Thursday, April 21, 2016

ପାଞ୍ଚଟି ଦନାଇ ବଚନ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ସମୁଦ୍ର ତଳ ତଡ଼ିଆ
ଟାଙ୍ଗି ତଳ ଗଡ଼ିଆ
ରାଷି ସୋରିଷ ପିଡ଼ିଆ
ଘର ପଛ ପଡ଼ିଆ 
ବାଞ୍ଛାଛେଳି ଫଡ଼ିଆ
କେତକୀ ଖଇର ବିଡ଼ିଆ
ବୋଲେ ଦନାଇ ବଢ଼ିଆ ।


ସବୁବେଳେ ଯେ ରାଗେ ତମତମ
ଅଳପ କାମେ ଝାଳେ ଗମଗମ
ଟୋକାଙ୍କ ଆଗେ ହୁଏ ଝମଝମ 
ବିଲୁଆ ଦେଖି ଛାତି ଦମ ଦମ
କାମ ନକରି ହୁଏ ହମ ହମ
ଦନାଇ ଦେଖି ହୁଏ କମ କମ । 


ସତୀର ହୋଇଲେ ପତି ବିଚ୍ଛେଦ 
ପଣ୍ଡିତ ଲୋକର ଲୋକାପବାଦ 
ବହୁକୁଟୁମ୍ବୀ ହେଲେ ଧନହୀନ
ଦୂର ବାଟରେ ଭାଙ୍ଗିଗଲେ ଯାନ 
କନ୍ୟା ଲାଗି ଯେବେ ନ ମିଳେ ବର
ତୋଳି ନ ପାରେ ଯେହୁ ଭଙ୍ଗାଘର
ୠଣ ଯେବେ ବଢ଼ିଯାଏ ବହୁତ 
ପରଦାରା ଯେବେ କରଇ ସୁତ 
ଜମିବାଡ଼ି ବନ୍ଧା ଦିଏ ଯା ବାପ 
ବୋଲେ ଦନାଇ ବଢ଼େ ମନସ୍ତାପ ।


ସନ୍ଧିନୀ ଗାଭୀ ଦୁଗ୍ଧ କଲେ ପାନ
ଟିକିଏ କଥାରେ ପକାଏ ଆନ 
ଦମ୍ପତ୍ତି କଥାକୁ ଯେ ପାରେ କାନ
ଗୁରୁବାରେ ରାମ ଚରିତ୍ର ଗାନ
ଅପାତ୍ରରେ ଯେହୁ କରଇ ଦାନ
ବର ହୋଇଲେ କନ୍ୟାଠାରୁ ସାନ 
ମାରୁ ନାରୀ ଯେବେ ଚଢ଼ଇ ଯାନ
ବୋଲେ ଦନାଇ ଏ କଥା ନିଦାନ ।


ସବୁ ଚାଉଳ ହାଣ୍ଡିକୁ
ପତୁରି ସୁନା ଦଣ୍ଡିକୁ 
ଶିମିଳି ତୂଳା ମାଣ୍ଡିକୁ
କିଆକନ୍ଦା ଗଣ୍ଡୀକୁ 
ଟାଣୁଆ କନ୍ଦା କୁଣ଼୍ଡିକୁ
ପାର୍ବଣ ପୂଜା ଚଣ୍ଡୀଙ୍କୁ
ନଈ ମଝି ପଠା ତଣ୍ଡୀକୁ
ଭଲା ଦନାଇ ଦାଣ୍ଡିକୁ । 

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ । 

No comments:

Post a Comment