Wednesday, September 07, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୨


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

କାନିକା - ଘୃତପକ୍ୱ ଖେଚୁଡ଼ି । ମିଶ୍ରି ବା କନ୍ଦ ରଖିବା ପାଇଁ ଛୋଟ ମାଟି ହାଣ୍ଡି । ଶ୍ରୀଜୀଉଙ୍କ ଲାଗି ଧୂପରେ ବ୍ୟବହୃତ ଏକ ରନ୍ଧନ ଖାଦ୍ୟ । ସକାଳ ଧୂପରେ ଏହା ପ୍ରସ୍ତୁତ ହୋଇ ଭୋଗ କରାଯାଏ ।

କାନ୍ତି - ଚୋପା ଛଡ଼ାଯାଇ ବଟା ମୁଗ ବା ବିରିରେ ଅଦା, ନଡ଼ିଆ ଓ ମିଠା ଦେଇ ପ୍ରସ୍ତୁତ କରାଯାଉଥିବା ପିଠା, ଯାହା କୋଠ ଭୋଗରେ ଠାକୁରଙ୍କୁ ଲାଗି ହୁଏ । ଏତଦବ୍ୟତୀତ ନବାନ୍ନ ଭୋଗ, ଅଧିବାସ, ଓଢ଼ଣଷଷ୍ଠୀ, ପୁଷ୍ୟାଭିଷେକ, ମକରଚଉରାସୀ ଭୋଗ, ମକର, ମାଘ ଏକାଦଶୀ (ବଡ଼ ସିଂହାର), ଦୋଳପୂର୍ଣ୍ଣିମା, ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ, ରୁକ୍ମିଣୀବିଭା, ଚମ୍ପକ ଦ୍ୱାଦଶୀ, ଦେବସ୍ନାନ ପୂର୍ଣ୍ଣିମା, ନେତ୍ର ଉତ୍ସବ, ଶ୍ରୀଗୁଣ୍ଡିଚା, ନନ୍ଦ ଉତ୍ସବ, ଗର୍ଭଣା ସଙ୍କ୍ରାନ୍ତି, ପ୍ରଥମାଷ୍ଟମୀ, ତୁଳା ସଙ୍କ୍ରାନ୍ତି, ଦେବ ଉତ୍ଥାପାନ ଏକାଦଶୀ, ଦଶହରା ପ୍ରଭୃତି ପର୍ବଦିନମାନଙ୍କରେ କାନ୍ତି ଉଭୟ ବଡ଼ ହେଉ ବା ସାନ ହେଉ ପ୍ରସ୍ତୁତ ହୋଇ ଠାକୁରଙ୍କ ପାଖରେ ଭୋଗ ଲାଗିହୋଇଥାଏ । 

କୁଡୁଆ - ଶ୍ରୀମନ୍ଦିରରେ ମହାପ୍ରସାଦ ଅନ୍ନବ୍ୟଞ୍ଜନାଦି ପାକ କରିବାର ମାଟିପାତ୍ର ବା ହାଣ୍ଡି । ମାଟିପାତ୍ର ବଡ଼ ହୋଇଥିଲେ ବାଇହାଣ୍ଡି ବା ବାହାହାଣ୍ଡି କୁହାଯାଏ । ମଧ୍ୟମା ଭଳି ହୋଇଥିଲେ କୁଡ଼ୁଆ କୁହାଯାଏ । ସାନପାତ୍ର ହୋଇଥିଲେ 'ଓଳି' ବା 'ବଢା' କୁହାଯାଏ । ଅନ୍ନ କୁଡ଼ୁଆରେ ରନ୍ଧାଯାଇ ବଡ଼ହାଣ୍ଡିରେ ଢ଼ଳାଯାଏ । କୁଡ଼ୁଆରେ ଅନ୍ନ, ତିଅଣ ଓ ଖିରି ରନ୍ଧାଯାଏ । କୁଡ଼ୁଆ ମଧ୍ୟ ନାନା ପ୍ରକାରର । ଅନ୍ନକୁଡ଼ୁଆ, ଖିରି କୁଡ଼ୁଆ, ତିଅଣ କୁଡ଼ୁଆ, ନାଗର କୁଡ଼ୁଆ, ଏମାର କୁଡ଼ୁଆ, ବସାଣ କୁଡ଼ୁଆ, ବଡ଼ମଠ କୁ଼ଡ଼ୁଆ, ସାନମଠ କୁଡ଼ୁଆ, ନମ୍ବରି କୁଡ଼ୁଆ, ଢ଼ଳା କୁଡ଼ୁଆ, ଭାତ କୁଡ଼ୁଆ ପ୍ରଭୃତି ।

କେଳି - ଏକ ପ୍ରକାର ପିଠା । ଅଟାରେ ଛେନା ମିଶାଯାଇ ଗୋଲାକୃତି ଆକାରରେ ଘିଅରେ ଛଣା ଯିବା ପରେ ଗୁଡ଼ ପାଗରେ ପ୍ରସ୍ତୁତ ହୋଇଥିବା ପିଠା । କୋଠଭୋଗରେ ଏହା ପ୍ରଭୁଙ୍କୁ ଲାଗି ହୁଏ ।

କେଳିରସାବଳୀ - ଶ୍ରୀ ଜୀଉଙ୍କର ଏକ ପ୍ରକାରର ରସାବଳୀ ଭୋଗ ।

No comments:

Post a Comment