Friday, April 15, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୩


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) :  ମାଡ଼ାମ୍  ସେହି ସମୟରେ ମୁଁ ଯାହା ଅଳ୍ପ ଶୁଣିଛି ଓ ପଢ଼ିଛି, ଲୋକେ କୁହନ୍ତି ଯେ ପାଲା ସଙ୍ଗୀତରେ ହେଲା କିମ୍ବା କୀର୍ତ୍ତନରେ ମଧ୍ୟ ହେଲା ସେଥିରେ ଗୁଡାଏ ବଙ୍ଗାଳୀ ଗୀତ ଓ  ସଙ୍ଗୀତ ଉଭୟର ଛାପ ରହୁଥିଲା । ବର୍ତ୍ତମାନ ଆମେ ତାକୁ ଧରିପାରୁନାହେଁ । ମାତ୍ର ଏବେ ଆମେ ପାଲାକୁ ଗୋଟିଏ ବିଶୁଦ୍ଧ ଓଡ଼ିଆ ପରମ୍ପରା ହିସାବରେ ଶୁଣୁଛେ ଓ ଲୋକେ ସେଭଳି ଭାବରେ ଗ୍ରହଣ କରୁଛନ୍ତି । ଆପଣଙ୍କ ସମୟରେ ତାହା କିପରି ଥିଲା ।  

ଶ୍ରୀମତି ଶ୍ୟାମାମଣି ଦେବୀ - ପାଲା ଭିତରେ ଯେଉଁ ଭିନ୍ନ ଭିନ୍ନ ଭା।ଷାର ଗୋଟେ ଗୋଟେ କରନ୍ତି, ସେଇଟା ଲୋକେ କେବଳ କମେଡ଼ି ଭାବରେ କରୁଥିଲେ । ସେଥିରେ ପାଲାର ବିଷୟ ସହିତ କିଛି ସମ୍ପର୍କ ନଥାଏ । ଗାୟକ ଡାହାଣ ପାଲିଆ ଏମାନେ ସବୁ ଲୋକଙ୍କର ମନୋରଞ୍ଜନ ପାଇଁ  ମଝିରେ ମଝିରେ ଗୋଟେ ଗୋଟେ କରନ୍ତିନି କି କମେଡି ଟାଇପ୍ ର । ତା ଭିତରେ ସେମାନେ ଏପରି ସବୁ କରନ୍ତି । କିନ୍ତୁ ସେମାନେ ଯେଉଁ ବିଷୟଟିକୁ ନେଇଥାଆନ୍ତି - ଧରନ୍ତୁ 'ବୈଦେହୀଶ ବିଳାସ'ରୁ ନେଲେ, କି 'ସୁଭଦ୍ରା ପରିଣୟ'ରୁ ନେଲେ - ସେ ସେହି ସୁଭଦ୍ରା ପରିଣୟ ପୁରାଟା ଶେଷ କରିବେ । ତା ଭିତରେ ସେମାନେ ଅନ୍ୟ କିଛି କରିବେନି । ବିଭିନ୍ନ ପ୍ରକାରର ଲୋକ, ବିଭିନ୍ନ ପ୍ରକାରର ମତ ଥାଏ । ତା ଭିତରେ କାଳେ କିଏ ଦୁଇ ଘଣ୍ଟା ପାଲା ଗାଇଲା ବେଳେ ହଏତ କିଏ କାଳେ ବୋର୍ ହେବ । ତେଣୁ ମଝିରେ କିଛି କମେଡ଼ି  କରିଦିଅନ୍ତି । କିନ୍ତୁ ଆମ ଓଡ଼ିଆ ସଂସ୍କୃତିକୁ ସେମାନେ କିଛି କରନ୍ତି ନାହିଁ । ସେଇ କମେଡି ଭିତରେ ସେମାନେ ଅନ୍ୟ ଭାଷା କିଛି ଆଣନ୍ତି । ମୁଁ ସେକାଳରେ ଶୁଣିଛି । ହରିନାଥ ନରିନାଥଙ୍କୁ ମୁଁ ଶୁଣିଛି । ବହୁ ପାଲାଗାୟକଙ୍କୁ ଶୁଣିଛି । ବହୁ ପାଲା ଗାୟକଙ୍କର ଚାମର ମୋ ମୁଣ୍ଡରେ ବାଜିଛି । ତେଣୁ ମୁଁ ତ ସେମିତି କେବେ କହି ପାରିବିନି । 

