Sunday, April 24, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ତୃତୀୟ ଅଧ୍ୟାୟ : ଶ୍ଲୋକ ୨୯ - ୩୫ 


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କର୍ମ ୟୋଗଃ 


ଶ୍ରୀ ଭଗବାନ ଉବାଚ 


ପ୍ରକୃତେର୍ଗୁଣସଂର୍ମତାଃ ସଜ୍ଜନ୍ତେ ଗୁଣ କର୍ମ୍ମସୁ ।
ତାନକୃସ୍ନବିଦୋ ମନ୍ଦାନ୍ କୃତ୍ସ୍ନବିନ୍ନ ବିଚାଳୟେତ୍ । ୨୯।

ଯେମାନେ ପ୍ରକୃତିଗୁଣେ ହୋଇ ବିମୋହିତ । ଇନ୍ଦ୍ରିୟ ଇନ୍ଦ୍ରିୟ କାର୍ଯ୍ୟେ ହୁଅନ୍ତି ଆସକ୍ତ ।।
ସେହି ଅପଦର୍ଶୀ ମୂଢ଼ମତି ଲୋକଗଣେ । ବିଚଳିତ ନ କରିବେ କେଭେଁ ଜ୍ଞାନୀଜନେ । ୨୯।

ମୟି ସର୍ବାଣି କର୍ମାଣି ସନ୍ନସ୍ୟାଧ୍ୟାତ୍ମଚେତସା ।
ନିରାଶୀନିର୍ମ୍ମମୋ ଭୂତ୍ୱା ୟୁଧ୍ୟସ୍ୱ ବିଗତଜ୍ୱରଃ ।୩୦।

ଅତଏବ ବୋଲୁଅଛୁଁ ଆହେ ଫାଲଗୁନ । ଆମ୍ଭପ୍ରତି ସର୍ବକର୍ମ କରି ସମର୍ପଣ ।।
କାମନା ମମତା ଶୋକ ପରିତ୍ୟାଗ କରି । ଯୁଦ୍ଧରେ ପ୍ରବୃତ୍ତ ହୁଅ ଆହେ ଧନୁର୍ଦ୍ଧାରୀ ।୩୦।

ୟେ ମେ ମତମିଦଂ ନିତ୍ୟ ମନୁତିଷ୍ଠନ୍ତି ମାନବାଃ ।
ଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମ୍ମଭିଃ ।୩୧।

ଯେ ଲୋକ ହୋଇ ଶ୍ରଦ୍ଧାବନ୍ତ । ଅସୂୟା ତେଜିଣ ସତତ ।।
ଆମ୍ଭ ମତର ଅନୁବର୍ତ୍ତୀ । ହେଲେ ସହଜେ ପାଏ ମୁକ୍ତି ।୩୧।

ୟେ ତ୍ୱେତଦଭ୍ୟସୂୟୋନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ ।
ସର୍ବଜ୍ଞାନବିମୂଢ଼ାଂସ୍ତାନ୍ ବିଦ୍ଧି ନଷ୍ଟାନଚେତସଃ ।୩୨।

ଯେବା ଅସୂୟାବଶ ହୋଇ । ଆମ୍ଭ ମତରେ ନଚଳଇ ।।
ବିବେକ ଶୂନ୍ୟ ସେ ପାପିଷ୍ଠ । କର୍ମ ବ୍ରହ୍ମରୁ ହୁଏ ଭ୍ରଷ୍ଟ ।୩୨।

ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ।
ପ୍ରକୃତିଂ ୟାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ।୩୩।

ଜ୍ଞାନୀଲୋକ ମଧ୍ୟ ନିଜ ପ୍ରକୃତି ବଶରେ । କରୁଛନ୍ତି ନାନା କର୍ମ ପୃଥିବୀ ମଧ୍ୟରେ ।।
ସ୍ୱଭାବ ଅଟଇ ଯେଣୁ ସକଳ ପ୍ରଧାନ । ଇନ୍ଦ୍ରିୟ ନିଗ୍ରହ ତେବେ କର କି କାରଣ ।୩୩।

ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେତ୍ ତୌ ହ୍ୟସ୍ୟପରିପନ୍ଥିନୌ ।୩୪।

ଅନୁକୁଳ ବିଷୟରେ ଇନ୍ଦ୍ରିୟେ ସନ୍ତୋଷ । ପ୍ରତିକୂଳ ବିଷୟରେ କରନ୍ତି ବିଦ୍ୱେଷ ।।
ମୁକ୍ତିଇଚ୍ଛା କାରୀଙ୍କର ଏହି ଦୁଇ ବୈରୀ । ନ କରିବ କାର୍ଯ୍ୟ ଏମାନଙ୍କୁ ଅନୁସରି ।୩୪।

ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ।
ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।୩୫।

ଅଳ୍ପ ହେଲେ ମଧ୍ୟ ନିଜ ଧର୍ମ ଆଚରିବ । ଉତ୍କୃଷ୍ଟ ଅନ୍ୟର ଧର୍ମ ପାଶକୁ ନଯିବ ।।
ବରଞ୍ଚ ଉଚିତ ନିଜ ଧର୍ମରେ ମରଣ । ପରଧର୍ମ ଭୟାବହ ଏହା ମନେ ଘେନ ।୩୫।

No comments:

Post a Comment