Monday, April 25, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୫


ଫଟୋ କ୍ରେଡ଼ି୍ଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ଆପଣ ସେଇ ଚଉଦ ବର୍ଷ ବୟସରେ ଗାଁ ଛାଡ଼ି କଟକ ଆସିଲା ପରେ, ଆଉ କେବେ ଗାଁରେ ଯାଇଁ ଦୀର୍ଘ ସମୟ ପାଇଁ ରହିଛନ୍ତି ?

ଶ୍ରୀମତି ଶ୍ୟାମାମଣି ଦେବୀ : ହଁ, ଯାଏନା । ମୁଁ ପ୍ରାୟତଃ ଛୁଟିରେ ଯାଏ, ଓ ଗାଁରେ ରହେ । ଗାଁରେ ରହିଲେ ସେଇ ନଈକୁ ଯିବି । ପିଲାମାନଙ୍କୁ ସମସ୍ତଙ୍କୁ ନେଇକି । ସବୁ ସାଙ୍ଗମାନଙ୍କୁ, ଭଉଣୀମାନଙ୍କୁ ନେଇକି । ତାଙ୍କୁ କହିବି ସବୁ ପାଠ ପଢ଼ ଭଲକି । କାରଣ ଆମ ଗାଁରେ ସେତେବେଳେ ମାଇନର ସ୍କୁଲ୍ ରେ ମୁଁ ହଉଚି ପ୍ରଥମ ଝିଅ । ଝିଅପିଲାଙ୍କ ପାଇଁ ସହଶିକ୍ଷା ନଥିଲା ସେତେବେଳେ । ପୁଅପିଲାଙ୍କ ସ୍କୁଲ୍ ଥିଲା । କେହି [ଝିଅ] ସେଠି ପଢ଼ିବାକୁ ଯିବେନି । ମୁଁ ପ୍ରଥମ ଝିଅପିଲା ଯାଇଁ ସେଠି ପାଠ ପଢ଼ିଲି । ମୋର ବଡ଼ ଭଉଣୀକୁ ପଢ଼ିବାର ଦରକାର ପଡ଼ିଲା, ତାକୁ ବାଙ୍କୀ ପଢ଼ାଗଲା । ସେ ପିଇସାଙ୍କ ଘରେ ରହି ପଢ଼ିଲା । କିନ୍ତୁ ଗାଁଁରେ ମୁଁ ପ୍ରଥମ । ଆଉ ତାପରେ ମୋ ପରେପରେ ସେମାନେ ସମସ୍ତେ । ଧିରେ ଧିରେ ସବୁ ଗଲେ । ତାପରେ ସେମାନେ ବି କଲେଜ୍ ଗଲେ । ସେମାନେ ବି ଶିକ୍ଷକତା କଲେ । ସେମାନେ ବି ନିଜନିଜ ଜାଗାରେ ଚାକିରୀବାକିରୀ କରିକି ବାହାସାହା ହେଇକି ସମସ୍ତେ ପ୍ରତିଷ୍ଠିତ ।  ତେଣୁ ବାହାରକୁ ବାହାରିକି, ସ୍ୱାଧୀନ ଭାବରେ କିଛି କରିବାର ପ୍ରେରଣା ମୁଁ ଜାଣିବାରେ ମୁଁ ପ୍ରଥମେ ବୋଧେ ଆମ ଗାଁରେ ।  

ସେଣ୍ଟର୍ : ଆମକୁ ଟିକେ ବାଙ୍କି-ବଡ଼ମ୍ବା, ଏଇ ଅଞ୍ଚଳରେ ସେହି ସମୟର ସାଙ୍ଗୀତିକ ପରମ୍ପରା ବିଷୟରେ କିଛି କୁହନ୍ତୁ । ସେଇ ସମୟରେ ଓଡ଼ିଆ-ଓଡ଼ିଶୀ ସଙ୍ଗୀତକୁ ନେଇ ଯେଉଁ ପ୍ରକାରର ଚର୍ଚ୍ଚା ଚାଲିଥିଲା, ଓ ସେଥିରେ ଆପଣଙ୍କର ପିତୃବ୍ୟ ଥିଲେ  ବୋଧେ ଜଣେ ପୁରୋଧା ।

