Thursday, April 21, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୪


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ଆପଣଙ୍କର ପ୍ରଥମ ଗୀତଟି କଅଣ ଥିଲା ?

ଶ୍ରୀମତି ଶ୍ୟାମାମଣି ଦେବୀ : 'ଭଜ ଶ୍ୟାମ ମଧୁର ଠାମ ମଧୁର କାମମୋହନ ଗୋ । ଭଜ ଶ୍ୟାମ ମଧୁର ଠାମ' (ଗାଇକରି ଶୁଣାଇଲେ) । ସେତେବେଳେ ମୁଁ ଏମିତି ଗାଇପାରୁନଥିଲି । ସିଧା ସିଧା ଗାଉଥିଲି । କିନ୍ତୁ ମୋର ମନେ ଅଛି । ତା' ପରେ ମୁଁ ଶିଖିବା ଆରମ୍ଭ କଲି । ମାନେ ବିଧିବଦ୍ଧ ଭାବରେ ସଙ୍ଗୀତ ଶିଖିବା ଯେଉଁଟା, ସେଇଟା ମୁଁ ସେତେବେଳେ ଆରମ୍ଭ କଲି । ସେତେବେଳେ ପୂଜ୍ୟଗୁରୁ ସ୍ୱର୍ଗତଃ ସିଙ୍ଘାରୀ ଶ୍ୟାମସୁନ୍ଦର କରଙ୍କ ପାଖରେ ମୁଁ ଶିଖିଲି । ତା' ପରେ ଶ୍ରୀ ବାଳକୃଷ୍ଣ ଦାସ - ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ମୋ ଗୁରୁ, - ତାଙ୍କ ପାଖରେ ମୁଁ ଶିଖିଲି ।   

