Tuesday, April 19, 2016

ବିତର୍କ ଓ ବ୍ୟାଖ୍ୟାନ - ଏକ ସମୀକ୍ଷା 


ଶୈଲେନ ରାଉତରାୟ

 


ଦାଶ, ଗୌରାଙ୍ଗ ଚରଣ । ୨୦୦୯ । ବିତର୍କ ଓ ବ୍ୟାଖ୍ୟାନ : ଇତିହାସ, ଭାଷା ଓ ,ସାହିତ୍ୟ । ଭ ୁବନେଶ୍ୱର : ସରସ୍ୱତୀ । ୧୭୬ ପୃଷ୍ଠା ।

୨୦୦୮ ମସିହା ଡିସେମ୍ବର ମାସର ଏକ ନିଦା ଅପରାହ୍ଣ । ଏ ସମୀକ୍ଷକ କଟକରେ କୌଣସି କାମ ନିମନ୍ତେ କାଠଯୋଡ଼ି ନଈ କୂଳରେ ସେଆର୍ ଅଟୋ-ରେକ୍ସାରେ ହାଇକୋଟ୍ ଆଡ଼କୁ ଯାଉଥାଏ । ବାଟରେ ଗୋଟିଏ ଛକରେ ଜଣେ ବାବୁ ଓହ୍ଲାଇ କରି ପଚାଶ ଟଙ୍କାଟିଏ ରେକ୍ସାବାଲାକୁ ଧରାଇଲେ । ବଦଳରେ ରେକ୍ସାବାଲାଜଣଙ୍କ ଚାରୋଟି ଦଶ ଟଙ୍କିଆ ନୋଟ୍ ଓ କିଛି ଖୁଚୁରା ପଇସା ଫେରାଇଲେ । ଗୋଟାଏ ନୋଟ୍ ଚିକିଏ ଧତଡ଼ା ଥିବାରୁ ସବାରୀ ଜଣକ ସେହି ନୋଟ୍ ବଦଳରେ ଆଉ ଗୋଟିଏ ନୋଟ୍ ମାଗିଲେ । ରେକ୍ସାବାଲାଜଣଙ୍କ ଧିରେ ଧିରେ ନିଜ ମୁଣା ଭିତରେ ଖୋଜିଲେ ଆଉ ଖଡ଼ଖଡ଼ିଆ, ତଟକା ଦଶଟଙ୍କିଆ ନୋଟ୍ ଗୋଟିଏ ସବାରୀଙ୍କର ହାତରେ ଧରାଇଦେଇ କହିଲେ, 'ବାବୁ, ନିଅ । ପୋତିବ' । ଏଇ ତିନୋଟି ଶବ୍ଦ ପଛରେ କେତେ ଶହ ବର୍ଷର ସଭ୍ୟତା ଓ କେତେ ପରିମାଣର ଖେଳୁଆଡ଼ ମନୋଭାବ ଉଙ୍କିମାରେ ?

