Wednesday, April 27, 2016

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ପ୍ରଥମ ଖଣ୍ଡ - ୧୬


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ମୋର ପିତାଙ୍କଠାରେ ମୋତେ ଯେଉଁସବୁ ଗୁଣଗୁଡ଼ିକ ପ୍ରୀତିପ୍ରଦ ଲାଗୁଥିଲା, ସେଥି ମଧ୍ୟରେ ତାଙ୍କର କ୍ଷମାଶୀଳତା, ବିବେଚନା ପରେ ନିଆଯାଇଥିବା ନିଷ୍ପତ୍ତିରୁ ପଥଚ୍ୟୁତ ହେବାକୁ ପ୍ରତ୍ୟାଖ୍ୟାନ କରିବା, ମିଥ୍ୟା ସମ୍ମାନ ପ୍ରତି ସମ୍ପୂର୍ଣ  ଔଦାସ୍ୟ, ତାଙ୍କର ଶ୍ରମ ଓ ଅଧ୍ୟବସାୟ, ସାମୁହିକ ମଙ୍ଗଳ ପାଇଁ ଯେକୌଣସି ପ୍ରକଳ୍ପ ବିଷୟରେ ଶୁଣିବାର ଆଗ୍ରହ, ଯୋଗ୍ୟତା ଅନୁସାରେ ପାରିତୋଷିକ ମିଳିବା ନେଇ ତାଙ୍କର ଅବିକାର୍ଯ୍ୟ ଦୃଢ଼ନିଶ୍ଚୟ, ସମୟ ଓ ଆବଶ୍ୟକତା ଅନୁସାରେ ଲଗାମ ଢ଼ିଲା ଛାଡ଼ିବାର ଓ କଷିବାର ନିପୁଣତା, ତଥା କୁମାରମୈଥୁନକୁ ନିୟନ୍ତ୍ରିତ କରିବା ପାଇଁ ତାଙ୍କର ଉଦ୍ୟମ, ଇତ୍ୟାଦି ଅନ୍ୟତମ ଥିଲେ । 

