Monday, April 18, 2016

ଶରତଚନ୍ଦ୍ର ପୂଜାରୀ (୧୯୩୩ - ୨୦୧୪) ଙ୍କ କୋରାପୁଟ 


ଶ୍ରୀ ଶରତ ପୂଜାରୀ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପ୍ରଖ୍ୟାତ ଶିକ୍ଷାବିତ୍, ଅଭିନେତା ଓ ପ୍ରଶାସକ ଶ୍ରୀ ଶରତ ପୂଜାରୀଙ୍କର ପିତା ସଚ୍ଚିଦାନନ୍ଦ ପୂଜାରୀ (୧୯୦୧- ୧୯୫୭) ବ୍ରିଟିଶ୍ ସରକାରଙ୍କର ଜଣେ ଅମଲା ଥିଲେ। ଦଣେ ରାଜସ୍ୱ ନୀରିକ୍ଷକ (ରେଭେନ୍ୟୁ ଇନିସପେକ୍ଟର୍ ବା ଆର୍.ଆଇ.) ଭାବରେ ଚାକିରୀ ଜୀବନ ଆରମ୍ଭ କରି ଶରତ ବାବୁ ୧୯୩୪ ମସିହାରେ ଜନ୍ମ ହେଲା ବେଳକୁ ସେ ନୟାଗଡ଼ ରାଜ୍ୟ 'କୋର୍ଟ୍ ଅଫ୍ ୱାର୍ଡ୍ସ୍' ଅଧିନରେ ଥିବାରୁ, ସେଠାରେ ସୁପରିଟେଣ୍ଡେଣ୍ଟ୍ ଭାବରେ ଅବସ୍ଥାପିତ ଥିଲେ । ଦେଢ଼ ବର୍ଷ ନୟାଗଡ଼ରେ କାର୍ଯ୍ୟନିର୍ବାହ କରି, ସେ ପୁଣି ଖୋର୍ଦ୍ଧାକୁ ଫେରି ଆସିଲେ । ପ୍ରଥମେ ସବ୍-ଡେପୁଟି ଓ ତା' ପରେ ଟ୍ରେଜେରୀ ଅଫିସର ହୋଇ । ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଏଥିକୁ ଛଅ ମାସ ନିମନ୍ତେ ପରିବାରକୁ ସମ୍ବଲପୁର ଓ ମାନପୁରକୁ ପଠାଇଦେଇ ସଚ୍ଚିବାବୁ ଲାହୋର ନଗର ପାଇଁ ପ୍ରସ୍ଥାନ କଲେ । ସିଭିଲ୍ ଡିଫେନ୍ସ୍ ପ୍ରଶିକ୍ଷଣ ପାଇଁ । ଏହା ପରେ ୧୯୪୨ ମସିହାରେ ତାଙ୍କର ବଦଳି କଟକକୁ ହେଲା - ଡେପୁଟି ମାଜିଷ୍ଟ୍ରେଟ୍ ତଥା ସିଭିଲ୍ ଡିଫେନ୍ସ୍ ଅଫିସର ଭାବରେ । 

