ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ତୃତୀୟ ଅଧ୍ୟାୟ : ଶ୍ଲୋକ ୧୬ - ୨୧
ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କର୍ମ ୟୋଗଃ
ଶ୍ରୀ ଭଗବାନ ଉବାଚ
ଏବଂ ପ୍ରବର୍ତ୍ତିତଂ ଚକ୍ରଂ ନାନୁବର୍ତ୍ତୟତୀହ ୟଃ ।
ଅଘାୟୁରିନ୍ଦ୍ରିୟାରାମୋ ମୋଘଂ ପାର୍ଥ ସ ଜୀବତି ।୧୬।
ଯଜ୍ଞାଦି କର୍ମ ଅନୁଷ୍ଠାନ । ତାହାକୁ କର୍ମଚକ୍ର ଜାଣ ।।
ଯେ ଲୋକ ହୋଇ ପାପମତି । ନ ହୁଏ ତହିଁ ଅନୁବର୍ତ୍ତୀ ।
ପାପାତ୍ମା ବୋଲି ତାକୁ ଜାଣ । ବ୍ୟର୍ଥ ହୁଅଇ ତା ଜୀବନ ।୧୬।
ୟସ୍ତ୍ୱାତ୍ମରତିରେବସ୍ୟାଦାତ୍ମତୃପ୍ତଶ୍ଚ ମାନବଃ ।
ଆତ୍ମନ୍ୟେବ ଚ ସନ୍ତୁଷ୍ଟ ସ୍ତସ୍ୟ କାର୍ୟ୍ୟଂ ନବିଦ୍ୟତେ ।୧୭।
ଆତ୍ମାରେ ଯେ ଲୋକର ପ୍ରୀତି । ଆତ୍ମାରେ ଆନନ୍ଦ ଯେ ମତି ।।
ଆତ୍ମାରେ ଯାହାର ସନ୍ତୋଷ । କର୍ମେ ତା ପ୍ରୟୋଜନ କିସ ।୧୭।
ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ ।
ନଚାସ୍ୟ ସର୍ବଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ । ୧୮।
କରେ ସେ କର୍ମ ଅନୁଷ୍ଠାନ । ନୁହଇ କିଛି ତାର ପୁଣ୍ୟ ।।
ଅଥବା କଲେ କର୍ମ ତ୍ୟାଗ । ନ ଭୁଞ୍ଜେ କିଛି ପାପ ଭାଗ ।।
ସେ ଲୋକ ମୋକ୍ଷ ଲାଭ ପାଇଁ । କଦାଚ ବ୍ୟାକୁଳ ନୁହଁଇ ।।
ବ୍ରହ୍ମାଅବଧି ଯେ ସ୍ଥାବର । ଆଶୟ ନ ଲୋଡ଼େ କାହାର ।୧୮।
ତସ୍ମାନ୍ଦସକ୍ତଃ ସତତଂ କାର୍ୟ୍ୟଂ କର୍ମ ସମାଚର ।
ଅସକ୍ତୋ ହ୍ୟାଚରନ୍ କର୍ମ୍ମ ପରମାପ୍ନୋତି ପୁରୁଷଃ ।୧୯।
ଆଶକ୍ତି ତେଜି ଯେଉଁ ଜନ । କରଇ କର୍ମ ଅନୁଷ୍ଠାନ ।।
ସେ ଲୋକ ମୋକ୍ଷକୁ ଲଭଇ । ତେଣୁ ହେ ପାର୍ଥ ମନ ଦେଇ ।।
ନିଷ୍କାମ ହୋଇ ପ୍ରତିଦିନ । କର ହେ କର୍ମ ଅନୁଷ୍ଠାନ ।୧୯ ।
କର୍ମ୍ମଣୈବ ହି ସଂସିଦ୍ଧି ମାସ୍ଥିତା ଜନକାଦୟଃ ।
ଲୋକ ସଂଗ୍ରହମେବାପି ସଂପଶ୍ୟନ୍ କର୍ତ୍ତୁମର୍ହସି ।୨୦।
ଜନକ ପ୍ରଭୃତି ପୂର୍ବାପୂର୍ବ ଜ୍ଞାନୀଗଣ । କର୍ମଯୋଗେ କରିଥିଲେ ଜ୍ଞାନ ଉପାର୍ଜନ ।।
ଅତଏବ ମନୁଷ୍ୟଙ୍କ ସ୍ୱଧର୍ମ ପ୍ରବୃତ୍ତି । କର୍ମ ଅନୁଷ୍ଠାନେ ତୁମ୍ଭେ ବଳାଅ ଯେ ମତି ।।
ଉଚିତ ନୁହଇ କେବେ କର୍ମ ପରିତ୍ୟାଗ । କର୍ମ ଅନୁଷ୍ଠାନେ ତେଣୁ କର ମନଯୋଗ ।୨୦।
ୟଦ୍ ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନାଃ ।
ସ ୟତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ । ୨୧।
କରନ୍ତି ଉତ୍କୃଷ୍ଟ ଲୋକେ ଯାହା ଆଚରଣ । ଇତରେ କରନ୍ତି ସେହି କର୍ମ ଅନୁଷ୍ଠାନ ।
ଉତ୍କୃଷ୍ଟ ପ୍ରମାଣ ବୋଲି ଯାହାକୁ ଗଣନ୍ତି । ସେହି କର୍ମ ଅନୁବର୍ତ୍ତୀ ଇତରେ ହୁଅନ୍ତି ।୨୧।
No comments:
Post a Comment