ସେ ନିଜର ସାମାଜିକ ଦାୟିତ୍ତ୍ୱ ସମ୍ପର୍କରେ ସଚେତନ ଥିଲେ । ତାଙ୍କର ବନ୍ଧୁମାନେ କେବେବି ନିୟମିତ ଆସି ତାଙ୍କୁ ଭେଟି ତାଙ୍କର ଅଗ୍ରଗତି ସମ୍ପର୍କରେ ବାର୍ତ୍ତାଳାପ କରିବାର ଆବଶ୍ୟକତା ସେ ଅନୁଭବ କରୁନଥିଲେ । ସେମାନେ ଅନ୍ୟ କୌଣସି କର୍ମରେ ବ୍ୟାପୃତ୍ତ ରହିଲେ, ସେଥିରେ ତାଙ୍କୁ କିଛି ଫରକ ପଡ଼ୁନଥିଲା । ସେ ରାଜସଭାରେ ତାଙ୍କ ସମ୍ମୁଖକୁ ଆସୁଥିବା ସବୁ ପ୍ରଶ୍ନକୁ ଧୈର୍ଯ୍ୟ ସହକାରେ ତନ୍ନତନ୍ନ କରି ପର୍ଯ୍ୟାଲୋଚନା କରୁଥିଲେ । ପ୍ରଥମେ ପାଇଥିବା ଅନୁଭୂତିର ଭିତ୍ତିରେ ସେ କୌଣସି ପ୍ରଶ୍ନକୁ ତ୍ୱରିତ ଭାବରେ ବରଖାସ୍ତ କରୁ ନଥିଲେ । ତାଙ୍କର ବନ୍ଧୁତାଗୁଡ଼ିକ ଚିରସ୍ଥାୟୀ ଥିଲେ । ବନ୍ଧୁ ଭାବରେ ସେ ନା ଚଞ୍ଚଳ ଓ ଅସ୍ତିର ଥିଲେ, ନା ସେ ଥିଲେ ଅପରିମିତ । ସବୁ ପରିସ୍ଥିତି ସହିତ ସେ ଖାପ ଖାଇ ପାରୁଥିଲେ । ପ୍ରଶାନ୍ତ ଭାବରେ, ଦୂରଦୃଷ୍ଟି ସହିତ, ନିଜର ସବୁ ବିନ୍ୟାସକୁ ସେ ଅପ୍ରଗଳ୍ଭ ଭାବରେ ଶେଷ କଥାଟି ପର୍ଯ୍ୟନ୍ତ ଯୋଜନାବଦ୍ଧ କରିପାରୁଥିଲେ । ସାମ୍ରାଜ୍ୟର ସମସ୍ତ ଆବଶ୍ୟକତା ତାଙ୍କର ନଖଦର୍ପଣରେ ଥିଲା । ସେ ସାମ୍ରାଜ୍ୟର ସଂସାଧନଗୁଡ଼ିକର ସୁବିନିଯୋଗ ଓ ସଂରକ୍ଷଣ କରୁଥିଲେ ଓ ଏଥିନିମନ୍ତେ ସମାଲୋଚନା ଶୁଣିବାକୁ ପଡ଼ିଲେ ମଧ୍ୟ ତାକୁ ସହୁଥିଲେ । ନିଜର ଦିଅଁଦେବତାମାନଙ୍କ ସମ୍ବନ୍ଧରେ ସେ ଅନ୍ଧବିଶ୍ୱାସୀ ନଥିଲେ ।  ସେ ତଳକୁ ଖସିଯାଇ, ଲୋକପ୍ରିୟତା ପାଇଁ କିମ୍ବା ଜନସାଧାରଣଙ୍କୁ ମୋହିବା ପାଇଁ, କେବେ ନିଜର ଲୋକଙ୍କ ଆଗରେ କିଛି କରୁନଥିଲେ । ଜାକଜମକିଆ ଓ ନବ୍ୟସଭ୍ୟ ଚିଜମାନଙ୍କଠାରୁ ଦୂରରେ ରହି, ସେ ସର୍ବଦା ସ୍ୱନିର୍ବାଚିତ ପଥକୁ ହିଁ ଶାନ୍ତ ଓ ଧୀର ଭାବରେ ଅନୁସରଣ କରୁଥିଲେ । ଭାଗ୍ୟ ତାଙ୍କୁ ପ୍ରଦାନ କରିଥିବା ସୁଖସୁବିଧାକୁ ସେ ବିନା ଅନୁଶୋଚନା ତଥା ଆତ୍ମତୃପ୍ତିର ସହ ଗ୍ରହଣ କରୁଥିଲେ ।  ସେସବୁ ଭୌତିକ ସୁବିଧା ପାଖରେ, ହାତ ପାହାନ୍ତାରେ ଥିଲେ ସେଗୁଡ଼ିକର ବ୍ୟବହାର ସେ ଅକପଟ ଭାବରେ କରୁଥିଲେ । ନମିଳିଲେ ତାଙ୍କର କୌଣସି ଅନୁତାପ ନଥିଲା । 

ଧାର୍ମିକ ବିଚାରକର ଛଳନା, ଅନୁଚରର ପ୍ରଗଳ୍ଭତା, ପାଣ୍ଡିତ୍ୟାଭିମାନୀର  ମାତ୍ରାଧିକ ସନ୍ଧିଗ୍ଧାବସ୍ଥା ଇତ୍ୟାଦି ଦୋଷ ତାଙ୍କଠାରେ ଆଦୌ ନଥିଲା । ଅଧିକାଂଶ ଲୋକଙ୍କ ପାଇଁ ତାଙ୍କର ବ୍ୟକ୍ତିତ୍ତ୍ୱ ଥିଲା ସମ୍ପୂର୍ଣ୍ଣ ତଥା ପରିପକ୍ୱ - ଏପରି ଏକ ବ୍ୟକ୍ତିତ୍ତ୍ୱ ଯାହା ଚାଟୁ ପାଇଁ ଥିଲା ଅଭେଦ୍ୟ ଏବଂ ନିଜକୁ ଓ ଅନ୍ୟକୁ ଶାସନ କରିବା ପାଇଁ ଥିଲା ସକ୍ଷମ । ଏହାଛଡ଼ା ସମସ୍ତ ଯଥାର୍ଥ ଦାର୍ଶନିକମାନଙ୍କୁ ସେ ସମ୍ମାନ କରୁଥିଲେ । ଅନ୍ୟମାନଙ୍କୁ ସମାଲୋଚନା ନ କରୁଥିଲେ ମଧ୍ୟ ତାଙ୍କଠାରୁ କୌଣସି ମାର୍ଗଦର୍ଶନ ସେ ଗ୍ରହଣ କରୁନଥିଲେ । ଜନସମାଜରେ ସେ ଆଳାପୀ ତଥା ଶିଷ୍ଟ ହେଲେ ହେଁ କେବେହେଲେ ମଧ୍ୟ ତାଙ୍କର ବ୍ୟବହାର ଅରୁଚିକର ନଥିଲା । ସେ ନିଜର ଶରୀରର ଯଥାଯୋଗ୍ୟ ଯତ୍ନ ନେଉଥି୍ଲେ । ମାତ୍ର ଏହାର ଅବସ୍ଥିତିକୁ ଦୀର୍ଘତର କରିବା ନିମନ୍ତେ କିମ୍ବା ଏହାର ଆକୃତିକୁ ସୁଶୋଭିତ କରିବାକୁ ନେଇ ତାଙ୍କର କୌଣସି ଉଦ୍ବେଗ ନଥିଲା । ଯଦିଓ ସେ ନିଜର ଶରୀର ପ୍ରତି ଅମନୋଯୋଗୀ ନଥିଲେ । ସେ ନିଜ ଦେହର ଯତ୍ନ ଏଭଳି ସଫଳତାର ସହିତ ନେଉଥିଲେ ଯେ ତାଙ୍କୁ ଡାକ୍ତର କିମ୍ବା ଔଷଧ ଇତ୍ୟାଦିର ଆବଶ୍ୟକତା ପ୍ରାୟ ପଡ଼ୁନଥିଲା ।  

