Friday, April 01, 2016

ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୧


ଫକୀରମୋହନ ସେନାପତି କୃତ  ପ୍ରବନ୍ଧ ଆଳିମାଲିକାରୁ ସଂଗୃହୀତ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


କାନ୍ଥ  = କଡ଼ --- ବଟା କାନ୍ଥରେ ପାନ ଅଛି । ପୋଖରୀ କାନ୍ଥ ଆମ୍ବଗଛର ଆମ୍ବ ମିଠା ।

ମୂଳେ = ଯିମା --- ସରବରକାରଙ୍କ ମୂଳେ ଖଜଣା ଦେଲି । ବାବୁଙ୍କ ମୂଳେ ବସ୍ତାନିଟା ଦେଇ ଆସିଲି ।

ସିଲ =  ପ୍ରଧାନ ଅର୍ଥ ଅନୁମତି - ବିଦାୟ ଅର୍ଥରେ ମଧ୍ୟ ଚଳେ । ମତେ ପାଲିଙ୍କି ଚଢ଼ିବାର ସିଲ ନାହିଁ । ଛତା ସିଲ କରେଇଚି । ଆମ୍ଭମାନଙ୍କୁ ବାହାରି ଯିବାକୁ ସିଲ ହେଉ ।  ମୁଁ ହଜୁରରୁ ସିଲ୍ ହେଉଛି । (ପୂର୍ବେ ଗଡ଼ଜାତରେ ଘୋଡ଼ା ଚଢ଼ିବା, ପାଲିକି ଚଢ଼ିବା, ଏପରିକି ଛତା ବ୍ୟବହାର କରିବା ପାଇଁ ରାଜସରକାରରେ ଭେଟି ସଲାମି ଦେଇ ଅନୁମତି ନେବାକୁ ହେଉଥିଲା । ବର୍ତ୍ତମାନ ଯେ ସମ୍ପୂର୍ଣ୍ଣରୂପେ ଉଠି ଯାଇଅଛି ତାହା ନୁହେ ।)

ସମୟ = ସାଧାରଣ ଅର୍ଥ କାଳ, ଅବକାଶ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ  --- ଯେପରିକି, ମୋର ବର୍ତ୍ତମାନ ସମୟ ନାହିଁ । କିନ୍ତୁ ଗଡ଼ଜାତରେ ସମୟ "କେଉଁ କାର୍ଯ୍ୟରେ ବ୍ୟାପୃତ ", "ଏ ଅବକାଶ ଅଛି କି ନାହିଁ"  ଏହପରି ଅର୍ଥରେ ବ୍ୟବହାର ହୁଏ ।  କୌଣସି ଲୋକ ରାଜା ବା କୌଣସି ଭଦ୍ରଲୋକ ସହିତ ଦେଖା କରିବାକୁ ଆସିଲେ, ଯାହାଙ୍କ ସହିତ ଦେଖା କରିବାର ଆବଶ୍ୟକ ତାହାଙ୍କର ସାକ୍ଷାତ ନ ପାଇଲେ ପଚାରେ, "ଛାମୁଙ୍କର ସମୟ କଣ ? ବା ବାବୁଙ୍କର ସମୟ କଣ ?"

ଆସିବା = ସାଧାରଣ ଅର୍ଥରେ ବ୍ୟବହୃତ ହେବା ଛଡ଼ା - ଏ ବର୍ଷ ଭଲ ଆମ୍ବ ଆସିଚି, ତେନ୍ତୁଳି ଭଲ ଆସିନାହିଁ --- ଏପରି ବ୍ୟବହାର ମଧ୍ୟ ହୁଏ । 

ପହଡ଼ = "ତେଜିଣ ବେଗେ ପହୁଡ଼, ଗୋଧନ ଘେନି ଗଉଡ଼, ବଜାଇ ବଜାଇ ବଂଶୀ ସୁଲଳିତ ସ୍ୱନେ, ଗୋଷ୍ଠକୁ ଗମଇ ଧୀରେ ଆନନ୍ଦିତ ମନେ" ରେ ପହୁଡ଼ର ବ୍ୟବହାର ; ଅଭିଧାନରେ ଏହାକୁ ଅନୁସରଣ କରି 'ପହୁଡ଼' ମଧ୍ୟ ଲେଖାଅଛି । କିନ୍ତୁ ସଚାରଚର 'ପହଡ଼' ଏହାହିଁ ବ୍ୟବହୃତ ହୁଏ । ପହଡ଼ ଅର୍ଥ ଦେବ ନିଦ୍ରା ତଥା ରାଜକୀୟ ନିଦ୍ରା । ଗାଢ଼ ନିଦ୍ରାକୁ ପହଡ଼, ଚେଇଁ ଶୋଇବାକୁ ଚିଆଁ ପହଡ଼ କହନ୍ତି । ଯାହା ତାହା ନିଦ୍ରା ପହଡ଼ ନୁହେଁ ।

ଛାମୁ = ରାଜ ବା ରାଜ ପରିବାରୀୟ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ବୋଧନରେ ବା ଶିଷ୍ଟତା ସହିତ ସୋମାନଙ୍କ ସମ୍ବନ୍ଧରେ କିଛି କହିବାର ହେଲେ ଏହି ଶବ୍ଦର ବ୍ୟବହାର ହୁଏ । ମୋଟରେ ଏହାର ବ୍ୟବହାର 'ହଜୁର' ଶବ୍ଦର ବ୍ୟବହାର ପରି । ଯଥା  - 'ଛାମୁଙ୍କର ସମୟ କଣ' ? 'ରାଜାଙ୍କ ଛାମୁରୁ ବିଜେ କରୁଛନ୍ତି' ? 'ମଣିମାଙ୍କ ଛାମୁରୁ ହୁକୁମ ପଡ଼ିଛି' ଇତ୍ୟାଦି ? ଏହି ଶବ୍ଦଟି କାହା ମତରେ 'ସମ୍ମୁଖ' କାହା ମତରେ 'ଶ୍ରୀମୁଖ' ପୁଣି କାହା ମତରେ 'ସୁମୁଖ'ର ଅପଭ୍ରଂଶ । ଶ୍ରୀମୁଖ ତ ନୁହେଁ, ତାହାହେଲେ 'ଛାମୁ ଶ୍ରୀମୁଖରୁ କଣ ହୁକୁମ ପଡ଼ୁଚି' 'ଛାମୁ ଶ୍ରୀମୁଖ କେବେ ଦେଖିବି' ଇତ୍ୟାଦି ବ୍ୟବହାର ଅସଙ୍ଗତ ହୁଅନ୍ତା । ରାଜା ରାଜ୍ୟ ମଧ୍ୟରେ ସର୍ବଶ୍ରେଷ୍ଠ - ସୁ = ଶୋଭନ, ମୁଖ୍ୟ = ଶ୍ରେଷ୍ଠ, ସୁମୁଖ୍ୟର ଅପଭ୍ରଂଶ କଲେ ଅଡୁଆ କଣ ? ସେହିପରି ଛାମୁକରଣ = ମୁଖ୍ୟକରଣ ଅର୍ଥାତ୍ କରଣମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ।

No comments:

Post a Comment