Friday, April 22, 2016

ବିଶ୍ୱନାଥପୁରରେ ଭାଙ୍ଗ ପାଚକ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କବି, ଔପନ୍ୟାସିକ ଓ ନାଟ୍ୟକାର, ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଜନ୍ମ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ପାଖ ଗାଁ ବିଶ୍ୱନାଥପୁରରେ । କାଳିନ୍ଦୀବାବୁଙ୍କର ବାପାଙ୍କର ନାମ ସ୍ୱପ୍ନେଶ୍ୱର, ମାତାଙ୍କର ନାମ ସରସ୍ୱତୀ । ବାପା ପୁରୀରେ ମୁକ୍ତାର । ଲୋକମୁଖରେ ଗାଁର ନା ବିସିନାଥପୁର । ସେତେବେଳେ ପାଞ୍ଚ ପଡ଼ାରେ ଘର ସଂଖ୍ୟା ପାଖାପାଖି ଅଢ଼େଇଶହ । ଗାଁର ପୋଷ୍ଟ୍ ବାଲିପାଟଣା, କୋଠଦେଶ ପ୍ରଗଣା, ପୁରୀ ଜିଲ୍ଲା । ଆମ୍ବ, ତାଳ, ନଡ଼ିଆ, ବେତ ଓ ବାଉଁଶ ଗଛରେ ଢଙ୍କା ଗାଁଟି । ଛତିଶ ପାଟକ, ପ୍ରାୟ ସବୁ ଜାତିର, ଲୋକେ ଗାଁରେ ରୁହନ୍ତି । ନିଶାପାଣି ବୋଇଲେ ଗାଁରେ ସବୁଠୁ ବେଶୀ ଚଳେ ଧୂଆଁପତ୍ର - ଆଠକାଳି ବାରମାସୀ । ସମସ୍ତେ ଧୂଆଁପତ୍ରର ଭକ୍ତ । ଗଞ୍ଜେଇ ଓ ଅଫିମ ଚଳେ । ମାତ୍ର ସେତେ ବେଶୀ ନୁହେଁ । ମାତ୍ର ପୂଜାପୁଜି ହେଲେ, ମେଳା ଇତ୍ୟାଦିରେ, ପାଚକ ପାଣି ଟିକିଏ ନିର୍ଦ୍ୱନ୍ଦରେ ଚଳେ । ବଡ଼ମାନେ ତ ଆନନ୍ଦମନରେ ସେବନ କରନ୍ତି । ପିଲାମାନେ ମଧ୍ୟ ବଡ଼ମାନଙ୍କ ଦେଖାଦେଖି ଟିକିଏ ଟିକିଏ ପାଆନ୍ତି । 

ଗାଁ ପାଖରେ ଭୋବନିଶର । ମହାତୀର୍ଥ । ପ୍ରଖ୍ୟାତ ଶୈବକ୍ଷେତ୍ର । ଶିବଙ୍କର ଗଞ୍ଜାଇ ପ୍ରତି ପକ୍ଷପାତିତା ତ ଜଣାଶୁଣା । ତେଣୁ ସାଧୁସନ୍ଥମାନେ ମଧ୍ୟ ଗଞ୍ଜେଇ ସେବନ କରିବାରେ କିଛି ଅପ୍ରାଧ ନାହିଁ । ଏଣୁ ଗାଁରେ ଶୈବତୀର୍ଥର ପ୍ରଭାବରେ ଗଞ୍ଜେଇ ଚଳେ । ମାତ୍ର ଉଚ୍ଚବଂଶଜ ମାନେ ଏହି ଶିବ-ପ୍ରସାଦ ସେବନ କରିବା ବିଷୟରେ ଟିକିଏ ଉନ୍ନାସିକ । ଅନେକ ସମ୍ଭ୍ରାନ୍ତ ପରିବାରରେ ଗଞ୍ଜେଇ ସେବନ ନିନ୍ଦନୀୟ ମଧ୍ୟ ଥିଲା । ମାତ୍ର ଭାଙ୍ଗସେବନ ଥିଲା ସାର୍ବଜନୀନ । ଏଥିର ବିରୋଧାଭାଷ କାଳିନ୍ଦୀବାବୁଙ୍କୁ ଟିକିଏ ବିଚିତ୍ର ଲାଗୁଥିଲା । ମାତ୍ର, ତାହା ହିଁ ଥିଲା ସେହି ସମୟରେ ବିସିନାଥପୁରର ଚଳଣି । 

