୋଦ୍ଧା’। ଏମାନେ ବଡ଼ ଶିକାରୀ ଲୋକ କିନ୍ତୁ ଏମାନେ ଦଳବାନ୍ଧି ରହନ୍ତି, ସର୍ଦ୍ଦାରର କଥା ଶୁଣନ୍ତି । ଏଠି ବଡ଼ ବଡ଼ କାମରେ ହାତଦେବା ପୂର୍ବରୁ ଲୋକେ ଏକାଠି ରୁଣ୍ଡ ହୋଇ ସଭା କରନ୍ତି । କହଳ ବା ଯୁଦ୍ଧ ବନ୍ଦ କରିବାର ହେଲେ ଉଭୟ ପକ୍ଷର ଲୋକେ କୁରାଢ଼ୀକୁ ପୋତି ପକାନ୍ତି ଓ ଏକାଠି ବସି ଧୂଆଁ ପିଅନ୍ତି । 

ନାନାଜାତିର ଚଢ଼େଇର ପକ୍ଷୀକୁ ଏକାଠି ବୁଣି ଏମାନେ ମୁଣ୍ଡରେ ମୁକୁଟ କରି ପିନ୍ଧନ୍ତି ଓ ପଶୁମାନଙ୍କର ଚମଡ଼ା ପିନ୍ଧନ୍ତି । ଏମାନଙ୍କର ଅସ୍ତ୍ର ହେଉଛି ଟୋମାହକ୍ ଅର୍ଥାତ୍ କୁରାଢ଼ୀ । ସେଥିରେ ଏମାନେ ମୁଣ୍ଡର ଖପୁରି ଫଟାଇ ଦିଅନ୍ତି ଓ ଶିକାର ମଧ୍ୟ କରନ୍ତି । ଏ ଲୋକେମାନେ ସବୁ ପ୍ରକାର ଦେହଜୋର ଖେଳରେ ଧୁରନ୍ଧର । ଏମାନଙ୍କ ସଙ୍ଗେ ଦୌଡ଼ି ଜିତିବା ସହଜ ନୁହେଁ । ଜଙ୍ଗଲରେ ବୁଲି ବୁଲି ଏମାନଙ୍କର ବାଟ ଖୋଜିବା ବିଷୟରେ ଅଦ୍ଭୁତଶକ୍ତି ହୋଇଯାଇଛି । ପୁଅମାନେ ପିଲାଦିନୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶିଖନ୍ତି । ଝିଅମାନେ ମା’ମାନଙ୍କୁ ସାହାଯ୍ୟ କରି ଶିଖନ୍ତି । ଶର ଫୋପାଡ଼ିବାରେ ଏମାନଙ୍କର ଅଦ୍ଭୁତ ଲକ୍ଷ୍ୟ । 

ଏ ଲୋକମାନେ କ୍ୱଚିତ୍ ହସନ୍ତି, ତା’ ବୋଲି ହାସ ପରିହାସ ଭଲ ନ ପାଆନ୍ତି ଏପରି ନୁହେଁ । ଏମାନେ ସ୍ତ୍ରୀ ଓ ପିଲାମାନଙ୍କୁ ଭାରି ଭଲ ପାଆନ୍ତି, ସେମାନଙ୍କର କଥା ଆଗ ଭାବନ୍ତି । ଏମାନେ ଶତ୍ରୁମାନଙ୍କ ଉପରେ ଯେପରି ଦାଉ ସାଧନ୍ତି, ବନ୍ଧୁଟିଏ ପାଇଲେ ଜୀବନ ଦେଇ ତା’ର ଉପକାର କରନ୍ତି । ଏମାନେ ପିଲାମାନଙ୍କୁ ଏତେ ସ୍ନେହ କରନ୍ତି ଯେ, ପିଲାମାନେ ଦୁଷ୍ଟାମି କଲେ ସୁଦ୍ଧା ସେମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ ବା ମାରନ୍ତି ନାହିଁ । ଭେଣ୍ଡା ଭେଣ୍ଡା ପୁଅମାନେ ଶିକାରରୁ ଫେରିଲେ ବାପମାନେ ସେମାନଙ୍କୁ କୁଣ୍ଡାଇ ପକାଇ ଗେଲ କରିବାକୁ ସଙ୍କୋଚ କରନ୍ତି ନାହିଁ ।

