ଗଙ୍ଗାଧର ମେହେରଙ୍କୁ ରାଧାନାଥ ରାୟଙ୍କର ପତ୍ର
![]() |
କବିବର ରାଧାନାଥ ରାୟ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କଟକ ତା ୦୬।୧୨।୧୮୯୪
ପ୍ରିୟତମ ଗଙ୍ଗାଧର ବାବୁ,
ଆପଣଙ୍କର ପ୍ରେରିତ ଅନୁଗ୍ରହ ଉପକାର ସକୃତଜ୍ଞ ଚିତ୍ତରେ ଗ୍ରହଣ କଲି । ମୋହୋର ମତ ପୁସ୍ତକର ଅଙ୍ଗୀଭୂତ ହୋଇଥିବା ସ୍ଥଳେ ପୁନର୍ବାର ମତ ପ୍ରଦାନ ଅନାବଶ୍ୟକ । ତଥାଚ଼ ଅବକାଶମତେ ମୁଁ ଗୋଟିଏ ସଂକ୍ଷିପ୍ତ ସମାଲୋଚନା 'ହିତୈଷିଣୀ' ଅଫିସ୍ କୁ ପଠାଇବି ।
ସମସ୍ତ ସମ୍ପାଦକ ଏବଂ ଲବ୍ଧପ୍ରତିଷ୍ଠ ସାହିତ୍ୟବିତ୍ ବ୍ୟକ୍ତିଙ୍କଠାକୁ ଅତି ଶୀଘ୍ର ଖଣ୍ଡିଏ ଖଣ୍ଡିଏ ପୁସ୍ତକ ଉପହାର ସ୍ୱରୂପ ପଠାଇବା ହେବେ । ହିତୈଷିଣୀ ବ୍ୟତୀତ ଅନ୍ୟାନ୍ୟ ସମ୍ବାଦପତ୍ରର ସମ୍ପାଦକଙ୍କଠାରୁ ସାହିତ୍ୟ ସମ୍ବନ୍ଧରେ କୌଣସି ନିର୍ଭରଯୋଗ୍ୟ ମତ ଅଥବା ଉପଦେଶ ପାଇବାର ଆଶା ଦୁରାଶା ମାତ୍ର । କେବଳ ଶିଷ୍ଟାଚାର ରକ୍ଷା ନିମନ୍ତେ ପୁସ୍ତକ ପଠାଇବାର ବାଞ୍ଛନୀୟ ।
କେହି ପ୍ରତିକୂଳ ମତ ଦେଲେ ସେଥିରେ ଭ୍ରୂକ୍ଷେପ କରିବାର ଅନୁଚିତ । ପ୍ରତିଷ୍ଠା ବୃଦ୍ଧି ସଙ୍ଗେ ସଙ୍ଗେ ଆପଣଙ୍କର ଅନିବନ୍ଧନ ବାନ୍ଧବ ଏବଂ ଅନିବନ୍ଧନ ଶତୃ ବାହାରିବେ । ଏଥିପାଇଁ ଆପଣ ପୂର୍ବରୁ ପ୍ରସ୍ତୁତ ଥିବାର ଭଲ ।
'ଇନ୍ଦୁମତୀ' ଓ 'ଉତ୍କଳଲକ୍ଷ୍ମୀ' ଏ ଉଭୟ ହିଁ ଉତ୍କଳଭାଷାର ସ୍ଥାୟୀ ସମ୍ପତ୍ତି । ଏହା ମୁଁ ମୁକ୍ତ କଣ୍ଠରେ ଅନେକ ଲୋକଙ୍କ ସମ୍ମୁଖରେ କହିଛି ଏବଂ ଆଜୀବନ କହିବି ।
ଉତ୍କଳଲକ୍ଷ୍ମୀ ପ୍ରଭାରେ କେବେ ବାହାରିବ ? ବରପାଲି ମହାରାଜ ଇନ୍ଦୁମତୀ ପ୍ରଣେତାଙ୍କର କି ସତ୍କାର କଲେ, ତାହାଙ୍କର ସାହିତ୍ୟ ଜ୍ଞାନ କିପରି ?
ଅଧିକାଂଶ ତଥାକଥିତ ରାଜାଙ୍କ ସମ୍ବନ୍ଧରେ ଆପଣଙ୍କର 'ଥାଇ ସେ ନଥିଲା ପରି' ଉକ୍ତି ସତ୍ୟ ଅଟେ ।
ଆପଣଙ୍କର
ରାଧାନାଥ ରାୟ
No comments:
Post a Comment