Saturday, April 16, 2016

ନୂଆ ଅର୍ଥନୀତି ଓ ଓଡ଼ିଆ ଭାଷା ('ବିକଳ୍ପ ବିଚାର' ପତ୍ରିକାର ପ୍ରସ୍ତାବନା)


କପିରାଇଟ୍ - ବାଣୀମଞ୍ଜରୀ ଦାସ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଏଇ ବର୍ଷ ଜାନୁଆରୀ ପାଞ୍ଚ ତାରିଖରେ ସମ୍ବଲପୁର ଜିଲ୍ଲା ଅତାବିରା ଗ୍ରାମରେ ‘ସଂରକ୍ଷଣ ନୀତି ଓ ଜାତିପ୍ରଥା’ ସମସ୍ୟା ଉପରେ ଗୋଟିଏ ମଫସଲ-ସ୍ତରୀୟ ସେମିନାର୍ ଅନୁଷ୍ଠିତ ହୋଇଥିଲା । ପାଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଥିବାରୁ ଦୁଇଜଣ ବରିଷ୍ଠ ଅଧ୍ୟାପକ ସେଠୁ ଆସି ଯୋଗ ଦେଇଥିଲେ । ବହୁଦିନ ପରେ ସେମାନଙ୍କ ସଙ୍ଗେ ଦେଖାହେଲା । ଅନ୍ୟାନ୍ୟ କଥାବାର୍ତ୍ତା ଭିତରେ ବୈଦେଶିକ ଋଣ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଉଲ୍ଲେଖ ହେବାରୁ ଆଳାପରେ ଉତ୍ତେଜନା ଆସିଲା । ସେମାନେ ପଚାରିଲେ, ‘ଓଡ଼ିଆରେ ଯେଉଁ ପତ୍ରିକାଟିଏ ବାହାର କରୁଥିଲ, ବନ୍ଦ କରିଦେଲ କାହିଁକି?’

ଏହି ପ୍ରଶ୍ନ ପଛରେ ୧୯୯୦-୯୧ର ଘଟଣା ବହୁଳ ଇତିହାସ ଥିଲା । ଦୁଇ ବର୍ଷ ଭିତରେ ଗୁରୁତର ଘଟଣାମାନ ରାଷ୍ଟ୍ର ଓ ବିଶ୍ୱର ମସ୍ତିଷ୍କକୁ ବିଚଳିତ କରିଦେଇଛି । ମଣ୍ଡଳ ଆୟୋଗ, ରାମମନ୍ଦିର, ସୋଭିୟତ୍ ସଂଘର ପତନ, ଭାରତର ନୂଆ ଅର୍ଥନୀତି - ପ୍ରତ୍ୟେକ ଗୋଟିଏ ଗୋଟିଏ ବିବାଦର ଆଗ୍ନେୟଗିରି ।

ମଣ୍ଡଳ ଆୟୋଗ ସାରା ଦେଶରେ ଚହଳ ପକାଇଲା । ଜନସାଧାରଣଙ୍କ ସ୍ତରକୁ ଆଲୋଚନା ଗଲା । ଏଭଳି ଜନଚର୍ଚ୍ଚା ଆମ ଦେଶରେ ଖୁବ୍ କମ୍ ଦେଖାଯାଏ । ହେଲେ କ’ଣ ହେବ, କୌଣସି ପରିଣାମ ବାହାରିଲା ନାହିଁ । କାରଣ ଆଲୋଚନାର କୌଣସି ଧାରା ନଥିଲା । ଶିକ୍ଷିତ ଲୋକମାନେ ମଧ୍ୟ ଜାଣିଲେ ନାହିଁ ଯେ ମଣ୍ଡଳ କମିଶନ କ’ଣ ସବୁ ସୁପାରିଶ କରିଛନ୍ତି? ‘ଅନଗ୍ରସର’ ବୋଲି କେଉଁମାନଙ୍କୁ ଚିହ୍ନିତ କରାଯାଇଛି ଓ କାହିଁକି କରାଯାଇଛି? ‘ଅନଗ୍ରସରତା’ର କେଉଁସବୁ ମାପଦଣ୍ଡ ରଖାଯାଇଛି? ଆର୍ଥିକ ମାପଦଣ୍ଡ ଅଛି କି ନାହିଁ? ଓଡ଼ିଶାରେ ଏସବୁକୁ ନେଇ ଅଜ୍ଞତା ବହୁତ ଅଧିକ ଥିଲା । ଓଡ଼ିଶାର ପ୍ରତିଷ୍ଠିତ ଖବରକାଗଜ ଓ ପତ୍ରିକାମାନେ କବାଟ କିଳିଦେଲେ । ତେଣୁ ଲୋକଙ୍କୁ ତଥ୍ୟ ମିଳିପାରିଲା ନାହିଁ । ଆଲୋଚନା କୌଣସି ପଦ୍ଧତିରେ ଚାଲିପାରିଲା ନାହିଁ । କେବଳ ବିତଣ୍ଡା ଚାଲିଲା ।

