ହୀରା ନାନୀ ଉପାଖ୍ୟାନ
ଶ୍ରୀମତି ସୀତାଦେବୀ ଖାଡ଼ଙ୍ଗାଙ୍କର ଆତ୍ମଜୀବନୀ 'ମୋର ଜୀବନ ସ୍ମୃତି' ରୁ ସଙ୍ଗୃହିତ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ । ସୀତାଦେବୀ
ଖାଡ଼ଙ୍ଗାଙ୍କର ବାପ ଘର ଗଞ୍ଜାମ ଜିଲ୍ଲାର ଘୁମୁସର ତାଲୁକାର ଭଞ୍ଜନଗର ପାଖ ମନ୍ଦାର ବୋଲି ଗୋଟିଏ
ଗାଁରେ । ବାପାଙ୍କ ନାମ ହରିହର ପଣ୍ଡା । ଜେଜେଙ୍କ ନାମ ବ୍ରଜସୁନ୍ଦର ପଣ୍ଡା । ବାପା ଗଞ୍ଜାମ
ଜିଲ୍ଲାର ପ୍ରଥମ ଓଡ଼ିଆ ଓକିଲ । ବାପାଙ୍କର ଚାରୋଟି ଭଉଣୀ । ଗୋଟିଏ ବଡ଼ ଭଉଣୀଙ୍କର ନାଁ ହେଲା
ହୀରା । ସେ ବୟସରେ ହରିହରଙ୍କ ଠାରୁ ପ୍ରାୟ ଦଶ
ବରଷ ବଡ଼ । ବାହା ହୋଇଥିଲେ ଆସିକା ପାଖରେ ଗୋଟିଏ ଗାଁରେ - ଗାଁର ନାମ ନଳବଣ୍ଟା । ହୀରା
ପିଇସୀଙ୍କର ସ୍ୱାମୀଙ୍କୁ ମାତ୍ର ବତିଶ ବର୍ଷ ହୋଇଥିବା ସମୟରେ ସେ ମୃତ୍ୟୁମୁଖରେ ପଡ଼ିଲେ ।
ପିଇସା ଗରୀବ ଧାନ ବେପାରୀ ଥିଲେ । ଆସିକା ଅଞ୍ଚଳରୁ ଧାନ ଦୁଇ ଶଗଡ଼ି କିଣି ଆଣି ବରମ୍ପୁରରେ
ବିକ୍ରୀବଟା କରନ୍ତି । ଶଗଡ଼ି ପିଛା ହେଇ ହେଇ ଟଙ୍କା ପାଞ୍ଚ ସାତ ଲାଭ ହେଉଥିବ । ଦିନେ ଏକ
ସନ୍ଧ୍ୟାରେ ପିଉସା ନଳବଣ୍ଟାରୁ ଧାନ ଧରି ବରମ୍ପୁର ବାହାରନ୍ତି । ଗନ୍ତବ୍ୟ ସ୍ଥଳରେ ତା ପରଦିନ
ସନ୍ଧ୍ୟାରେ ପହଞ୍ଚିବା କଥା । ରାସ୍ତାରେ ବରମ୍ପୁର ପାଖରେ ଶଗଡ଼ ରଖି ପାଖ କୌଣସି ଏକ କୂଅରୁ
ପାଣି ଆଣି ରୋଷେଇ କରି ଖାଆନ୍ତି । ସେଇଠାରୁ ହିଁ ହଇଜା ଆକ୍ରମଣ କରେ । ଶଗଡ଼ିଆମାନେ ସେଇ ଧାନ
ଶଗଡ଼ ଉପରେ ଶବକୁ ଶୁଆଇ ଦେଇ ଆଣି ନଳବଣ୍ଟାରେ, ଘରେ, ଛାଡ଼ି ଦେଇଗଲେ ।
ହୀରା ପିଉସୀ କଞ୍ଚା ବୟସରେ ବିଧବା
ହେଲେ । ସେତେବେଳେ କୋଳରେ ଥିଲେ ଦୁଇଟି ପୁଅ । ଦୁହେଁ ଯାକ ଭାରି ସୁନ୍ଦର । ସାନ ପୁଅର ନାଁ