ସେଣ୍ଟର୍ : ଆପଣ ତାହାହେଲେ ବାର ତେର  ବର୍ଷ ବୟସରେ ହିଁ କଟକ ଚାଲିଆସିଲେ ।

ଶ୍ରୀମତି ଶ୍ୟାମାମଣି ଦେବୀ : ମୋତେ ଚଉଦ ବର୍ଷ ହୋଇଥିଲା ମୁଁ କଟକ ଆସିଲା ବେଳକୁ ।

ସେଣ୍ଟର୍ ଆପଣଙ୍କ ଗାଁ ବିଷୟରେ ଆମକୁ ଟିକେ କୁହନ୍ତୁ । 

ଶ୍ରୀମତି ଶ୍ୟାମାମଣି ଦେବୀ : ଆମ ଗାଁ ହେଉଛି ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଗାଁ । ଆମ ଘରର ସାମ୍ନା ପଟେ ମହାନଦୀ । ପଛପଟେ ଆପଣଙ୍କର ଅଂଶୁପା ହ୍ରଦ । ବହୁତ ସୁନ୍ଦର ହ୍ରଦ । ଆପଣମାନେ ନାଁ ଶୁଣିଥିବେ । ସତକଥା କହିଲେ ପିଲାବେଳେ ମୋର ଟିକେ ଡେଆରିଙ୍ଗ୍ କ୍ୟାରେକ୍ଟର୍ ଥିଲା । ମୋର ସେଇଟା ବଦ୍-ଗୁଣ ହୋଇପାରେ । ମୁଁ କାହାକୁ ମାନେନି । ସତକଥା । ହ୍ୱାଟ୍ ଆଇ ଡିସାଇଡ୍ ଆଇ ୱିଲ୍ ଡୁ । ମୋର ଏଇ ମାନସିକତା ଗୋଟିଏ ଥିଲା । ତ ହଠାତ୍ ଇଚ୍ଛା ହେବ । କାହାକୁ କିଛି କହିବିନି । ମୁଁ ପଳେଇଯିବି ଅଂଶୁପା । ଅଂଶୁପାକୁ ଯାଇକରି - ସେଠି ଛୋଟ ଛୋଟ ପଟୁଆ ଥାଏ । ତାର ଆହୁଲା ଗୋଟେ ଥାଏ । ସେଠି ତ ଡଙ୍ଗା ବୁଡ଼ିବାର ସମ୍ଭାବନା ନାହିଁ । ଚାରିପଟେ ପଦ୍ମବଣ । ମୁଁ ନିଜେନିଜେ ଆହୁଲା ମାରି ଭିତରକୁ ପଳେଇବି । ଯାଇଁକି ପଦ୍ମବଣ ଭିତରେ ଥୋଇବି । ଯାଇଁକରି ପୁଷ୍କୋଡ଼ା ତୋଳିକରି ଖାଇବି । ନ ହେଲେ ପଦ୍ମଫୁଲ ତୋଳିବି ।  ଏମିତି କଅଣ କଅଣ ମୁଁ କରେ । ସେଇଟା ମୋର ପ୍ରକୃତି । କିନ୍ତୁ ସତକଥା କହିବାକୁ ଗଲେ ମୁଁ ବହୁତ କୃତଜ୍ଞ ମୋ ବାପାଙ୍କ ପାଖରେ । ମୋ ବାପା ମୋତେ - ଯେମିତି କହନ୍ତିନି - ଅଗାଧ ସ୍ୱାଧୀନତା ଦେଇଥିଲେ । ଏମିତି ବାପ କୌଣସି ଝିଅକୁ ଦେବନି । ମୋ ବାପା କେବଳ ସ୍ୱାଧୀନତା ଦେଇନଥିଲେ । ମୋ ବାପା ମୋତେ ଏତେ ଭଲ ପାଆନ୍ତି, ଏତେ ଭଲ ପାଆନ୍ତି, ବୋଧେହୁଏ ସାୟଦ୍ କୋଉଁ ବାପ ତା ଝିଅକୁ ଭଲ ପାଉଥିବ । ମୁଁ ଯ।ହାଟା କହିବି ବାପା ସେଇଟାରେ ହଁ ମାରିବେ । କିଏ ଆସିକି କହିଦେବ ଅଂଶୁପାରେ ଝିଅ ଯାଇଁ କାତମାରିକରି ପଶିଚି । ବାପା କହିବେ -  'ହଁ ଚାରିଟାବେଳେ ଟିକେ ବୁଲିବାକୁ ଯାଇଥିବ । ଡଙ୍ଗା କଅଣ ବୁଡ଼ିଯାଉଛି ।' ଏଇ ପ୍ରକାରର । କେବେ ମୋତେ ହତୋତ୍ସାହିତ କରିନାହାନ୍ତି । କୌଣସି କଥାରେ ।