ତା ପରେ ଦୁନିଆର ରାଜନୀତି କ୍ଷେତ୍ରରେ ଏକ ଭୂମିକମ୍ପ ଆସିଲା । ଚାହୁଁ ଚାହୁଁ ମାସ କେତେଟା ଭିତରେ ସୋଭିୟତ୍ ସଂଘ ଓ ପୂର୍ବ ୟୁରୋପୀୟ ସାମ୍ୟବାଦୀ ସରକାରମାନେ ଭୁଷୁଡ଼ି ପଡ଼ିଲେ । ପୃଥିବୀର ଇତିହାସ, ଭୂଗୋଳ ଏକା ସାଙ୍ଗରେ ବଦଳିଗଲା - ଯେପରିକି ମହାଯୁଦ୍ଧମାନଙ୍କ ପରେ ହୁଏ । ବିଶ୍ୱ ରାଜନୀତିର ଶକ୍ତି ସନ୍ତୁଳନ ବଦଳିଗଲା । ନୂଆ ନୂଆ ଘଟଣାକୁ ନୂଆ ନୂଆ ଶବ୍ଦ ଦେଇପାରୁଥିବା ଭାଷାମାନେ ନାନା ଭାବରେ ଏହି ପରିସ୍ଥିତିକୁ ବର୍ଣ୍ଣନା କଲେ । କେତେକ କହିଲେ ଯେ ‘ଏକ ଧ୍ରୁବୀୟ ବିଶ୍ୱ’ର ଅଧ୍ୟାୟ ଆରମ୍ଭ ହୋଇଛି । ଓଡ଼ିଆ ଭାଷା କିଛି କହିପାରିଲା ନାହିଁ ।

ଏହି ଏକ ଧ୍ରୁବୀୟ ବିଶ୍ୱର ପ୍ରତିକୂଳ ପ୍ରଭାବ ଭାରତ ସାଙ୍ଗେ ସାଙ୍ଗେ ଅନୁଭବ କଲା । କାରଣ ଠିକ୍ ସେଇ ସମୟରେ ବୈଦେଶିକ ମୁଦ୍ରାର ଏକ ବଡ଼ ଋଣ ମାଗିବାର ପାଳି ଆସିଯାଇଥିଲା । ଋଣ ମାଗିବାବେଳେ ଏତେ ବେଶୀ ମୁଣ୍ଡ ନୁଅାଁଇବାକୁ ପଡ଼ିବ ବୋଲି ଆଗରୁ ଜଣାନଥିଲା । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ସର୍ତ୍ତାବଳୀ ଭାରତର ଆର୍ଥିକ ଚିନ୍ତାଧାରାକୁ ଓଲଟପାଲଟ କରିଦେଲା । ଆର୍ଥିକ ବିକାଶର ଶବ୍ଦାବଳୀ ବଦଳିଗଲା । ଅର୍ଥଶାସ୍ତ୍ରୀମାନେ ଦୁଇ ଭାଗରେ ବାଣ୍ଟି ହୋଇଗଲେ । ଅର୍ଦ୍ଧେକ କହୁଛନ୍ତି, ‘ଏହା ହିଁ ଠିକ୍ ବାଟ । ଆମେ ପୃଥିବୀ ସାଙ୍ଗରେ ଯୋଡ଼ି ହୋଇଯିବା । ବିଦେଶରୁ ପୁଞ୍ଜି ଆସି ଆମ ଦେଶକୁ ଘିଅ ମହୁରେ ଭସାଇ ଦେବ ।’ ଆଉ ଅଧେ କହୁଛନ୍ତି, ‘ଆମେ ଋଣ ଜାଲରେ ଛନ୍ଦି ହୋଇ ଦେବାଳିଆ ହୋଇଯିବା । ଆମର ଆର୍ଥିକ ସ୍ୱାଧୀନତା ବିପନ୍ନ ହେଉଛି ।’