ହେଲେ ଭାଷାର ଏପରି ଖେଳୁଆଡ଼ ବ୍ୟବହାର ବୋଧେହୁଏ ହ୍ରାସ ପାଇ ଚାଲିଛି । ଭାରତ ସାରା, ବିଶେଷତଃ ଓଡ଼ିଶାରେ, ଆମେ ଏଇ କେଇ ଦଶନ୍ଧି ନେଇ ଏକ ଅସମ୍ଭବ ପରିସ୍ଥିତିରେ ପହଞ୍ଚିଛେ । ଭାଷାକୁ ନେଇ ଅସ୍ମିତା ଓ ଅହଙ୍କାରର ତୋଡ଼ ଯେତେ ପରିମାଣରେ ବଢ଼ି ଚାଲିଛି, ଭାଷାକୁ ନେଇ ଖେଳ, ଭାଷାର ସୃଜନାତ୍ମକ ବ୍ୟବହାର, ସେତିକି ପରିମାଣରେ କମି କମି ଚାଲିଛି ।  ଏହି ଅବସ୍ଥାକୁ ବୁଝିବାକୁ ହେଲେ ଆମକୁ ଏକ ପ୍ରାଥମିକ ପ୍ରଶ୍ନର ଉତ୍ତର ସ୍ଥିର କରିବାକୁ  ପଡ଼ିବ । ପ୍ରଶ୍ନଟି ହେଲା କି  ଏହି ଦୁଇଟି ପ୍ରକ୍ରିୟା - ଗୋଟିଏ ଦିଗରେ ଭାଷାକୁ ନେଇ ଅସ୍ମିତାର ରାଜନୀତି, ଓ ଅନ୍ୟ ପଟରେ ଭାଷାର ବ୍ୟବହାର ଏବଂ ଭାଷାକୁ ନେଇ ଖେଳର ପରିମାଣ ଓ ମାନ ହ୍ରାସ ମଧ୍ୟରେ ସମ୍ପର୍କ ଅଛି କି ନାହିଁ । ଏ ସମୀକ୍ଷକର କୁନି ବୁଦ୍ଧିର ଛୋଟ ଉତ୍ତର ହେଲା - ହଁ । ଅଛି । ଭାଷାକୁ ନେଇ ଅସ୍ମିତାର ରାଜନୀତିର ବିଷ ପ୍ରଭାବ ଯୋଗୁଁ ହିଁ ବର୍ତ୍ତମାନ ଓଡ଼ିଆ ଭାଷା ଅବକ୍ଷୟମୁଖୀ । ଏହାର ଗ୍ରହଣଯୋଗ୍ୟ କାରଣମାନ ଦେବାକୁ ହେଲେ ଗୋଟାଏ ମୋଟା ଗ୍ରନ୍ଥଟିଏ ବୋଧେହୁଏ ଲେଖିବାକୁ ପଡ଼ିବ । 

ମାତ୍ର ସମୀକ୍ଷାଧନ ବହିଟିକୁ ଆମେ ଏହିପରି ଏକ ବୌଦ୍ଧିକ ପ୍ରକଳ୍ପର ଏକ ବଂଶଲତା ଭାବରେ ଦେଖିପାରିବା । ବହିଟିରେ ଲେଖକ ଶ୍ରୀ ଗୌରାଙ୍ଗ ଚରଣ ଦାଶଙ୍କର ପ୍ରାକ୍-ଲିଖିତ ଚାରୋଟି ପ୍ରବନ୍ଧ ସଙ୍କଳିତ ହୋଇଛି । ପ୍ରବନ୍ଧଗୁଡ଼ିକ ଆଗରୁ 'ଏଷଣା' ପତ୍ରିକାର ପୃଷ୍ଠାରେ ଛପାଯାଇଥିଲା ଓ ପ୍ରଥମ ଥର କରି ବହିଟିରେ ଗୋଟିଏ ଯାଗାରେ ସ୍ଥାନିତ ହୋଇଛି । ପ୍ରଥମ ପ୍ରବନ୍ଧଟି ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ଓଡ଼ିଶାର ଇତିହାସ ବିଷୟରେ । ଦ୍ୱିତୀୟ ପ୍ରବନ୍ଧଟି ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ବିରଚିତ ଶବ୍ଦତତ୍ତ୍ୱବୋଧ ଅଭିଧାନକୁ ନେଇ ଓଡ଼ିଆ ସାହିତ୍ୟର ଶାଶୁମାନଙ୍କର ଦାଣ୍ଡକଳିର ଏକ ଆଲେଖ୍ୟ । ତୃତୀୟ ପ୍ରବନ୍ଧଟି ପ୍ରହରାଜ ମହାଶୟଙ୍କର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ନେଇ ଓଡ଼ିଆ ସାହିତ୍ୟର ଦିଗ୍ଗଜମାନଙ୍କର ମଧ୍ୟରେ ବାଦିପାଲା ବିଷୟକ ଏକ ଟେକ୍ସଟ୍ । ବହିଟିର ଚତୁର୍ଥ ତଥା ଅନ୍ତିମ ପ୍ରବନ୍ଧଟି ବାଜି ରାଉତଙ୍କୁ ନେଇ ରାଜନୀତିର କବିତା ଓ କବିତାର ରାଜନୀତି ସମ୍ପର୍କରେ ଏକ ଆଲୋଚନା । 