ସେଣ୍ଟର୍ - ଆପଣ ଆପଣଙ୍କ ବାପା ବିଷୟରେ ଯାହା କହିଲେ, ସେ ଆପଣଙ୍କ ସଙ୍ଗୀତ ଶିକ୍ଷାର ଯେପରି ସମର୍ଥନ କରୁଥିଲେ, ତାହା ସମୟରେ ଏକ ବ୍ୟତିକ୍ରମ ଥିବ ବୋଧେହୁଏ । ଆପଣ ଆପଣଙ୍କ ବାପା ଓ ମା ଙ୍କ ବିଷୟରେ ଯଦି କିଛି କହି ପାରନ୍ତେ ତାହାହେଲେ ଲାଭଦାୟକ ହୁଅନ୍ତା । ଆପଣ ଯାହା କହିଲେ କି ବାପା ଆପଣଙ୍କୁ ଅତି ଅଳ୍ପ ବୟସରୁ ଆପଣଙ୍କର ସଙ୍ଗୀତ ପ୍ରତି ଆପଣଙ୍କର ଆଗ୍ରହ ପ୍ରତି ଉତ୍ସାହ ଯୋଗାଇଲେ, ଏକ ସମ୍ଭ୍ରାନ୍ତ କରଣ ପରିବାରରେ ଏଇଟା ନିଶ୍ଚିତ ଭାବରେ ଏକ ବ୍ୟତିକ୍ରମ ଥିବ । ତେଣୁକରି ଆମେ ଟିକେ ଜାଣିବାକୁ ଚାହିଁବୁ, ଆପଣଙ୍କର ବାପା, ମା, ପରିବାର, ପିତୃବ୍ୟଙ୍କ ବିଷୟରେ ।   

