ପିଲାଙ୍କ ଗୀତ - ଡ଼ାମରା କାଉ
କବି - ଚନ୍ଦ୍ରମୋହନ ମହାରଣା (୧୮୬୭ - ୧୯୨୯)
![]() |
କାୱାନାବେ କିଓସାଇ ଙ୍କର ଚିତ୍ର - 'ଡାଳରେ କାକ ' ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଡାମରା କାଉରେ ଡାମରା କାଉ
ଦିନମାଳ ତୁହି ବୋବାଉ ଥାଉ ।
ଗୁଣଟିଏ ଅଛି ଜାଣଇ ମୁହିଁ
କେହି ନ ଉଠୁଣୁ ଉଠୁରେ ତୁହି ।
କାଆ କାଆ ରାବି ଉଠାଉ ଆନେ
ରାବ ଶୁଣି ରାତି ପାହିଲା ଜାଣେ ।
ଡାମରା କାଉରେ ଡାମରା କାଉ
ଗୁଣଟିଏ ଅଛି ତୋହର ଥାଉ ।
ତୋ' ଠାରେ ଅଳସପଣ ନଥାଏ
ଶ୍ରମ କରୁକରୁ ତୋ ଦିନ ଯାଏ ।
ଅନ୍ଧାର ହୋଇଲେ ବିଶ୍ରାମ କରୁ
ଉଠୁ ପୁଣି ତୁହି ସବା ଆଗରୁ ।
ଡାମରା କାଉରେ ଡାମରା କାଉ
ଗୁଣ ଦିଓଟି ତୋ ସର୍ବଦା ଥାଉ ।
ଦୋଷ ତୋର ଅଛି, କହେଁ ତୋ ଆଗେ
କର୍କଶ ତୋ ରାବ ଭଲ ନ ଲାଗେ ।
ଦିନ ଯାକ 'ରାଆ-ରାଆ' ତୁ କରୁ
ତୋ କଣ୍ଠ ନୁହଇ ମଧୁର, ସରୁ ।
ଡାମରା କାଉରେ ଡାମରା କାଉ
ଦୋଷଟାଏ ଅଛି ତୋହର ଆଉ ।
ଗୁଣରେ କୋଇଲି ତୋ'ଠାରୁ ଭଲ
ତାକୁ ଖୁମ୍ପି କରୁ ତୁ କଲବଲ ।
ସାଧୁଜନ ସଙ୍ଗେ ଯେହୁ ଲଗାଏ
ଅସାଧୁ ବୋଲିଣ ସେ ନିନ୍ଦା ପାଏ ।
ଡାମରା କାଉରେ ଡାମରା କାଉ
ଗୁଣ ଦୋଷ ତୋର ତୋଠାରେ ଥାଉ ।
ବାଳକ ବାଳିକା ଶୁଣ କହଇଁ
ଦୋଷଗୁଣ ବେନି ଦେଖିବ ଯହିଁ ।
ଦୋଷକୁ ଉପେକ୍ଷି ଗୁଣ ଶୁଣିବ
ହିତ ହେବ, ସୁଖ ସ୍ନେହ ମିଳିବ ।
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
No comments:
Post a Comment