Friday, April 08, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୨


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ସେହି ସମୟରେ ଓଡ଼ିଆ ଗାୟକ କାହା କାହାର ରେକଡ଼୍ ସବୁ ବାହାରିଥିଲା ଆପଣ ଶୁଣିବା ଭିତରେ ? ଆପଣ ପିଲା ଥିଲା ବେଳେ ।

ଶ୍ରୀମତି ଶ୍ୟାମାମଣି ଦେବୀ : ମୁଁ ପିଲା ଥିଲା ବେଳେ ଓଡ଼ିଆ ଗାୟକ କାହାର ରେକଡ୍ ଶୁଣିନି । କେବଳ କିଛି  ବର୍ଷ ପରେ ମୁଁ ଉଦୟନାଥ ସାହୁଙ୍କର ଶୁଣିଲି, ନିମେଇ ହରିଚନ୍ଦନଙ୍କର କିଛି ଶୁଣିଲି । ମୁଁ ସେତେବେଳ ପର୍ଯ୍ୟନ୍ତ ମୁଁ ଓଡ଼ିଆ ଗାୟକଙ୍କର ରେକଡ଼୍ କିଛି ଶୁଣିନଥିଲି । ସେତେବେଳେ ଗ୍ରାମଫୋନ୍ ରେକଡ଼୍ ରେ ଓ଼ଡ଼ିଆ ଗାୟକଙ୍କର ଗୀତ ପ୍ରାୟ ନଥିଲା । କେହି ସେମିତି କରିନଥିଲେ । ତା ପରେ ପ୍ରଥମ କଥା କଣ ହେଉଛି କି, ସେତେବେଳେ ଆର୍ଟିଷ୍ଟ୍ ମାନେ ଆମର କଲିକତାରେ ରହୁଥିଲେ । ଯେଉଁମାନେ ସେତେବେଳେ ଗାଉଥିଲେ, ନିମେଇଁ ହରିଚନ୍ଦନ ହେଲେ, କାଶୀନାଥ ପୂଜାପଣ୍ଡା ହେଲେ, ଥିଲେ ସବୁ ସେକାଳର - ସିଂହାରି ସାର୍ - ସିଂହାରି ଶ୍ୟାମସୁନ୍ଦର କର ହେଲେ, ସେମାନେ କଲିକତାରେ ରେଡ଼ିଓରେ ଗାଉଥିଲେ । କଟକରେ ତ ରେଡ଼ିଓ ଷ୍ଟେସନ୍ ନଥିଲା ନା । ତେଣୁ ସେମିତି ଓଡ଼ିଆ ଗାୟକମାନଙ୍କର ହଏତ ସୁଯୋଗ ନଥିଲା ।  ତେଣୁ ସେମାନେ ସେମିତି କିଛି ରେକଡ଼୍ କରିନଥିଲେ । 


ତାପରେ ମୁଁ ସ୍କୁଲ୍ ରେ ବି ଗଲାବେଳେ, ଯେତେବେଳେ ଥରେ ମୋର ମନେଅଛି ହେଡ଼୍ ପଣ୍ଡିତ ଆମର ଫେଆରୱେଲ୍ ନେଲେ । ସେଇ ହେଡ଼୍ ପଣ୍ଡିତ ଯିଏ ସିଏ ମୋତେ ବହୁତ ଭଲ ପାଉଥିଲେ । ଆଉ ମୁଁ ବି ଗୁରୁ ପରି ତାଙ୍କୁ ବହୁତ ଶ୍ରଦ୍ଧା କରୁଥିଲି ସମ୍ମାନ ଦେଉଥିଲି । ସେତେବେଳେ ବାପା ମୋତେ ଗୋଟେ ଗୀତ ଲେଖି ଦେଇଥିଲେ । ତାଙ୍କର ସେଥିରେ ଗାଇବା ପାଇଁ । ମୋର ଏବେ ମନେ ଅଛି ଟିକିଏ -  [ ଗାଆନ୍ତି ] 'କିପରି ବିଦାୟ ଦେବୁ ଆହେ ସୁଧି ପ୍ରବର' । ଏହି ଗୋଟେ ଫାଷ୍ଟ୍ ଲାଇନ୍ ମନେ ଅଛି । ଆଉ ମନେ ନାହିଁ । କେବେକାର କଥା ହେଲାଣି । ତ ମୁଁ ସେଇ ଗୀତଟି ଗାଇଥିଲି । ସେ ଗୀତଟି ଶୁଣି ମୋର ମନେ ଅଛି ସେ ହେଡ଼୍ ପଣ୍ଡିତ ବି ନିଜେ ବି କାନ୍ଦିଥିଲେ । ଏବଂ ଯେତେ ପିଲାମାନେ ଯେଉଁମାନେ ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କର ଷ୍ଟାଫ୍ ମାନେ ମଧ୍ୟ ସମସ୍ତେ ମୋ ଉପରେ ବହୁତ ଖୁସି ହେଇଥିଲେ । ମୋ ଗୁରୁମାନେ ମୋତେ ବହୁତ ଆଶୀର୍ବାଦ ବି କରିଥିଲେ । ସେ ହେଡ଼୍ ପଣ୍ଡିତ, ଅବଶ୍ୟ ଏବେ ସେ ମରିଗଲେଣି, ସେତେବେଳେ ମତେ କହିଥିଲେ । କହିଲେ - ମୋର ଡାକ ନାଁ ଟିଲା - ତୁ ବହୁତ ଭଲ ଗାଇଲୁ ମା । ହୃଦୟକୁ ଛୁଇଁଲା । ତା ପରେ ଏତେ ଛୋଟ ଥାଇକରି ମଧ୍ୟ - ମୁଁ  ସେତେବେଳେ ତୃତୀୟ ଶ୍ରେଣୀରେ - ମୁଁ ସେଦିନ ରାତିରେ ଠିକ୍ କରି ଶୋଇପାରିନି । ମୋତେ ଲାଗିଲା ଯେ ମୁଁ ଆଉ କଅଣ ଗାଇବି । କେମିତି ଗାଇବି । ଆଉ କଅଣ ଭଲ ଗାଇବି । ମୋତେ ଲୋକମାନେ ଭଲପାଇବେ । ମୋ ଗୀତକୁ ଭଲ ପାଇବେ । ଆଉ ମୋତେ ଭଲ ଗାଇଲୁ ବୋଲି କହିବେ । ମାନେ ଛୋଟଟି ଦିନୁ ସେଇ ଯେଉଁ ଆମ୍ବିଶନ୍ ଟି ମୋର ଆରମ୍ଭ ହେଇଥିଲା, ସେଇଟା ମୋର ଏଯାବତ୍ ବି ଚାଲିଛି । ଯେ ଲୋକ ମୋତେ ଶୁଣନ୍ତୁ । ଆଉ ମୋତେ ବହୁତ ସ୍ନେହ ଦେଇ ଭଲ ପାଆନ୍ତୁ । ଆଉ କିଛି ଭଲ କିଛି - ଏ ବୟସରେ ମଧ୍ୟ ମୁଁ ଚେଷ୍ଟା କରେ କି ଆଉ କିଛି କ୍ରିଏଟିଭିଟି ଡେଭେଲପ୍ କରି ଭଲ କରି କରିପାରିବା ଯେଉଁଟା କି ଲୋକଙ୍କର, ଶ୍ରୋତାଙ୍କର ହୃଦୟକୁ ଛୁଇଁବ । ସେ ରକମର ଚିନ୍ତାଧାରା ମୋର ସେତେବେଳୁ ଆସିଥିଲା - ଛୋଟଦିନରୁ ।  