ଛୋଟ ବେଳୁ ଗାଁ ପରିବେଶ ଗୋଟେ ଅଲଗା ଥିଲା । ମୁଁ ସନ୍ଧ୍ୟାବେଳେ ଯିବି । ତୃତୀୟାଦେବ ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରିବି ।ସକାଳୁ ଦିନେଦିନେ ବେଳେବେଳେ ଇଚ୍ଛା ହୁଏ ନଈରେ ଗାଧୋଇବାକୁ । ଯେଉଁଦିନ ନଦୀରେ ଗାଧୋଇବାକୁ ଯିବୁ, ସେଠି ମହାଦେବ ମନ୍ଦିିର ଅଛି । ତାକୁ ମହାଦେବ ତୁଠ ବୋଲି କୁହାଯାଏ । ଗୋଟେ ସ୍କୁଲ୍ ତୁଠ, ଯେଉଁଟାକି ମାଇନର୍ ସ୍କୁଲ୍ ତୁଠ ।  ଆଉ ଗୋଟେ ମହାଦେବ ତୁଠ ଅଛି ଯେଉଁଥିରେ ଆମ କରଣ ସାଇର ଲୋକେ ଯାଆନ୍ତି ଗାଧୋଇବା ପାଇଁ । ସେଇଠୁ ଗାଧୋଇକି ଆସିକରି ମହାଦେବ ମନ୍ଦିରରେ ମୁଣ୍ଡିଆ ମାରୁ । ଆଉ ଗ୍ରୁପିଜିମ୍ ମୋର ଗୋଟେ ବହୁତ ବଡ଼ ମେଣ୍ଟାଲିଟି ଥିଲା । ଆମ ସାଇର ଯେତିକି ଝିଅ ସେମାନଙ୍କୁ ମୁଁ ପ୍ରଥମେ ଇନ୍ସପାୟାର୍ କରିଥିଲି କି ନିଜ ଗୋଡ଼ରେ ନିଜେ ଠିଆ ହେବ । କାହା ଉପରେ ନିର୍ଭରଶୀଳ ହୁଅନି । ସନ୍ଧ୍ୟା ହେଲେ ସାଙ୍ଗମାନଙ୍କୁ ଧରିକି ନଈକି ଯିବି । କିତ୍-କିତ୍ ଖେଳିବି ତାଙ୍କ ସାଙ୍ଗରେ, ସାଇରେ ମୋର ଯେତେ ସବୁ ଭଉଣୀ ସେ ସମସ୍ତଙ୍କ ସାଥିରେ । 

ବଡ଼ବଡ଼ ମଣ୍ଡାଫୁଲ ହୁଏ ଆମର । ମଣ୍ଡାଫୁଲ ଧରିକି ଅଗଣାରେ ବାପାଙ୍କର ମୋର ଫୁଲ ଫୋପଡ଼ା ହୋଇ ବାଡ଼ିଆବାଡ଼ି ହୋଇ ଖେଳୁ । ବାପା ମୋ ସହିତ ଖେଳନ୍ତି । ବୋଉ କହିବ - 'ହଁ ହଁ । ଝିଅ ସହିତ ଆହୁରି ଖେଳ । ଆଉ ଟିକେ ମୁହଁବଢ଼ିଆ କର ତାକୁ ।' ସେଇଠୁ ମୋର ଏବେ ବି ମନେ ପଡ଼େ, ବାପା କହିବେ । 'ଓହୋ । ସବୁ କଥାରେ କାହିଁକି କହୁଚ ତାକୁ ।' ମୋ ପାଇଁ ବେଳେବେଳେ ବାପା ବୋଉଙ୍କର ବି ପାଟି ଲାଗିଯାଏ । ତା' ପରେ ମୁଁ ଯାଇକି ବୋଉଙ୍କ କୋଳ ଉପରେ ଶୋଇପଡ଼େ । ଆଉ ତାକୁ କହିବି, 'ତମେ କାଇଁ ପାଟି କରୁଚ । ମୁଁ ତ ଠିକ୍ ଅଛି । ବାପାଙ୍କର ମୋର ଯଦି ନ ଖେଳିବୁ ତାହାହେଲେ ମୁଁ ଯାଉଚି ସ୍କୁଲ୍ ପଡ଼ିଆରେ ଖେଳିବି । ଭଲ ଲାଗିବ ତମକୁ ।' ଏମିତି କହିଦେଲେ ବୋଉ ଚୁପ୍ । ତେଣୁ କିଛି କୁହନ୍ତିନି । 