ବତ୍ସ । ସୀତାଦେବୀ ପିଲା ହୋଇଥିଲା ବେଳେ ସେ କଲେରାରେ ପାଞ୍ଚଛଅ ବର୍ଷ ବୟସରେ ଆରପାରିକୁ
ଚାଲିଗଲା । ପିଉସୀଙ୍କର ବଡ଼ପୁଅଙ୍କର ନାଁ ଆକୁଳ । ଲମ୍ବା ଓ ପତଳା ଦେହ । ଲମ୍ବୁଆଳିଆ, ଗୋରା ମୁଁହ, ଚଉଡ଼ା କପାଳ, କଳାଘୁମର ଆଖି -
ଦେଖିବାକୁ ଅତି ସୁନ୍ଦର । ହୀରା ପିଉସୀ କୁହନ୍ତି ଯେ ପିଉସା ଅଧିକ ସୁନ୍ଦର ଥିଲେ । ସୀତାଦେବୀ
ନିଜେ କୁହନ୍ତି ଯେ ହୀରାନାନୀ ମଧ୍ୟ ଦେଖିବାକୁ ଥିଲେ ଅତି ସୁନ୍ଦରୀ । ଏପରି ମା ଓ ବାପାଙ୍କର
ସନ୍ତାନ ତ ସୁନ୍ଦର ହେବା ସ୍ୱାଭାବିକ ।
ସୀତାଦେବୀଙ୍କର ବାପା ହରିହର ପଣ୍ଡାଙ୍କର
କାର୍ଯ୍ୟାବଳୀ ଯୋଗୁଁ 'ମନ୍ଦାର ପଣ୍ଡା ଘର'ର ଖଣ୍ଡମଣ୍ଡଳରେ ନାଁଡାକ ଥିଲା । ଶ୍ରାଦ୍ଧ, ବ୍ରତଘର, ବାହାଘର ରେ ହଜାର ହଜାର ବ୍ରାହ୍ମଣଭୋଜନ ହେଉଥିଲା । ମାତ୍ର ଏପରି ପ୍ରତିପତ୍ତିଶାଳୀ
ପରିବାରର ଝିଅ ହୋଇ ମଧ୍ୟ ତାଙ୍କୁ ବାପ ଘରେ ଭରଣେ ଧାନ କିମ୍ବା ଟଙ୍କା ଶହେଟି ମଧ୍ୟ କେହି
ଦେଉ ନଥିଲେ । ଶାଶୁଘରେ ଦେଢ଼ଶୁର ଓ ବଡ଼ ଯାଆ । ଦୁହେଁ ଧାନ ମୁଗ ବେପାର କରି ପେଟ ପୋଷନ୍ତି ।
ହୀରା ନାନୀ ଛଅ ମାସ ଶାଶୁ ଘରେ ରହିଲେ, ବରଷେ ଦୁଇ ବରଷ ଆସି ବାପଘରେ ମନ୍ଦାରରେ ରହନ୍ତି । ହୀରା ନାନୀ ଓ ତାଙ୍କର ଅନ୍ୟ
ଭଉଣୀମାନଙ୍କୁ ତାଙ୍କ ବାପା ଗରୀବ ଘର ମାନଙ୍କରେ ବିଭା ଦେଇଥିଲେ । ପିଇସାମାନେ ଆସି ଶଶୁର
ଘରେ ରାନ୍ଧୁଣିଆ କାମ କରୁଥିଲେ ନହେଲେ ଚାଷକାମରେ ସାହାଯ୍ୟ କରୁଥିଲେ । ବହୁତ ହିନିମାନିଆ
ଜୀବନ ଥିଲା ପିଇସୀ ଓ ପିଉସାମାନଙ୍କର ।
ଭାତ ଖଣ୍ଡିଏ ଖାଇବା ଆଶାରେ ହୀରା ମାଉସୀ ଆସି ବାପ ଘରେ ପଡ଼ିଥାଆନ୍ତି
। ହରିହର ଓ ସୀତା ଦେବୀ – ଭାଇ ଭଉଣୀ - କେବେ ଦୁଇ ପଦ କଥା ହେବାର ସୀତାଦେବୀ ଦେଖିନାହାନ୍ତି ।