ଯଦି ଏମାନେ ବେପାର ପଡ଼ନ୍ତି, ତାହାହେଲେ ବାମ୍ଫରେ ଗାଧୁଅନ୍ତି । ପଶୁ ଚମଡ଼ା ପ୍ରଭୃତି ଝୁଲାଯାଇ ଗୋଟାଏ ଘର ତିଆରି ହୋଇଥାଏ । ରୋଗୀ ତା ଭିତରେ ପଶେ । ତା ଭିତରେ ପାଣି ରହିଥାଏ । ପଦାରୁ ବନ୍ଧୁମାନେ ପଥର ଖଣ୍ଡ ସବୁ ତତାଇ ଭିତରକୁ ଗେଞ୍ଜି ଦିଅନ୍ତି । ସେ ଘରେ ବାମ୍ଫ ଉଠେ । ଏମାନେ ବାମ୍ଫରେ କିଛି ସମୟ ରହିଲା ଉତ୍ତାରୁ ଯାଇ ନଈରେ ଚା ପୋଖରୀରେ ବୁଡ଼ିପଡ଼ି ଆସନ୍ତି । ଏଇ ତାଙ୍କର ଚିକିତ୍ସା ।

ପାଗଲା ଲୋକଙ୍କ ପ୍ରତି ଏମାନଙ୍କର ଭାରି ଦୟା । ଥରେ ଯୁକ୍ତପ୍ରଦେଶର ଜିଓଲୋଜିକାଲ ସର୍ଭେ ବିଭାଗର ବୈଜ୍ଞାନିକ ଅଧ୍ୟାପକ ହେଡ଼େନ୍ ସେ ଦେଶର ପ୍ରଥମ ପରୀକ୍ଷା କରିବାକୁ ଯାଇ ଏ ଲୋକମାନଙ୍କ ହାବୁଡ଼େ ପଡ଼ିଲେ। ସେତେବେଳେ ଆମେରିକାନ୍  ମାନଙ୍କ ସହିତ ଏମାନଙ୍କର ଶତ୍ରୁତା ଥାଏ ।

ଏମାନେ ତାଙ୍କ ପକେଟ ଅଣ୍ଡାଳିଲେ, ଦେଖିଲେ ଖାଲି ଜାତି ଜାତିକା ଖଣ୍ଡ ଖଣ୍ଡ ପଥର ରହିଛି । ତାଙ୍କର ପକେଟରୁ ଗୋଟିଏ ଡବା ବାହାରିଲା ; ତାକୁ ଖୋଲି ଦେଖିଲେ ଯେ, ତହିଁରେ ଖାଲି ଜାତି ଜାତିକା ପୋକ ରହିଛନ୍ତି । ତା ପରେ ସେମାନେ ଭାରି ହସିଲେ, ଅଧ୍ୟାପକଙ୍କୁ ପାଗଳ ଭାବି ତାଙ୍କର ପଥର ଓ ପୋକ ତାଙ୍କୁ ଫେରାଇଦେଇ ବିଦା କରିଦେଲେ ।

ଏମାନେ ବର୍ତ୍ତମାନ ଆଉ ସେତେ ନାହାନ୍ତି । ଏମାନେ ଅତି ପୂର୍ବେ ସଭ୍ୟ ଥିଲେ, ମେକ୍ସିକୋ ଓ ପେରୁ ରାଜ୍ୟରେ ଏମାନଙ୍କର ସଭ୍ୟତା ଅଦ୍ୟାପି ଜଗତର ବିସ୍ମୟ ଉପୁଯାଉଛି । ଏମାନେ ଆଜିକାଲି ସ୍କୁଲ୍ କଲେଜରେ ପଡ଼ିଲେଣି, ମଟର ଚଢ଼ିଲେଣି, ସାହେବି ପୋଷାକ ପିନ୍ଧିଲେଣି । ଏମାନଙ୍କ ଜାତିକୁ ବଞ୍ଚାଇ ରଖିବା ପାଇଁ ଏ ଦେଶର ସରକାର ଅନେକ ପ୍ରକାର ଆଇନ ବାନ୍ଧିଛନ୍ତି ।

ଉତ୍ସ - ୨୦୧୪ ମସିହାର ପୂଜା ସଂଖ୍ୟା ମଲ୍ଲିକା । ଅତିଥି ସମ୍ପାଦନା - କମଳାକାନ୍ତ ମହାପାତ୍ର ।

No comments:

Post a Comment