ଯଦି ଏକ ସମୟରେ ଏତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା ଘଟିଯାଏ, ତା’ହେଲେ ମଣିଷର ମସ୍ତିଷ୍କକୁ ଧକ୍କା ଲାଗେ । ମସ୍ତିଷ୍କ ଉପରେ ପ୍ରଚଣ୍ଡ ଚାପ ସୃଷ୍ଟି ହୁଏ । ତାହାର ଦୁଇ ପ୍ରକାରର ପରିଣାମ ହୁଏ । କେତେକ ସ୍ଥଳରେ ମସ୍ତିଷ୍କ ସ୍ତବ୍ଧ ହୋଇଯାଏ; କେତେକ ସ୍ଥଳରେ ମସ୍ତିଷ୍କ ଉତ୍ତେଜିତ ହୁଏ । ଯେଉଁ ସମାଜର ନିଜସ୍ୱ ଭାଷା ଅଛି ଓ ଭାଷାରେ ଜୀବନ ଅଛି, ସେଇ ଭାଷା ସବୁ ରକମର ବାହ୍ୟ ପରିବର୍ତ୍ତନ ସାଙ୍ଗରେ ମଣିଷର ମସ୍ତିଷ୍କର ସଂଳାପ ଘଟାଏ । ବାହାରୁ ଆସୁଥିବା ଆଘାତକୁ ସଂଳାପ ଦ୍ୱାରା ଆୟତ୍ତ କରାଯାଏ । ଯେଉଁ ସମୂହର ଭାଷା ନାହିଁ କିମ୍ବା ଯାହାର ଭାଷାରେ ଶକ୍ତି ନାହିଁ, ସେ ବାହ୍ୟ ଆଘାତଗୁଡ଼ିକୁ ନିୟନ୍ତ୍ରିତ କରିପାରେ ନାହିଁ, ତେଣୁ ସବୁ ଘଟଣାକୁ ଭାଗ୍ୟ କିମ୍ବା ବିଧାତାର କାର୍ଯ୍ୟ ଭାବି ଅସହାୟ ଓ ନିଶ୍ଚେଷ୍ଟ ହୋଇଯାଏ । ଏଭଳି ଗୋଷ୍ଠୀମାନେ ସଭ୍ୟତାର ତଳକୁ ଖସିଯାନ୍ତି । ଇତିହାସକୁ ଅନେଇଲେ ଏକଥା ଦିଶିଯିବ ଯେ ଯେବେ ଯେବେ ଗୋଟିଏ ସମାଜ ଉପରକୁ ଉଠିଛି, ତାହାର ଭାଷା ମଧ୍ୟ ସମୃଦ୍ଧ, ଜଟିଳ ଓ ନବୀକୃତ ହୋଇଛି ।

ତେଣୁ ଗୋଟିଏ ଭାଷାର ଜୀବନର ସାନ୍ଧ୍ରତାକୁ ପରୀକ୍ଷା କରିବାର ମାପକାଠି ହେଉଛି - ସାମ୍ପ୍ରତିକ ଜଗତର ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ସଙ୍କଟମାନଙ୍କ ସାଙ୍ଗରେ ସଂଳାପ କରିବାର କ୍ଷମତା ତା’ର ରହିଛି କି ନାହିଁ?