କୌଣସିଠାରେ - ତାହା ଭାଷଣ ଦେବାରେ ହେଉ ବା ଆଇନରେ ବା ହେଉ ନୀତିଶାସ୍ତ୍ର ବା ଅନ୍ୟ କୌଣସି ବିଭାଗରେ - ଉଲ୍ଲେଖନୀୟ କ୍ଷମତା ଦୃଷ୍ଟିଗୋଚର ହେଲେ ତାଙ୍କଠାରେ ଇର୍ଷା ଦେଖିବାକୁ ମିଳୁନଥିଲା । ସେ ସବୁ ଲୋକଙ୍କୁ ନିଜ ନିଜର କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିବାର ସୁଯୋଗ ଯୋଗାଇ ଦେଉଥିଲେ । ଯଦିଓ ସେ ନିଜର ସମସ୍ତ କାର୍ଯ୍ୟାବଳୀରେ ସାମ୍ବିଧାନିକ ପୂର୍ବପ୍ରଥା ଦ୍ୱାରା ପ୍ରଚୋଦିତ ହେଉଥିଲେ, ଏଥିନିମନ୍ତେ କେବେ ସାର୍ବଜନୀନ ପରିଚିତି ଖୋଜୁନଥିଲେ । ତାଙ୍କୁ ଅସ୍ଥିରତା ଓ ପରିବର୍ତ୍ତନ ପସନ୍ଦନଥିଲା । ତାଙ୍କୁ ସ୍ଥିରୀକୃତ ଭାବରେ ନିର୍ଦ୍ଦିଷ୍ଟ ଯାଗା ଓ ଉଦ୍ଯୋଗ ହିଁ ଭଲଲାଗୁଥିଲେ । ଅର୍ଦ୍ଧକପାଳିର ତୀବ୍ର କଷ୍ଟ ପରେ ସେ ତେଜୋଦୀପ୍ତ ଭାବରେ ସମ୍ପୂର୍ଣ୍ଣରୂପେ ନିଜର ଶକ୍ତିସଞ୍ଚୟ କରି କର୍ତ୍ତବ୍ୟକର୍ମ ସମ୍ପାଦନ କରିବାରେ ଲାଗିଯାଉଥିଲେ । ତାଙ୍କର ଗୁପ୍ତ ଓ ନିଗୁଢ଼ ନଥିପତ୍ରମାନଙ୍କର ସଂଖ୍ୟା ବେଶୀ ନଥିଲା । ଓ ସେଥିରେ ଥିବା ଅଳ୍ପସଂଖ୍ୟକ ଓ ଅନିୟତ ବିଷୟଗୁଡ଼ିକ କେବଳ ରାଷ୍ଟ୍ର ସମ୍ବନ୍ଧୀୟ ହିଁ ଥିଲେ ।  