ଶେଷକୁ ଉପନିତ ହେଲା ଘଟଣା ବହୁଳ ୧୯୪୫ ମସିହା । ମହାସମରର ଶେଷ ଅଧ୍ୟାୟ । ବିଶ୍ୱଯୁଦ୍ଧର ଅନ୍ତ ହେବାର ପାଖାପାଖି ପାଞ୍ଚମାସ ପୂର୍ବରୁ ସଚ୍ଚିଦାନନ୍ଦଙ୍କର କୋରାପୁଟ ଜିଲ୍ଲା ବଦଳି ହେଲା, ଏସ୍.ଡ଼ି.ଓ. ପଦରେ । ସେତେବେଳେ କୋରାପୁଟରେ ଏସ୍.ଡ଼ି.ଓ.ଙ୍କୁ ଏଜେଣ୍ଟ୍ କହୁଥିଲେ, କାରଣ କୋରାପୁଟ ଜିଲ୍ଲାଥିଲା ଥିଲା ଏକ 'ଏଜେନ୍ସୀ' ।  ହୁଡ଼୍ ଲଗା ଶେଭ୍ରୋଲେ ଗାଡ଼ିରେ ପୂରା ପରିବାରକୁ ଧରି ସେ ପହଞ୍ଚିଲେ କୋରାପୁଟରେ । ଜଙ୍ଗଲ ଓ ପୁଲିସି ବିଭାଗକୁ ଛାଡ଼ିଦେଲେ ଶିକ୍ଷା, ସ୍ୱାସ୍ଥ୍ୟ, ବିଚାର, ରାଜସ୍ୱ, ସ୍ୱାୟତ୍ତ ଶାସନ, ବିତ୍ତ, ପୂର୍ତ୍ତ ଇତ୍ୟାଦି ସମସ୍ତ ବିଭାଗର ଭାର କୋରାପୁଟରେ ଏସ୍.ଡ଼ି.ଓ ତୁଲାଉଥିଲେ । କୋରାପୁଟ ସହରଟି ସେତେବେଳେ ଅତୀବ ଛୋଟ ଥିଲା । ଜିଲ୍ଲାର ବଡ଼ ସହର ବା ବଜାର କହିଲେ ବୁଝାଉଥିଲା ଜୟପୁରକୁ, ଯେଉଁଥିରେ ଜୟପୁରର ମହାରାଜା ରହୁଥିଲେ ।  ଜୟପୁର ତୁଳନାରେ ସେତେବେଳେ କୋରାପୁଟ ଥିଲା ଏକ ବଡ଼ ଗାଁ ମାତ୍ର । ସେତେବେଳେ ସହରଟିକୁ ଘେରି ରହିଥିଲା କେତୋଟି ଲଣ୍ଡା ପାହାଡ଼ । ପିଇବା ପାଇଁ ଲୋକେ ଝରଣା ଓ ନାଳର ପାଣି ବ୍ୟବହାର କରୁଥିଲେ । ଆଦିବାସୀଙ୍କର କୁଡ଼ିଆ, ତାଙ୍କର ଆମ୍ବ ଓ ସଳପ ଗଛ, କାନ୍ଦୁଲ, ମାଣ୍ଡିଆ, ଧାନ, ଅଳସି ତଥା ପନିପରିବା ବିଲରେ ସହରଟିର ଚାରିଆଡ଼, ଆଖପାଖ ଛାଇହୋଇଥିଲା । ସହରର ଶେଷ ପାଖରେ, ପାହାଡ଼ ଉପରେ, ଚର୍ଚ୍ଚ ପାଖରେ ଏହି ଅଭ୍ୟାଗତ ପରିବାରକୁ ରହିବା ପାଇଁ ମିଳିଥିଲା ଏକ ପ୍ରକାଣ୍ଡ ଓ ସୁନ୍ଦର ବଙ୍ଗଳା । ସଚ୍ଚିବାବୁ ମାସକୁ ୧୫-୨୦ ଦିନ ଯାଉଥିଲେ ଦଉଡ଼ାରେ । ପ୍ରାୟତଃ ଗସ୍ତ ଥିଲା ଅପ୍ରତ୍ୟାଶ୍ରିତ । 

ଛଅମାସ କୋରାପୁଟରେ ରହିବା ପରେ ନବରଙ୍ଗପୁରକୁ ବଦଳି ହେଲା ସଚ୍ଚିଦାନନ୍ଦଙ୍କର । ନବରଙ୍ଗପୁର ନୂଆ ସବଡ଼ିଭିଜନ୍ ଭାବରେ ତିଆରି ହେବାରୁ ସେ ସେଠାକାର ଏସ୍.ଡ଼ି.ଓ. ଭାବରେ ଯୋଗ ଦେଲେ । ସେତେବେଳକୁ ଶରତବାବୁ ନବମ ଶ୍ରେଣୀରେ । ନବରଙ୍ଗପୁର ବୋ଼ଡ୍ ହାଇସ୍କୁଲ୍ ରେ ନାମ ଲେଖାଇଲେ । ଶିକ୍ଷକମାନେ ସେତେବେଳେ ଆଦିବାସୀ ଖ୍ରୀଷ୍ଟିଆନ୍, ଓଡ଼ିଆ ଓ ତେଲୁଗୁ ଭାଷା ଜାଣୁଥିଲେ । ମାତ୍ର ଇଂରାଜୀ ଥିଲା ସେମାନଙ୍କ ପାଇଁ ସବୁଠାରୁ ସୁବିଧାଜନକ ଭାଷା । ସବୁଠାରୁ ବଡ଼ କାରଣ ଥିଲା ଏହାଥିଲା ଯେ ଅଧାଅଧି ପିଲା ଥିଲେ ତେଲୁଗୁ ଭାଷାଭାଷୀ, ଓ ଓଡ଼ିଆ ପାଠ୍ୟପୁସ୍ତକ ପ୍ରାୟ ବଜାରରେ ମିଳୁନଥିଲା । ସେତେବେଳେ ନବରଙ୍ଗପୁର କୋରାପୁଟ ଜିଲ୍ଲାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ବ୍ୟବସାୟିକ କେନ୍ଦ୍ର । ସହରର ସବୁଠାରୁ ପ୍ରତକ୍ଷ୍ୟ ଦେବତା ଥିଲେ ଭଣ୍ଡାରଘରଣୀ ଠାକୁରାଣୀ ଓ ଜଗନ୍ନାଥ । ଜିଲ୍ଲାର ସବୁଠାରୁ ବଡ଼ ହାଟ ସହରର ଠିକ୍ ମଝିରେ ଏକ ବିରାଟ ବଡ଼ ଆମ୍ବ ତୋଟାରେ ବସୁଥିଲା । ସେତେବେଳେ କୋରାପୁଟ ଜିଲ୍ଲା ଭର୍ତ୍ତିଥିଲା ଜୀବଜନ୍ତୁ ମାନଙ୍କରେ । ମଣିଷମାନଙ୍କ ଅପେକ୍ଷା ପଶୁପକ୍ଷୀମାନଙ୍କର ସଂଖ୍ୟା ବେଶୀ ଥିଲା । ହାତୀ, ବାଘ, ଭାଲୁ, ଚିତା, କଲରାପତରିଆ, ସମ୍ବର, ଚିତ୍ତଳ, ହରିଣ, ଗୟଳ, ଅରଣା ମଇଁଷି, ବାରହା, ମୟୁର, ବଣ କୁକୁଡ଼ା ଆଦି ପଶୁପକ୍ଷୀମାନଙ୍କରେ ଜିଲ୍ଲାର ଜଙ୍ଗଲ ଭରପୁର ଥିଲା । 

