ଗୋଟିଏ ବାଇସାଇକେଲରେ ଛଅ ଜଣ ସାଙ୍ଗଙ୍କ ଭ୍ରମଣ
ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର ଫଟୋ କ୍ରେଡ଼ିଟ୍ - ହାଇସ୍କୁଲ୍ ର ଫେସ୍ ବୁକ୍ ପେଜ୍ |
ଶ୍ରୀ ହରିହର ମିଶ୍ର ସେତେବେଳେ ବଲାଙ୍ଗୀରର ପୃଥ୍ୱୀରାଜ ହାଇସ୍କୁଲ ରେ ଅଧ୍ୟୟନ କରୁଥାଆନ୍ତି
। ସ୍ୱାଧୀନତା ପୂର୍ବ ସମୟର କଥା । ହଷ୍ଟେଲ୍ ରେ ରହି ପାଠପଢା ଚାଲିଥାଏ । ୧୯୪୦ ମସିହା । ୧୦ମ
ଶ୍ରେଣୀର ପାଠ ଓ ପରୀକ୍ଷା ସରିଥାଏ । ସେ ବର୍ଷ ସ୍କୁଲ୍ ର ରଜତ ଜୟନ୍ତୀ ଉତ୍ସବ ଆରମ୍ଭ ହେବାକୁ
ଯାଉଥିବାରୁ କେବଳ ଶ୍ରେଣୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କର
ନାମ ଘୋଷଣା କରାଗଲା । ବାକିସବୁ ପିଲାଙ୍କୁ ଉପର ଶ୍ରେଣୀକୁ ପଠାଇଦିଆଗଲା । ଏଥିପାଇଁ ସମସ୍ତଙ୍କ
ମନ ବହୁତ ଭଲ ଥିଲା । ଏହା ପରେ ପରେ ବଡ଼ ଦିନ ଛୁଟି ମଧ୍ୟ ପଡ଼ିଲା । ଦଶମ ଶ୍ରେଣୀରେ ହର
ବାବୁଙ୍କ କ୍ଲାସ୍ ରେ ତ୍ରିବିକ୍ରମ ପଣ୍ଡା ନାମକ ସରାଧାପାଲି ଗ୍ରାମର ଏକ ମେଳାପି ଓ ଖେଳୁଆଡ଼ି ପିଲା
ପଢୁଥିଲେ । ସରଧାପାଲି ବଲାଙ୍ଗୀର ଠାରୁ କୋଡ଼ିଏ ମାଇଲ ଦୂର ଏକ ଗାଁ । ସେ ତାଙ୍କର
ସାଙ୍ଗମାନଙ୍କୁ ଗାଁକୁ ଯିବାକୁ ନିମନ୍ତ୍ରଣ କଲେ । ହରିହର ବାବୁ, ବେଣୁଧର ପଣ୍ଡା, ବଳରାମ
ସ୍ୱାଇଁ, ତ୍ରିବିକ୍ରମ ପଣ୍ଡା, ଓ ଆଉ ଦୁଇଜଣ – ଏହି ପରି ଛଅଜଣ ସାଙ୍ଗ ଠିକ୍ କଲେ ଯେ ସେମାନେ
ମିଶି ସରଧାପାଲି ଗାଁକୁ ବୁଲି ଯିବେ ।
ଗୋଟିଏ ସାଇକେଲ ଠିକ୍ ହେଲା । ଲୁଗାପଟାତକ ଦୁଇଟି ଗଣ୍ଠିଲିରେ ବନ୍ଧା ହେଲା । ଗଣ୍ଠିଲି
ଥୁଆହେଲା ସାଇକେଲ ଉପରେ । ସକାଳୁ ସକାଳୁ ଛଅବନ୍ଧୁ ବାହାରି ପଡ଼ିଲେ । ଜଣେ ସାଙ୍ଗ ଗାଡ଼ି