ଲେଖକଙ୍କର ଭାଷାରେ  ଏଇ ଲେଖାଗୁଡ଼ିକ 'ଓଡ଼ିଆ ଜାତିର ଅସ୍ମିତା ସଂରଚନା ପ୍ରକ୍ରିୟାରେ ହେତୁ ଖୋଜା ' (ପୃଷ୍ଠା - ୬) । ଲେଖକ ନିଜେ ସ୍ୱୀକାର କରନ୍ତି ଯେ, କୌଣସି ଜାତିର ଜାତୀୟତା ଓ ଅସ୍ମିତା ଏକ 'କାଳ୍ପନିକ ସମ୍ପ୍ରତ୍ୟୟ' ; ଅର୍ଥାତ୍ ଏହି ପ୍ରକାରର ଅସ୍ମିତା ତଥା ଜାତୀୟତା କେଉଁ ଆବାହମାନ କାଳର଼ୁ ପ୍ରାକୃତିକ ଭାବରେ ବହି ଆସିନାହିଁ । ଅନ୍ୟ ଯେକୌଣସି ମାନବୀୟ ଅବବୋଧ ପରି ଏହା କାଳାଶ୍ରୟୀ । ଉନବିଂଶ ଓ ବିଂଶ ଶତାବ୍ଦୀରେ ୟୁରୋପୀୟ ଦେଶମାନେ ନିଜର ରାଷ୍ଟ୍ରତନ୍ତ୍ର ଓ ସାମରିକ ଶକ୍ତି ବଳରେ ପୃଥିବୀର ଅର୍ଦ୍ଧେକ ଅଂଶରେ ନିଜର ଶାସନତନ୍ତ୍ରର ଉପନିବେଶ ବସାଇ ସାରିଲା ପରେ, ତାହାର ଏକ ପ୍ରତିକ୍ରିୟା ଭାବରେ ହିଁ ପୃଥିବୀର ବିଭିନ୍ନ ଜାଗାରେ ଜାତୀୟତାବାଦର ଉନ୍ମେଶ ଘଟିଲା । ଏହି ଅନେକ ଜାତିମାନଙ୍କ ଭିତରୁ (ଏଠାରେ ଇଂରାଜୀ ଶବ୍ଦ 'ନେଶନ୍'ର ପର୍ଯ୍ୟାୟବାଚି ଭାବରେ ଜାତି ଶବ୍ଦର ବ୍ୟବହାର କରାଯାଉଛି) ଓଡ଼ିଆ ଜାତି ଅନ୍ୟତମ । ତେଣୁକରି ଓଡ଼ିଆ ଜାତିର ଇତିହାସ ଶୀର୍ଷକ ରଖି, ବହିଟିଏରେ ଦୁଇ ହଜାର ବର୍ଷ ତଳର ଘଟଣାବଳୀ ଲେଖିବା ତର୍କସଙ୍ଗତ ନୁହେଁ । କାରଣ ଆମେ ଓଡ଼ିଆ ଜାତି କହିଲେ ଏବେ ଯାହା ବୁଝୁ, ସେହି ବସ୍ତୁଟିର ଇତିହାସ ଓ ଜୀବନକାଳ ଦେଢ଼ଶହ ବର୍ଷରୁ ଅଧିକ ନୁହେଁ । ବର୍ତ୍ତମାନ କାଳରେ ମଧ୍ୟ ଓଡ଼ିଆ ଜାତି ବୋଲି ଗୋଟିଏ ବସ୍ତୁର ସ୍ଥିତି ଅଛି କି ନାହିଁ ସେ ବିଷୟରେ ପ୍ରଶ୍ନ କରାଯାଇପାରେ । ମାତ୍ର ଏହା ନିର୍ବିବାଦ ଯେ 'ଓଡ଼ିଆ ଜାତି' (ଏହି ବସ୍ତୁଟି କାଳ୍ପନିକ ହେଉ ବା ବାସ୍ତବ, ବର୍ତ୍ତମାନର ଆଲୋଚନା ନିମନ୍ତେ ସେଥିରେ କିଛି ବିଶେଷ ଫରକ ପଡ଼ିବ ନାହିଁ) ବିଷୟରେ କଥାବାର୍ତ୍ତା ଓ ଆଲୋଚନା ୧୫୦ ବର୍ଷରୁ   ଅଧିକ ନୁହେଁ । 

ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ବର୍ତ୍ତମାନ ଓଡ଼ିଶା ବୋଲି କୁହାଯାଉଥିବା ଭୂଖଣ୍ଡଟି ଥିଲା ଉପନିବେଶମାନଙ୍କର ଉପନିବେଶ । କେଉଁ ଅଞ୍ଚଳରେ ବଙ୍ଗାଳୀ ଭୂସ୍ୱାମୀମାନେ ଜମି ବନ୍ଦୋବସ୍ତ ମାଧ୍ୟମରେ ଓଡ଼ିଆ ଜମିଦାର ଓ ଚାଷୀମାନଙ୍କୁ ଲଣ୍ଡଭଣ୍ଡ କରୁଥିଲେ ତ ଆଉ କେଉଁଠି ତେଲୁଗୁଭାଷୀମାନେ ସବୁ ଚାକିରୀଗୁଡ଼ିକୁ ମାଡ଼ି ବସିଥିଲେ । ଯେହେତୁ ସେହି ସମୟରେ ବଙ୍ଗଳା ଭାଷା କହୁଥିବା ଜନଗୋଷ୍ଠୀ ଗୁ଼ଡ଼ିକ ଇଂରେଜମାନଙ୍କର ଦେଖାଶିଖା ଏକ ଜାତି ବା ନେଶନ୍ ହିସାବରେ ନିଜର ଆତ୍ମପରିଚୟ ଦେବାକୁ ଆରମ୍ଭ କରିଥିଲେ, ନିଜର ସ୍ୱାର୍ଥସିଦ୍ଧି ପାଇଁ କେତେକ ନିର୍ଦ୍ଦିଷ୍ଟ ଓଡ଼ିଆଭାଷୀ ଜନଗୋଷ୍ଠୀ - ମୂଳତଃ ବ୍ରାହ୍ମଣ, କରଣ, ଖଣ୍ଡାୟତ ଓ ତଥାକଥିତ 'ରାଜପୁତ' - ନିଜର ବୃହତ୍ତର ଆତ୍ମପରିଚୟ ଓଡ଼ିଆ ଜାତି - (କେବଳ ଓଡ଼ିଆ ଭାଷୀ ହିସାବରେ ନୁହେଁ) ଦେବାକୁ ଆରମ୍ଭ କଲେ । ଭାଷା-ଭିତ୍ତିକ ଜାତିବୋଧ ଓ ଜାତୀୟତାବୋଧ ଏକ ଭାରତୀୟ ଅବବୋଧ ନୁହେଁ । ଏହା ଏକ ଔପନିବେଶୀୟ ଆମଦାନୀ । ଏହି ଜନଗୋଷ୍ଠୀଗୁଡ଼ିକ 'ଓଡ଼ିଆ' ଜାତି ହିସାବରେ ନିଜର ପରିଚୟ ଦେବା ଆରମ୍ଭ କରିବା ଯୋଗୁଁ ମୂଖ୍ୟତଃ ଯୋଡ଼ିଏ ଫଳ ଫଳିଲା । ପ୍ରଥମତଃ କେଇଟି ହାତଗଣତି ଜାତିର ଭାଷା ଓଡ଼ିଆ ଭାଷା ଓ ସେମାନଙ୍କର ପରମ୍ପରା ଓଡ଼ିଆ ପରମ୍ପରା ଭାବରେ ପରିଚିତି ଓ ସ୍ୱୀକୃତି ପାଇଲା । ଦ୍ୱିତୀୟତଃ ଏହି ଜନଗୋଷ୍ଠୀଗୁଡ଼ିକ 'ଓଡ଼ିଆ' ଭାବରେ ନିଜର 'ଜାତୀୟତା'କୁ ଏକ ଅସ୍ତ୍ର ଭାବରେ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଭାଷୀମାନଙ୍କ ବିରୁଦ୍ଧରେ ପ୍ରୟୋଗ କରି ଔପନିବେଶିକ ରାଷ୍ଟ୍ର ଉପରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଏକ ବାଟ ଖୋଜି ପାଇଲେ ।