ଶ୍ରୀମତି ଶ୍ୟାମାମଣି ଦେବୀ :  ବଡ଼ମ୍ବା ତ ଗୋଟେ ସାଂସ୍କୃତିକ ପୀଠ । କାରଣ ବଡ଼ମ୍ବାରୁ ବୈକୁଣ୍ଠ ପଟ୍ଟନାୟକ,  ସୁନନ୍ଦା ପଟ୍ଟନାୟକ  -  ସେମାନେ ସବୁ ବଡ଼ମ୍ବାର ଲୋକ । ତା' ପରେ ବାଙ୍କୀର ତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଆପଣଙ୍କର ଗୋପୀକୃଷ୍ଣ ବେହେରା - ଅଲ୍-ରାଉଣ୍ଡର୍ କଳାକାର ଜଣେ - ସେ ବାଙ୍କୀର । ତା' ପରେ ଏମାନେ ତିନି ଭଉଣୀ - ସୁଚିତ୍ରା ମହାପାତ୍ର, ସଙ୍ଗୀତା ମହାପାତ୍ର, ଓ ସୁମିତା ମହାପାତ୍ର  - ଏମାନେ ସମସ୍ତେ ବାଙ୍କୀର । ବାଙ୍କୀ ଗୋଟେ ବହୁତ ସଂସ୍କୃତି ସମ୍ପନ୍ନ ଜାଗା । 

ସେଣ୍ଟର୍ :  ଏଇଟା ମୋ ମନରେ ବେଳେବେଳେ ଖେଳେ ଯେ ଏବେ ଓଡ଼ିଶାରେ ପ୍ରାୟ ସବୁକିଛି କଟକ-ଭୁବନେଶ୍ୱର କୈନ୍ଦ୍ରିକ ହୋଇଯାଇଛି - ଯାହାବି ସାଂସ୍କୃତିକ କାମ ହେଉଛି ବା ଚର୍ଚ୍ଚା ହେଉଛି । କିନ୍ତୁ ସେ ସମୟରେ ଯେତେବେଳେ ଯୋଗାଯୋଗ ଏତେ ଭଲ ନଥିଲା, ଛୋଟ ଛୋଟ ଯାଗାଗୁଡ଼ିକରେ ଏଭଳି ପରମ୍ପରାର ସୃଷ୍ଟି କିଭଳି ସମ୍ଭବ ହେଉଥିଲା ।  