ବିଶ୍ୱବ୍ୟାପୀ ସାମ୍ୟବାଦର ଘଟଣାଗୁଡ଼ିକୁ ଓଡ଼ିଆ ଭାଷା କିପରି ଭାବରେ ଗ୍ରହଣ କଲା? କେତେ ଖଣ୍ଡ ବହି ସେ ବିଷୟରେ ଲେଖା ହେଲା? ଏକଧ୍ରୁବୀୟ ବିଶ୍ୱ ରଙ୍ଗମଞ୍ଚରେ ଆମେରିକାର ନୂତନ ଆଭିମୁଖ୍ୟ ବିଷୟରେ ଓଡ଼ିଆ ରାଜନୀତି ବିଜ୍ଞାନ ଅଧ୍ୟାପକମାନେ କେତେଥର ଆଲୋଚନା କଲେଣି? ମଣ୍ଡଳ କମିଶନର ପରିପୂରକ ଭାବରେ ଓଡ଼ିଆ ସମାଜଶାସ୍ତ୍ରୀମାନେ ଓଡ଼ିଶାର ସାମ୍ପ୍ରତିକ ଜାତି ବ୍ୟବସ୍ଥା ଓ ତାହାର ବିଶେଷତ୍ୱ ବାବଦରେ କୌଣସି ଅଧ୍ୟୟନ ଓଡ଼ିଆ ନିବନ୍ଧ-ସାହିତ୍ୟକୁ ଯୋଗାଇଛନ୍ତି କି? ବୈଦେଶିକ ଋଣ ସମସ୍ୟା, ବାଣିଜ୍ୟ-ସଙ୍କଟ ଓ ଆର୍ଥିକ ସାମ୍ରାଜ୍ୟବାଦ ବିଷୟରେ, କିମ୍ବା ଇରାକ୍ ଯୁଦ୍ଧ ପରେ ମିଳିତ ଜାତିସଂଘର ଦୂରାବସ୍ଥା ବିଷୟରେ ଓଡ଼ିଆରେ କେତେ ପାଠ୍ୟସାମଗ୍ରୀ ଅଛି? କବିତା, ଗଳ୍ପ ଓ ଧର୍ମପୁସ୍ତକ ପ୍ରକାଶିତ ହୋଇଗଲେ ଗୋଟିଏ ଭାଷା ସମୃଦ୍ଧ ହୁଏନାହିଁ । ଜାଗତିକ ଘଟଣାବଳୀ ସାଙ୍ଗରେ ଯେଉଁ ଭାଷାର ସଂଳାପ ନାହିଁ, ତାହାକୁ ଏକ ସକ୍ଷମ ଆଧୁନିକ ଭାଷା ବୋଲି କହିହେବ ନାହିଁ । ଏପରି ଏକ ଭାଷା କହୁଥିବା ଲୋକେ ସାମୂହିକ ଉନ୍ନତି କରିପାରିବେ ନାହିଁ । ତାଙ୍କ ଭିତରୁ ମୁଷ୍ଟିମେୟ ବ୍ୟକ୍ତି ଅନ୍ୟ ଭାଷାରେ ପ୍ରବୀଣ ହୋଇ ନିଜ ନିଜର ଗୁଡ଼ାଏ ଉନ୍ନତି କରିପାରନ୍ତି କିନ୍ତୁ ତାଙ୍କର ସମାଜ ଇତିହାସର ମୁଖ୍ୟଧାରାକୁ ଆସିପାରିବ ନାହିଁ ।

ଓଡ଼ିଆରେ ଗୋଟିଏ ପତ୍ରିକା ବାହାର କରିବା କଥା ଯେଉଁ ବନ୍ଧୁମାନେ ଉଠାଇଥିଲେ, ତାଙ୍କ କହିବା ପଛରେ ଉପରୋକ୍ତ ତାତ୍ତ୍ୱିକ ପୃଷ୍ଠଭୂମି ଥିଲା । ଆମକୁ କାହିଁକି କହିଲେ? ଆମେ ଓଡ଼ିଆ ପ୍ରେମୀ ହୋଇପାରୁ, କିନ୍ତୁ ଆମେ ସାଧନଶୂନ୍ୟ । ପ୍ରେମ ସାଙ୍ଗରେ ପଇସା ଦରକାର ବୋଲି ସମସ୍ତେ କହୁଛନ୍ତି । ଏପରି ଓଡ଼ିଆ ପ୍ରେମୀ କ’ଣ ନାହାନ୍ତି ଯାହାଙ୍କ ପାଖରେ ଲକ୍ଷ୍ମୀ ବିରାଜୁଛନ୍ତି? ସ୍ୱାଧୀନତା ପରେ ବହୁତ ଓଡ଼ିଆ ଲୋକ କଳା ଓ ଗୋରା ରଙ୍ଗର ଲକ୍ଷ୍ମୀମାନଙ୍କୁ ପାଇଛନ୍ତି । ସେଭଳି କିଛି ଲୋକ ଓଡ଼ିଆ ପ୍ରେମୀ ବୋଲି ନିଶ୍ଚୟ ପରିଚିତ ହୁଅନ୍ତି । ସେମାନେ କ’ଣ ଓଡ଼ିଆର ଏପରି ପ୍ରକାଶନର ବ୍ୟବସ୍ଥା କରିପାରିବେ ନାହିଁ ଯାହା ଦ୍ୱାରା ଓଡ଼ିଆ ଭାଷା ଜାଗତିକ ସମସ୍ୟା ଓ ଘଟଣାବଳୀ ସାଙ୍ଗରେ ସଂଳାପ କରିପାରିବ?