ଶ୍ରୀମତି ଶ୍ୟାମାମଣି ଦେବୀ -  ଯେପରି ପ୍ରଥମରୁ କହିଲି, ଆମର ପରିବାରଟା ଗୋଟେ ସାଙ୍ଗୀତିକ ପରିବାର ଥିଲା । ମୋ ବାପା ଗାଆନ୍ତି । ମୋ ବୋଉ ବି ଗାଉଥିଲେ । ବୋଉ ହେଉଛନ୍ତି ଆପଣଙ୍କର ଡକ୍ଟର୍ ରାୟବାହାଦୁର ଭିକାରୀଚରଣ ପଟ୍ଟନାୟକଙ୍କର ବଡ ଝିଅ । ଯେ କି ଆପଣମାନେ ପଢ଼ିଥିବେ - ସାହିତ୍ୟ ପ୍ରବେଶରେ 'କୁଟୀରଶିଳ୍ପ' - ସେ ମୋ ଅଜାଙ୍କର ଲେଖା । ଅଭଙ୍ଗା କଣ୍ଢେଇ କାରଖାନା ଗୋଟିଏ ଥିଲା । ସେଇଟା ମୋ ଅଜାଙ୍କର । ତ ମୋ ବୋଉ ବି ଗାଉଥିଲେ । ବାପା ବି ଗାଉଥିଲେ । ମୋ ଭାଇଭଉଣୀ, ଆମେ ଯେଉଁମାନେ ବର୍ତ୍ତମାନ ବି ପାଞ୍ଚଜଣ ଅଛୁ, ସମସ୍ତେ ଗାଉଥିଲେ ।  ବଡ଼ ଭାଇ ଭଲ ଭାୟୋଲିନ୍ ବଜାନ୍ତି, ଏସରାଜ୍ ବି ବଜାନ୍ତି । ସେ ଏବେ ଛମାସ ତଳେ ଚାଲିଗଲେ । ଆଉ ଗୋଟେ ଭାଇ, ସେ ବହୁତ ଭଲ ତବଲା ଓ ନାଲ୍ ବଜାଏ  - ଉପେନ୍ଦ୍ରମୋହନ ପଟ୍ଟନାୟକ । ସେ ବମ୍ବେ ଆଇଆଇଟିରେ ସଙ୍ଗୀତ ଶିକ୍ଷକ ଥିଲେ । ସେ ରିଟାୟାର୍ କଲେଣି । ଏକଦା ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍ ଗ୍ରୁପ୍ ର ବି ରିଦମିଷ୍ଟ୍ ଥିଲେ । ବାକି ମୋର ସଭା ବଡ଼ଭଉଣୀ ଭାୟୋଲିନ୍ ବଜାଉଥିଲା । ସେ ରାଉରକେଲାରେ ଅଛି ।  ଆଉ ମୋର ଆଉ ଗୋଟେ ଭଉଣୀ - ଉପର ଭଉଣୀ - ସେ ଭଲ ଖୋଳ ବଜାଏ । ସିଏ ମଧ୍ୟ ଅଛି । ତେଣୁ ଆମର ପୂରା ପରିବାରଟା, ଆମେ ଯେବେ କୀର୍ତ୍ତନ କରୁ, ଆମେ ଭାଇଭଉଣୀ ସମସ୍ତେ ମିଶି ପୂରା ଗୋଟେ ଗ୍ରୁପ୍ ଆମର । ତେଣୁ ପରିବାରର ବିଶେଷ କିଛି ସମସ୍ୟା ନଥିଲା । ତଥାପି ଧରନ୍ତୁ ବଡ଼ବାପାଙ୍କ ଘର, ଦାଦାଙ୍କ ଘର, ଏମାନଙ୍କ ଘରର ସବୁ ଆପତ୍ତି ଶୁଣିଲା ପରେ ସେମାନେ ଟିକେ ପଛଘୁଞ୍ଚା ଦେଉଥିଲେ । ଯେମିତି କୁଟୁମ୍ବମାନେ ଯଦି ଆପତ୍ତି କରୁଛନ୍ତି ।  ତା ଭିତରେ ସେମାନେ ତ ସେଇମାନଙ୍କୁ ନେଇ ଚଳିବେ ନା - ସାଇକୁଟୁମ୍ବଙ୍କୁ । ମୁଁ ସିନା ବାହାରକୁ ଚାଲିଆସିଲି । କିନ୍ତୁ ସେମାନେ ତ ଗାଁରେ ରହିଲେ । ତ ସେମାନଙ୍କୁ ନେଇ ଚଳିବେ । କିଛିଟା ସେ ରକମ ଆପତ୍ତି ମଧ୍ୟ ଥିଲା । କିନ୍ତୁ ଭିତିରିଆ ଭାବରେ ବାପାଙ୍କର ବହୁତ ଇଚ୍ଛା ଥିଲା ଯେ ମୁଁ ଗାଏ । 