ଆଉ ଗୋଟେ ବଡ଼ ଜିନିଷ ହେଉଚି ଗାଁରେ ସବୁ ବୟୋଜ୍ୟେଷ୍ଠ ଲୋକମାନେ ବି ମୋତେ ଭଲ ପାଉଥିଲେ । ଆମ ଘରର ଗୋଟେ ସଂସ୍କାର ଥିଲା । ଯେ କୌଣସି ଗୁରୁ ଗୁରୁଜନ ଲୋକଙ୍କୁ ଆମେ ଅସମ୍ମାନ କରୁନା । ବାପା ବୋଉଙ୍କର ଆମ ପାଇଁ ସେଇଟା ଶିକ୍ଷା ଥିଲା । କାରଣ ପ୍ରଥମେ ତ ଆମ ଘରେ ସେଇଟା ଶିକ୍ଷା ଦିଆଯାଇଥିଲା । ସକାଳୁ ଉଠିବୁ । ଉଠିକରି ଆଗ ବାପାଙ୍କୁ ମୁଣ୍ଡିଆ ମାରିବୁ, ବୋଉଙ୍କୁ ମୁଣ୍ଡିଆ ମାରିବୁ, ତା ପରେ ଠାକୁରଙ୍କୁ ମୁଣ୍ଡିଆ ମାରିବୁ । ଏଇଟା ଆମର ଘରର ନିୟମ । ସକାଳୁ ଉଠିଲୁ ମାନେ ଆମେ ବାପାବୋଉଙ୍କୁ ମୁଣ୍ଡିଆ ମାରିବୁ । ତା' ପରେ ଦାନ୍ତ ଘଷିବୁ । ସନ୍ଧ୍ୟା ହେଲେ ଚଉରା ପାଖରେ ବସିକରି ପ୍ରାର୍ଥନା କରିବୁ । ତା' ପରେ ବାପାବୋଉଙ୍କୁ ମୁଣ୍ଡିଆ ମାରିବୁ  । ତା' ପରେ ଆସି ପଢ଼ିବସିବୁ ।  ଏଇଟା ଆମର ଘରର ସଂସ୍କାର ଥିଲା । ସେଇ ହିସାବରେ ଗାଁରେ ଦାଣ୍ଡରେ ଗଲେ ବି ଯେ କୌଣସି ବୟୋଜ୍ୟେଷ୍ଠ ଲୋକ ହୁଅନ୍ତୁ, ତାଙ୍କୁ ମଧ୍ୟ ଆମେ ପ୍ରଣାମ କରୁ । ସେ ଦୃଷ୍ଟିରୁ ସେମାନେ ବି ବହୁତ ଭଲ ପାଆନ୍ତି । ଏଇ ଭଳିଆ ଥିଲା ଗାଁ ଜୀବନ । ଗାଁ ଜୀବନ ପ୍ରକୃତରେ ବହୁତ ଭଲ ଥିଲା । ଦୋଳିଫୋଳି ଖେଳୁଥିଲି ରଜ ଫଜରେ । ଆଉ କୁଆଁର ପୁନେଇରେ ସେଇ ଯେଉଁ ଚାନ୍ଦ ଚକଟା ଫକଟା ସବୁ ହୁଏ ଚଉରା ପାଖରେ । ସେଥିରୁ ଗୋଟେ ଧରିକରି ଦଉଡ଼ି ପଳେଇବି ଗୁହାଳ ଆଡ଼କୁ । କୁହନ୍ତି କଅଣ ନା ଲୁଚିକରି ଖାଇବ ନା । 'ଲୁଚି ଲୁଚି ଯାଇ' - ମୋର ଗୋଟେ ଗୀତ ନାହିଁ କି । 'ଠିଆ ପୁଚି ନାରଙ୍ଗ, ଗୋଡ଼ ଦିଇଟା ସାରଙ୍ଗ । ସାରଙ୍ଗ ବାଡ଼ିକି ଯାଇଥିଲି । ଚୁଙ୍ଗୁଡ଼ି ଶୁଖୁଆ ଆଣିଥିଲି । ଅଧେ କଲି ଭଜା ଅଧେ କଲି ପିତା । ତୋ ଭଉଣୀ ରାଣୀ ଆଉ ମୋ ଭାଇ ରଜା' (ଗାଇକରି ଶୁଣାନ୍ତି) ।  ସେଇଭଳିଆ ଚାନ୍ଦ ଚକଟା ଧରି ସମସ୍ତେ କହିବେ ଲୁଚିକରି ଖାଇବା ପାଇଁ । ମୁଁ ଧରିକି ଦଉଡ଼ି କି ସିଧା ଗୁହାଳ ପାଖେ । ବୋଉ କହିଛନ୍ତି ପରା ଲୁଚିକି ଖାଇବାକୁ । ତ ମୁଁ ଯାଏ ଲୁଚିକି ଖାଇବା ପାଇଁ । ତ କହିବେ, ତତେ କଅଣ ଲୁଚିବାକୁ ଆଉ ଯାଗା ମିଳିଲାନି । ସିଧା ପଳେଇଗଲୁ ଗୁହାଳକୁ । 

