Sunday, April 10, 2016

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ପ୍ରଥମ ଖଣ୍ଡ - ୧୪ ଓ ୧୫ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୪


ମୁଁ ମୋର ଭ୍ରାତା ସିଭରସ୍ ଙ୍କ ଠାରୁ ନିଜର ବନ୍ଧୁବାନ୍ଧବଙ୍କୁ ପ୍ରୀତି କରିବା ତଥା ସତ୍ୟ ଓ ନ୍ୟାୟକୁ ଭଲ ପାଇବା ଶିଖିଲି । ତାଙ୍କ ଦ୍ୱାରା ହିଁ ମୁଁ ଥ୍ରାସିଆ, କେଟୋ, ହେଲଭିଡ଼ିଅସ୍, ଡିଅନ୍ ଏବଂ ବ୍ରୁଟସ୍ ଙ୍କୁ ଜାଣିଲି । ତାଙ୍କ ଯୋଗୁ ମୁ ଁସମତା ଓ ସ୍ୱାଧୀନ ମତପ୍ରକାଶ ଉପରେ ପର୍ଯ୍ୟବେଷିତ ଏକ ସମାଜ ତଥା ନିଜର ପ୍ରଜାମାନଙ୍କର ସ୍ୱାଧୀନତାକୁ ନିଜର ମୂଳ ଅଭିପ୍ରାୟ ଭାବରେ ଦେଖୁଥିବା ରାଜ୍ୟର ପରିକଳ୍ପନା ସହିତ ପରିଚିତ ହେଲି । ସେ ମୋତେ ଦର୍ଶନର ନିରପେକ୍ଷ ଓ ବୀତରାଗ ଗୁଣଗ୍ରାହୀତା ଶିଖାଇଲେ । ସେ ଆହୁରି ମଧ୍ୟ ମୋତେ ନାନାଦି ସତ୍କର୍ମ, ଉଦାରତା, ଉତ୍ସାହପୂର୍ଣ୍ଣ ମେଜାଜ୍, ତଥା ନିଜର ବନ୍ଧୁମାନଙ୍କ ପ୍ରତି ଅନୁରାଗ ପ୍ରତି ଦୃଢ଼ବିଶ୍ୱାସ ରଖିବା ଶିଖାଇଥିଲେ । ସେ ଅବକ୍ର ଭାବରେ ନିନ୍ଦା କରୁଥିବାର ମୋର ସ୍ମରଣ ଅଛି । ସେ ନିଜ ବନ୍ଧୁମାନଙ୍କୁ ସରଳ ଭାବରେ ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ଜଣାଇଦେଉଥିଲେ । 


୧୫


ଆତ୍ମନିୟନ୍ତ୍ରଣ, ଉଦ୍ଦେଶ୍ୟ ପ୍ରତି ନିଷ୍ଠା, ରୋଗବଇରାଗ ତଥା ଅନ୍ୟାନ୍ୟ ଦୁର୍ଭାଗ୍ୟରେ ପ୍ରଶାନ୍ତ ରହିବା ମୁଁ ମାକ୍ସିମସ୍ ଙ୍କଠାରୁ ଶିକ୍ଷାକଲି । ତାଙ୍କର ଚରିତ୍ର ଗାମ୍ଭିର୍ଯ୍ୟ ତଥା ମୋହକତାର ଏକ ପ୍ରଶଂସନୀୟ ସଞ୍ଜୋଗ ଥିଲା । ସେ ନିଜର ସମସ୍ତ କର୍ତ୍ତବ୍ୟ ବିନା ଆଡମ୍ବରରେ, ନୀରବ ଭାବରେ ନିର୍ବାହ କରୁଥିଲେ । ସେ ସମସ୍ତଙ୍କୁ ଏହା ପ୍ରତୀତ କରୁଥିଲେ ଯେ ସେ ତାଙ୍କର ବାକ୍ୟ ଓ ଚିନ୍ତା ତଥା ବିଶ୍ୱାସ ମଧ୍ୟରେ, ଏବଂ ତାଙ୍କର ବିରାର ତଥା ଆଚରଣ ଭିତରେ ସାମ୍ୟ ଥିଲା । ସେ କେବେ ବିହ୍ୱଳ ହେବା କିମ୍ବା ଭୀତ ହେବା ଜଣା ନଥିଲା ।  ସେ କେବେ ତରତର ହେଉନଥିଲେ କିମ୍ବା ବିଳମ୍ବ ମଧ୍ୟ କରୁନଥିଲେ । ସେ କେବେ ଇତସ୍ତତଃ ହେବା ଜଣାନଥିଲା । ସେ କେବେ ନୈରାଶ୍ୟ କିମ୍ବା ମିଥ୍ୟାନନ୍ଦକୁ ପ୍ରଶୟ ଦେଉନଥିଲେ । କ୍ରୋଧ ଏବଂ ଇର୍ଷା ତାଙ୍କ ଉପରେ ଆଦୌ ପ୍ରଭାବ ବିସ୍ତାର କରିପାରୁନଥିଲେ । ତାଙ୍କର ଆଚରଣ ଦୟାଶୀଳତା, ସହାନୁଭୁତି, ତଥା ଶୁଦ୍ଧତା ଯୋଗୁଁ ଏପରି ଦୃଶ୍ୟାମାନ ହେଉଥିଲା ଯେପରିକି ଏପରି ଉଦାର ଚରିତ୍ର ଅଭ୍ୟାସ ନୁହେଁ, ବର‌ଂ ପ୍ରକୃତିର ଫଳଶୃତି । ସେ କେବେ କାହାକୁ ନୀଚ୍ଚ ଦେଖାଇଲା ଭଳି ଆଚରଣ କରୁନଥିଲେ । ମାତ୍ର କେହି ତାଙ୍କର ମର୍ଯ୍ୟାଦାର ଉଲ୍ଲଙ୍ଘନ କରିବା ମଧ୍ୟ ଅସମ୍ଭବ ଥିଲା । ଏଥିସହିତ ସେ ଅତି ପ୍ରୀତିପ୍ରଦ ଭାବରେ କୌତୁକପ୍ରିୟ ମଧ୍ୟ ଥିଲେ । 

No comments:

Post a Comment