ତାର ଆଉ ଗୋଟେ ବଡ଼ କାରଣ ହେଲା ଯେ ମୋର ବଡ଼ବାପା ହେଉଛନ୍ତି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଆଉ ମୋ ବଡବାପା ତ ନିଶ୍ଚିତ ଭାବରେ ଆପଣମାନେ ସମସ୍ତେ ଜାଣନ୍ତି ତାଙ୍କୁ ଯିଏକି ଓଡ଼ିଶା ନୃତ୍ୟର ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ କରିବାରେ ତାଙ୍କର ଅବଦାନ ପ୍ରଥମ । ଓଡ଼ିଆ ଗୀତରୁ ଓଡ଼ିଶୀ ଗୀତ କରିବାରେ ତାଙ୍କର ଅବଦାନ ବହୁତ । ଏମିତି ଥରେ ଡ୍ରାମା ହେଉଥାଏ । ବାପା ଡ୍ରାମା ବି ଲେଖନ୍ତି ଭଲ । ନିର୍ଦ୍ଦେଶନା ବି ଦିଅନ୍ତି । ମୋ ଜେଜେ ଥିଲେ ମଦନମେହନ ପଟ୍ଟନାୟକ । ମୋ ବାପା ତାଙ୍କ ନାଁରେ ଗୋଟେ ଡ୍ରାମାଟିକ୍ କ୍ଲବ୍ କରିଥିଲେ । ସେଠି ଡ୍ରାମା ହୁଏ । ଏବଂ  ସେଥିରେ ମୁଁ ବି ଅଭିନୟ କରିଛି । ମୁଁ ଶ୍ରୀକୃଷ୍ଣ ରୋଲ୍ କରୁଥିଲି ସେତେବେଳେ । ସେଥିପାଇଁ ବି ମୁଁ ବହୁତ କଥା ଶୁଣିଛି । ବାପାଙ୍କୁ ମୁଁହରେ ନକହିଲେ ବି ମଧ୍ୟ ବିଭିନ୍ନ ଲୋକ ଝିଅଟାକୁ ମୁଁହବଢିଆ କରିଛନ୍ତି, ଝିଅଟା ଏମିତି ଡ୍ରାମା ପେଣ୍ଡାଲ୍ ରେ ଠିଆ ହେଇ ଡ୍ରମା କରୁଛି - ଯେମିତି କରୁଛନ୍ତି ସେମିତି ପାଇବେ - ବିଭିନ୍ନ ଲୋକ - ଗାଁ ଗହଳିରେ ଯେମିତି କମେଣ୍ଟ୍ ହୁଏ । ତେଣୁ ସେତକ ବି ହେଇଥିଲା । ଏମିତି ଥରେ ଗାଁରେ ଡ୍ରାମା ହେଉଥିଲା, ବଡ଼ବାପା ଆସିଥିଲେ । ବାଙ୍କିରୁ । କାଳୀ ବଡ଼ବାପା ରୁହନ୍ତି ଖମାରଙ୍ଗରେ । ସିଏ ଆସିଥିଲେ । ତ ଭାଇ କହିଲେ ଏମିତିଆ - ଭାଇ ଇଏ ଗାଉଛି ଏମିତି । ସିଏ ଗାଉ ବୋଲି ମୋର ଇଚ୍ଛା । କିନ୍ତୁ ସମସ୍ତେ ଏମିତି ଇଏ କରୁଛନ୍ତି ।  ତ ଲୋକ କିଛି ଯଦି ଆପତ୍ତି ଅଭିଯୋଗ କରୁଛନ୍ତି ତାକୁ ତୁ ମୋତେ ଦେଇ ଦଉନୁ । ମୁଁ ତାକୁ ମୋର ଝିଅ କରି ରଖିକି ଗୀତ ଗୁଆଇବି । ସତକଥା । ବଡ଼ ବାପାଙ୍କର ବି କମ୍ ପ୍ରେରଣା ନଥିଲା ମୋ ପାଇଁ । ମୁଁ ବହୁତ କୃତଜ୍ଞ ତାଙ୍କ ପାଖରେ । ତା ପରେ ମୁଁ ତ ଗାଁ ଛାଡ଼ିକରି ଆସିଲି କଟକ । ତାପରେ ରେଡ଼ିଓରେ ଶିଶୁଶିଳ୍ପୀ ହେଲି । ଶିଶୁଶିଳ୍ପୀ ହେଲା ପରେ ଆଉ ମୁଁ ପଛକୁ ଫେରିନି । ୧୯୫୦ ରୁ - ୧୯୫୦ ମାର୍ଚ୍ଚ୍ ୨୩ ମୋର ପ୍ରଥମ ବ୍ରଡକାଷ୍ଟ୍ ଆକାଶବାଣୀରେ । ୧୯୪୮ ମସିହାରେ କଟକରେ ଆକାଶବାଣୀ ହେଲା । ୨୩ ମାର୍ଚ୍ଚ୍ ୧୯୫୦ ରେ ମୁଁ ଶିଶୁଶିଳ୍ପୀ ହେଲି । ସେତେବେଳେ ତ ରେକଡିଙ୍ଗ୍ ମେସିନ୍ ନଥିଲା । ଆମେମାନେ ଲାଇଭ୍ ଗାଉଥିଲୁ । ମୁଁ ବି ଲାଇଭ୍ ଗାଇଥିଲି । 

No comments:

Post a Comment