ତେଣୁ  ଏଇ ପ୍ରକାରର ସବୁ କାମ କରେ ବୋଲି - ମୋର ଆଇ ଜଣେ ଥାଆନ୍ତି, ସମ୍ପର୍କୀୟ - ଅଣ୍ଡ୍ରିଟା ବୋଲି କହିବେ । ଏଇମିତି କହିବେ (ହାତ ଦେଖାଇ କହନ୍ତି ) - ଅଣ୍ଡ୍ରିଟା  ଏଇଟା । ବେଳେବେଳେ ମୋତେ କଅଣ କଅଣ କହିବେ - ଅଣ୍ଡ୍ରିଟା, ଘୋଡ଼ିଟା । କାହାକୁ ମାନୁନି । ମୁଁ ଭଲରେ ମାଗିବି । ମୁଁ ଗୋଟେ ଗଛରୁ ପିଜୁଳି ନେବି । ମୋତେ ଯଦି ନଦେବେ, ତାହାହେଲେ ସେ ପୁରା ଗଛର ପିଜୁଳି ସବୁ ନଷ୍ଟ କରିଦେବି । ମୋର ଭାରି ରାଗ । ସେ ଆଇଙ୍କର ପିଜୁଳି ଗଛ ଥାଏ । ତାଙ୍କ ଗଛରେ ବହୁତ ପିଜୁଳି ହୁଏ । ଆମର ସବୁ ବସନ୍ତ. ଟୁନି ଫୁନି ସବୁ ଅନେକ ଥାଆନ୍ତି । ଭଉଣୀମାନେ । ମୁଁ ତାଙ୍କୁ ସବୁ କହିବି - ଦିପହରରେ ତାଙ୍କ ଘରକୁ ଯିବା, ପିଜୁଳି ତୋଳିବା । ଦେଖିଲୁ ସିଏ କଅଣ ଟିଣ ବାନ୍ଧିକି ଘର ଭିତରେ ଅଛନ୍ତି । [ଗଛରେ] ଯିଏ ଚଢ଼ିଲେ ଖଡ଼ଖଡ଼ ହଉଚି । ବୁଢ଼ୀ ସିଆଡ଼ୁ ଦଉଡ଼ି ଆସୁଛନ୍ତି । ମୁଁ ଉପରେ ଚଢ଼ିବି । ତଳେ ସେମାନେ ପିଜୁଳି ଗୋଟେଇବେ । ମୁଁ ଉପରୁ ତଳକୁ ଫୋପାଡ଼ିବି । ସେମାନେ ତଳେ ଗୋଟେଇବେ । ବୁଢ଼ୀ ଯେମିତି ଆସିଲେ ସିଏ ପିଜୁଳି ଫିଜୁଳି ଏକାଠି କରିକି  ଅଣ୍ଟିରେ ଧରିକି ଯେ ଯୁଆଡ଼େ ଛୁ । ମୋତେ ଗାଳିଦେଲେ ବୋଲି ମୁଁ ଉପରୁ ଗୋଟେ ପିଜୁଳି ପକେଇଦେଲି । ତାଙ୍କ ମୁଣ୍ଡରେ ପଡ଼ିଲା । 'ଆଲୋ ମୁଁ ମରିଗଲିଲୋ । ମୋତେ ମୋତେ ମାରିଦେଲାଲୋ' କହିକରି ସିଏ ଆଉଁଶେଇକରି ଉଠିଲା ବେଳକୁ ମୁଁ ସେଠୁ ଚମ୍ପଟ୍ । 