ଶ୍ରୀମତି ଶ୍ୟାମାମଣି ଦେବୀ : ସେଇଠି କେବଳ ଡ୍ରାମା । ସେମାନେ ବାଙ୍କୀରେ ବି ସେ ସମୟରେ ଡ୍ରାମା କରୁଥିଲେ ସବୁ । ମାନେ ସେତେବେଳେ ତ କିଛି ନଥିଲା । ଏଇ ଖଟ ପକେଇକରି, ପେଣ୍ଡଲ୍ ତିଆରି କରି ଡ୍ରାମା କରୁଥିଲେ । ବାଙ୍କୀରେ ବି ବହୁତ ଡ୍ରାମା ହଉଥିଲା । ଆମ ସରଣ୍ଡା ଅଞ୍ଚଳରେ ଆମ ଗାଁରେ ଡ୍ରାମା ହୁଏ । ବିଭିନ୍ନ ଗାଁରୁ ଆମ ଗାଁକୁ ଲୋକେ ଡ୍ରାମା ଦେଖିବାକୁ ଆସନ୍ତି । ସେତେବେଳେ ଡ୍ରାମା ହିଁ ଏ ଅଞ୍ଚଳରେ ସଂସ୍କୃତିରେ ବାହକ ଥିଲା । ଆଉ ତ କିଛି ନଥିଲା । ଆଉ ତ ପାଲା ଫାଲା ଇତ୍ୟାଦି । ଆଉ ତ କିଛି ନଥିଲା । ଆଉ - ମୁଁ ଜାଣିବାରେ, ମୁଁ ଯେତିକି ଜାଣିଛି - ସେମିତି କିଛି ନଥିଲା ।  ଆଉ ବିଭିନ୍ନ ଗାଁର ବିଭିନ୍ନ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ ଥିଲା । ଏମାନେ ଏସବୁ ଦୋଳ ପୂର୍ଣ୍ଣିମା ବେଳେ ଯେଉଁ ହୁଏ ମେଲଣ । ସେତିକି ବେଳେ ଆସି ମେଲଣ ପଡ଼ିଆରେ ସଂକୀର୍ତ୍ତନ ମଣ୍ଡଳୀମାନେ ଆସି ଖୋଳ ଇତ୍ୟାଦି ଧରି [ଆସି ସଙ୍ଗୀତ ପରିବେଷଣ କରନ୍ତି] । ମାନେ ବିଶ୍ୱାସ କରିବେନି, ମୋ ଛୋଟ ବେଳେ, ଯେଉଁ କୀର୍ତ୍ତନ ହୁଏ ତାଙ୍କର ସେମାନେ ଭିନ୍ନ ଭିନ୍ନ ପ୍ରକାରର ତାଳରେ ବଜାନ୍ତି ।  ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀମାନେ ଦେଖିଥିବେ । ଖୋଳ ଧରିକି ବସିକରି ବଜେଇବେ, ଆଣ୍ଠେଇକି ବଜେଇବେ । ପୁଣି ଉଠିକରି ବଜେଇବେ । ଏପଟୁସପଟ ଯାଇଁ ବଜେଇବେ । ସେପଟୁ ଆଉ ଦଳେ ଆସୁଥିବେ । ଏମିତି ସବୁ ହୁଏ । ମୁଁ ପୁରା ସେଇଠି ଠିଆ ହେଇକି ରହେ । ଘଣ୍ଟାଘଣ୍ଟା ଠିଆହେଇ ଶୁଣେ । ଘରୁ ଲୋକ ଆସିବ କଅଣ ଏଠି ଠିଆହେଇଚି । ଘରେ ଖୋଜୁଥିବେ ମୋତେ । ଏତେ ସମୟ କଅଣ ତୁ ଶୁଣୁ ତାକୁ ବୋଲି ମୋତେ ବୋଉ ପଚାରେ । ମୁଁ କହିବି ବୋଉ କେତେ ପ୍ରକାରର ତାଳକୁ ସେମାନେ ବଦଳେଇକି ବଜଉଛନ୍ତି । ମୋର ତ ସେତେବେଳେ ଜ୍ଞାନ ନାହିଁ ଏତେ ସବୁ ତାଳ ବିଷୟରେ । କେତେ ପ୍ରକାରର ତାଳ ସେମାନେ ବଦଳିକି ଖୋଳରେ ବଜଉଛନ୍ତି । କେତେ ଧିରେ ତାଳକୁ ବଜଉଛନ୍ତି । ଏବେ ସବୁ ଶିଖିଲା ପରେ ତ ମୁଁ ଜାଣିଲି ନା । ସେତେବେଳେ ତ ମୁଁ ଏସବୁ ଜାଣୁନଥିଲି ନା ।  ସେତେବେଳେ ଏସବୁ ବଡ଼ ଆଗ୍ରହଜନକ ଥିଲା । ଗୋଟେ ତାଳ କରୁଛନ୍ତି । ତାହା ପରେ ବଢ଼ଉଛନ୍ତି । ତାହାପରେ ଗୋଟେ ଉଦ୍ଦଣ୍ଡ କରୁଛନ୍ତି । ପୁଣି ଆଉଥରେ ଧୀରକୁ ପଳେଇଆସୁଛନ୍ତି । କିନ୍ତୁ ମୂଳ ଲୟ ତାଙ୍କର ଯାହା ସେ ଲୟ ସେକାଳରେ ମଧ୍ୟ ସେମାନଙ୍କର ସମାନ ରହୁଥିଲା । ଯେତେ ଯୁଆଡ଼େ ଗଲେ ମଧ୍ୟ, ଉଦ୍ଦଣ୍ଡ କରି ସେ ପୁଣି ନିଜ ମୂଳ ଲୟକୁ ଫେରି ଆସୁଥିଲେ । ତାହା ମାନେ ଲୟ, ତାଳ, ସୁର, ପ୍ରତି ଗାଁମାନଙ୍କରେ, ସେଇ ସଂକୀର୍ତ୍ତନମାନଙ୍କ ଦ୍ୱାରା ହେଉ କି ଭାଗବତ ଟୁଙ୍ଗୀରେ ଖଞ୍ଜଣି [ଭଜନ] ମାଧ୍ୟମରେ ହେଉ, ସେସବୁ ଥିଲା । ତାହାପରେ ସେଇଟାକୁ ଧିରେ ଧିରେ ଆମେ ଯେଉଁମାନେ ଆଜିର ସାଂସ୍କୃତିକ [ଜଗତର] ଗୁୁରୁମାନେ ତାହାର ଧି୍ରେଧିରେ ବିକାଶ କରାଇଛନ୍ତି ।  କିନ୍ତୁ ସେଗୁଡ଼ା ଆଗରୁ ସବୁଥିଲା । 

No comments:

Post a Comment