ଜଣକୁ ଅଧିକା ଖାଇବାକୁ ଦେବାକୁ ପଡ଼ିବ ବୋଲି ଘରେ ଅନେକ ବିରକ୍ତି । ଆକୁଳ ପ୍ରାୟ ନିଜ ଗାଁରୁ
ବେପାର ଉଦ୍ଦେଶ୍ୟରେ ଯିବା ବାଟରେ ମାମୁଁଘର ଦେଇ ଯାଆନ୍ତି । ବାଟକୁ ତାଙ୍କ ମା ହୀରାଦେବୀ ଚାହିଁ
ବସିଥାଆନ୍ତି । ସୀତା ଦେବୀଙ୍କର ମାଆ ଆକୁଳି ସହିତ କଥାବାରତା କରନ୍ତି । ମାତ୍ର ଖାଇବା ସମୟରେ
ଭଣଜା ଆସି ପହଞ୍ଚିଗଲେ ଅକଳିଆ ପରିସ୍ଥିତି ସୃଷ୍ଟି ହୁଏ । ପିଉସୀ ନାନୀ ରୋଷେଇ ଘର ଦୁଆର ପାଖକୁ
ଯାଇ ପୁଅ ପାଇଁ ଭାତ ଡାଲି ଦିଓଟି ଲାଗି ନାନା ଆକୁତି ହୁଅନ୍ତି । ରୋଷେଇଘର ପାଖ ଗୋଟିଏ ଛୋଟ
ମଳିକୁଟିଆ ଘରେ ହୀରା ନାନୀ ଓ ପରିବାରର ଅନ୍ୟାନ୍ୟ ମହିଳା ଅତିଥିମାନେ ରହନ୍ତି । ଘରଟାରେ
ବାସନକୁସନ, ଶାଗଶବଜି, ଆମ୍ବୁଲ ଆଚାର ଇତ୍ୟାଦି । ହୀରା ନାନୀ ଇତ୍ୟାଦି ସେଇ ଅଣଚଉଡ଼ା
ଗୋଦାମଘରଟିରେ ଜାକିଜୁକି ହୋଇ କରମ ସମ୍ଭାଳି ରହନ୍ତି ।
ବେଳେବେଳେ ଆକୁଳି ଆସନ୍ତି ସନ୍ଧ୍ୟାବେଳେ । ମା ହୀରାନାନୀ ଭାତ ଡାଲି
ଦିଓଟି ବାଢ଼ି ଦେଲେ ରାନ୍ଧୁଣିଆ ଟୋକାଟି ଠାରୁ ନାନା ହୀନିମାନିଆ କଥା ଶୁଣିବାକୁ ପଡ଼େ ।
ଯେତେଥର ଆକୁଳି ମାମୁଁ ଘରକୁ ରନ୍ଧାବଢ଼ା ସମୟରେ ଆସନ୍ତି ସବୁବେଳେ ସେଇ ଏକା ପରିସ୍ଥିତି ସୃଷ୍ଟି
ହୁଏ । ଶେଷକୁ ସିଏ ମଧ୍ୟ ନିଜ ବାପାଙ୍କ ପରି ଅକାଳରେ ହଇଜାରେ ଧାନ ଶଗଡ଼ ପାଖରେ ଚାଲିଗଲେ । ହେଲେ
ଏ ସବୁ ସତ୍ତ୍ୱେ ହୀରାନାନୀ କେବେ ମଧ୍ୟ ନିଜ ଭାଇ ବିଷୟରେ ପଦେ ନିନ୍ଦା କରି କହିବାର ସୀତା ଦେବୀ
ଶୁଣି ନ ଥିଲେ । ଏପରି ଥିଲା ସେ ସମୟରେ ଗରୀବ, ବିଧବା ବ୍ରାହ୍ମଣୀମାନଙ୍କର ଜୀବନ – ବାପଘର ଯେତେ
ବଡ଼ଲୋକ ହୋଇଥାଆନ୍ତୁ ନା କାହିଁକି ।
No comments:
Post a Comment