Monday, April 11, 2016

ଯୀଶୁଖ୍ରୀଷ୍ଟ ରଥ 

ଶ୍ରୀ ଦୀନାନାଥ ପାଠୀ
 ଫଟୋ କ୍ରେଡ଼ିଟ୍ - ଓଡ଼ିଶାଡାଏରୀ ଡଟ୍ କମ୍ 

ମାରେ ତାଳି, ତା ପଡ଼ିଶା ବନମାଳୀ
ବନମାଳୀ ବିକେ ଉପମା
ତା ପଡ଼ିଶା ମଣ୍ଡିସୁମା

----         ଶ୍ୟାମ ପାଠୀ, ପୁଞ୍ଜିକୟାଁର ଫକୀର, ଦୀନାନାଥ ପାଠୀଙ୍କ ନନା

ଭାରତର ସମସାମୟିକ ସଂସ୍କୃତିକୁ ରଥ ସଂସ୍କୃତି ବୋଲି କୁହା ଯାଇପାରେ । ନେତାମାନେ ଲୋକମାନଙ୍କୁ ଧର୍ମ ନାମରେ ଉତ୍ତେଜିତ କରି ଭୋଟ ଗୋଟେଇବା ପାଇଁ, ଅଭିନେତା ମାନେ ପ୍ରଚାର ନିମନ୍ତେ, ଅବସର ପ୍ରାପ୍ତ ଅମଲାମାନେ ନୂଆ ଠାକୁରମାନଙ୍କୁ ଜନଜୀବନ ଭିତରକୁ ନିଜର ସ୍ୱାର୍ଥସାଧନ ପାଇଁ ଧସେଇ ପଶାଇବା ପାଇଁ, ରଥ ବୁଲାଉଛନ୍ତି – ମାଳମାଳ, ଅବିରତ । ଅବଶ୍ୟ ଆମର ଠାକୁର ଠାକୁରାଣୀମାନେ ଆଗରୁ ମଧ୍ୟ ରଥରେ ଯାତରା କରୁଥିଲେ । ମାତ୍ର ସେ ସଂସ୍କୃତି ଓ ଏ ନୂଆ ସଂସ୍କୃତି ଭିତରେ କଅଣ କଅଣ ସାମ୍ୟ ଓ ଭିନ୍ନତା ରହିଛି ତାହା ବୋଧେହୁଏ ତତ୍ତ୍ୱବିତ୍ ସମାଜବେତ୍ତା ମାନେ କହିପାରିବେ । ଏ ଅଧମ ଲେଖକ ନୁହେଁ । କିନ୍ତୁ ଓଡ଼ିଶାରେ କେବେ ଯୀଶୁଖ୍ରୀଷ୍ଟ ରଥ ବୁଲିବାର ଆପଣ ଶୁଣିଥିଲେ ?  ଚିତ୍ରଶିଳ୍ପୀ, ଗବେଷକ ତଥା ଲେଖକ ଶ୍ରୀ ଦୀନାନାଥ ପାଠୀଙ୍କର ଆତ୍ମଜୀବନୀମୂଳକ ବହି 'ପୁଞ୍ଜିକୟାଁର ଫକୀର'ର ଏକ ଅଧ୍ୟାୟରେ ଆମେ ଭେଟୁ ଏହି ସୁନ୍ଦର ପରିକଳ୍ପନାକୁ । ଏବେକୁ ପାଖାପାଖି ନବେବର୍ଷ ତଳେ ଗଞ୍ଜାମର ଦିଗପହଣ୍ଡିର ଜଣେ ବ୍ରାହ୍ମଣ - ଶ୍ୟାମ ପାଠୀ - ବାହାର କରିଥିଲେ ଠାକୁରାଣୀ ଯାତ୍ରାରେ ଯୀଶୁଖ୍ରୀଷ୍ଟ ରଥ ।   