ଚଲାଇଲେ । ବାକି ସବୁ ସବୁ ପଛେ ପଛେ ଚାଲିଲେ । କଥା ରହିଲା, ଦୁଇ ମାଇଲି ସାଇକେଲ ଚଲାଇ ଯାଇ
ସାଇକେଲିଆ ଅପେକ୍ଷା କରି ରହିବ । ପଥଚାରୀ ଚାଲିଚାଲି ଯାଇ ତାଙ୍କ ପାଖରେ ପହଞ୍ଚିଲେ, ତା ପରେ ଆଉ
ଜଣେ ସାଇକେଲ ଚଲାଇବ । ଏମିତି ସମସ୍ତଙ୍କର ପାଳିକେ ଲେଖାଏଁ ସାଇକଲ ଚଢ଼ା ସରିଲା ବେଳକୁ ବନ୍ଧୁଗୋଷ୍ଠୀ
ଯାଇଁ ପହଞ୍ଚିଲା ସିଂହାଣିମୁଣ୍ଡା ଗାଁରେ । ସେ ଗାଁ ହେଲା ହରିହର ବାବୁଙ୍କର ମଉସା ବଳରାମ
ଗୁରୁଙ୍କର ଗାଁ । ମଉସା ଅବଶ୍ୟ ବଲାଙ୍ଗିରରେ ରହୁଥାନ୍ତି । ଗାଁରେ ବସବାସ କରୁଥାଆନ୍ତି
ମଉସାଙ୍କର ସାବତ ମାଁ, ଭାଈ ଓ ଭଉଣୀ । ଏତେ ଲୋକ
ଥିବାରୁ ହରବାବୁ ସଙ୍କୋଚ କରି ଅନ୍ୟତ୍ର ଖିଆପିଆର ବ୍ୟବସ୍ଥା କରୁଥିବାର ଶୁଣି, ଆଇ ଡକାପକାଇଲେ ଓ
ସମସ୍ତ ବ୍ୟବସ୍ଥା କଲେ । ମଉସା ଘରେ ରାଜଭୋଜନ ଓ ବିଶ୍ରାମ କରି ପୁଣି ଗୋଟିଏ ସାଇକଲରେ ପୂର୍ବ ପରି ଛଅ ଜଣ ଯାକ ଯାତ୍ରା
ଆରମ୍ଭ କଲେ । ସୁକତେଲ ନଦୀ ପାର ହୋଇ, ସରଗାଡ଼ ଓ ଗାଇସିଲଟ ଗାଁ ଦୁଇଟି ଦେଇ ସନ୍ଧ୍ୟା ପୂର୍ବରୁ
ସରଧାପାଲି ଗାଁରେ ଯାଇ ପହଞ୍ଚିଲେ । ତ୍ରିବି ବାବୁଙ୍କର ପିତାମାତା ପୁଅଙ୍କର ସାଙ୍ଗମାନଙ୍କୁ ଦେଖି
ବହୁତ ଖୁସି ହେଲେ । ବଡ଼ ବଖରାଟାଏ ସଫା କରିଦେଲେ । ସତରଞ୍ଜି, ସପ ଇତ୍ୟାଦି ବିଛାଇ ରହିବାର,
ଶୋଇବାର ବ୍ୟବସ୍ଥା କଲେ । ରାତି ଆଠଟା ବେଳେ ଖାଇସାରି ହାଲିଆ ହୋଇଥିବାରୁ ଶୋଇଗଲେ ।
ତା ପର ଦିନ, ପାଖ ଗାଁରୁ (ତ୍ରିବି ବାବୁଙ୍କ ଶଶୁର ଘର ଗାଁ) ଆର୍ତ୍ତତ୍ରାଣ ଓ ଶଙ୍କର୍ଷଣ
ନାମରେ ପୃଥ୍ୱୀରାଜ ହାଇସ୍କୁଲର ଦୁଇ ଜଣ ତଳ ଶ୍ରେଣୀର ପିଲା ଛଅ ସଙ୍ଗାତଙ୍କୁ ଭେଟି ନିମନ୍ତ୍ରଣ