୧୯୪୬  ପୂଜାଛୁୁଟିରେ  ପୂଜାରୀ ପରିବାର ସମ୍ବଲପୁର ଅବକାଶ ପାଇଁ ଫେରିଲେ । ନବରଙ୍ଗପୁରରୁ ଆମ୍-ପାଏନ୍ ଘାଟି ଦେଇ ଭବାନୀପାଟଣା, ଭବାନୀପଟଣାରୁ ତେଲ ନଦୀର ଖରାଦିନିଆ ରାସ୍ତା ଦେଇ ଟିଟିଲାଗଡ଼ । ତାହା ପରେ ବଲାଙ୍ଗୀର ଓ ବରଗଡ଼ ଦେଇ ସମ୍ବଲପୁର । ସେତେବେଳେ ସମ୍ବଲପୁରରେ ପହଞ୍ଚିବା ପାଇଁ ମହାନଦୀ ଉପରେ ଥିଲା ପନଟୁନ୍ ପୋଲ । ଲୁହାପିମ୍ପାର ବଡ଼ ବଡ଼ ଢୋଲଟିମାନ ନଈର ପାଣିରେ ଫିଙ୍ଗା ହେଉଥିଲା । ତାହା ଉପରେ କାଠପଟା ପକାଇ, ବନ୍ଧା ହୋଇ, ପୋଲ ସଜିଲ ହେଉଥିଲା । ମାତ୍ର ଏହି ପୋଲ ବର୍ଷାଦିନରେ କୌଣସି କାମର ନଥିଲା । ସମ୍ବଲପୁର ଫେରିଲା ବେଳେ ପୂଜାରୀ ପରିବାର କୋରାପୁଟର ଗୋଟିଏ ଘାଟି କଡ଼ରେ ଦେଖିଲେ ଚିତଳ, ସମ୍ବର, କୁଟୁରା, କୃଷ୍ଣସାର, କୁଟୁରା ଇତ୍ୟାଦିଙ୍କର ଶହଶହ ସଂଖ୍ୟାର ଏକ ବିରାଟ ଦଳ । ଖୁରାରେ ଧୂଳି ଉଠି ଘୋଟିଥିଲା ଏକ ବହଳ ଧୂଳିଝଡ଼ । କୋରାପୁଟ ଜିଲ୍ଲାର ଜଙ୍ଗଲରେ ସେତେବେଳେ ଥିଲା ଲତା ଗୋଲାପର ବନ୍ୟା । ଶୀତ ସକାଳରେ ରାସ୍ତା କଡ଼ର ଜଙ୍ଗଲରେ ଛାଇ ଯାଉଥିଲା ଫିକା ହଳଦିଆ ରଙ୍ଗର ମହୁଲ ଫୁଲର ଗାଲିଚା ।   