ଗୌରାଙ୍ଗବାବୁଙ୍କର ଲେଖାଗୁଡ଼ିକରେ ଆମେ ଏପରି ଏକ ଅବସ୍ଥାର ପ୍ରତିଫଳନ ଦେଖିବାକୁ ପାଇବା । ଯଦି ପୁରୀ ଓ କଟକର ବ୍ରାହ୍ମଣ ଓ କରଣ ମାନଙ୍କର ଭାଷା ହେଲା ଓଡ଼଼ିଆ ଭାଷା, ତାହାହେଲେ ଓଡ଼ିଶାର ବ୍ରାହ୍ମଣ, କରଣ, ଖଣ୍ଡାୟତ ଓ ରାଜପୁତ୍ ଙ୍କର ଘର କଳି ଓଡ଼ିଶାର ଜାତୀୟ ବିବାଦ ନହେବ ବା କାହିଁକି । ଉଭୟ ଗୋପୀନାଥ ନନ୍ଦଶର୍ମା କୃତ 'ଶବ୍ଦତତ୍ତ୍ୱବୋଧ ଅଭିଧାନ' ଓ ଗୋପାଳଚନ୍ଦ୍ର ପ୍ରହରାଜ କୃତ 'ପୂର୍ଣ୍ଣଚନ୍ଦ୍ର ଭାଷାକୋଷ' ସେଇଥିପାଇଁ ଅନେକ ଓଡ଼ିଆ ଜାତୀୟତାବାଦୀମାନଙ୍କର ଗାତ୍ରଦାହ କରିଛି । କାରଣ ଏ ଉଭୟ ଭାଷାର କୋଣାର୍କ ଓ ମୁକ୍ତେଶ୍ୱର ତରବରରେ ଏକାଠି କରାହୋଇଥିବା 'ଓଡ଼ିଆ' ଜାତୀୟ ଆତ୍ମପରିଚୟର ଦାଏରାର ସଙ୍କୀର୍ଣ୍ଣତାକୁ ଆଖିରେ ଆଙ୍ଗୁଳି ଗେଞ୍ଜି ଦେଖିଇଛନ୍ତି । ତଥାକଥିତ ଇତର ଲୋକଙ୍କର ହେୟ ଶବ୍ଦଗୁଡ଼ିକୁ ଆଦରରେ ସାଉଁଟି ଆଣି ଗଳାର ମାଳ କରିଛନ୍ତି, ରଙ୍କୁଣି ନୀଳା ପାଇଲା ପରି ସ୍ନେହ କରିଛନ୍ତି । ସାହିତ୍ୟର ଶାଶୁମାନଙ୍କ ଆଡ଼କୁ ଅନେଇ କାମରେ ଖଇଚା କରିନାହାନ୍ତି । ଶାଶୁମାନଙ୍କର ଗଞ୍ଜଣା ଓ ଗାଳି ଗୁଡ଼ିକୁ ଆଦୌ ଶୁଣିନାହାନ୍ତି । ଶବ୍ଦ ସହିତ ଖେଳିଛନ୍ତି ଆଉ ଉତ୍ତରପୁରୁଷଗୁଡ଼ିକ ସେହି ଖେଳ ଖେଳିବାର ଅବକାଶ ସୃଷ୍ଟି କରିଛନ୍ତି ।