ଶ୍ୟାମ ପାଠୀ ବାହ୍ମୁଣ ବଉଁଶର ହେଲେ ମଧ୍ୟ ପାଇଟି ପାଇଁ କରୁଥିଲେ ଚିତ୍ରକରର ବୃତ୍ତି । ଏହି କାମ ଯୋଗୁଁ ପରିବାରକୁ ରାଜକୃପା ଯେତେ ପରିମାଣରେ ମିଳିବା କଥା, ମିଳୁନଥିଲା । ଶ୍ୟାମ ପାଠୀ ଆଶୁ କବି ଥିଲେ । ଥିଲେ ମଧ୍ୟ ଜଣେ ପକ୍କା ହନୁମାନ ଭକତ । ଗୀତ ବୋଲୁଥିଲେ । ତା ସହିତ କାଠ କଣ୍ଢେଇ ଗଢ଼ୁଥିଲେ । ବଡ଼ ପୁଅ ଲୋକା ଆଉ ସାନ ଦିନ୍ନାଥ’, ଉଭୟ ମାତୁଥିଲେ ଚିତ୍ରକରର ନାନା ଅଛିଣ୍ଡା କାମରେ – ମୁଖା ଓ ଡ୍ରାମା ପୋଷାକ ତିଆରି, ଠାକୁର ଦିଅଁ ବନକ, ବିଭା ବରତ ନିମନ୍ତେ କାନ୍ଥରେ ଚିତ୍ର, ସାଇନ୍ ବୋଡ୍ ଲେଖା, ବହି ବନ୍ଧେଇ, ଇତ୍ୟାଦି ନାନା ଚିତ୍ରାଙ୍ଗି କାମ ତାଙ୍କ ପରିବାର ଚଳାଉଥିବା ଶିଳ୍ପକଳା ମନ୍ଦିରରେ ହେଉଥିଲା । ଏହି ପରିବାରର ମଉଡ଼ମଣି ଶାମ ପାଠୀ ନିଜ ଗାଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁଖ୍ରୀଷ୍ଟ ରଥ । ସେତେବେଳେ ଗାଁରେ ରଥ ନ ଗଡ଼ିଲେ ଠାକୁରାଣୀ ଯାତ ହେବା ସମ୍ଭବ ନଥିଲା । ଏହି ପରମ୍ପରା ପାଠୀ ଆଜ୍ଞାଙ୍କ ଗାଁରେ ଆଉ ନାହିଁ । ମାତ୍ର ବରମ୍ପୁର୍ ସହରରେ ଏବେ ବି ଅଛି ।

ପାଠୀଙ୍କ ଗାଁରେ ରଥ ତିଆରୁଥିଲେ ସାଆନ୍ତରା ସାହିର ଚିତ୍ରକର ପରିବାର । ମାତ୍ର ସେମାନେ ଥିଲେ ନିତାନ୍ତ ପାରମ୍ପରିକ । କିଛି ନୂଆ କଥା କରିବା ସେମାନଙ୍କ ମଗଜକୁ ଢୁକୁନଥିଲା । ଠାକୁରାଣୀ ଯାତ୍ରା ଆୟୋଜନ କରୁଥିବା ବେଲମା ସାଇର ଗଜାଟୋକାଙ୍କୁ ବରଷେ ଏ ମରହଟ୍ଟିଆ ଛାଞ୍ଚ ନ ରୁଚିବାରୁ ସେମାନେ ଆଧୁନିକ କିଛି ଚାହିଁଲେ ।  ବାମୁଣ ସାଇର ଶ୍ୟାମ ପାଠୀ ସାନ୍ତରା ସାଇର ଚିତ୍ରକରମାନଙ୍କ ସହିତ ମିଶି ନୂଆ କିଛି କରିବାର ପ୍ରତିଶୃତି ଦେଲେ । ଠିକ୍ ହେଲା ଘନଶ୍ୟାମ ମହାପାତ୍ର ନିଜେ ସ୍ୱଦେହରେ ନିଶଦାଢ଼ି ଲଗାଇ, ଉପଯୁକ୍ତ ଜାମାଯୋଡ଼ ପିନ୍ଧି ଯୀଶୁଖ୍ରୀଷ୍ଟ ଭୂମିକାରେ ରଥାୠଢ଼ ହୋଇ ଅବତୀର୍ଣ୍ଣ ହେବେ ।