ଅଳପ ପଇସାରେ ଲୋକେ ଚଳିଯାଉଥିଲେ । ଜିନିଷପତରର ଦରଦାମ ବଡ଼ ଶସ୍ତା ଥିଲା । ଦ୍ରବ୍ୟ ବିନିମୟ ପ୍ରାୟ ଚାଲୁଥିଲା । ଟଙ୍କାଟିରେ ଟୋକେଇଟିଏ ବାଇଗଣ, ଷାଠିଏଟି କୁକୁଡ଼ି ଅଣ୍ଡା, କି ଶହେଟି ମକା ମିଳୁଥିଲା । ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟ ସ୍ୱତନ୍ତ୍ର ଓ ମୂଖ୍ୟସ୍ରୋତ ବିଚ୍ଛିନ୍ନ ଥିଲେ । ପରଜାମାନେ କେବଳ ଶିକ୍ଷିତ ଓଡ଼ିଆ ଓ ତେଲୁଗୁ ଲୋକଙ୍କର ସଂସ୍ପର୍ଶରେ ଆସୁଥିଲେ । ଖ୍ରୀଷ୍ଟଧର୍ମୀ ଆଦିବାସୀମାନେ ହିଁ ପ୍ରାୟ ଶିକ୍ଷିତ ଥିଲେ । ସେହିମାନେ ଆଦିବାସୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ପଢ଼ାଶୁଣା କରି ଚାକିରୀବାକିରୀ କରୁଥିଲେ । ଆଦିବାସୀ ଝିଅପିଲାମାନେ ଶିକ୍ଷୟତ୍ରୀ ଓ ସେବିକା ଚାକିରୀ ପାଇଁ ଆକୃଷ୍ଟ ହେଉଥିଲେ । କଥିତ ଭାଷା ଭାବରେ ଦେଶୀଆ ଭାଷାର ପ୍ରଚଳନ ସେତେ ବେଶୀ ନଥିଲା । ଲିଖିତ ଭାବରେ ଏହାର ବ୍ୟବହାର ଆଦୌ ନଥିଲା କହିଲେ ଚଳେ । ସୁଙ୍କିରୁ କୋରାପୁଟ ଓ ଜୟପୁର, ଓ ଜୟପୁରଠାରୁ ନବରଙ୍ଗପୁର ଓ ରାୟଗଡ଼ା ପର୍ଯନ୍ତ କିଛି ପେଟ୍ରୋଲ୍ ଓ ବାଷ୍ପଚାଳିତ ବସ୍ ଚାଲୁଥିଲା । ଏଗୁଡ଼ିକର ସମୟ ଜ୍ଞାନ କିଛି ନ ଥିଲା । ଧୀର, ମନ୍ଥର ଗତିରେ ଏହି ବସ୍ ଗୁଡ଼ିକ ଜିଲ୍ଲାର ମୋରମ୍, ଘାଟି ରାସ୍ତାଟିମାନ ଉପରେ ଗଡ଼ୁଥିଲେ, ଆନମନା ଶିଶୁ ପରି । ୧୯୪୭ ମସିହାରେ, ସ୍ୱାଧୀନତା ସମୟରେ ପୂଜାରୀ ସିନିଅର୍ ଙ୍କର ପଦୋନ୍ନତ୍ତି ସହିତ ବଦଳି ହେଲା - ଏ.ଡ଼ି.ଏମ୍. ଭାବରେ ଢେଙ୍କାନାଳ ଜିଲ୍ଲାକୁ । ଶରତବାବୁଙ୍କୁ କୋରାପୁଟ ଜିଲ୍ଲା ଛାଡ଼ିବାକୁ ପଡ଼ିଲା । ହେଲେ ଏ ଜିଲ୍ଲାର ପ୍ରକୃତି ଓ ବାସିନ୍ଦାମାନଙ୍କ ପାଇଁ ତାଙ୍କ ମରମ ତଳେ ରହିଗଲା ଅପାସୋରା ଶରଧା ।   

ଶରତ ପୂଜାରୀଙ୍କ ଆତ୍ମଜୀବନୀ 'ନିଜସ୍ୱ ଚିତ୍ରନାଟ୍ୟ :  ସ୍ମୃତିପଥ' ରୁ ସଙ୍ଗୃହିତ । ଏହି ପୁସ୍ତକଟି ଶିକ୍ଷାସନ୍ଧାନ (ଭୁବନେଶ୍ୱର) ଦ୍ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଅଛି । 

No comments:

Post a Comment