କରିବାକୁ ଆସିଲେ । ଏହି ଦୁଇ ଜଣ ତ୍ରିବିକ୍ରମ ବାବୁଙ୍କର ସମ୍ପର୍କୀୟ ଶଳା ମଧ୍ୟ ଥିଲେ । ଦିନ
ବେଳା ସରଧାପାଲିରେ ଖାସି ବା ମେଣ୍ଢା ମାଂସ ଖିଆଯାଇଥିଲା । ରାତିରେ ମଧ୍ୟ ଆମିଷ ଭୋଜନ ସହିତ ଜୋଇଁ
ଚରଚା ମିଳିଲା । ସେତେବେଳେ ନିମନ୍ତ୍ରିତ ଅଥିତିଙ୍କୁ ଆମିଷରେ ଚର୍ଚ୍ଚା କରିବା ଏକ ପ୍ରଥା ଥିଲା
। ଲୋକେ ସେଥିପାଇଁ ଘରେ ଛେଳି ମଧ୍ୟ ରଖୁଥିଲେ । ଜୋଇଁ ଚରଚା ପରେ, ରାତିରେ ଶୋଇ, ସକାଳେ ଉଠି
ନିତ୍ୟକର୍ମ ଓ ଜଳଖିଆ ଇତ୍ୟାଦି ସାରି, ସରଧାପାଲିରେ ପହଞ୍ଚି, ବଲାଙ୍ଗିର ଫେରିବାର ଯୋଜନା ତିଆର
ହେଲା । ତ୍ରିବି ବାବୁ ଘରେ ରହିଗଲେ । ବାକି ପାଞ୍ଚଜଣ ଯାକ ଗୋଟିଏ ସାଇକେଲ ଚଢ଼ି ଇସ୍କୁଲକୁ
ଫେରିବାର ଉପକ୍ରମ କଲେ । ତ୍ରିବିକ୍ରମ ଓ ତାଙ୍କର ପିତା ଖଣ୍ଡେ ବାଟ ବଳେଇଦେବା ପାଇଁ ଆସିଲେ ।
ଫେରନ୍ତାରେ ବନ୍ଧୁମାନେ ଭିନ୍ନ ବାଟ ଧରିଲେ । କଉତିକିଆ ଗପଟିମାନ କହିଶୁଣି ସମୟ କଟୁଥାଏ ।
ସରଧାପାଲିରୁ ଆସିଲେ ଗାଏସିଲଟ । ସେଥି ଉତ୍ତାରୁ ଲୋଇସିଂହା ଆଡ଼କୁ ପ୍ରସ୍ଥାନ କଲେ ।
ଲୋଇସିଂହାରେ ବସ୍ ସ୍ଟାଣ୍ଡ୍ ରେ ପହଞ୍ଚି ସାଇକେଲକୁ ବସ ଉପରେ ରଖି, ପାଞ୍ଚଜଣ ସାଙ୍ଗ ବସ୍ ରେ
ବସି ଘଣ୍ଟାକ ଭିତରେ ବଲାଙ୍ଗିରରେ ପହଞ୍ଚିଲେ । ଏମିତି ଥିଲା ପଚସ୍ତରୀ ବର୍ଷରୁ ଉର୍ଦ୍ଧ ସମୟ
ପୂର୍ବର ଗୋଟିଏ ସାଇକେଲରେ ଛଅଜଣ ସାଙ୍ଗଙ୍କର ଭ୍ରମଣ ।
ଶିକ୍ଷାବିତ୍ ଶ୍ରୀ ହରିହର ମିଶ୍ରଙ୍କର ଆତ୍ମଜୀବନୀ ‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର’ (୨୦୧୬) ରୁ ସଙ୍ଗୃହିତ (ଭୁବନେଶ୍ୱର : ପଶ୍ଚିମା ପବ୍ଲିକେଶନ୍ସ୍ ) ।
No comments:
Post a Comment