ସେମାନଙ୍କୁ ଟିହାଇବା ପାଇଁ ଆମେ ଏ ପତ୍ରିକା ବାହାର କରୁଛୁ । ଅନ୍ୟଥା ପ୍ରକାଶକ ହେବାର ଯୋଗ୍ୟତା ଆମର କିଛି ନାହିଁ । ଯଥାର୍ଥ ସହଯୋଗ ନ ମିଳିଲେ ଆମେ ଯେ କୌଣସି ସମୟରେ ଛତ୍ରଭଙ୍ଗ ଦେଇପାରୁ ।

ଅତାବିରା ଗ୍ରାମର ଆଲୋଚନା ସଭାରେ ସମବେତ ହୋଇଥିବା ବନ୍ଧୁମାନଙ୍କ ମଧ୍ୟରୁ ଦୁଇଜଣ ବ୍ୟକ୍ତି କହିଲେ, ‘ଆମେ ପ୍ରତ୍ୟେକ ପ୍ରତି ସଂଖ୍ୟାରେ (ଅର୍ଥାତ ପ୍ରତି ତିନି ମାସରେ) ପାଞ୍ଚଶହ ଟଙ୍କା ଲେଖାଏଁ ଦେବୁ ।’ ସେଇଥିରୁ ଗୋଟିଏ ଫର୍ମୁଲା ମିଳିଗଲା । ବର୍ଷକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ସାହାଯ୍ୟ ଦେଉଥିବା ସହଯୋଗୀମାନଙ୍କୁ ପାଇବାକୁ ହେବ । ଏଇ ଫର୍ମୁଲାରେ ଯେତେଦିନ ପର୍ଯ୍ୟନ୍ତ ସାହାଯ୍ୟ ମିଳିବ ସେତେଦିନ ଏ ପତ୍ରିକା ଚାଲିବ ।

ଦୁଇଟି ବିଷୟ ଆମ ମୁଣ୍ଡ ଉପରେ ଋଣ ବୋଝ ପରି ରହିଥିଲା । ନୂଆ ଅର୍ଥନୀତି ଓ ସ୍ଥାନ ସଂରକ୍ଷଣର ପ୍ରଶ୍ନ । ତେଣୁ ଏ ଦୁଇଟି ବିଷୟକୁ ନେଇ ଓଡ଼ିଆରେ କିଛି ପାଠ୍ୟସାମଗ୍ରୀ ଯୋଗାଇବା ନିମନ୍ତେ ଏ ପତ୍ରିକାର ପ୍ରଥମ ଦୁଇଟି ସଂଖ୍ୟାକୁ ବିଶେଷାଙ୍କ କରାଯିବ । ପ୍ରଥମ ସଂଖ୍ୟାଟି ନୂଆ ଅର୍ଥନୀତି ଉପରେ ହୋଇଛି । ଦ୍ୱିତୀୟ ସଂଖ୍ୟା ସ୍ଥାନ ସଂରକ୍ଷଣ ବିଷୟରେ ହେବ । ସବୁ ସଂଖ୍ୟା ଏକ ବିଷୟବ୍ରତୀ ହେବନାହିଁ । ତୃତୀୟ ସଂଖ୍ୟା ବେଳକୁ ବିଭିନ୍ନ କ୍ଷେତ୍ରର ଲେଖକ ଓ ବୁଦ୍ଧିଜୀବୀମାନଙ୍କର ସହଯୋଗ ମିଳି ସାରିଥିବ ବୋଲି ଆମେ ଆଶା କରୁ ।