ମାନେ ମୁଁ ଏମିତି ଟିକେ ବଦମାଶ ବି ଥିଲି ପିଲାବେଳେ । କାକୁଡ଼ି ଲଟା ହେଇଥିବ ବାରିରେ । ଆଇ ଗୋଟେ କାକୁଡ଼ି ଦବ । 'କାଇଁବା କାକୁଡ଼ି ତ କଉଠିଁ ନାଇଁ । ତତେ କାକୁଡ଼ି କଉଁଠୁ ଦେବି' । ଦେଖିଲା ବେଳକୁ କାକୁଡ଼ି ଓହଳି ଥିବ । ସକାଳୁ ସେପଟକୁ ଗୁହାଳ ଘର କାନ୍ଥ ଡେଇଁକି ସେପଟେ ଯାଇଁ ସବୁ କାକୁଡ଼ିରୁ ଅଧା ଅଧା କାମୁଡ଼ି ଦେଇଥିବି । ଯେତେ କାକୁଡ଼ି ଥିବ - ଆଠଦଶଟା ଖଣ୍ଡେ କାକୁଡ଼ି - କାମୁଡ଼ିକି ପକେଇ ଦେଇଥିବି । ମତେ ଦେଲନି କାହିଁକି । ତା ପରେ ଆସି ବୋଉକୁ କହିବେ - 'ଏ କାମ ଆଉ କାହାର ନୁହେଁ । ତୋ ଝିଅର । ମୋତେ କାଲି ମାଗୁଥିଲା କାକୁଡ଼ି ମୁଁ ଦେଲିନି । ଏମିତିଆ କରିଛି ।' ମୁଁ ଏ ବାବଦରେ ବି ଟିକିଏ ଦୁଷ୍ଟ ଥିଲି । ତ ନିଜର ଗୁଣ କହୁଚି ମୁଁ । ଏ ବାବଦରେ ବି ବହୁତ ବଦମାସ ଥିଲି । ତେବେ ଯାହାହଉ, ସେଇ ଭିତରେ, ହସଖେଳ ଭିତରେ ମୋ ପିଲାଦିନ ଗାଁରେ କଟିଗଲା । ଆଉ ଏବେ ଯେତେବେଳେ ଏକା ଏକା ବସେ, ଗାଁ କଥା ମନେ ପଡ଼େ । ଆଉ ଅବଶ୍ୟ ଗାଁର ସେଇ ଶିରୀ ନାଇଁ । ବର୍ତ୍ତମାନ ଗାଁଦାଣ୍ଡ ଚିକ୍ ଚାକ୍ ହେଇଗଲାଣି । ସିମେଣ୍ଟ୍ ପ୍ଲାଷ୍ଟର୍ ହେଇଗଲାଣି । ଆମର ଯେଉଁ ଗାଁର ତୋଟା ଥିଲା, ସେଥିରେ ଆଉ ଆମ୍ବଗଛ ନାହିଁ । ଗାଁର ପରିବେଶ ଆଉ ଗାଁ-ପରିବେଶ ହେଇକି ନାହିଁ । ଇଲେକ୍ଟ୍ରି ଲାଇନ୍ ଚାଲିଗଲାଣି । ସେତେବେଳେ ତ ଆମେ ଲଣ୍ଠନ୍ ରେ ପଢ଼ୁଥିଲୁ ବସିକରି । ତେଣୁଁ କରି ଗାଁରେ ଆଉ ସେ ସବୁ ନାହିଁ ।  

No comments:

Post a Comment