ମେଳା ମଉଛବରେ, ଜନ୍ତାଳ ହେଲେ ଭାଙ୍ଗ ପାଚକ ହେବା ନିଶ୍ଚିତ । ଏପରିକି କିଶୋର ବୟସର ପିଲାଙ୍କ ଭିତରେ ଏହା ଚଳୁଥିଲା । ବ୍ରାହ୍ମଣମାନଙ୍କ ମଧ୍ୟରେ ଧୂଆଁଖାଇବା ନିଶିଦ୍ଧ ଥିଲା । ମାତ୍ର ତମ୍ବାଖୁ ନଖାଇଲେ ମଧ୍ୟ ଭଜନ ଟୁଙ୍ଗିରେ ବସି ଗଞ୍ଜାଇ ସେବନ ବାମୁଣ ଗୋସେଇଁମାନଙ୍କ ମଧ୍ୟରେ ବେଶ୍ ଚଳୁଥିଲା । କାଳିନ୍ଦୀ ବାବୁଙ୍କର ବିଶିକକେଇ ଭଜନ ଟୁଙ୍ଗିରେ ନାନାଜାତିର ଲୋକଙ୍କ ସହ ବସି, ଚିଲମ ବୁଲେଇ, ଖଞ୍ଜଣି ପିଟି, ଶରୀର ଭେଦ ଭଜନ ବୋଲନ୍ତି । ଗଞ୍ଜେଇ ଓ ଭଜନରେ ଜାତିପାତିର ଭେଦ କଟିଯାଏ । ଚଇତ, ବଇଶାଖ ମାସରେ କାଳିନ୍ଦୀ ବାବୁ ଓ ତାଙ୍କର ବନ୍ଧୁମାନେ ପାଚକ ପାଣି ଚିକିଏ ସେବନ କରି ତୋଟାକୁ ବିଜେ କରନ୍ତି ମହୁଫେଣା ଭାଙ୍ଗିବା ପାଇଁ । ଗାଁର ସଡ଼କର ଧୂଳିକୁ ଫେଣ୍ଟି ଚୋରାଚଇତି ଭିଆଏ ଖଣ୍ଡିଆଭୂତ । ସେଇ ଖଣ୍ଡିଆଭୂତର ପାଦରେ ପାଦ ଥାପି ଭାଙ୍ଗୁଆ ଦଳ ଆମ୍ବତୋଟାରେ ପହଞ୍ଚିଯାଆନ୍ତି । ମହୁଫେଣା ଖଣ୍ଡେ ପାଟିରେ ପକାଇ ଜିଭ ଟିକିଏ ବୁଲାଇଦେବା କ୍ଷଣି ଅପୂର୍ବ ରସ କ୍ଷରିତ ହୁଏ ।  

ଭାଙ୍ଗ ଖିଆର ଏ ସଂସ୍କୃତି କେବଳ ବିସିନାଥପୁର ଗାଁର ନୁହେଁ । ଏହା ସମୁଦାୟ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଚଳଣୀ । ଶ୍ରୀଜଗନ୍ନାଥଙ୍କର ମନ୍ଦିରର ଅନେକ ସେବକଙ୍କର ତ ନିୟମିତ ପାଚକପାଣି ଚଳେ । ଚଳେ ବୋଇଲେ ବାପ, ଅଜା, ପୁଅ, ନାତି ହୋଇ ପୁରୁଷାନୁକ୍ରମରେ ଚଳେ । ପୁରୀର ଜାଗାଘର ଗୁଡ଼ିକ ତେଣୁ କରି ଯେପରି ଭାବରେ ନିଜର ଶରୀର ଚର୍ଚ୍ଚା ଓ ସଙ୍ଗୀତ ଆସର ପାଇଁ ପ୍ରସିଦ୍ଧ, ସେହିପରି ନିଜର ଭାଙ୍ଗ ଖିଆ ପାଇଁ ମଧ୍ୟ ଜଣାଶୁଣା । ଏଣୁକରି ପୁରୀର ସଂସ୍କୃତି ଏହି ତିନି ଜିନିଷ - ସାଙ୍ଗ, ଭାଙ୍ଗ, ପଙ୍ଗତ - କୁ ନେଇ ପରିଚାଳିତ ବୋଲି ଗୋଟିଏ ଲୋକଶୃତି ଅଛି ।

ଭାଙ୍ଗନିଶା ଯେ ମୃତ୍ୟୁଜୟୀ ସେ ବିଷୟରେ ଏକ ଗପ ଲେଖକ ଶୁଣିଥିଲେ ନିଜର କନିଷ୍ଠ ଭ୍ରାତା, ବିଶିଷ୍ଟ ସାମ୍ୟବାଦୀ ନେତା ଶ୍ରୀ ଭଗବତୀଚରଣ ପାଣିଗ୍ରାହୀଙ୍କ ଠାରୁ । ଥରେ ପୁରୀରେ କିଛି ଟୋକା ବାଜି ମରାମରି ହୋଇ ଭାଙ୍ଗ ପିଇଲେ । ତା ମଧ୍ୟରୁ ଜଣେ ବୀର ବାଜି ଜିଣିବାର ଅତ୍ୟୁତ୍ସାହ ଯୋଗୁଁ ଅତ୍ୟଧିକ ଭାଙ୍ଗ ପାନ କରି ପରଲୋକ ଗମନ କଲେ । ଏଥି ଉତ୍ତାରୁ ବାପା ପୁତ୍ରର ଏ ବିଷୟ ଶୁଣି ଦେଖିବାକୁ ଆସନ୍ତେ ପ୍ରଥମେ ଆଖିପତାକୁ ଟେକି ଖୁସି ହେଲେ । ଆଉ କହିଲେ - 'ଆଃ ! କେଡ଼େ ବଢ଼ିଆ ନାଲି ଉଠି ଥିଲାଟି ପତାଯୋଡ଼ିକରେ' । 


ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ 'ଅଙ୍ଗେ ଯାହା ନିଭାଇଛି'ରୁ ସଙ୍ଗୃହିତ 

No comments:

Post a Comment