କିନ୍ତୁ ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ ମିଳିଛି ଧିକ୍କାର । ପ୍ରହରାଜଙ୍କୁ ଅଧିକ ଗାଳିମନ୍ଦ ଶୁଣିବାକୁ ପଡ଼ିଛି, କାରଣ ସେ ଜାତୀୟତାବାଦର ଓ ଜାତୀୟତାବାଦୀ ଆନ୍ଦୋଳନର ଅନ୍ଧ ସମର୍ଥକ ନଥିଲେ । ଭାଷା ଓ ଜାତୀୟତାକୁ ନେଇ ସହମତିର ଅନ୍ଧ ସମୀକରଣକୁ ସେ ସ୍ୱୀକାର କରିନାହାନ୍ତି । ଏହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି । ଏ ଉଭୟଙ୍କର ଉପରେ ସାହିତ୍ୟର ବଡ଼ପଣ୍ଡାମାନଙ୍କର ଷଣ୍ଢୁଆସୀ ଆକ୍ରମଣ କିନ୍ତୁ ଆମକୁ ଗୋଟିଏ ଦିଗ ବିଷୟରେ ସଚେତନ କରାଇଦିଏ । ଭାଷାକୁ ନେଇ ଜାତୀୟତା ଲୋକଙ୍କୁ ପ୍ରମତ୍ତ କରିଛି, କ୍ଷୁଦ୍ର ସ୍ୱାର୍ଥକୁ ବୃହତ୍ତର ସ୍ୱାର୍ଥ ଭାବରେ ଚଳାଇ ନେବାପାଇଁ ବାଟ ଦେଖାଇଛି । ହେଲେ ଗଞ୍ଜାମିଆକୁ ମୟୁରଭଞ୍ଜିଆ ସହିତ ଯୋଡ଼ିପାରିନି । ଲୋକ ଲୋକ ଭିତରେ ସୌହାର୍ଦ୍ଦ୍ୟର ସେତୁ ଗଢ଼ିପାରିନି । ଲେଖକ ଶ୍ରୀ ଦାଶଙ୍କୁ ପଢ଼ିଲେ ବେଳେବେଳେ ଲାଗେ ଯେ ଏହି ଦୋଷଗୁଡ଼ିକ କେତେ ଜଣ ବ୍ୟକ୍ତିଙ୍କର ବା କଟକ-କୈନ୍ଦ୍ରିକ/କଟକ-ମନସ୍କ କେତେଗୋଟି ଜନଗୋଷ୍ଠୀଙ୍କର । ଏତକ ଯଦି ମାନି ହୋଇଯାଆନ୍ତା, ତାହାହେଲେ ଆମର ସାମୁହିକ ଜୀବନ ସରଳ ଓ ସୁବିଧାଜନକ ହୋଇଯାଆନ୍ତା । ମାତ୍ର ସମସ୍ୟାର ଚେର ଆହୁରି ଗଭୀରରେ । ସମସ୍ୟାଟି ତାତ୍ତ୍ୱିକ ।

ଭାଷା-ଭିତ୍ତିକ ଜାତୀୟତା ଏକ ୟୁରୋପୀୟ ଅବଧାରଣା । ଭାରତୀୟ ଉପମହାଦେଶର ସାମାଜିକ ସଂରଚନାରେ 'ନେଶନ୍' ଅର୍ଥରେ ଜାତିନାମକ ସାମୁହିକତାର ଅବସ୍ଥିତି ପାରମ୍ପରିକ ଭାବରେ ନଥିଲା । ଭାରତ ଇଂରେଜମାନଙ୍କର ଉପନିବେଶ ବନିସାରିବା ପରେ ହିଁ 'ଦେଖା ଶିଖା ଓଡ଼ିଆ' ନ୍ୟାୟରେ ତେଲୁଗୁ, ବଙ୍ଗାଳୀ ଓ ଓଡ଼ିଆ ଇତ୍ୟାଦି 'ଜାତି'ଟିମାନ ତିଆରିକରିବାର ଚେଷ୍ଟା ଓ ଉପକ୍ରମମାନ ଆରମ୍ଭ ହୋଇଛି । ଅର୍ଥାତ୍, ଭାରତରେ ଜାତୀୟତା, ନିଜର ସମାଜର ରୂପ ପରିବର୍ତ୍ତନ କରି, ପ୍ରଭୁସମାଜ ପରି ଦିଶିବାର, ଏକ ଅପଚେଷ୍ଟାର ଅଂଶବିଶେଷ ମାତ୍ର । ଅଭିଧାନ/ଶବ୍ଦକୋଷକୁ ନେଇ ମୃତ୍ୟୁଞ୍ଜୟ ରଥ, ଗୋଦାବରୀଶ ମହାପାତ୍ର ଇତ୍ୟାଦିମାନଙ୍କର କୋଳାହଳ, ଅସୁନ୍ଦର ସମାଲୋଚନା, ବ୍ୟକ୍ତିଗତ ବା ଆଞ୍ଚଳିକ ଦୋଷ ନୁହେଁ । ଏହା ଏକ ରୋଗର ଲକ୍ଷଣ ମାତ୍ର । ରୋଗର ଉପଚାର ନିମନ୍ତେ ଆମକୁ ନିଜ ସମାଜର ସଂରଚନାର ଗୁଣସୂତ୍ରଗୁଡ଼ିକୁ ଖୋଜିବାକୁ ପଡ଼ିବ । ଧାରକରା ଚଷମାଗୁଡ଼ିକୁ ଫିଙ୍ଗିଦେଇ, ନିଜର ଅନୁଭୂତି ଓ ଚାରିପାଖର ଦୁନିଆକୁ ତଟକା ଆଖିରେ ଦେଖିବାକୁ ପଡ଼ିବ ।