ଠାକୁରାଣୀ ଯାତ୍ରାର ସମୟ ଆସିଲା । କ୍ରୁସକାଠ ରଥ ଉପରେ ବନ୍ଧା ହେଲା । ମହାପାତ୍ରଙ୍କୁ ବେଶଭୂଷା କରି ରଥ ଉପରେ କ୍ରୁଶ ସହ ବାନ୍ଧି ଦିଆଗଲା । ଦୁଇ ହାତ ଦୁଇ ଆଡ଼କୁ ମେଲା କରି ବେଡ଼ି ଦଉଡ଼ିରେ ବନ୍ଧା ହେଲା । ଗୋଡ଼ ଦିଓଟିକୁ ଏକାଠି କରାଗଲା । ତାକୁ ନଳିଗଣ୍ଠା ପରି ଆଉ ସେରିଏ ବନ୍ଧା ଗଲା । ଅଣ୍ଟାକୁ କ୍ରୁସ କାଠ ସହିତ ଗାମୁଛା ସହିତ ଯୋଡ଼ି ଆଣ୍ଟ କରି ଛନ୍ଦି ଦିଆଗଲା । ମହାପାତ୍ରେ ପିନ୍ଧିଥାଆନ୍ତି ଫାଲଟାମରା ଗାମୁଛା ଖଣ୍ଡିଏ । ବିନା ଅନ୍ତର୍ବସ୍ତ୍ରରେ । ରଥ ବଡ଼ଦାଣ୍ଡକୁ ଆସିଲା ପରେ ରଥର ଘୋଡଣି ଖୋଲି ଦିଆଗଲା । ଲୋକେ ଏ ନୂଆ କାଣ୍ଡକାରଖାନା ଦେଖି ଅସମ୍ଭାଳ ହେଲେ । ଯୀଶୁଙ୍କ ମହିମା ବିଷୟରେ ଶୁଣିଥିବା ଲୋକେ ହାତ ଟେକି ଶରଣାଗତି ମୁଦ୍ରାରେ କୃପାଭିକ୍ଷା କଲେ । ରଥାୠଢ଼ ଯୀଶୁଙ୍କର ମହିମା ବିଷୟରେ ବେଲମା ସାହିର କିଛି ପିଲା ସାଙ୍ଗେ ସାଙ୍ଗେ ପ୍ରଚାର ଆରମ୍ଭ କଲେ । ଜାଗିଲି ସାହିର କିଛି ମାଇପେ ଜବର ହୁଳୁହୁଳି ମଧ୍ୟ ପକାଇବା ଆରମ୍ଭ କରିଦେଲେ । ହୁଳୁହୁଳିର କାରଣ ପଚାରିବାରୁ ଉତ୍ତର ମିଳିଲା – ଯିଏ ରଥରେ ବିଜେ କଲା ସିଏ ରଜା ନ ହେଲେ ଠାକୁର । ରଥ ରଚନା ଓ ତାହାର ସଜାକୁ ନେଇ ଗାଁରେ ଏ ପର୍ଯ୍ୟନ୍ତ ଆଖ୍ୟାୟିକାଟିମାନ ବିଛାଡ଼ି ହୋଇ ପଡ଼ିଛି । ଆଉ ପ୍ରାୟ ଆଖ୍ୟାୟିକାର ମଝିରେ ଅଛନ୍ତି ଜଣେ ଲୋକ – ଶ୍ୟାମ ପାଠୀ । ଏବେ କିଛି ଯାଗାରେ ଆର୍ଟ୍ ଅନ୍ ହ୍ୱିଲ୍ସ୍ ର କଥା ଉଠୁଛି । ପାଠୀ ମହାଶୟଙ୍କର ଯୀଶୁଖ୍ରୀଷ୍ଟ ରଥ ବୋଧେହୁଏ ଥିଲା ଓଡ଼ିଶାର ପ୍ରଥମ ଆର୍ଟ୍ ଅନ୍ ହ୍ୱିଲ୍ସ୍– ଅର୍ଥାତ୍ ରଥକଳା ।

ଶ୍ରୀ ଦୀନନାଥ ପାଠୀଙ୍କର ଆତ୍ମଜୀବନୀ ପୁଞ୍ଜିକୟାଁର ଫକୀରରୁ ସଙ୍ଗୃହିତ ।

No comments:

Post a Comment