ତମାଶା ଇତ୍ୟାଦିର ପ୍ରଦର୍ଶନ, ଅଟ୍ଟାଳିକା ନିର୍ମାଣ, ରିହାତି ଇତ୍ୟାଦିର ବିତରଣ ପ୍ରଭୃତି ବ୍ୟାପାରରେ ସେ ସଞ୍ଜମ ଓ ଉଚିତ ବିଚାରର ପ୍ରଦର୍ଶନ କରୁଥିଲେ । କାରଣ ସବୁବେଳେ କୋଣସି ପ୍ରସ୍ତାବର ଆବଶ୍ୟକତା ହିଁ ତାଙ୍କର ବିଚାର୍ଯ୍ୟ ଥିଲା, ତାହାର ଲୋକପ୍ରିୟତା ନୁହେଁ । ସେ କେବେ ଅସୁବିଧାଜନକ ସମୟରେ ସ୍ନାନ କରୁନଥିଲେ । କୋଠାବାଡ଼ି ନିର୍ମାଣ ନେଇ ତାଙ୍କର କୌଣସି  ଅତୀଚ୍ଛା ନଥିଲା । ସେ ନିଜେ ଖାଉଥିବା ଖାଦ୍ୟର, ନିଜେ ପିନ୍ଧୁଥିବା ଜାମାପଟାର, ତଥା ତାଙ୍କ ଚାରିପଟେ ଥିବା ଲୋକଙ୍କର ସୁରୂପତାର କେବେ ସମାଲୋଚନା କରୁନଥିଲେ । ଲୋରିଅମ୍ ରେ ଥିବା ତାଙ୍କର ଗ୍ରାମ୍ୟ ଗୃହରୁ ହିଁ ତାଙ୍କର ସମସ୍ତ ଲୁଗାପଟା ଆହୃତ ହେଉଥିଲା । ବାକି ସବୁ ଜିନିଷ ଆସୁଥିଲା ଲାନୁଭିଅମ୍ ରୁ । ଟୁସ୍କୁଲମ୍ ର କ୍ଷମାପ୍ରାର୍ଥୀ ତତ୍ତ୍ୱାବଧାରକଙ୍କ ପ୍ରତି ତାଙ୍କର ଆଚରଣ ତାଙ୍କର ବ୍ୟବହାରର ଏକ ଉତ୍ତମ ଉଦାହରଣ । ଅସୌଜନ୍ୟ ତଥା କୌଣସି ପ୍ରକାରର କର୍କଶତା ଓ ଦମ୍ଭ ତାଙ୍କର ଚରିତ୍ରଗତ ନଥିଲା । ସେ କେବେ ରାଗି ଯାଇ 'ତରଳିଲା' ପର୍ଯ୍ୟନ୍ତ ତାତିଯାଉନଥିଲେ । ପ୍ରତ୍ୟେକ ଘଟଣାକୁ ସେ ରୀତ୍ୟାନୁସାରେ, ପୁଙ୍ଖାନୁପୁଙ୍ଖ ଭାବରେ, ସମୟ ଓ ଧ୍ୟାନ ଦେଇ, ଦୃଢ଼ ଭାବରେ ପର୍ଯ୍ୟାଲୋଚନା କରୁଥିଲେ । ସୁକ୍ରାତ୍ ଙ୍କ ବିଷୟରେ ଯାହା କୁହାଯାଏ, ତାହା ତାଙ୍କ ପାଇଁ ମଧ୍ୟ ସତ୍ୟ ଥିଲା - ଯେଉଁସବୁ ଜିନିଷ ସାଧାରଣ ଲୋକେ ନିଜର ଦୁର୍ବଳତା ଯୋଗୁଁ ମନା କରନ୍ତି କିମ୍ବା ଅପରିମିତତା ଯୋଗୁଁ ଯେଉଁସବୁ ଚିଜର ଗୁଣାଦର କରିପାରନ୍ତି ନାହିଁ, ତାଙ୍କର ସେହିସବୁ ଜିନିଷର ସ୍ୱାଧୀନ ଭାବରେ ଭୋଗ ବା ତ୍ୟାଗ କରିବାର କ୍ଷମତା ଥିଲା । ଭୋଗ ଓ ତ୍ୟାଗ - ଏ ଉଭୟ ଉପରେ ଶକ୍ତିର ସହ ବିଜୟଲାଭ କରିଥିବା ମାକ୍ସିମସ୍ ନିଜର ମୃତ୍ୟୁଶଯ୍ୟାରେ ମଧ୍ୟ ଏହା ପ୍ରମାଣିତ କଲେ ଯେ ସେ ସିଦ୍ଧ ଓ ଅଜେୟ । 

No comments:

Post a Comment