Saturday, April 30, 2016

ପିଲାଙ୍କ ଗୀତ - 'ପାତିର ମାଛଧରା'

 

(ପଞ୍ଚାମୃତ - ୨/୨ ସଂଖ୍ୟା, ଜ୍ୟେଷ୍ଠ - ୧୩୩୩)

କବି - କୃଷ୍ଣଚନ୍ଦ୍ର କର (୧୯୦୬-୧୯୯୫)


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନଈକୂଳ ବରଗଛେ ବସି ବୁଢ଼ା ପାତି
ଦେଖିଲା କେଉଟ ଜାଲେ ନଈରେ ପକାନ୍ତି ।

ମାଛ ଧରି ଅତାଡ଼ିରେ ଜାଲ ଦେଇ ପାରି 
ଆନନ୍ଦେ କେଉଟେ ଗଲେ ଘରକୁ ବାହାରି ।

ତା ଦେଖି ପାତିଟି ଗଛୁଁ ଆସିଲା ଓହ୍ଲାଇ 
କେଉଟଙ୍କ ପରି ଜାଲ ପକାଇବା ପାଇଁ ।

ବୋଇଲା "ଏ ଜାଲେ ଆଜି ମାଛ ମୁଁ ଧରିବି 
ପରମ ଆଦରେ ନେଇ ମାଙ୍କଡୀକି ଦେବି ।"

ଏତେ ବୋଲି ଜାଲମୁଠା ଧଇଲା ହାତରେ 
ପକାଇ ଆସିଲା ତାକୁ ନଦୀର ଜଳରେ ।

ନିର୍ବୁଦ୍ଧିଆ ଜୀବ ପୁଣି ସହଜେ ତ ପାତି,
ସେ କାହୁୁଁ ଜାଣିବ ଜାଲ ପକାଇବା ରୀତି !

ତରତରେ ଶେଷେ ଜାଲ ଦିଅନ୍ତେ ପକାଇ
ଆପେ ଛନ୍ଦିହୋଇ ଜଳେ ପଡ଼ିଲା ସେ ଯାଇ ।

ଚାହୁଁ ଚାହୁଁ ଜାଲ ସଙ୍ଗେ ପାତିଗଲା ବୁଡ଼ି
ସେକାଳେ ବୋଇଲା ଦୁଃଖେ ଛାଡ଼ି ଘୋର ରଡ଼ି 

"ଏ ପାପର ଏହି ଏକା ଉପଯୁକ୍ତ ଫଳ 
ଭୋଗିଲି ମୁଁ ଆପେ ଆପେ ମୋ କରମ ଫଳ ।" 

ଦିନେ ସୁଦ୍ଧା ନ ଜାଣେ ଯେ ଜାଲ ବ୍ୟବହାର 
ତା' ପକ୍ଷେ ଏ କାର୍ଯ୍ୟ ଅହୋ ! କେଡ଼େ ଅବିଚାର !

ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।

No comments:

Post a Comment