ବିଷୟ ପ୍ରବେଶ ଓ ବିଚାରଧାରା

ବିକଳ୍ପ ବିଚାରରେ ଦୁଇ ପ୍ରକାରର ପାଠ୍ୟ-ସାମଗ୍ରୀ ରହିବ; ସୂଚନା ମୂଳକ ଓ ବିବାଦ ମୂଳକ ବା ବୈଚାରିକ । ଓଡ଼ିଆରେ ସୂଚନାତ୍ମକ ଲେଖାର ବିଶେଷ ଆବଶ୍ୟକତା ରହିଛି । କାରଣ ସାମାଜିକ-ରାଜନୈତିକ କର୍ମୀମାନେ ତଥା ସାଧାରଣ ଶିକ୍ଷିତ ଲୋକେ ଅନେକ ବିଷୟରେ ମତାମତ ଶୁଣନ୍ତି; କିନ୍ତୁ ବିଷୟଗୁଡ଼ିକୁ ଜାଣିନଥାନ୍ତି । ଜୈବ-ବିବିଧତା କ’ଣ? ଓଜନସ୍ତର କ’ଣ ? ଋଣ ଜାଲ ଓ ବାଣିଜ୍ୟ ନିଅଣ୍ଟ କ’ଣ ? ସୁପର୍ ୩୦୧ କ’ଣ ?... ଅଧାରୁ ବେଶୀ ଶିକ୍ଷିତ ଲୋକ ଜାଣନ୍ତି ନାହିଁ । ତେଣୁ ନିଜର ମତ ତିଆରି କରିପାରନ୍ତି ନାହିଁ । ଏହି ଅଭାବ ପୂରଣ ଉଦ୍ଦେଶ୍ୟରେ ଆମର ‘ବିଷୟ ପ୍ରବେଶ’ ଓ ‘ପ୍ରଶ୍ନୋତ୍ତର’ ପୃଷ୍ଠାମାନଙ୍କରେ ସୂଚନାତ୍ମକ ଲେଖା ପ୍ରକାଶିତ ହେବ । 

ବିକଳ୍ପ-ବିଚାରର କୌଣସି ଲିପିବଦ୍ଧ ବିଚାରଧାରା ନାହିଁ । ଏହା ଖୋଲା ଓ ନମନୀୟ; କିନ୍ତୁ ଦିଗହରା ନୁହେଁ । ସମ୍ପାଦକ ମଣ୍ଡଳୀର ସଦସ୍ୟମାନଙ୍କୁ ଦେଖିଲେ ଜାଣିହେବ ଯେ ସାମ୍ୟବାଦୀ, ଗାନ୍ଧିବାଦୀ ଓ ସମାଜବାଦୀ ଧାରାର ବ୍ୟକ୍ତିମାନେ ଏକତ୍ରିତ ହୋଇଛନ୍ତି । ଏହି ବିଚାରତ୍ରୟର ମିଳନ ଘଟାଇବା ପତ୍ରିକାର ଘୋଷିତ ଉଦ୍ଦେଶ୍ୟ ନୁହେଁ । ସମ୍ପାଦକୀୟ ମଣ୍ଡଳୀର ସଦସ୍ୟମାନଙ୍କ ମଧ୍ୟରେ ସେପରି କୌଣସି ଚୁକ୍ତି ହୋଇନାହିଁ । କିନ୍ତୁ ପୃଥିବୀର ବିଚାର ଇତିହାସରେ ଯେଉଁ ଧ୍ରୁବୀକରଣ ହେବାକୁ ବସିଛି, ତହିଁରେ ଏହି ତିନୋଟିଯାକ ଧାରା ଯୁଦ୍ଧର ଗୋଟିଏ ପାଖରେ ରହିବେ । ବିକଳ୍ପ-ବିଚାର ପତ୍ରିକା ଏଇ ସମ୍ଭାବନାର ଏକ ସଙ୍କେତ ।

୩୧/୧୦/୧୯୯୨

No comments:

Post a Comment