ଏହି ଦୃଷ୍ଟି ଦେଇ ଆମେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ଓଡ଼ିଶାର ଇତିହାସକୁ ଦେଖିବା । ଭାଷାଭିତ୍ତିକ ଜାତୀୟତା ନିର୍ମାଣ ପରି ଇତିହାସ ('ହିଷ୍ଟ୍ରୀ' ଅର୍ଥରେ) ଏକ ପାରମ୍ପରିକ ଭାରତୀୟ ଅବବୋଧ ନୁହେଁ । ପ୍ରତ୍ୟେକ ମାନବଗୋଷ୍ଠୀ ଅତୀତମନସ୍କ । ଅତୀତ ବିଷୟରେ ଚିନ୍ତା ନକରି, ଅତୀତ ବିଷୟରେ ସମ୍ପ୍ରତ୍ୟୟ ସୃଷ୍ଟି ନକରି, କୌଣସି ଜନସମୁହ ତିଷ୍ଠି ରହିପାରେନା । ଅତୀତମନସ୍କତା ସାର୍ବଜନୀନ । ମାତ୍ର ଇତିହାସ ମନସ୍କତା, ଏକାଡ଼େମିକ୍  ଅର୍ଥରେ ଇତିହାସର ତାତ୍ତ୍ୱିକ ଅବଧାରଣା, ସାର୍ବଜନୀନ ନୁହେଁ । ଏହା ଆଧୁନିକ ୟୁରୋପ୍ ର କଳ୍ପଲୋକର ମାନସପୁତ୍ର । ପ୍ୟାରୀବାବୁଙ୍କର ପୁସ୍ତକଟିର ସାହିତ୍ୟ ଭାବରେ ନିଶ୍ଟୟ ଗୁରୁତ୍ତ୍ୱ ରହିଛି । ମାତ୍ର ଅତୀତ ସମ୍ପର୍କରେ ଏକ ସମ୍ପ୍ରତ୍ୟୟ ଭାବରେ ଏହି ବହିଟି ସେହି ସମୟର ଯୁଗଧର୍ମ ଓ ଯୁଗବୋଧର ପ୍ରତିଫଳନ ମାତ୍ର ।  

ବାଜି ରାଉତଙ୍କ ବିଷୟରେ ଲିଖିତ ପ୍ରବନ୍ଧଟିକୁ ମଧ୍ୟ ଆମେ ଏହି ଦୃଷ୍ଟିରେ ଅବଲୋକନ କରିପାରିବା । ସଚ୍ଚି ରାଉତରାୟ, ଅଦ୍ୱୈତଚନ୍ଦ୍ର ରାଉତ ଇତ୍ୟାଦିଙ୍କର କବିତାରେ ଅସଲ ବାଜି ରାଉତ କାହିଁ କେଉଠି ଲୁଚି ଯାଇଛି । ବାଜି ରାଉତଙ୍କୁ ନେଇ ଜାତୀୟତାବାଦୀ ସାହିତ୍ୟ ଅନେକ ମିଥ୍ୟା ଓ ଅର୍ଦ୍ଧସତ୍ୟକୁ ଭିତ୍ତି କରି ତିଆରି ହୋଇଛି । ଏହି କଥା ଗୌରାଙ୍ଗ ବାବୁ ଦର୍ଶାଇଛନ୍ତି । ଏହା ସହିତ ନ୍ୟାରେଟିଭ୍ ଇତିହାସ ରଚନା ଶୈଳୀରେ ବାଜି ରାଉତ ବିଷୟରେ ଆମକୁ ଏକ ଅତି ସୁନ୍ଦର ଓ ରୋଚକ ଆଖ୍ୟାନ ମଧ୍ୟ ଦେଇଛନ୍ତି । ମାତ୍ର ପୁଣି ଆଉଥରେ ଶ୍ରୀ ଦାଶ ଦୋଷ ଜାତୀୟତାବାଦକୁ ଦେଇନାହାନ୍ତି । ଦୋଷ ଦେଖିଛନ୍ତି ବ୍ୟକ୍ତିର କିମ୍ବା ଗୋଷ୍ଠୀର ।  ଜାତୀୟତାବାଦ - ବିଶେଷତଃ ଭାଷା-ଭିତ୍ତିକ ଜାତୀୟତାବାଦ - ଯେ ଏକ ବିଶେଷ ପ୍ରକାରର ଆଖ୍ୟାନିକା, ଯାହାର ଆଧ୍ୟାତ୍ମିକ ଲୀଳାଭୂମି ପଶ୍ଚିମ ୟୁରୋପ୍, ସେ ବିଷୟ ଆମେ ପାଶୋରି ଦେଲେ ଚଳିବ ନାହିଁ । ଆମର ସାମାଜିକ ବ୍ୟବସ୍ଥାରେ, ସାହିତ୍ୟରେ, ସାହିତ୍ୟ ଚର୍ଚ୍ଚାରେ, ସମ୍ପ୍ରତି ଦେଖାଯାଉଥିବା ବିକୃତିଗୁଡ଼ିକ ଏକ ଔପନିବେଶବାଦ-ଜନିତ ଅନୁକରଣଶୀଳତାରୁ ଶକ୍ତି ଆହରଣ କରନ୍ତି । ଏହି ଅନୁକରଣଶୀଳତା ଯୋଗୁଁ ଆମେ ଆମର ସମାଜ-ସଂସ୍କାରର ପରିକଳ୍ପନାକୁ ରାଷ୍ଟ୍ରଭିତ୍ତିକ ଓ ରାଷ୍ଟ୍ରାଶ୍ରୟୀ କରିଛୁ । ଓଡ଼ିଆ ଭାଷାକୁ ଜାତୀୟତାବାଦର ଅପଦେବତା (ରବି ଠାକୁରଙ୍କର ବର୍ଣ୍ଣନା)ର ଦାସୀ ବନାଇଛୁ । ଯୁଗର ବର୍ତ୍ତମାନର ଆହ୍ୱାନ ହେଲା ଯେ ଓଡ଼ିଆ ଭାଷାକୁ ଜାତୀୟତାବାଦର ଔପନିବେଶିକ ଅଧିକାରରୁ ମୁକ୍ତ କରିବା ।