ତା ପରେ ପରେ ଧିରେ ଧିରେ ଯେତେବେଳେ ଗାଇବା ଏଇସବୁ ଆରମ୍ଭ କଲି - ସେଇ ବୟସ କଥା କହୁଛି - ସେତେବେଳେ ବି ମୋ ପାଇଁ ଏଇ ସ୍କୁଲ୍ ଇତ୍ୟାଦିରେ ଗାଇବା, ବା ପୁରସ୍କାର ବିତରଣ ଉତ୍ସବରେ ଗାଇବା, ବା ଗାଆଁକୁ ସେତେବେଳେ ଯଦି ସବ୍ ଡିଭିଜନ୍ ର ଡେପୁଟି ମାଜିଷ୍ଟ୍ରେଟ୍ ଆସୁଥିଲେ (ସେତେବେଳେ ତ ଏସ୍.ଡ଼ି.ଓ. ରହୁନଥିଲେ), ତାଙ୍କ ସଭାରେ ଗୀତ ଗାଇବା, ଏସବୁ ନେଇକରି ମୋତେ ବହୁତ - ମାନେ କଅଣ କହିବି -  ସେତେବେଳେ ବହୁତ କଟକଣା ଥିଲା । ସେତେବେଳେ ଲୋକ ପସନ୍ଦ କରୁନଥିଲେ ଯେ ଗୋଟେ ଭଲ, ସମ୍ଭ୍ରାନ୍ତ ପରିବାରର ଝିଅ ଗୋଟେ ଯାଇକରି ଗୀତ ଗାଇବ, ବାହାରେ । ଏସବୁ ପାଇଁକା ବହୁତ ଆପତ୍ତି ଅଭିଯୋଗ କରିଥିଲେ । କିନ୍ତୁ ଯେହେତୁ ମୋର ଗୋଟେ ଆଶା ଥିଲା ଯେ ମୁଁ ଭଲ ଗାଇବି, ମୋତେ ଲୋକ ଭଲ କହିବେ, ଏବଂ ଭଲ ପାଇବେ - ଏ ତିନିଟା - ଭଲା ଗାଇବି, ଭଲ ପାଇବେ, ଭଲ କହିବେ, ଭଲ ଗାଇଲୁ କହିବେ - ଏଇ କେତେଟା ଭଲ ଚାରିଟା ଶବ୍ଦ ମତେ ଆଜି ଆପଣମାନଙ୍କ ଆଗରେ ଆଜି ଥୋଇଛି । କାରଣ ଏତେ ବାଧାବିଘ୍ନ ଭିତରେ ମୁଁ ସଙ୍ଗୀତକୁ ଏଇ ବୟସ ପର୍ଯ୍ୟନ୍ତ ବଞ୍ଚେଇ ରଖିଛି । ସେଇଟା ଯେଉଁମାନେ ଦେଖିଛନ୍ତି ସେମାନେ ଅନୁଭବ କରିଛନ୍ତି । ଏବଂ ସେମାନେ ଜାଣିଛନ୍ତି ମୁଁ କେତେ କଷ୍ଟ, କେତେ ଆପତ୍ତି, କେତେ ଅଭିଯୋଗ, ବନ୍ଧୁବାନ୍ଧବଙ୍କର ତାସ୍ଛଲ୍ୟ, ଘୃଣା, ଅପବାଦ, ଲାଞ୍ଛନା, ସବୁକିଛି ମୁଁ ସହିଛି ଏହି ସଙ୍ଗୀତ ପାଇଁ । କିନ୍ତୁ ମୋର ଗୋଟେ ଡିଟର୍ମିନେଶନ୍ ଥିଲା ଯେ ମୁଁ ଗାଇବି । ମୋତେ ଯିଏ ଯାହା କହୁପଛେ ମୁଁ ଗାଇବି ।   (କ୍ରମଶଃ) 

No comments:

Post a Comment