Monday, April 25, 2016

ତିନୋଟି ଦନାଇ ବଚନ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ହଗି ବଶେ ଯେହୁ ଓଳିଏ କାଳ 
ପୂର୍ବମୁଖା ହୋଇ ଗମେ ସକାଳ
ଦାନ୍ତ ଘଷେ ଘେନି ଅଘଷା ଢ଼ାଳ 
ଲଗାଏ ତେଲ ନ ମରୁଣୁ ଝାଳ
ଖନ୍ଦ କରିନାହିଁ କୋଡ଼ି କୋଦଳ
ରୋଷାଇ ବେଳକୁ ଖୋଜଇ ଜାଳ 
ସବୁ କଥାରେ ଯେ ପୂରାଏ ଫାଳ
ବୋଲେ ଦନାଇ ଏ ବଡ଼ ବିଟାଳ  


ହଡ଼ା ବେପାର କରେ ଯେ ପାତର
ଅଳପ କଥାରେ ହୁଏ କାତର
ସବୁ କଥାରେ ଲଗାଏ ମାତର
ଭେଦା ନଦିଏ ଯେ ସାହି ଯାତର
ଅଲୋଡ଼ାରେ ଆସି ପାରେ ପତର
ମାନ୍ୟ ଲୋକକୁ ଯେ ଦିଏ ଉତ୍ତର 
ଘରେ ଧାନ ରଖି ଖାଏ ଛତର
ଦେବାଳୟେ ଯାଏ ମାଖି ଅତର 
ବୋଲେ ଦନାଇ ଏ ଅତି ଇତର । 



ହବିଷ କରଇ ନିତି ପ୍ରତିରେ 
ହରିନାମ ଛାପା ଘେନେ ଛାତିରେ 
ସ୍ନାହାନ କରେ ପିଛିଲା ରାତିରେ
ସମସ୍ତଙ୍କୁ କଥା କହେ ପ୍ରୀତିରେ 
ବସଇ ଯାଇ ସଜ୍ଜନ କତିରେ 
ରସଇ ସଦା ଯେ ନାମ ଗୀତିରେ 
ଦନାଇ ବୋଲେ ନ ବୁଝ ଗେଲ
ହାଡ଼ି ହେଉ, ଗଣା ବଡ଼ ଜାତିରେ ।

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।

No comments:

Post a Comment