ଆଲୋଚିତ ପୁସ୍ତକଟି ଏହି ଦିଗରେ ଏକ ଗୁରୁତ୍ତ୍ୱପୂ଼ର୍ଣ୍ଣ ପଦକ୍ଷେପ । ବହିଟିର ପ୍ରଚ୍ଛଦଟି ଚମତ୍କାର । ମୁଦ୍ରଣଗତ ପ୍ରମାଦ ଆଦୌ ନାହିଁ କହିଲେ ଚଳେ । ହେଲେ ସଙ୍କଳିତ ପ୍ରବନ୍ଧଗୁଡ଼ିକର ମୂଳ ଛପା ତାରିଖ ବିଷୟରେ ସୂଚନା ଦିଆଯାଇପାରିଥିଲେ ବହିଟି ଆହୁରି ଅଧିକ ଉପଯୋଗୀ ହୋଇପାରିଥାଆନ୍ତା । ବହି ବିଷୟରେ ସୂଚନା ଦେବା ସମୟରେ ଠାଏଁ ଲେଖକ ଏହି ଲେଖାଗୁଡ଼ିକୁ 'ବୈଚାରିକ ମଳ' ବୋଲି ଆଖ୍ୟାୟିତ କରିଛନ୍ତି । ଅନ୍ୟ କାହା ବିଷୟରେ ଏହି ଲେଖକ କିଛି କହିପାରିବ ନାହିଁ  । ହେଲେ ଗୌରାଙ୍ଗବାବୁଙ୍କର ପ୍ରସ୍ତୁତ ଆହୁରି ଅଧିକ 'ବୈଚାରିକ ମଳ' ଭକ୍ଷଣ କରିବା ପାଇଁ ସେ ଲାଳାୟିତ । ଗ୍ରନ୍ଥସୂଚୀ ଫର୍ଦ୍ଦରେ ଆଲୋଚିତ ପୁସ୍ତକଟି, ବହିଟିର ପ୍ରଥମ ଭାଗ ବୋଲି ସୂଚିତ ହୋଇଛି । ଦ୍ୱିତୀୟ ଭାଗ ଅପେକ୍ଷାରେ ଟକଳା ଭଳି ଏ ସମୀକ୍ଷକ ଟାକି ହୋଇ ରହିଲା ।

No comments:

Post a Comment